Categories
ଆଜିର ଖବର ରାଜ୍ୟ ଖବର

ହାଇସ୍କୁଲ ଶିକ୍ଷକଙ୍କୁ ମିଳିବ ସପ୍ତମ ବେତନ କମିଶନ ହାରରେ ଦରମା, କ୍ୟାବିନେଟ ବୈଠକରେ ନିଷ୍ପତି

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟରେ ଏକ ବଡ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା ରାଜ୍ୟର ନୂତନ ସହାୟତା ପ୍ରାପ୍ତ ଅଣ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସଂସ୍କୃତ ଟୋଲ ଯୋଗ୍ୟ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ଦିଆଯିବ। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଛି।

ଏହାଦ୍ବାରା ରାଜ୍ୟର ନୂତନ ସହାୟତା ପ୍ରାପ୍ତ 627 ଟି ଉଚ୍ଚ ବିଦ୍ୟାଳୟ ଏବଂ 39ଟି ସଂସ୍କୃତ ଟୋଲ ର ଶିକ୍ଷକ ଉପକୃତ ହେବେ। ଏଥିରେ 7796 ଜଣ ଶିକ୍ଷକ ଏବଂ ଅଣଶିକ୍ଷକ ଏହି ବର୍ଦ୍ଧିତ ଦରମା ପାଇବେ।

Categories
ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ବଡ ନିଷ୍ପତି, ଆଉ ତିନି ବର୍ଷ ପାଇଁ ବଢିଲା କାଳିଆ ଯୋଜନା, କ୍ୟାବିନେଟ ବୈଠକରେ ଅନୁମୋଦନ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଓଡିଶାର ଲୋକପ୍ରିୟ ଯୋଜନା କାଳିଆ କୁ ଆଉ ତିନି ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ଆଜି ରାଜ୍ୟ କ୍ୟାବିନେଟରେ ଏହାକୁ ଅନୁମୋଦନ ମିଳିଛି। ଫଳରେ ୨୦୨୫-୨୬-୨୭ ମସିହା ପର୍ଯ୍ୟନ୍ତ ଏହି ଯୋଜନା ଚାଲୁ ରହିବ।

ଚାଷୀମାନେ ଯେପରି ବାର୍ଷିକ ୧୨୫୦୦ ଟଙ୍କା ଦୁଇଟି କିସ୍ତିରେ ପାଉଥିଲେ ତାହା ଆଉ ତିନି ବର୍ଷ ଦିଆଯିବ। ଏଥିପାଇଁ ରାଜ୍ୟ ରାଜକୋଷରୁ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ହେବ। ଏହାକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଆଜି ରାଜ୍ୟ କ୍ୟାବିନେଟର ୭୪ ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କ୍ୟାବିନେଟରେ ପାରିତ ହୋଇଥିବା ବିଭିନ୍ନ ପ୍ରସ୍ତାବ ସଂପର୍କରେ ବିଶଦ ସୂଚନା ଦେଇଥିଲେ ।

ଆଜିର କ୍ୟାବିନେଟ ବୈଠକରେ ୧୩ ଟି ବିଭିନ୍ନ ବିଭାଗ ର ୧୬ ଟି ପ୍ରସ୍ତାବ ଆଗତ କରାଯାଇ ଥିଲା ବେଳେ ସମସ୍ତ ପ୍ରସ୍ତାବ ପାରିତ ହୋଇଛି।  ଅନୁଷ୍ଠିତ ପ୍ରେସ ବିବୃତ୍ତି ସମୟରେ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ,କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମିଶନ ଶକ୍ତି ମହିଳାଙ୍କୁ ୟୁନିଫର୍ମ କିଣିବା ପାଇଁ ମିଳିବ ହଜାର ଟଙ୍କା, ରାଜ୍ୟ କ୍ୟାବିନେଟରେ ଅନୁମୋଦନ

