Categories
ଆଜିର ଖବର ଜାତୀୟ ଖବର

କରୋନା ମୁକାବିଲା ପାଇଁ ସାତୋଟି ରାଜ୍ୟକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଳୀ : ଦେଶରେ କରୋନା ସଂକ୍ରମଣ କମି କମି ଆସିଥିବା ବେଳେ ସାତୋଟି ରାଜ୍ୟରେ ଏହି ସଂକ୍ରମଣ ଅଧିକ ହେଉଛି । ଏହି ସଂକ୍ରମଣକୁ ହ୍ରାସ କରିବା ପାଇଁ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କରୋନା ମୁକାବିଲା ପାଇଁ ଏହି ସାତୋଟି ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ କେଉଁଭଳି ଭାବରେ କରୋନା ମୁକାବିଲା କରିହେବ ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ହର୍ଷବର୍ଦ୍ଧନ । ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ମେଘାଳୟ ଏବଂ ଗୋଆର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ସହିତ ଏହି ଆଲୋଚନା କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଟେଷ୍ଟିଂ ସଂଖ୍ୟାରେ ବୃଦ୍ଧି, ଅଧିକ ସଂକ୍ରମଣ ରହିଥିବା ସ୍ଥାନମାନଙ୍କରେ ଅଧିକ ସୁରକ୍ଷା ବ୍ୟବସ୍ଥା ଏବଂ ଏକତ୍ରୀକରଣ ବନ୍ଦ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ହର୍ଷବର୍ଦ୍ଧନ ।

କରୋନା ପରିଚାଳନା ବ୍ୟବସ୍ଥାକୁ ଉନ୍ନତ କରିବା ସହିତ 24, 48 ଓ 72 ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା କମ କରିବା ପାଇଁ ହର୍ଷବର୍ଦ୍ଧନ ପ୍ରସ୍ତାବ ଦେଇଥିଲେ । ମହାରାଷ୍ଟ୍ରରେ ମୃତ୍ୟୁ ହାର 2.6  ପ୍ରତିଶତ ରହିଥିବା ବେଳେ କେବଳ ମୁମ୍ବାଇରେ ଏହା 3.5 ପ୍ରତିଶତ ରହିଛି । ଉତ୍ତରାଖଣ୍ଡରେ ମୃତ୍ୟୁହାର 1.64 ପ୍ରତିଶତ ରହିଛି । ସେହିପରି ମଣିପୁର ଏବଂ ମିଜୋରାମରେ ପଜିଟିଭିଟି ହାର ଦିନକୁ ଦିନ ଦ୍ୱିଗୁଣିତ ହେବାରେ ଲାଗିଛି ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ମୁକାବିଲା ପାଇଁ ସୋଆ କମ୍ୟୁନିଟି ରେଡିଓର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : କୋଭିଡ-୧୯ ମହାମାରୀର ଭୟାବହ ପରିସ୍ଥିତି ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।

ୟୁନିସେଫ୍‌ର ସହଭାଗିତାରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ନିୟମିତ ଭାବରେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା କରିବା ନେଇ ସଚେତନତା କାର୍ଯ୍ୟକ୍ରମ ରେଡିଓ ମାଧ୍ୟମରେ ପରିବେଷଣ କରିଆସୁଛି ।

ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ସର୍ବେ ଭବନ୍ତୁ ସୁଖିନଃ” ଜରିଆରେ ଏହି କମ୍ୟୁନିଟି ରେଡିଓ ପକ୍ଷରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ବିଶେଷଜ୍ଞ ଓ ଡାକ୍ତରମାନଙ୍କୁ ନେଇ ଆଲୋଚନା କାର୍ଯ୍ୟକ୍ରମ ମାଧ୍ୟମରେ କରୋନା ଭାଇରସ ସଂକ୍ରମଣ ଓ ଏଥିରୁ କିଭଳି ଦୂରେଇ ରହିବାକୁ ହେବ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ସୋଆର ଅନେକ ଗବେଷକ ମଧ୍ୟ ଶ୍ରୋତାମାନଙ୍କୁ ଏହି ମାରାତ୍ମକ ଭାଇରସ୍ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରୁଛନ୍ତି।

