ପୁଣି ଥରେ ଦଳ ବିରୋଧରେ ମୁହଁ ଖୋଲିଲେ ସିବଲ୍‌‌

Published: Nov 16, 2020, 12:47 pm IST

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ହାରିବା ପରେ କଂଗ୍ରେସ ଦଳ ଭିତରେ ପୁଣି ଥରେ ଅନ୍ତକନ୍ଦଳ ସାମ୍ନାକୁ ଆସିଛି । ଦଳ ବିରୋଧରେ ପୁଣିଥରେ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା କପିଲ ସିବଲ।  ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା କପିଲ ସିବଲ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। କିଛି ଦିନ ପୂର୍ବରୁ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଆମୂଳଚୂଳ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଥିଲେ। କପିଲ ସିବଲ କହିଛନ୍ତି ଯେ ବିହାର ପ୍ରଦର୍ଶନ ଏବଂ ବିଭିନ୍ନ ରାଜ୍ୟର ଉପ ନିର୍ବାଚନରେ ଏଯାବତ ପରାଜୟର କାରଣ କଣ ​​କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଦ୍ୱାରା ଦିଆଯାଇନାହିଁ।

କେବଳ ବିହାରରେ ନୁହେଁ, ଦେଶର ଯେଉଁଠି ନିର୍ବାଚନ କିମ୍ୱା ଉପ-ନିର୍ବାଚନ ହେଉଛି ସେଠି କଂଗ୍ରେସକୁ ଆଉ ପ୍ରଭାବଶାଳୀ ବିକଳ୍ପ ଭାବେ ଲୋକମାନେ ଗ୍ରହଣ କରୁ ନାହାନ୍ତି ବୋଲି କହିଛନ୍ତି ସିବଲ୍‌ । ଆମକୁ କଂଗ୍ରେସର ଦୁର୍ବଳତା ଜଣା ଅଛି । ସାଙ୍ଗଠନିକ ସ୍ତରରେ କ’ଣ ଅସୁବିଧା ରହିଛି ତାହା ମଧ୍ୟ ଜଣା ଅଛି । ଦଳର ସମସ୍ୟା ସମ୍ପର୍କରେ ସମେସ୍ତ ଜାଣିଛନ୍ତି । କିନ୍ତୁ ଏହାର ସମାଧାନ ପାଇଁ କେହି ଆଗ୍ରହୀ ହେଉନାହାନ୍ତି । ଯଦି ଏମିତି ଚାଲିବ ତେବେ କଂଗ୍ରେସର ଗ୍ରାଫ୍‌ ଏହିପରି ଭାବରେ ତଳକୁ ଖସିବ । କଂଗ୍ରେସର ଦୁର୍ଦ୍ଦଶାକୁ ନେଇ ସମେସ୍ତ ଚିନ୍ତିତ ବୋଲି କହିଛନ୍ତି ସିବଲ୍‌ । ବିହାରରେ ବିକଳ୍ପ ଭାବରେ ଆରଜେଡି ଲୋକଙ୍କ ବିଶ୍ୱାସ ଜିତିଛି ବୋଲି କହିଛନ୍ତି ସିବଲ୍‌ । ଗୁଜୁରାଟ, ମଧ୍ୟପ୍ରଦେଶ ଉପ ନିର୍ବାଚନରେ ​​ହାରିଗଲୁ। ଲୋକସଭା ନିର୍ବାଚନରେ ​​ମଧ୍ୟ ଆମେ ଗୁଜରାଟରେ ଗୋଟିଏ ବି ଆସନ ଜିତିନଥିଲୁ। ଉତ୍ତରପ୍ରଦେଶ ଉପ-ନିର୍ବାଚନରେ ବି କଂଗ୍ରେସର ସମାନ ଅବସ୍ଥା। କଂଗ୍ରେସ ଆତ୍ମନିରୀକ୍ଷଣ କରିବା ଦରକାର ବୋଲି କହିଛନ୍ତି ସିବଲ୍‌ ।

Related posts