ଭୁବନେଶ୍ବର: ରାଜ୍ୟର ସମସ୍ତ ଏସଏଚଜି ମହିଳାମାନଙ୍କୁ ମିଳିବ ହଜାରେ ଟଙ୍କା ଲେଖାଏଁ। ସେମାନଙ୍କର ୟୁନିଫର୍ମ କିଣିବା ପାଇଁ ଏହି ଅନୁଦାନ ପ୍ରଦାନ କରାଯିବ। ସେହିପରି କାର୍ଯ୍ୟନିର୍ବାହି କମିଟ ସଦସ୍ୟାଙ୍କୁ ବ୍ଲେଜର ପାଇଁ ମୋଟ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।ଏ ନେଇ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି।

ରାଜ୍ୟରେ ବର୍ତ୍ତମାନ ୭୦ଲକ୍ଷ ମହିଳା ଏହି ମିଶନ ଶକ୍ତି ମାଧ୍ୟମରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ସଶକ୍ତ କରିବା ପାଇଁ ସରକାର ପୂର୍ବରୁ ସ୍କୁଟର ଯୋଜନା ଲାଗୁ କରିବା ସହିତ ବିନା ସୁଧରେ ଋଣ ଯୋଗାଇ ଆସୁଛନ୍ତି। ଏଥିପାଇଁ ୭୩୦କୋଟି ବ୍ୟୟ କରାଯିବ ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଗତକାଲି ରାଜ୍ୟ କ୍ୟାବିନେଟର ୭୩ ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କ୍ୟାବିନେଟ ବୈଠକରେ ୧୦ ଟି ବିଭିନ୍ନ ବିଭାଗ ର ୧୨ ଟି ପ୍ରସ୍ତାବ ଆଗତ କରାଯାଇଥିଲା ବେଳେ ସମସ୍ତ ପ୍ରସ୍ତାବ ପାରିତ ହୋଇଛି।

Categories
ନିର୍ବାଚନ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟରେ ଲାଗୁ ହେବ ‘ସ୍ବୟଂ’ ଯୋଜନା, ଯୁବକଙ୍କୁ ମିଳିବ ବିନା ସୁଧରେ ଏକ ଲକ୍ଷ ଟଙ୍କା ଋଣ, ଜାଣନ୍ତୁ ଯୋଗ୍ୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ଆସିଥିବା ନୂଆ ଜାଗରଣରେ ଓଡିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯୁବ ସମାଜକୁ ସାମିଲ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ‘ସ୍ୱୟମ’ ନାମରେ ଏକ ନୂତନ ଯୋଜନାକୁ ଅନୁମତି ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟର ବ୍ୟବସାୟିକ ବାତାବରଣ ଆହୁରି ଉଜ୍ଜ୍ୱଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

‘ସ୍ୱୟମ’ ହେଉଛି ସ୍ୱତନ୍ତ୍ର ଯୁବ ଉଦ୍ୟମୀ ( Swatantra Yuba Udyami) । ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବା ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ବିନା ସୁଧରେ ପ୍ରଦାନ କରାଯିବ। ଏହି ଯୋଜନାରେ ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧ ଲକ୍ଷ ଯୋଗ୍ୟ ଯୁବକ ଯୁବତୀମାନଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥି ପାଇଁ ରାଜ୍ୟ ସରକାର ତାଙ୍କ ନିଜ ବଜେଟରୁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରିବେ।

ସୂଚନାଯୋଗ୍ୟ ଯେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଯୁବକ ଯୁବତୀମାନେ ବ୍ୟବସାୟ ବାଣିଜ୍ୟ ପାଇଁ ସରକାରଙ୍କ ସ୍ୱତନ୍ତ୍ର ସହାୟତା ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିବା ପରେ ଏ ସଂପର୍କିତ ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ପାଇଁ ଯାଇଥିଲା ଏବଂ ଆଜି ଏହା ଅନୁମୋଦନ ଲାଭ କରିଛି।

ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନେ ସାମିଲ ହୋଇପାରିବେ। ଅନୁସୂଚିତ ଜାତି ଜନଜାତି ଓ ଭିନ୍ନକ୍ଷମ ବର୍ଗର ପିଲାଙ୍କ ପାଇଁ ଏହି ବୟମ ସୀମା ୧୮ ରୁ ୪୦ ବର୍ଷ । ଆବେଦନକାରୀଙ୍କ ପରିବାର କାଳିଆ କିମ୍ବା BSKY ଯୋଜନାରେ ସାମିଲ ହୋଇଥିବେ କିମ୍ବା ସେମାନଙ୍କ ବାର୍ଷିକ ପାରିବାରିକ ରୋଜଗାର ୨ ଲକ୍ଷରୁ କମ ହେବା ଆବଶ୍ୟକ। ପରିବାରର ଅର୍ଥ ଏଠାରେ ହେଉଛି ଆବେଦନକାରୀ ଓ ତାଙ୍କ ପତି ବା ପତ୍ନୀ। ଆବେଦନକାରୀଙ୍କର ଉଦ୍ୟମୀ ପଞ୍ଜିକୃତ କିମ୍ବା ଉଦ୍ୟମୀ ସହାୟତା ନମ୍ବର ରହିବା ଆବଶ୍ୟକ।

ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଆର୍ଥିକ ଅନୁଷ୍ଠାନରୁ ଋଣ ନେଇ defaulter ହୋଇଥିବା କିମ୍ବା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଯୋଜନାର ବକୈୟା ଋଣ ଥିଲେ, ଆବେଦନକାରୀଙ୍କୁ ଏହି ଯୋଜନାର ସୁବିଧା ମିଳିବ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର କିମ୍ବା କୌଣସି ସରକାରୀ ଉଦ୍ୟୋଗର କର୍ମଚାରୀ ବା ସାମ୍ବିଧାନିକ ସଂସ୍ଥାର କର୍ମଚାରୀ ଏବଂ ତାଙ୍କ ପରିବାରଙ୍କୁ ଏହି ଋଣ ମିଳିବ ନାହିଁ। ପରିବାରର ଜଣେ ସଦସ୍ୟ ଏହି ସୁବିଧା ନେଇଥିଲେ ଅନ୍ୟ ସଦସ୍ୟ ଏହା ପାଇପାରିବେ ନାହିଁ।

ଏହି ଯୋଜନାରେ ରାଜ୍ୟ ସରକାର ଅଣୁ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ଉପଲବ୍ଧ 85 ପ୍ରତିଶତ ଋଣ ଗ୍ୟାରେଣ୍ଟି ବ୍ୟତିତ (Credit Guarantee Fund Trust for Micro and Small Enterprises (CGTMSE)) ଆହୁରି ୧୫ ପ୍ରତିଶତ ଋଣ ଗ୍ୟାରେଣ୍ଟି ପ୍ରଦାନ କରିବେ। ରାଜ୍ୟ ସରକାର ଋଣର ସମସ୍ତ ସୁଧ ଭାର ବହନ କରିବେ। CGTMSE ର ବାର୍ଷିକ ଗ୍ୟାରେଣ୍ଟି ଦେୟ ମଧ୍ୟ ରାଜ୍ୟ ସରକାର ବହନ କରିବେ।

ଏଥିପାଇଁ ଆବେଦନକାରୀମାନଙ୍କୁ ଋଣ ପାଇଁ କୌଣସି ବନ୍ଧକ ବା processing fee ଦେବାକୁ ପଡିବ ନାହିଁ। ୪ ବର୍ଷରେ ଆବେଦନକାରୀମାନେ ମୂଳ ଋଣ ସୁଝି ପାରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ଏକ ଲକ୍ଷ ଏକରରେ ହେବ କଫି ଚାଷ, ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତି

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ୭୦ ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କ୍ୟାବିନେଟରେ ପାରିତ ହୋଇଥିବା ପ୍ରସ୍ତାବ ସଂପର୍କରେ ବିଶଦ ସୂଚନା ଦେଇଥିଲେ।

