ଆହାର କେନ୍ଦ୍ର ଛଟେଇ କର୍ମଚାରୀଙ୍କ ଅହୋରାତ୍ର ଧାରଣା ଜାରି

Published: Nov 21, 2020, 9:53 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗତକାଲିଠାରୁ ଆରମ୍ଭ ହୋଇଥିବା ଆହାର କେନ୍ଦ୍ର ଛଟେଇ କର୍ମଚାରୀଙ୍କ ଧାରଣା ଅହୋରାତ୍ର ଜାରି ରହିଛି। ନାର୍ଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ସେଠାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି।

ସୂଚନାଥାଉକି ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଥିବା ୬ଟି ଆହାର କେନ୍ଦ୍ରର ୨୧ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରି କିଛି ସଂଗଠନକୁ ଏହାର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଫଳରେ କରୋନା ସମୟରେ ନିଜର ୮ ମାସର ଦରମା ନପାଇଥିବା ଏବଂ କାର୍ଯ୍ୟରୁ ଅନ୍ତର କରାଯାଇଥିବାରୁ ଏହି ୨୧ ଜଣ କର୍ମଚାରୀ ଜିଲ୍ଲାପାଳ, ଆର୍‌ଡ଼ିସି ଏବଂ ଅନ୍ୟାନ୍ୟ ଉର୍ଚ୍ଚ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ଦାବି ଜଣାଇବା ପରେ ନିରାଶ ହୋଇ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଅହୋରାତ୍ର ଧାରଣା ଦେବା ଆରମ୍ଭ କରିଛନ୍ତି। ଧାରଣା ସ୍ଥଳରେ ବୟସର ଅପରାହ୍ନରେ ପହଞ୍ଚିଥିବା କିଛି ବୃଦ୍ଧା ମଧ୍ୟ ସାମିଲ ଅଛନ୍ତି।

ଆଜିର ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଥିବାବେଳେ ସେମାନଙ୍କୁ ପୁନଃନିଯୁକ୍ତି ଏବଂ ବକେୟା ଦରମା ପ୍ରଦାନ ନ କରାଯିବା ପର୍ଯ୍ୟନ୍ତ ସେମାନେ ଉଠିବେ ନାହିଁ ବୋଲି କହିଛନ୍ତି।

Related posts