ଏହି ମହାମାରୀ ସମୟରେ ମନସ୍ତତ୍ୱବିତ୍ତମାନେ ସୋଆ କମ୍ୟୁନିଟି ରେଡିଓ ଜରିଆରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା କରୁଥିବା ବେଳେ ଆଶାକର୍ମୀ ଓ ଏଏନ୍‌ଏମ୍ ମାନେ ଶ୍ରୋତାମାନଙ୍କୁ ସୁରକ୍ଷା, ଉପଯୁକ୍ତ ବ୍ୟାୟାମ ଓ ପୁଷ୍ଟିକର ଖାଦ୍ୟ ସଂଗ୍ରହ ସମ୍ପର୍କରେ ସୂଚନା ଦେଉଛନ୍ତି । ଘରେ ଏକାନ୍ତବାସ, ରୋଗୀଙ୍କର ଘରୋଇ ଚିକିତ୍ସା ଏବଂ ବୟସ୍କ ବ୍ୟକ୍ତିମାନଙ୍କର ଯତ୍ନ, ଅନ୍ଧବିଶ୍ୱାସ ଓ ଅସମାନତା ପ୍ରଭୃତି ବିଷୟବସ୍ତୁକୁ ନେଇ କମ୍ୟୁନିଟି ରେଡିଓ ପକ୍ଷରୁ ପଥପ୍ରାନ୍ତ ନାଟକ ଓ ଜିଙ୍ଗଲ୍ ପରିବେଷଣ କରାଯାଉଛି ।

ଆଂଟିଜେନ୍‌, ଆର୍‌ଟି-ପିସିଆର୍ ଟେଷ୍ଟ, ପ୍ଲାଜ୍‌ମା ଥେରାପି, ପ୍ଲାଜମା ପ୍ରଦାନ ଏବଂ କ୍ୟାନ୍ସର, ମଧୁମେହ ଓ ଉଚ୍ଚ ରକ୍ତଚାପ ଥିବା ରୋଗୀମାନଙ୍କର କିଭଳି ଏହି ମହାମାରୀ ସମୟରେ ଯତ୍ନ ଓ ଚିକିତ୍ସା କରାଯିବ ସେ ନେଇ ଓଡ଼ିଆ, ହିନ୍ଦୀ, ଓ ଇଂରାଜୀରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ପରିବେଷଣା କରାଯାଉଛି ।

ସୋଆ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ରେଡିଓ ଜକି କାର୍ଯ୍ୟକ୍ରମ ‘ସୋଆ ୟଙ୍ଗିସ୍ତାନ’ ସପ୍ତାହରେ ଦୁଇଥର ପରିବେଷଣ କରାଯାଉଥିବା ବେଳେ ଡିଜିଟାଲ୍ କାର୍ଯ୍ୟକ୍ରମ ଜରିଆରେ କୋଭିଡ-୧୯ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନେ ତାଙ୍କ ଘରୁ ହିଁ ଜାରି ରଖିଛନ୍ତି ।

ଟୁଇଟର୍‌, ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ୍ ଏବଂ ଫେସ୍‌ବୁକ୍ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ ସୋଆ କମ୍ୟୁନିଟି ରେଡିଓ ବେଶ ଜଡିତ ଥିବାବେଳେ ଏନ୍‌ସିଇଆରଟିର ସହଯୋଗରେ ଅନେକ ପାଠ୍ୟକ୍ରମ ଜନିତ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଉଛି ।