ସୂଚନା ଅନୁସାରେ ଆସନ୍ତା ୧୦ବର୍ଷ ମଧ୍ୟରେ ଏକ ଲକ୍ଷ ଏକର ଜମିରେ କଫି ଚାଷ କରାଯିବ। ଏଥିପାଇଁ ରାଜ୍ୟର ୬ଟି ଆଦିବାସୀ ଅଧ୍ୟ୍ୟୁଷିତ ଜିଲ୍ଲା କୋରାପୁଟ, ରାୟଗଡ଼ା, ଗଜପତି, ଜଳାହାଣ୍ଡି, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରେ ‘ସ୍ଥାୟୀ ଜୀବିକା ନିମନ୍ତେ କଫି ଚାଷ’ ଯୋଜନା କାର୍ଯ୍ୟକାରୀ କରାଯିବ।

ଏହି ଯୋଜନା ଅଧୀନରେ କଫି ନର୍ସରୀ ପ୍ରସ୍ତୁତ କରିବା ନିମନ୍ତେ ମହିଳା ଏସଏଚଜିଗୁଡ଼ିକୁ ସାମିଲ କରାଯିବ ଓ ୫୦ହଜାରରୁ ଅଧିକ ଚାଷୀ ପରିବାର ମଧ୍ୟ ଉପକୃତ ହେବେ ।

ଆଜିର କ୍ୟାବିନେଟ ବୈଠକରେ ୧୨ ଟି ବିଭାଗ ର ୧୫ ଟି ପ୍ରସ୍ତାବ ଆଗତ କରାଯାଇଥିଲା କ୍ଷ ସେଥିରୁ ୧୪ ଟି ପ୍ରସ୍ତାବ ପାରିତ ହୋଇଥିବା ବେଳେ ଅନ୍ୟ ଗୋଟିଏ ପ୍ରସ୍ତାବ ପରବର୍ତ୍ତୀ ଆଲୋଚନା ପାଇଁ ରଖାଯାଇଛି।

ଅନୁଷ୍ଠିତ ପ୍ରେସ ବିବୃତ୍ତି ସମୟରେ ରାଜସ୍ବ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ବିଜ୍ଞାନ ଓ କାରିଗରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କ୍ୟାବିନେଟ ନିଷ୍ପତି: ଓଡିଶା ସିଭିଲ ସେବା ପରୀକ୍ଷା ବୟସ ବଢିଲା, ଆସିବ ୨୦୦ଟି ଇଲେଟ୍ରିକ ବସ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା ବସିଥିବା ଚଳିତ ବର୍ଷର ଶେଷ କ୍ୟାବିନେଟ୍‌ ବୈଠକରେ ୧୦ ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି କରାଯାଇଛି।

ପୂର୍ବରୁ ଏହି ପରୀକ୍ଷା ପାଇଁ ବୟସ ସୀମା ୩୨ ବର୍ଷ ଥିଲା। ଏବେ ଏହାକୁ ୬ ବର୍ଷ ବୃଦ୍ଧି କରାଯାଇଛି। ଅର୍ଥାତ ପ୍ରାର୍ଥୀମାନେ ଆଗାମୀ ଦିନରେ ୩୮ ବର୍ଷ ବୟସ ପର୍ଯ୍ୟନ୍ତ ସଭିଲ ସର୍ଭିସ ପରୀକ୍ଷା ଦେଇପାରିବେ।ସେହିପରି ଅନ୍ୟ ଯେଉଁ ସବୁ ନିଷ୍ପତି ଗ୍ରହଣ କରାଯାଇଛି ତାହା ହେଲା

୧- ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆକୁ ଜମି ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର।ଭୁବନେଶ୍ବର ନିକଟରେ ୫ ଏକର ଜମି ବିନା ପ୍ରିୟମିୟମରେ ଦିଆଯିବ।

