ବାଣପୁର ସବ୍‌ ଜେଲରେ ବିଚାରାଧନୀ କଏଦୀ ମୃତ୍ୟୁ ପ୍ରସଙ୍ଗ: ତଦନ୍ତ କଲା ସ୍ଥାନୀୟ ପ୍ରଶାସନ

Published: Nov 20, 2020, 1:14 pm IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଜେଲରେ ଗତକାଲି ସଂଧ୍ୟାରେ ବିଚାରାଧୀନ ବନ୍ଦୀଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ସ୍ଥାନୀୟ ପ୍ରଶାସନ ଜେଲରେ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଥାନା ଆଇ ଆଇ ସି ସଂଜୟ କୁମାର ପଟ୍ଟନାୟକ ଓ ସାଇଣ୍ଟିଫିକ୍ ଦଳ ବାଣପୁର ଜେଲ୍ ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଜେଲ୍ ରେ ଏହି ତଦନ୍ତକାରୀ ଦଳ ଜେଲ୍  ଅନ୍ତେଵାସୀ ଓ ଜେଲ୍‌ରେ କର୍ମଚାରୀ ମାନଙ୍କୁ ପଚରା ଉଚୁରା କରିଛନ୍ତି। ଏହା ସହ ଘଟଣା କିଭଳି ଘଟିଲା ଜାଣିବା ପାଇଁ  ସି ସି ଟି ଭି ଫୁଟେଜ  ଯାଞ୍ଚ କରିଛନ୍ତି। ତଦନ୍ତକାରୀ ଦଳ ପୁଣି ବାଣପୁର ଡାକ୍ତରଖାନାକୁ ଯାଇ ଡାକ୍ତରମାନଙ୍କ ସହ ଘଟଣା ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରଖିଛନ୍ତି। ଅଭିଯୁକ୍ତ ଜଣକ ଜେଲର ଏକ ମହଲା ଉପରୁ ଡେଇଁପଡ଼ି ଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ବାଣପୁର ସବ୍‌ ଜେଲ୍‌  କର୍ତ୍ତୃପକ୍ଷ। ଆଜି ସି.ସି.ଟି.ଭି ଫୁଟେଜ ଯାଞ୍ଚ କଲା ପରେ ଅଭିଯୁକ୍ତ ଜଣକ ଜେଲ୍‌ର ପ୍ରଥମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ଜଣାପଡିଛି।

ତେବେ ମୃତ ଅଭିଯୁକ୍ତ ଜଣକ ଗତ ମାର୍ଚ୍ଚ ୨୦ ତାରିଖରେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଖୋର୍ଦ୍ଧା ରୋଡ଼ ଜି.ଆର.ପି ଦ୍ୱାରା ୧୫୯/୨୦ ମାମଲାରେ ଗିରଫ ହୋଇଥିଲେ। ପରେ ଜଟଣୀ କୋର୍ଟର ଦଣ୍ଡବିଧାନ ଅନୁଯାୟୀ ଝାରପଡା ଜେଲକୁ ଯାଇଥିଲେ। ଗତ ୧୮ ତାରିଖ ଦିନ ଝାରପଡାରୁ ବାଣପୁର ସବଜେଲକୁ ୧୯ ଜଣ କଏଦୀ ସ୍ଥାନାନ୍ତରିତ ହୋଇଥିଲେ। ଯେଉଁଥିରେ ଶିବୁନ ଅନ୍ୟତମ ଥିଲେ। ପୋଲିସ୍‌ ମୃତ ଅଭିଯୁକ୍ତଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ତେବେ ଏହି ଘଟଣାରେ ୨୮/୨୦ ଅପମୃତ୍ୟୁ ମାମଲା ରୁଜୁ କରି ବାଣପୁର ପୋଲିସ୍ତ‌ ଦନ୍ତ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ବାଲୁଗାଁ ଏସ୍‌ଡିପିଓ ସୁରେଶ କୁମାର ଦାସ। ସେହିପରି ଅଭିଯୁକ୍ତଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାରକୁ ସୂଚନା ଦେଇଛି ବାଣପୁର ପୋଲିସ୍‌। (ଏଜେନ୍ସି)

Related posts