ୟୁନିସେଫ୍ ଓ କମ୍ୟୁନିଟି ରେଡିଓ ଆସୋସିଏସନ୍‌ର ସହଯୋଗିତାରେ ଗତ ଜୁନ୍ ମାସରୁ ‘ମିଶନ୍ କରୋନା’ ନାମକ ଏକ କାର୍ଯ୍ୟକ୍ରମର ୧୦ଟି ଏପିସୋଡ୍ ପରିବେଷଣ କରାଯାଇଛି । ଏଥିମଧ୍ୟରୁ କୃଷିଭିତିକ ଦୁଇଟି ଏପିସୋଡ୍‌, ‘ସୋଆ ଏଗ୍ରିକଲ୍‌ଚର୍‌’ ଓ ‘ବାଡି ବଗିଚା’ ନାମରେ ପରିବେଷଣ କରାଯାଇଥିବା ବେଳେ ଏହା ଖୁବ୍ ଆଦୃତି ଲାଭ କରିଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ବିଶେଷଜ୍ଞମାନେ ସୋଆ କମ୍ୟୁନିଟି ରେଡିଓକୁ ଆସି ମହିଳାମାନଙ୍କ ଦ୍ୱାରା ଛତୁ ଚାଷ, କୀଟ ନିୟନ୍ତ୍ରଣ, ଜୈବିକ ଚାଷ, ଛାତରେ ଉଦ୍ୟାନ, ଋତୁ ଅନୁଯାୟୀ ଫୁଲ, ଫଳ ଓ ପରିବା ଚାଷ ପ୍ରଭୃତି ସମ୍ପର୍କରେ ବିଶେଷ ଟିପ୍ପଣୀ ଦେଇଛନ୍ତି ।

ରେଡିଓ ପକ୍ଷରୁ ଯୋଗ ସମ୍ପର୍କରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ସୋଆ କମ୍ୟୁନିଟି ରେଡିଓକୁ ବିଭିନ୍ନ ଶ୍ରେଣୀର ଶ୍ରୋତାମାନେ ନିୟମିତ ଶୁଣୁଛନ୍ତି ବୋଲି କହିଛନ୍ତି ରେଡିଓ ଷ୍ଟେସନ୍‌ର ଦାୟିତ୍ୱରେ ଥିବା ଶ୍ରୀମତି ହନି ପଟ୍ଟନାୟକ ।

Categories
ବିଶେଷ ଖବର

କରୋନା ମୁକାବିଲା; ମୁଖା ଓ ଟୀକାର ସଙ୍କଟ- ସାଧାରଣ ଜନତା ସବୁ କଥାରେ ଭକୁଆ!!