୨- ରାଜ୍ୟର ଗମନା ଗମନକୁ ଆହୁରି ସୁଗମ କରିବାକୁ ରାଜ୍ୟ ସରକାର ପୁଣି ୨୦୦ଟି ଇଲେକ୍ଟିକ୍ ବସ ଚଳାଇବା ନେଇ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି। ଏହି ବସ୍ ଗୁଡିକ ଭୁବନେଶ୍ୱର ସମେତ ଅନ୍ୟ କିଛି ଜିଲ୍ଲାରେ ଗଡିବ।

୪- ରାଜ୍ୟ ସରକାର ନଗର ଉନ୍ନୟନ ବିଭାଗରେ ୩୬୫ଟି ଜୁନିଅର ଇଞ୍ଜିନିୟର ପଦବି ସୃଷ୍ଟି କରିଛନ୍ତି।

୫-ଏଥି ସହିତ ସହରାଞ୍ଚଳରେ ଏଲଇଡି ଲାଇଟ୍ ପାଇଁ ୧୧୨ କୋଟି ୧୮ ଲକ୍ଷ ଟଙ୍କା ଅନୁମୋଦନ ଦେଇଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟରେ ୧୯ଟି ପ୍ରସ୍ତାବକୁ ମଂଜୁରୀ, ସବୁ ପଞ୍ଚାୟତରେ ମିଳିବ ବ୍ୟାଙ୍କ ସେବା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ବାଜିଛି ମୋହର। ଏଥିରେ ‘ନୂତନ ଉନ୍ନତ ଅଭିଳାଷ’ ବା ନୁଆଁ ଓଡ଼ିଶା ଯୋଜନାକୁ ବୈଠକରେ ମଂଜୁରୀ ମିଳିଛି।

ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକ ଯୁବତୀଙ୍କୁ କରାଯିବ ଦକ୍ଷ। ଏଥିପାଇଁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା। ଉନ୍ନତ ମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ , ନିଯୁକ୍ତି ଦକ୍ଷତା କ୍ଷେତ୍ରରେ ଏହା ସହାୟକ ହେବ।

ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଡ ଅନ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷା ଯୁବକ ଯୁବତୀମାନଙ୍କ ପାଇଁ ଡିଜିଟାଲ ଇ ପାଠ୍ୟକ୍ରମ ରଖାଯିବ। ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦକ୍ଷତା ବିକାଶ ପାଇଁ ସୁଯୋଗ ଦିଆଯିବ।

ସେହିପରି ନାଇଜର ପରିସରରେ ହେବ କ୍ୟାନ୍ସର ହସ୍ପିଟାଲ। ଟାଟା ମେମୋରିଆଲ ପକ୍ଷରୁ ପ୍ରତିଷ୍ଠା ହେବ କ୍ୟାନ୍ସର ହସ୍ପିଟାଲ। ଏହା ପାଇଁ ୪୮ ଦଶମିକ ୮୪୨ ଏକର ଜମି ପ୍ରଦାନ କରିବେ ସରକାର। ଏହାକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ହେବ ପାନୀୟ ଜଳ ପ୍ରକଳ୍ପ।ସେଥିପାଇଁ କ୍ୟାବିନେଟ ଅନୁମତି ପ୍ରଦାନ କରିଛନ୍ତି।

ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବ। ସ୍ୱତନ୍ତ୍ର ଯୋଜନା ପାଇଁ କ୍ୟାବିନେଟରେ ଅର୍ଥ ମଂଜୁର କରାଯାଇଛି। ସେହିପରି ସବୁ ପଞ୍ଚାୟତରେ କିପରି ବ୍ୟାଙ୍କ ସେବା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା ହୋଇଛି। ଏଥିରେ ଯେଉଁ ପଞ୍ଚାୟତରେ ବ୍ୟାଙ୍କିଂ ସେବା ନାହିଁ ସେଠାରେ CSC ବ୍ୟାଙ୍କ ପ୍ଲସ ସୁବିଧା ମାଧ୍ୟମରେ ଏହି ସେବା ଯୋଗାଇବାକୁ ନିଷ୍ପତି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ହୋଇପାରେ ପୁଣି ଏକ ବଡ ଘୋଷଣା

ଭୁବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମଧ୍ୟାହ୍ନରେ ଏହି ବୈଠକ ବସିବ ବୋଲି ନିଷ୍ପତି ହୋଇଛି। ତେବେ ଏହି ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି। କାରଣ ବର୍ତ୍ତମାନ ନବୀନ ସରକାର ପ୍ରତିଦିନ କିଛି ନା କିଛି ନୂଆନୂଆ ଘୋଷଣା କରିବାରେ ଲାଗିଛନ୍ତି। ସେହି ଅନୁସାରେ ଆଜି ମଧ୍ୟ କିଛି ନୂଆ ଯୋଜନାର ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି କ୍ୟାବିନେଟ ବୈଠକରେ ୧୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ । ବିଭିନ୍ନ ବିଭାଗର କ୍ୟାଡର ପୁନର୍ଗଠନ ସହିତ କୃଷ, ମହିଳା ବିକାଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ସେହିପରି ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଜଳସଂପଦ, ସମବାୟ ବିଭାଗ ସମ୍ପର୍କିତ ଏକାଧିକ ପ୍ରସ୍ତାବରେ ନିଷ୍ପତି ନିଆଯାଇପାରେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନବୀନଙ୍କ ନିର୍ବାଚନୀ ଥୋପ, ଲାଗୁ ହେଲା ‘ମିଶନ ଶକ୍ତି ସ୍କୁଟର ଯୋଜନା’, ମିଳିବ ବିନା ସୁଧରେ ଲକ୍ଷେ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଜନହିତକର ଯୋଜନା ପ୍ରଣୟନ କରିବାରେ ଲାଗିଛନ୍ତି। ନିକଟରେ ସେ ସେହିପରି ବିଭିନ୍ନ ଯୋଜନା କରି କ୍ୟାବିନେଟରେ ପାଶ କରାଇଛନ୍ତି। ଏବେ ପୁଣି ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ମିଶନ ଶକ୍ତି ମହିଳାମାନଙ୍କ ପାଇଁ ଲାଗୁ କରିଛନ୍ତି ମିଶନ ଶକ୍ତି ସ୍କୁଟର ଯୋଜନା।

ଆଜି ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି। ଏହି ଯୋଜନାରେ ମିଶନ ଶକ୍ତିର ଯୋଗ୍ୟ ସଦସ୍ୟାଙ୍କୁ ନିଜ ମନ ପସନ୍ଦର ସ୍କୁଟର କିଣିବା ପାଇଁ ଋଣ ପ୍ରଦାନ କରାଯିବ। ଏଥିରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ତେବେ ଏହାର ସୁଧ ଟଙ୍କା ରାଜ୍ୟ ସରକାର ବହନ କରିବେ। ଅର୍ଥାତ ମିଶନ ଶକ୍ତି ମହିଳାମାନେ ବିନା ସୁଧରେ ଏହି ଋଣ ପାଇପାରିବେ।

