କାମାକ୍ଷାନଗର: ଗତ କାଲିଠୁ ନିଖୋଜ ଥିବା ଜଣେ 4 ବର୍ଷର ଶିଶୁ କନ୍ୟାର ମୃତଦେହ ଏକ ନାଳରୁ ଉଦ୍ଧାର ହୋଇଛି । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଶିଶୁଟିର ମୃତଦେହରେ କ୍ଷତବିକ୍ଷତ ଚିହ୍ନ ଥିବାରୁ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ସମୟରେ ଶିଶୁ କନ୍ୟାଟି ଘର ପାଖରେ ଖେଳୁଥିଲା। ହେଲେ କିଛି ସମୟ ପରେ ପରିବାର ଲୋକେ ଖୋଜିବାରୁ ଆଉ ସନ୍ଧାନ ପାଇନଥିଲେ। ଏହାପରେ ରାତିରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଆଜି ସକାଳୁ ଶିଶୁଟିର ମୃତଦେହ ଘରଠୁ ଅଧ କି.ମି ଦୂର ଥିବା ମାଗାମ୍ବୁର ନାଳରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଶିଶୁ କନ୍ୟାଟିର ହତ୍ୟା କାହିଁକି ଓ କିପରି କରାଗଲା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତଦନ୍ତ ପରେ ଏହି ଘଟଣା ସାମ୍ନାକୁ ଆସିବ ।