କେଦାର ମିଶ୍ର

ସୁସ୍ଥ ଲୋକ ବାହାରକୁ ଗଲାବେଳେ ମୁଖା ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ- ମାର୍ଚ୍ଚ ଦ୍ଵିତୀୟ ସପ୍ତାହ ବେଳକୁ ଭାରତର ପ୍ରାୟ ସବୁ ଡାକ୍ତର ଏକଥା କହୁଥିଲେ। ଭୁବନେଶ୍ୱର ଏମ୍ସ ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ନିର୍ଦ୍ଦିଷ୍ଟ ଭାବରେ ଏ କଥା ବହୁ ଟେଲିଭିଜନ ଆଲୋଚନାରେ କହିଛନ୍ତି। ସେହି ସମୟରେ ଓଡିଶା ସରକାରଙ୍କର କୋଭିଡ ମୁଖପାତ୍ର ସୁବ୍ରତ ବାଗଚି ମଧ୍ୟ ସେକଥା କହୁଥିଲେ। ତେବେ ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ସମସ୍ତଙ୍କ କଥା ବଦଳିଗଲା। ଭାରତ ସରକାର ଓ ରାଜ୍ୟ ସରକାର ଗୁଡିକ ସାଧାରଣ ସ୍ଥାନରେ ମୁଖା ପିନ୍ଧିବା ବାଧ୍ୟତାମୂଳକ ବୋଲି ଆଇନ କଲେ ଓ ଏହାକୁ ନ ମାନିଲେ ଜରିମାନାର ବନ୍ଦୋବସ୍ତ କଲେ। ଆଗରୁ ମୁଖାର ଆବଶ୍ୟକତା ନାହିଁ ବୋଲି କହୁଥିବା ସରକାର ହଠାତ ମୁଖା  ହିଁ ଭୂତାଣୁ ରୋକିବାର ଏକମାତ୍ର ମାର୍ଗ ବୋଲି କହିଲେ। ତେବେ ମୁଖା ବାଧ୍ୟତାମୂଳକ ହେବା ପରେ ଆଉ ଗୋଟେ କଥା ମଧ୍ୟ କୁହାଗଲା। ସ୍ଵତନ୍ତ୍ର ପ୍ରକ୍ରିୟାରେ ତିଆରି ହେଉଥିବା ଏନ-୯୫ ମୁଖା ସମସ୍ତଙ୍କୁ ଯୋଗାଇବା ସମ୍ଭବ ନୁହେଁ। ତେଣୁ ସାଧାରଣ ଲୋକ କପଡାରେ ତିଆରି ମୁଖା ପିନ୍ଧନ୍ତୁ। ଲୋକେ ସେକଥା ମଧ୍ୟ ମାନିଲେ। କରୋନା ଭୂତାଣୁ ଭୟରେ ମୁଖା ଆମ ଜୀବନର ଏକ ଅପରିହାର୍ୟ ଅଙ୍ଗ ପାଲଟିଗଲା।ଭଳିକି ଭଳି ମୁଖା ର ଏକ ବିରାଟ ବଜାର ବଢି ଉଠିଲା।