ଏହି ଯୋଜନା ଦ୍ବାରା ମିଶନ ଶକ୍ତି ମହିଳା, ଏସଏଚଜି ମହାସଂଘ, କମ୍ୟୁନିଟ ସପୋର୍ଟ ଷ୍ଟାଫମାନେ ଯାତାୟତ କରିବାରେ ସୁବିଧା ହେବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ଆସନ୍ତା ୫ ବର୍ଷ ପାଇଁ ୫୨୮.୫୫ କୋଟି ଟଙ୍କାର ବଜେଟ ଆକଳନ କରିଛନ୍ତି। ଏହି ବଜେଟକୁ ଆଜି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ଏହି କ୍ୟାବିନେଟ ବୈଠକରେ ମିଶନ ଶକ୍ତି ସହିତ ୧୭ଟି ବିଭିନ୍ନ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ସେଥିମଧ୍ୟରେ ରହିଛି କୃଷି ବିଭାଗ, ସମବାୟ ବିଭାଗ ଏବଂ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ବିଭିନ୍ନ ପ୍ରସ୍ତାବକୁ କ୍ୟାବିନେଟ ମଂଜୁର କରିଛନ୍ତି। ରାଜ୍ୟରେ କ୍ୟାନସର ଚିକିତ୍ସା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିରେ ରହିଛି ରାଜ୍ୟରେ ୧୧ ଟି କଂପ୍ରହନସିଭ କ୍ୟାନେସର ୟୁନିଟ ସ୍ଥାପନ କରାଯିବ।

ଏହି ଯୋଜନା ପାଇଁ ୧୦୦୧. ୧୪ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଏହି ଯୋଜନା ଅଟକଳକୁ ଆଜି ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର: ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଏବଂ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଲୋକସେବା ଭବନରେ ଅପରାହ୍ନରେ ବସିବ ବୋଲି ନିଷ୍ପତି ହୋଇଛି।

ଏହି ବୈଠକରେ ପ୍ରଥମେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଏଥିରେ ପ୍ରାୟ ଦଶଟି ପ୍ରସ୍ତାବ ଉପରେ ମୋହର ବାଜିବ। ସେହିପରି ଏହି ବୈଠକରେ ରାଜ୍ୟ ବଜେଟକୁ ଅନୁମୋଦନ ପ୍ରଦାନ କରାଯିବ। ଏହାପରେ ମନ୍ତ୍ରୀ ପରିଷଦ ବୈଠକରେ ମଧ୍ୟ ବଜେଟକୁ ଅନୁମୋଦନବ କରାଯିବର ସମ୍ଭାବନା ରହିଛି।

ଚଳିତ ମାସ ୨୧ ତାରିଖରୁ ରାଜ୍ୟରେ ବଜେଟ ଅଧିବେଶନ ଆରମ୍ଭ ହେବ। ଫେବୃଆରୀ ୨୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ। ଏହି ଅଧିବଶନ ୨ ଟି ପର୍ଯ୍ୟାୟରେ ହେବ।

ପ୍ରଥମ ପର୍ଯ୍ୟାୟର ବଜେଟ ଅଧିବେଶନ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆଖୁ ଚାଷୀଙ୍କୁ ଚିନି କଳ ମାଲିକମାନେ ପ୍ରଦାନ କରୁଥିବା ଆଖୁର ଉଚିତ୍‌ ଏବଂ ଲାଭକାରୀ ମୂଲ୍ୟ ବଢ଼ିଲା

ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ହିତରେ କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୨-୨୩ ଚିନି ଋତୁ (ଅକ୍ଟୋବାର-ସେପ୍ଟେମ୍ବର) ପାଇଁ ଆଖୁର ଉଚିତ୍‌ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି)କୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ୧୦.୨୫%ର ମୂଳ ଅସୁଲୀ ଦର ପାଇଁ ଏହି ମୂଲ୍ୟକୁ କୁଇଣ୍ଟାଲ ପ୍ରତି ୩୦୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି।

୧୦.୨୫%ରୁ ଅଧିକ ଅସୁଲୀରେ ପ୍ରତିଥର ୦.୧% ବୃଦ୍ଧି ପାଇଁ କୁଇଣ୍ଟାଲ ପ୍ରତି ୩.୦୫ ଟଙ୍କା ପ୍ରିମିୟମ ପ୍ରଦାନ କରାଯିବ। ଅସୁଲୀରେ ୦.୧ % ହ୍ରାସ ପାଇଁ କୁଇଣ୍ଟାଲ ପ୍ରତି ଏଫଆରପିରେ ୩.୦୫ ଟଙ୍କା ହ୍ରାସ କରାଯିବ। ତେବେ ଆଖୁ ଚାଷୀଙ୍କ ହିତକୁ ସୁରକ୍ଷା ଦେବାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେଉଁ ଚିନି କଳ କ୍ଷେତ୍ରରେ ଅସୁଲି ହାର ୯.୫%ରୁ କମ ହେବ ସେଠାରେ କୌଣସି ହ୍ରାସ କରାଯିବ ନାହିଁ।

