ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଲୁଗାଁ ଗସ୍ତ, ପରଖିଲେ ଆହାର କେନ୍ଦ୍ର ଖାଦ୍ୟର ମାନ

Published: Dec 12, 2022, 8:56 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ଅପରାହ୍ନରେ  ଅଚାନକ ବାଲୁଗାଁ ଗସ୍ତରେ ଆସି ବିଭିନ୍ନ ସରକାରୀ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ପ୍ରଥମେ ବାଲୁଗାଁ ଏନଏସି ଆହାର କେନ୍ଦ୍ରକୁ ଯାଇ ସେଠାରେ ଖାଦ୍ୟର ମାନ ପରଖିଥିଲେ।  ଏହାପରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ସେଠାରେ ବିଭିନ୍ନ ବିଭାଗ ବୁଲିବା ସହ ରୋଗୀଙ୍କୁ ଯୋଗାଯାଉଥିବା ସେବା ବିଷୟରେ ଅନୁଧ୍ୟାନ କରିଥିଲେ ଏବଂ କିଛି ରୋଗୀଙ୍କ ସହ ବାର୍ତାଳାପ ମଧ୍ୟ କରିଥିଲେ।

ଏହାପରେ ଜିଲ୍ଲାପାଳ ବାଲୁଗାଁ ଜେଟିକୁ ଯାଇ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଦେଖିବା ସହ ଲାଇଫ ଜ୍ୟାକେଟ ବାଧ୍ୟତାମୂଳକ ପାଇଁ ଡ଼ଙ୍ଗା ଚାଳକଙ୍କୁ ତାଗିଦ କରିଥିଲେ। ପରିଶେଷରେ ଗଙ୍ଗାଧରପୁର ନିକଟରେ ଚିଲିକା ବ୍ଲକ ପାଇଁ ପ୍ରସ୍ତାବିତ ବସ ଷ୍ଟାଣ୍ଡ ପାଇଁ ସ୍ଥାନ ପରିଦର୍ଶନ କରି ଖୋର୍ଦ୍ଧା ଫେରିଯାଇଥିଲେ ଜିଲ୍ଲାପାଳ।

ଉକ୍ତ ଗସ୍ତରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏବଂ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସାମିଲ ଥିଲେ।

Related posts