ଗୋଳନ୍ଥରା ଥାନା ଅଂଚଳରେ ବଢ଼ୁଛି ଅରାଜକତା: କୃଷକ ନେତାଙ୍କୁ ମରଣାନ୍ତକ ଆକ୍ରମଣର ୪୮ ଘଣ୍ଟା ନ ପୁରୁଣୁ ବଡ଼ଧରଣର ଚୋରି

Published: Nov 20, 2020, 10:02 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍ ଜିଲ୍ଲା ଅନ୍ତର୍ଗତ ଗୋଳନ୍ଥରା ଥାନା ଏକ ସ୍ପର୍ଶକାତର ଥାନା ହୋଇଥିବା ବେଳେ ଅଂଚଳଟି ବର୍ତ୍ତମାନ ପେଟ୍ରୋଲିଂ ଅଭାବ ତଥା କର୍ମଚାରୀଙ୍କ ଢ଼ିଲା ମନଭାବରୁ ଅଂଚଳରେ ଚୋରି, ଡ଼କାୟତି, ରାହାଜାନୀ, ହତ୍ୟା ଉଦ୍ୟମ, ଜୁଆଆଡ୍ଡା, ବଟି ମାଗିବା ଘଟଣା ବଢ଼ିବାରେ ଲାଗିଛି। ଏହି ଥାନା ଅଂଚଳରେ ଗୋଟିଏ ଦିନ ପୂର୍ବରୁ ଜନୈକ କୃଷକ ନେତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାବେଳେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ସେହିପରି କିଛିଦିନ ତଳେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କୁ ମଧ୍ୟ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିଲେ। ଉଭୟ ମାମଲାରେ ଗୋଳନ୍ଥରା ପୋଲିସର୍ ହାତ ଖାଲି।

ପୂର୍ବରୁ ଏହି ଅଂଚଳରେ ଦାଦାବଟି ମାଗିବା ନେଇ ମଧ୍ୟ ବହୁବାର ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ୍ ଗୋଟିଏ ମାମଲାରେ ହିଁ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅନ୍ୟ ଦୁବୃର୍ତ୍ତମାନ ପୂର୍ବବତ୍ ବଟି ମାଗିବା ଅଭ୍ୟାସ ଜାରି ରଖିଛନ୍ତି। ସେହିପରି ଅଂଚଳର ବହୁ ନିଛାଟିଆ ସ୍ଥାନ, ଗ୍ରାମ କୋଠଘର, ତୋଟାମାଳରେ ଜୁଆଆଡ୍ଡା ପୋଲିସ୍‌ର ଦୃଷ୍ଟି ଆଢ଼ୁଅଳରେ ଚାଲୁଥିବାବେଳେ ଗୋଟିଏ ଦୁଇଟିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନ ଚଢ଼ାଉ କରିବାରେ ପୋଲିସ୍ ବିଫଳ ହୋଇଛି।

ସୂଚନାଥାଉକି ଗୋଳନ୍ଥରା ଥାନା ଏକ ସ୍ପର୍ଶକାତର ଥାନା ହୋଇଥିବା ସ୍ଥଳେ ତତ୍‌କାଳୀନ ଆଇଆଇସି ଆଲୋକ ଜେନାଙ୍କର ବଦଳି ପରେ ପୁଣିଥରେ ଏହି ଅଂଚଳରେ ଅରାଜକତା ବୃଦ୍ଧି ପାଇବାରେ ଲାଗିଛି। ଗୋଳନ୍ଥରା ଥାନା ସମୁଦ୍ରକୂଳିଆ ଅଂଚଳ ହୋଇଥିବାବେଳେ ମାଛଧରାକୁ କେନ୍ଦ୍ରକରି ମଧ୍ୟ ବହୁବାର ଗଣ୍ଡଗୋଳ ପରସ୍ଥିତି ଉପୁଜିଛି। ଅଂଚଳରେ ପେଟ୍ରୋଲିଂର ଘୋର ଅଭାବ। କେଉଁ ଦିନ ମଧ୍ୟରେ ଥାନାରୁ କର୍ମଚାରୀମାନେ ପେଟ୍ରୋଲିଂ ପାଇଁ ଯାଉନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି।

ଫଳରେ ଗତକାଲି ରାତ୍ର ଶାସନପଦର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ଦୁବୃର୍ତ୍ତମାନେ ବହୁ ଟଙ୍କା ଏବଂ ଲକ୍ଷଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରି ନେଇଛନ୍ତି। ପୋଲିସ୍‌ର ପେଟ୍ରୋଲିଂ ବ୍ୟବସ୍ଥା ଢ଼ିଲା ହୋଇଥିବାରୁ ଆସାମଜିକ ବ୍ୟକ୍ତିଙ୍କ ମନବଳ ବୃଦ୍ଧି ପାଇଛି। ତେଣୁ ଏଭଳି ଲୁଟ୍ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ଆଜି ଗ୍ରାମରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ରାତ୍ର ସମୟରେ ଏଭଳି ବଡ଼ ଧରଣର ଚୋରି ହୋଇଥିବାବେଳେ ସକାଳ ପର୍ଯ୍ୟନ୍ତ ଥାନାର କୌଣସି କର୍ମଚାରୀ ଘଟଣାସ୍ଥଳକୁ ଯାଇନଥିବା ଅଭିଯୋଗ ହୋଇଛି। ସନ୍ଧ୍ୟା ୮ ଘଣ୍ଟା ପର୍ଯ୍ୟନ୍ତ ଏହି ବିଷୟ ନେଇ ସାମ୍ବାଦିକ ଥାନାଧିକାରୀଙ୍କୁ ପଚାରିବାରେ ରିପୋର୍ଟ ଲେଖାଚାଲିଥିବା ନେଇ ଉତ୍ତର ଦେଇଥିଲେ ଏବଂ ଚୋରିର ସଠିକ୍ ବିବରଣୀ ପ୍ରଦାନ କରିନଥିଲେ।

ଗୋଳନ୍ଥରା ପରି ଗୋଟିଏ ରାଜନୈତିକ, ମତ୍ସ୍ୟଭିତ୍ତିକ ଏବଂ ଜାତୀୟ ରାଜପଥ ପାଶ୍ୱର୍ ସ୍ପର୍ଶକାତର ଥାନା ହୋଇଥିବାରୁ ପେଟ୍ରୋଲିଂ ବ୍ୟବସ୍ଥା ଦୃଢ଼ କରିବା ସହ କର୍ମଚାରୀମାନେ ସଜାଗ ହୋଇ ଅପରାଧୀ ଦମନରେ ନିଜକୁ ନିୟୋଜିତ କରିବାକୁ ଦାବି ହୋଇଛି। ନଚେତ୍ ଏଠାରେ ଘୋର ଅରାଜକତା ସୃଷ୍ଟି ହେବ ଏହାର ଫଳ ସମାଜ ଭୋଗିବ।

Related posts