Categories
ବିଶେଷ ଖବର

ରାଜ୍ୟ ଆହାର ସୋସାଇଟିକୁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଟିରୁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୫-୧୬ରୁ ୨୦୨୧-୨୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହାର କାର୍ଯ୍ୟକ୍ରମ ପାଇଁ ୨୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଏକ ଅତ୍ୟନ୍ତ ଲୋକପ୍ରିୟ କାର୍ଯ୍ୟକ୍ରମ। ସହର ମାନଙ୍କରେ ହସ୍‌ପିଟାଲ, ବସଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଗହଳି ସ୍ଥାନରେ ଜରୁରୀ କାର୍ଯ୍ୟ ପାଇଁ ଯାଇଥିବା ଗରିବ ଲୋକମାନେ ଏହାଦ୍ବାରା ମାତ୍ର ୫ ଟଙ୍କାରେ ସୁଷମ ଓ ସ୍ଵାସ୍ଥ୍ୟପ୍ରଦ ଆହାର ପାଇପାରୁଛନ୍ତି।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଲୁଗାଁ ଗସ୍ତ, ପରଖିଲେ ଆହାର କେନ୍ଦ୍ର ଖାଦ୍ୟର ମାନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ଅପରାହ୍ନରେ  ଅଚାନକ ବାଲୁଗାଁ ଗସ୍ତରେ ଆସି ବିଭିନ୍ନ ସରକାରୀ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ପ୍ରଥମେ ବାଲୁଗାଁ ଏନଏସି ଆହାର କେନ୍ଦ୍ରକୁ ଯାଇ ସେଠାରେ ଖାଦ୍ୟର ମାନ ପରଖିଥିଲେ।  ଏହାପରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ସେଠାରେ ବିଭିନ୍ନ ବିଭାଗ ବୁଲିବା ସହ ରୋଗୀଙ୍କୁ ଯୋଗାଯାଉଥିବା ସେବା ବିଷୟରେ ଅନୁଧ୍ୟାନ କରିଥିଲେ ଏବଂ କିଛି ରୋଗୀଙ୍କ ସହ ବାର୍ତାଳାପ ମଧ୍ୟ କରିଥିଲେ।

ଏହାପରେ ଜିଲ୍ଲାପାଳ ବାଲୁଗାଁ ଜେଟିକୁ ଯାଇ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଦେଖିବା ସହ ଲାଇଫ ଜ୍ୟାକେଟ ବାଧ୍ୟତାମୂଳକ ପାଇଁ ଡ଼ଙ୍ଗା ଚାଳକଙ୍କୁ ତାଗିଦ କରିଥିଲେ। ପରିଶେଷରେ ଗଙ୍ଗାଧରପୁର ନିକଟରେ ଚିଲିକା ବ୍ଲକ ପାଇଁ ପ୍ରସ୍ତାବିତ ବସ ଷ୍ଟାଣ୍ଡ ପାଇଁ ସ୍ଥାନ ପରିଦର୍ଶନ କରି ଖୋର୍ଦ୍ଧା ଫେରିଯାଇଥିଲେ ଜିଲ୍ଲାପାଳ।

ଉକ୍ତ ଗସ୍ତରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏବଂ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସାମିଲ ଥିଲେ।

Categories
ଆଞ୍ଚଳିକ

ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ‘ଆହାର’ କେନ୍ଦ୍ର ପରିଦର୍ଶନ କଲେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଥିବା ଯୁଗାନ୍ତକାରି ଯୋଜନା ‘ଆହାର’ ର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ‘ଆହାର’ କେନ୍ଦ୍ର ପରିଦର୍ଶନ କରିଛନ୍ତି ଅଧ୍ୟକ୍ଷ ମିଟୁ ନାୟକ। ଶ୍ରୀ ନାୟକ ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ସାଧାରଣ ଲୋକଙ୍କୁ ଭୋଜନ ପରିବେଷଣ କରିଥିଲେ ଏବଂ ସେମାନଙ୍କ ସହ ବସି ଭୋଜନ ମଧ୍ୟ କରିଥିଲେ।

ଖାଦ୍ୟର ମାନ ଯାଞ୍ଚ କଲା ପରେ ଏଥିରେ ସନ୍ତୁଷ୍ଟ ହେବା ସହ ଆହାର କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ଅଧ୍ୟକ୍ଷ ଶ୍ରୀ ନାୟକ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷଙ୍କ ସମେତ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ସ୍ୱଳ୍ପ କାଉନସିଲର, ବିଜେଡି କର୍ମୀ ଏବଂ ଏନଏସିର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ଅଧ୍ୟକ୍ଷ କେକ୍ କାଟି ଆହାର କେନ୍ଦ୍ରର ସପ୍ତମ ବର୍ଷ ପୂର୍ତ୍ତି ଦିବସ ମଧ୍ୟ ପାଳନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆହାର କେନ୍ଦ୍ର ଛଟେଇ କର୍ମଚାରୀଙ୍କ ଅହୋରାତ୍ର ଧାରଣା ଜାରି

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗତକାଲିଠାରୁ ଆରମ୍ଭ ହୋଇଥିବା ଆହାର କେନ୍ଦ୍ର ଛଟେଇ କର୍ମଚାରୀଙ୍କ ଧାରଣା ଅହୋରାତ୍ର ଜାରି ରହିଛି। ନାର୍ଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ସେଠାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି।

ସୂଚନାଥାଉକି ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଥିବା ୬ଟି ଆହାର କେନ୍ଦ୍ରର ୨୧ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରି କିଛି ସଂଗଠନକୁ ଏହାର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଫଳରେ କରୋନା ସମୟରେ ନିଜର ୮ ମାସର ଦରମା ନପାଇଥିବା ଏବଂ କାର୍ଯ୍ୟରୁ ଅନ୍ତର କରାଯାଇଥିବାରୁ ଏହି ୨୧ ଜଣ କର୍ମଚାରୀ ଜିଲ୍ଲାପାଳ, ଆର୍‌ଡ଼ିସି ଏବଂ ଅନ୍ୟାନ୍ୟ ଉର୍ଚ୍ଚ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ଦାବି ଜଣାଇବା ପରେ ନିରାଶ ହୋଇ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଅହୋରାତ୍ର ଧାରଣା ଦେବା ଆରମ୍ଭ କରିଛନ୍ତି। ଧାରଣା ସ୍ଥଳରେ ବୟସର ଅପରାହ୍ନରେ ପହଞ୍ଚିଥିବା କିଛି ବୃଦ୍ଧା ମଧ୍ୟ ସାମିଲ ଅଛନ୍ତି।

ଆଜିର ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଥିବାବେଳେ ସେମାନଙ୍କୁ ପୁନଃନିଯୁକ୍ତି ଏବଂ ବକେୟା ଦରମା ପ୍ରଦାନ ନ କରାଯିବା ପର୍ଯ୍ୟନ୍ତ ସେମାନେ ଉଠିବେ ନାହିଁ ବୋଲି କହିଛନ୍ତି।