ଆଖୁ ଚାଷୀଙ୍କ ପାଇଁ ୩,୫୦୦ କୋଟି ଟଙ୍କାର ସହାୟତା ପ୍ରସ୍ତାବକୁ କ୍ୟାବିନେଟର ସବୁଜ ସଂକେତ

Published: Dec 16, 2020, 9:49 pm IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଦେଶର ଆଖୁଚାଷୀଙ୍କ ପାଇଁ ୩,୫୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ପ୍ରସ୍ତାବକୁ ସବୁଜ ସଂକେତ ମିଳିଛି। ଏହା ଫଳରେ ୫ କୋଟିରୁ ଅଧିକ ଆଖୁଚାଷୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ଏବଂ ୫ ଲକ୍ଷ ଚିନିକଳ ଶ୍ରମିକ ଉପକୃତ ହେବେ। ସେମାନଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ଏହି ଅର୍ଥରାଶି ପଠାଯିବ।

ଏବେ ଦେଶରେ ପ୍ରାୟ ୫ କୋଟି ଆଖୁଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ରହିଛନ୍ତି। ଏହାଛଡା ଦେଶର ଚିନିକଳ ଓ ଅନୁସାରୀ ଶିଳ୍ପରେ ପ୍ରାୟ ୫ ଲକ୍ଷ ଶ୍ରମିକ କାର‌୍ୟ୍ୟରତ। ସେମାନଙ୍କର ଜୀବନଜୀବିକା ଚିନି ଶିଳ୍ପ ଉପରେ ନିର୍ଭର କରେ।
ଚାଷୀମାନେ ଚିନିକଳକୁ ନିଜର ଆଖୁ ବିକି ଦେଇସାରିଲା ପରେ ଏବେ ନିଜର ପ୍ରାପ୍ୟ ପାଉନାହାନ୍ତି; କାରଣ ଚିନିକଳ ମାଲିକଙ୍କ ପାଖରେ ବଳକା ଚିନି ମହଜୁଦ ରହିଛି। ଫଳରେ ଉତ୍ପାଦିତ ଆଖୁ ପେଷା ଯାଇପାରୁନାହିଁ ଏବଂ ଚାଷୀ ପ୍ରାପ୍ୟ ନ ପାଇ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର ବଳକା ଚିନିର ସୁପରିଚାଳନା ନିମନ୍ତେ ଏକ ବ୍ୟବସ୍ଥା କରିଛନ୍ତି; ଯାହା ଫଳରେ ଆଖୁଚାଷୀ ଓ ଚିନିକଳ ଶ୍ରମିକମାନେ ସେମାନଙ୍କର ପ୍ରାପ୍ୟ ପାଇପାରିବେ ।

ଏଥିପାଇଁ ସରକାର ବିଭିନ୍ନ ଚିନିକଳରେ ମହଜୁଦ ଥିବା ୩,୫୦୦ କୋଟି ଟଙ୍କାର ୬୦ ଲକ୍ଷ ମେଟ୍ରିକ ଟନ ଚିନି ବିଦେଶକୁ ରପ୍ତାନୀ କରିବେ । ରପ୍ତାନୀରୁ ଯେଉଁ ଅର୍ଥ ମିଳିବ ତାହାକୁ ସିଧାସଳଖ ଚିନିକଳ ମାଲିକଙ୍କ ପକ୍ଷରୁ ଚାଷୀଙ୍କ ବ୍ୟାଙ୍କଖାତାରେ ସିଧାସଳଖ ଜମା କରାଯିବ। ଚାଷୀ ଓ ଶ୍ରମିକଙ୍କୁ ସେମାନଙ୍କ ଦେୟ ଦେଇସାରିବା ପରେ ଯେଉଁ ଅର୍ଥ ବଳିବ ତାହାକୁ ଚିନିକଳ ମାଲିକଙ୍କୁ ଦିଆଯିବ ।

ସରକାର ଏହି କାର୍ଯ୍ୟଟିକୁ ଏକ ରିଆତି ବ୍ୟବସ୍ଥା ଭଳି ପରିଚାଳନା କରିବାର ଲକ୍ଷ୍ୟ ରଖିଛନ୍ତି। ଯେଉଁ ୬୦ ଲକ୍ଷ ମେଟ୍ରିକ ଟନ ଚିନି ରପ୍ତାନୀ କରାଯିବ ତାହାର ସଂଗ୍ରହ, ପ୍ରକ୍ରିୟାକରଣ, ମୂଲ୍ୟ ନିର୍ଦ୍ଧାରଣ, ପରିବହନ ଏବଂ ରପ୍ତାନୀଜନିତ ଖର୍ଚ୍ଚ ଉପରେ ସରକାର ସବ୍ସିଡି ପ୍ରଦାନ କରିବେ । ଏହି ବ୍ୟବସ୍ଥାଟି କେବଳ ୨୦୨୦-୨୧ ଆଖୁ ଋତୁ ପାଇଁ ଲାଗୁ ହେବ।

ଏହି ନିଷ୍ପତ୍ତି ଫଳରେ ୫ କୋଟି ଆଖୁଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭର କରୁଥିବା ଲୋକ ଏବଂ ବିଭିନ୍ନ ଚିନିକଳ ଓ ଅନୁସାରୀ ଶିଳ୍ପରେ କାମ କରୁଥିବା ପ୍ରାୟ ୫ ଲକ୍ଷ ଶ୍ରମିକ ଉପକୃତ ହେବେ ବୋଲି ଆଶା କରାଯାଉଛି।

Related posts