ପ୍ରାଥମିକ ଭାବରେ ଏନ-୯୫ ମୁଖା କେବଳ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୋଲିସ, ସଫେଇ କର୍ମଚାରୀ ଓ ଏହି ସଂଗ୍ରାମର ପ୍ରମୁଖ ଯୋଦ୍ଧା ମାନଙ୍କୁ ଯୋଗାଇ ଦିଆ ଯାଇଥିଲା। ତେବେ ସମୟ କ୍ରମେ ବଜାରକୁ ଏନ-୯୫ ମୁଖା ଆସିଲା ଓ ତାକୁ ସାଧାରଣ ଲୋକ ମଧ୍ୟ ବ୍ୟବହାର କରିବା ଆରମ୍ଭ କଲେ। କପଡା ମୁଖା ତୁଳନାରେ ଏନ-୯୫ ମୁଖା ପିନ୍ଧିବା ଅଧିକ ସୁବିଧାଜନକ ଥିଲା। ଏନ-୯୫ ମୁଖାରେ ଶ୍ଵାସ ନିର୍ଗତ ହେବା ଲାଗି ଛିଦ୍ର ବା ଭାଲ୍ଵ ରହିଥାଏ। ତେଣୁ ଅଣନିଶ୍ଵାସୀ ନ ହେବା ଲାଗି ଲୋକେ ଏନ-୯୫ ମୁଖା ପସନ୍ଦ କଲେ। ଇତି ମଧ୍ୟରେ ଚାରି ମାସ ବିତି ଗଲାଣି ଓ ଲୋକେ ଏଠି ସହ ଅଭ୍ୟସ୍ତ ହୋଇ ସାରିଲେଣି। ଦୁଇ ଦିନ ତଳେ ହଠାତ ଭାରତ ସରକାର ଏକ ଚିଠି ଲେଖି ତାଗିଦ କରିଛନ୍ତି ଯେ ଏନ-୯୫ ମୁଖା ପିନ୍ଧିବା କ୍ଷତିକାରକ। ଏହା ସଂକ୍ରମଣ ବଢାଇବାରେ ସହାୟକ ହେବ ବୋଲି କୁହା ଯାଉଛି। ଶ୍ବାସରୁ ନିର୍ଗତ ଭୂତାଣୁ କୁ ଏହା ରୋକି ପାରିବ ନାହିଁ ବୋଲି କୁହା ଯାଉଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ନାକ, ଆଖି ଓ ପାଟି ରୁ ନିର୍ଗତ ହେଉଥିବା ଜଳକଣା (ଡ୍ରପ୍ଳେଟ) ମାଧ୍ୟମରେ ଭୂତାଣୁ ସଂକ୍ରମିତ ହୁଏ ବୋଲି ଆମେ ଜାଣିଛୁ। ହଠାତ ପବନ ଓ ଶ୍ଵାସକ୍ରିୟାରେ ଏହାର ସଂକ୍ରମଣ ଘଟୁଛି ବୋଲି ଏବେ କୁହା ଗଲାଣି। ଯଦି ଶ୍ଵାସ ପ୍ରଶ୍ଵାସ ମାଧ୍ୟମରେ ସଂକ୍ରମଣ ସତରେ ହେଉଥିବ ତା ହେଲେ, ମୁଖା ମାଧ୍ୟମରେ ଏହାକୁ ରୋକା ଯାଇପାରିବ କି? ବାସ୍ତବରେ ଆମେ ସାଧାରଣ ଲୋକେ କରୋନା ସଂକ୍ରମଣକୁ ନେଇ ଅଧିକରୁ ଅଧିକ ଦ୍ଵନ୍ଦ୍ଵ ରେ ରହିବାକୁ ବାଧ୍ୟ। ଆମକୁ ବିଭିନ୍ନ ସମୟରେ ପରଷ୍ପର ବିରୋଧୀ ତଥ୍ୟ ଦେଇ ବଡ ଅସୁବିଧାରେ  ପକାଯାଉଛି। ମୁଖାକୁ ନେଇ ଆଉ ଏକ ତଥ୍ୟ ମଧ୍ୟ ଲୋକଙ୍କୁ ଅସୁବିଧାରେ ପକାଉଛି। ଡାକ୍ତରମାନେ କହୁଛନ୍ତି, ଯେ କୌଣସି ମୁଖାକୁ ୨ ଘଣ୍ଟାରୁ ଅଧିକ ବ୍ୟବହାର କରିବା ଉଚିତ ନୁହେଁ। ପ୍ରତି ଦୁଇ ଘଣ୍ଟା ରେ ନୂଆ ମୁଖା ବଦଳ କରିବା ବାସ୍ତବରେ ସମ୍ଭବ କି?

ମୁଖା ସହିତ କରୋନା ଚିକିତ୍ସା କୁ ନେଇ ମଧ୍ୟ ସରକାରୀ ସ୍ତରରେ ଅନେକ ବିରୋଧାଭାସ ଦେଖା ଯାଉଛି। ଦିଲ୍ଲୀ ସରକାର ଯେତେବେଳେ ଗୁରୁତର କରୋନା ରୋଗୀଙ୍କର ଚିକିତ୍ସା ଲାଗି ପ୍ଲାଜମା ଥେରାପି ଆରମ୍ଭ କଲେ, କେନ୍ଦ୍ର ସରକାର ଏହାକୁ ବିରୋଧ କଲେ। ଏପରିକି ଦେଶର ସର୍ବୋଚ୍ଚ ଆୟୁର୍ବିଜ୍ଞାନ ଗବେଷଣା ସଂସ୍ଥା ଏହାକୁ ବିରୋଧ କଲା। ତେବେ ମାତ୍ର କେଇ ସପ୍ତାହ ଭିତରେ ପ୍ଲାଜମା ଥେରାପି ଗୁରୁତର କରୋନା  ରୋଗୀଙ୍କ ଲାଗି ଏକ ସଫଳ ଚିକିତ୍ସା ବୋଲି ସ୍ଵୀକାର କରାଗଲା। ଏବେ ସବୁଠି ପ୍ଲାଜମା ଥେରାପିର ବ୍ୟବହାର ବଢି ଚାଲିଛି।

