ହେଲ୍ପ ଲାଇନ୍ ନମ୍ବର ଜାରି କଲା ପୁରୀ ପୋଲିସ: ଏଣିକି ଯେକୌଣସି ମୁହୂର୍ତ୍ତରେ ଅଭିଯୋଗ କରିପାରିବେ ଲୋକେ

Published: Dec 6, 2020, 9:08 pm IST

ପୁରୀ: ଆଜି ପୁରୀ ଜିଲ୍ଲା ପାଇଁ ୨୪ ଘଣ୍ଟିଆ ଫାଇଭ-ଟି କଲ ସେଣ୍ଟର ଆରମ୍ଭ କରାଯାଇଛି। ଏହି କଲ ସେଣ୍ଟର ସପ୍ତାହର ସମସ୍ତ ସାତ ଦିନ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଏହି ହେଲ୍ପ ଲାଇନ୍ ନମ୍ବର ସାଧାରଣ ଲୋକଙ୍କ ପାଇଁ ୨୪ ଘଣ୍ଟା ପାଇଁ କାର୍ଯ୍ୟ କରିବ। ଏହା ସହିତ ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସରେ ଏକ ରିସେପସନ୍ ସେଣ୍ଟର କରାଯାଇଛି। ଏବଂ ଅଭିଯୋଗ ଶୁଣାଣି ପାଇଁ ଡିଏସପି ଏଚଆରପିସି ନୋଡାଲ ଅଫିସର ରହିବେ।

ତେବେ ସାଧାରଣ ଜନତା ୭୬୫୩୮୯୧୯୩୦ ରେ କଲ୍ କରି ଅଭିଯୋଗ କରିପାରିବେ କିମ୍ବା ହ୍ୱାଟ୍ସଆପ୍ ମେସେଜ ମାଧ୍ୟମରେ ଅଭିଯୋଗ କରିପାରିବେ। ଅଭିଯୋଗକାରୀଙ୍କୁ ତୁରନ୍ତ ସମ୍ପର୍କ କରିବ ପୋଲିସ। ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ପୋଲିସ ତଦନ୍ତ କରି ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇବ।

ସେହିଭଳି ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସରେ ଏକ ରିସେପସନ୍ ସେଣ୍ଟର କରାଯାଇଛି। ଏଥିରେ ଜଣେ ମହିଳା କର୍ମଚାରୀ ଥିବାବେଳେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହା କାର୍ଯ୍ୟ କରିବ। ଯେ କେହିବି ଅଭିଯୋଗ ପାଇଁ ଏସପି ଅଫିସ୍ ଆସିଲେ ରିସେପସନରେ ପଞ୍ଜିକରଣ କରିବେ। ସମସ୍ତ ଅଭିଯୋଗକୁ ପୁରୀ ଏସପି ବ୍ୟକ୍ତିଗତ ଭାବେ ଦେଖିବେ। ଏସପିଙ୍କ ଅନୁପସ୍ଥିତିରେ ଅଭିଯୋଗ ଶୁଣିବେ ଅତିରିକ୍ତ ଏସପି। ସମୟାନୁସାରେ ଆଇନତଃ ଭାବେ ଅଭିଯୋଗ ସମାଧାନ କରାଯିବ।

ଅଭିଯୋଗ ସମାଧାନ ଲାଗି ଡିଏସପି ଏଚଆରପିସି ନୋଡାଲ ଅଫିସର ରହିବେ। ଜିଲ୍ଲା ପୋଲିସ୍ ଅଫିସ୍ ଅଥବା ଫାଇଭ-ଟି କଲ୍ ସେଣ୍ଟରକୁ ଆସୁଥିବା ସମସ୍ତ ଅଭିଯୋଗରେ ଡିଏସପି, ଏଚଆରପିସି ଇନ୍ସପେକ୍ଟର ପ୍ରାଥମିକ ସହାୟତା କରିବେ। ଡିଏସପି ଏଚଆରପିସି ସମସ୍ତ ଅଭିଯୋଗକୁ ଠିକ୍ ସମୟରେ ଓ ଯୁକ୍ତିଯୁକ୍ତ ଭାବେ ସମାଧାନ କରିବା ନିଶ୍ଚିତ କରିବେ।

Related posts