କ୍ଷମତାକୁ ଆସିଲେ ଉଚ୍ଛେଦ ହେବ ନୂତନ କୃଷି ବିଲ : କଂଗ୍ରେସ

Published: Nov 28, 2020, 1:26 pm IST

ନୂଆଦିଲ୍ଲୀ : କ୍ଷମତାକୁ ଆସିଲେ ପ୍ରଥମେ ନୂତନ କୃଷି ବିଲକୁ ଉଚ୍ଛେଦ କରିବେ ବୋଲି ମତ ଦେଇଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ । କୃଷି ବିରୋଧୀ ଏହି ଆଇନକୁ ସର୍ବପ୍ରଥମେ ଉଚ୍ଛେଦ କରାଯିବ ବୋଲି ଉଭୟ ପ୍ରକାଶ କରିଛନ୍ତି । ବିଜେପି ସରକାରଙ୍କ ପକ୍ଷରୁ ଏହି ବିଲ ଲାଗୁ କରାଯାଇଥିବା ବେଳେ ଦେଶବ୍ୟାପୀ ଚାଷୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଉଛି। କ୍ଷମତାକୁ ଫେରି ପ୍ରଥମେ ଏହି ବିଲକୁ ଉଚ୍ଛେଦ କରି କୃଷକ ମାନଙ୍କୁ ପୁରସ୍କୃତ କରିବୁ ବୋଲି ଉଭୟ ନେତା କହିଛନ୍ତି ।

ଶୁକ୍ରବାର କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଗଣମାଧ୍ୟମ ଅଧିକାରୀଙ୍କୁ ଏହି ସୂଚନା ଦେଇଛନ୍ତି । ସେ କହିଥିଲେ କୃଷକଙ୍କ ବିରୋଧରେ ରହିଥିବା ତିନି ଆଇନକୁ ଉଚ୍ଛେଦ କରିବାକୁ ଉଭୟ ସୋନିଆ ଏବଂ ରାହୁଲ ପ୍ରାଥମିକତା ଦେଉଛନ୍ତି । ଏହି ଆଇନକୁ କଂଗ୍ରେସ ଆରମ୍ଭରୁ ବିରୋଧ କରି ଆସୁଛି । ଏହି ଆଇନକୁ ବିରୋଧ କରିବା କାରଣରୁ କଂଗ୍ରେସ ସାଂସଦ ମାନଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି । କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ମଧ୍ୟ ଚାଷୀ ମାନେ ଏହି ଆଇନ ଦ୍ୱାରା ପ୍ରଭାବିତ ହୋଇ ନାହାନ୍ତି ।

ଚାଷୀ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇଛି । ତେଣୁ କେନ୍ଦ୍ରରେ କ୍ଷମତାକୁ ଆସିଲେ ସମସ୍ତ ରାଜ୍ୟ ମାନଙ୍କ ପାଇଁ ଏହି ଆଇନର ପ୍ରଣୟନ କରାଯିବ । କୃଷି ଏବଂ କୃଷକ କୌଣସି ରାଜନୈତିକ ଦଳର ନୁହନ୍ତି । ଏମାନେ ଦେଶର ମେରୁଦଣ୍ଡ ଏବଂ ପ୍ରତ୍ୟେକ ଦଳକୁ ଏମାନେ ଖାଦ୍ୟ ଶସ୍ୟ ଯୋଗାଇଥାନ୍ତି । ତେଣୁ ଏମାନଙ୍କ ଅଭିଯୋଗ ଶୁଣାଯିବା ଉଚିତ ବୋଲି ସୁର୍ଜେୱାଲା ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନୂତନ କୃଷି ବିଲକୁ ବିରୋଧ କରି ୬ଟି ରାଜ୍ୟର ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରାରେ ବାହାରିଛନ୍ତି।

Related posts