କରୋନା ର ଔଷଧ ନାହିଁ ବୋଲି ଆଜି ବି କୁହା ଯାଉଛି, ହେଲେ ପୃଥିବୀରେ ୬୦% ଲୋକ ଆରୋଗ୍ଯ ଲାଭ କରୁଛନ୍ତି କେମିତି। ଅନେକ ଦେଶରେ ଆରୋଗ୍ଯ ହାର ୯୪-୯୫% ରେ ପହଞ୍ଚିଲାଣି। ବିନା ଔଷଧରେ ଲୋକେ ଆପେ ଆପେ ଆରୋଗ୍ଯ ଲାଭ କରୁଛନ୍ତି କି? ସଂକ୍ରମଣ ବଢିବା ସହିତ ଆରୋଗ୍ଯ ଲାଭର ମାତ୍ରା ମଧ୍ୟ ବଢୁଛି। ଏଥିପାଇଁ କିଛି କିଛି ଔଷଧ ବାହାରିଲାଣି ଓ ସେସବୁ କାମରେ ଲାଗୁଛି ନିଶ୍ଚୟ। ଏହି ପ୍ରକ୍ରିୟାରେ କରୋନାର ପ୍ରତିଷେଧକ ଟୀକାକୁ ନେଇ ମଧ୍ୟ ଅନେକ ପ୍ରକାର ଅପତଥ୍ୟ ଓ ଅନ୍ତର୍ଦ୍ଵନ୍ଦ୍ଵ ଆମେ ଦେଖୁଛୁ। ଅତି କମରେ ୨୩ ପ୍ରକାର ଟୀକାକୁ ନେଇ ଏବେ ସାରା ପୃଥିବୀରେ ପରୀକ୍ଷା ନିରୀକ୍ଷା ଚାଲିଛି। ହେଲେ ଟୀକା ତିଆରି କରିବା, ବିଭିନ୍ନ ସ୍ତରରେ ପରୀକ୍ଷା କରିବା, ସ୍ଵୀକୃତି ପାଇବା ଏବଂ ସର୍ବ ସାଧାରଣଙ୍କ ଲାଗି ଉତ୍ପାଦନ କରିବାର ପ୍ରକ୍ରିୟା ଟି ସମୟ ସାପେକ୍ଷ। ଏହା ୩ ମାସ କି ୬ ମାସର ବ୍ୟାପାର ନୁହେଁ। ପ୍ରତିଷେଧକ ଟୀକା ଏକ ଦୀର୍ଘସ୍ଥାୟୀ ସମାଧାନ, ଏହା ମହାମାରୀକୁ ତୁରନ୍ତ ଅଟକାଇ ପାରିବ ନାହିଁ।

ଶହେ ତିରିଶ କୋଟି ଲୋକଙ୍କର ଏକ ଦେଶରେ ଯେ କୌଣସି ସରକାରୀ ନିଷ୍ପତ୍ତି ଲାଗୁ କରିବା ପୂର୍ବରୁ, ସେ ବିଷୟରେ ବ୍ୟାପକ ବିତର୍କ ଓ ବିମର୍ଶ ହେବା ଜରୁରୀ। କରୋନା ମୁକାବିଲା କ୍ଷେତ୍ରରେ ଆମେ ଦେଖୁଛୁ, ଅନେକ ସମୟରେ ଅନ୍ଧାରରେ ବାଡି ବୁଲା ଚାଲିଛି। ମୁଖା, ଟୀକା ଓ ଚିକିତ୍ସା ବାବଦରେ  ଆମେ ବାରମ୍ବାର ଭକୁଆ ହୋଇ ସରକାରୀ ନିର୍ଦ୍ଦେଶକୁ ବୁଝି ପାରୁନୁ।

