ସରିଲା କାଳିଆର ଶେଷକୃତ୍ୟ : ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Published: Nov 26, 2020, 11:37 am IST

ଭୁବନେଶ୍ବର : ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ମଧ୍ୟରୁ ଗତକାଲି ମୃତ୍ୟୁ ବରଣ କରିଥିବା କାଳିଆର ଶେଷକୃତ୍ୟ ସରିଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ମିଲୁପଡାରେ ପରିବାର ବର୍ଗଙ୍କ ସମେତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓଙ୍କ ଉପସ୍ଥିତିରେ ତାର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯିବାର ଦୀର୍ଘ ତିନି ବର୍ଷ ପରେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି 9ଟା 10 ମିନଟରେ କାଳିଆର ମୃତ୍ୟୁ ହୋଇଥିଲା । ଗତ ସପ୍ତାହେ ଧରି କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା ।  ତେବେ ଜଗା ଏବେ ସୁସ୍ଥ ରହିଛି ।

ଅପରପକ୍ଷରେ କାଳିଆର ମୃତ୍ୟକୁ ନେଇ ମୁଖ୍ୟମନ୍ତ୍ରୀ  ଦୁଃଖପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ‘କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ବେ ଦେହାନ୍ତ ହେଲା ।ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ।’ ଅସମୟରେ ଝଡି ପଡିଥିବା କାଳିଆର ଅମର ଆତ୍ମାର ସଦଗତି କାମନା କରିବା ସହ ଜଗାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related posts