ନାବାଳକର ରହସ୍ୟମୟ ମୃତ୍ୟୁର ସ୍ପଷ୍ଟୀକରଣକୁ ନେଇ ବାଲୁଗାଁ ଥାନା ଘେରାଉ

Published: Dec 3, 2020, 2:10 pm IST

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ସମ୍ମୁଖରେ ଚିଲିକା ବ୍ଲକ ରଘୁନାଥପୁର ଗ୍ରାମର ଶତାଧିକ ଗ୍ରାମବାସୀ ମାନେ  ଧାରଣା ଦେବାସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଗତ ମାସ ୨୧ ତାରିଖରେ ସୀଙ୍ଗେଶ୍ୱର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର  ଗ୍ରାମର ପିନୁ ପ୍ରଧାନ  ନାମକ ନାବାଳକଙ୍କ ରହସ୍ୟମୟ ମୃତ୍ୟୁର କାରଣ ଏଯାବତ ପୋଲିସ ସ୍ପଷ୍ଟୀକରଣ କରିପାରିନଥିବାରୁ ଉକ୍ତ ଧାରଣା ଗ୍ରାମବାସୀଙ୍କ ତରଫରୁ ଦିଆଯାଇଥିଲା। ଆଜି ସକାଳୁ ପାଖାପାଖି ଦୀର୍ଘ ଚାରି  ଘଣ୍ଟା ଧରି ଗ୍ରାମବାସୀମାନେ ବାଲୁଗାଁ ଥାନା ସମ୍ମୁଖରେ ଧାରଣାରେ ବସିବା ସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପରବର୍ତ୍ତୀ ସମୟରେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ କୁମାର ଦାସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଆସନ୍ତା ଶନିବାର ସୁଦ୍ଧା ମୃତ ପିନୁଙ୍କ  ଶବ ବ୍ୟବଛେଦ ରିପୋର୍ଟ  ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ଦେବାପରେ ଉତ୍ୟକ୍ତ ଗ୍ରାମବାସୀ ମାନେ ଧାରଣାରୁ ଉଠିଥିଲେ ।

ତେବେ ଉକ୍ତ ଘଟଣାକୁ ଦୀର୍ଘ ବାର ଦିନ ବିତିଯାଇଥିଲେ ସୁଦ୍ଧା ଆଜି ଯାଏଁ କିପରି ଭାବେ ପୋଲିସ କୁ ଏହାର ସୁରାକ ମିଳିପାରିନାହିଁ ବୋଲି ବିଭିନ୍ନ ଗଣମାଧ୍ୟମମାନେ ପ୍ରଶ୍ନ କରିବାରୁ ଖୁବ ଶୀଘ୍ର ମୃତ୍ୟୁର କାରଣ ଜଣାପଡିବ ବୋଲି ଏସ.ଡ଼ି.ପି.ଓ ଶ୍ରୀ ଦାସ ସୂଚନା ଦେଇଥିଲ ।

Related posts