Categories
ଆଜିର ଖବର ଆଞ୍ଚଳିକ

କରୋନା ମୁକାବିଲା ନେଇ ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବିଧାୟିକା

ପିଣ୍ଟୁ ବିଷୋୟୀ 

ବେଗୁନିଆପଡା : କରୋନା ମହାମାରୀ ସହିତ ସମଗ୍ର ବିଶ୍ୱ ବର୍ତ୍ତମାନ ଲଢେଇ କରୁଛି । ଦେଶର ବିଭିନ୍ନ ରାଜ୍ୟରେ ପ୍ରବାସୀ ଓଡ଼ିଆ ମାନେ ଫସି ରହିଛନ୍ତି। ଏଭଳି ସ୍ଥିତିରେ ଓଡିଶା ସରକାର ପ୍ରବାସୀ ଓଡିଆମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣୁଛନ୍ତି । ତେବେ ଗଞ୍ଜାମ ଜିଲ୍ଲାର ହଜାର ହଜାର ଶ୍ରମିକ ସୁରତରୁ ଓଡିଶା ଫେରୁଛନ୍ତି। ସେମାନଙ୍କ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ପଞ୍ଚାୟତରେ କ୍ୱାରେନଟାଇନ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଅନ୍ୟ ରାଜ୍ୟରୁ ଫେରିବାକୁ ଥିବା ଓଡିଆମାନେ କ୍ୱାରେନଟାଇନରେ ରହିବା ବ୍ୟବସ୍ଥା ହୋଇଛି ।

ତେବେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ସୁରତ ଫେରନ୍ତାମାନଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହି କ୍ରମରେ ଆଜି କବିସୂର୍ଯ୍ୟନଗର ବ୍ଲକ କାର୍ଯ୍ୟାଳୟରେ ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଭିଡିଓ କନଫେରସିଂ ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

ବିଶେଷ କରି କୋରୋନା ମୁକାବିଲା ନେଇ ଏହି ବୈଠକରେ ଆଲୋଚନା ହୋଇଛି । ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ କ୍ୱାରେଣ୍ଟାଇନରେ ରଖି ସେମାନଙ୍କ ଯତ୍ନ ନେବା ସହ ରହିବା ଓ ଖାଇବାର ଉଚିତ ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି ବିଧାୟିକା । ସାମାଜିକ ଦୂରତ୍ୱ ଦ୍ୱାରା ହିଁ କୋଭିଡ ଯୁଦ୍ଧରେ ଆମେ ବିଜୟ ହୋଇପାରିବା ବୋଲି ମତବ୍ୟକ୍ତ କରିଥିଲେ ବିଧାୟିକା।

Categories
ଆଜିର ଖବର ରାଜ୍ୟ ଖବର

କରୋନା ମୁକାବିଲା ନେଇ ଜିଲ୍ଲାପାଳମାନଙ୍କ ସହ କଥା ହେଲେ ରାଜ୍ୟପାଳ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ମୁକାବିଲା ନେଇ ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍‌। ଆଜି କେତେକ ଜିଲ୍ଲାର ଜିଲ୍ଲାପାଳମାନଙ୍କ କରୋନା ମୁକାବିଲା ନେଇ ଆଲୋଚନା କରିଛନ୍ତି ରାଜ୍ୟପାଳ। କୋରାପୁଟ, ଗଜପତି, ନୂଆପଡା, ନବରଙ୍ଗପୁର ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି ରାଜ୍ୟପାଳ। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୁଝିଛନ୍ତି ରାଜ୍ୟପାଳ। ଅତି ଗୁରୁତର ସହ ଘଟଣାକୁ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ। ଗତ 28 ତାରିଖରେ ପୁରୀ, କଟକ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ କରୋନା ସମ୍ପର୍କରେ କଥା ହୋଇଥିଲେ ରାଜ୍ୟପାଳ।