ଏପରି ଚାଷୀମାନଙ୍କୁ, ଆସନ୍ତା ଚିନି ଋତୁ ୨୦୨୨-୨୩ରେ ଆଖୁ ପାଇଁ କୁଇଣ୍ଟାଲ ପ୍ରତି ୨୮୨.୧୨୫ ଟଙ୍କା ମିଳିବ ଯାହାକି ଚଳିତ ଚିନି ଋତୁ ୨୦୨୧-୨୨ରେ କୁଇଣ୍ଟାଲ ପ୍ରତି ୨୭୫.୫୦ ଟଙ୍କା ରହିଛି। ୨୦୨୨-୨୩ ଚିନି ଋତୁ ପାଇଁ ଆଖୁ ଉତ୍ପାଦନର ଏ2+ଏଫଏଲ ଖର୍ଚ୍ଚ (ଅର୍ଥାତ୍‌ ବାସ୍ତବ ପରିଶୋଧ ଖର୍ଚ୍ଚ ଯୁକ୍ତ ପାରିବାରିକ ଶ୍ରମ ଆରୋପିତ ମୂଲ୍ୟ) କୁଇଣ୍ଟାଲ ପ୍ରତି ୧୬୨ ଟଙ୍କା ରହିଛି।

୧୦.୨୫% ଅସୁଲି ଦର ସହିତ କୁଇଟାଲ ପ୍ରତି ୩୦୫ ଟଙ୍କାର ଏଫଆରପି ଉତ୍ପାଦନ ଖର୍ଚ୍ଚ ଠାରୁ ୮୮.୩% ଅଧିକ, ଯାହାକି ଚାଷୀଙ୍କୁ ସେମାନଙ୍କର ଖର୍ଚ୍ଚ ତୁଳନାରେ ୫୦%ରୁ ଅଧିକ ଲାଭ ଦେବାର ନିଷ୍ପତ୍ତିକୁ କାର୍ଯ୍ୟ କରୁଛି। ୨୦୨୨-୨୩ ଚିନି ଋତୁରେ ଏଫରଆରପି ୨୦୨୧-୨୨ ଚିନି ଋତୁର ଏଫଆରପି ତୁଳନାରେ ୨.୬% ରହିଛି ।

କେନ୍ଦ୍ର ସରକାରଙ୍କ ସକ୍ରିୟ ନୀତି କାରଣରୁ, ଆଖୁ ଚାଷୀ ଏବଂ ଚିନି ଉଦ୍ୟୋଗ ଗତ ୮ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛନ୍ତି ଏବଂ ବର୍ତ୍ତମାନ ଆତ୍ମନିର୍ଭରଶୀଳତା ସ୍ତରରେ ପହଞ୍ଚି ପାରିଛନ୍ତି। ଠିକଣା ସମୟରେ ସରକାରୀ ହସ୍ତକ୍ଷେପ ଏବଂ ଚିନି ଉଦ୍ୟୋଗ, ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ସହିତ ଚାଷୀଙ୍କ ସହଯୋଗ କାରଣରୁ ଏପରି ପରିଣାମ ମିଳିପାରିଛି।

Categories
ଜାତୀୟ ଖବର ବିଶେଷ ଖବର

ଜାତିସଂଘ ଜଳବାୟୁ ପରିବର୍ତ୍ତନ ଚୁକ୍ତିର କାର୍ଯ୍ୟକାରିତା ସଂକ୍ରାନ୍ତ ଏନଡିସି କୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀ (ୟୁଏନ୍‌ଏଫସିସିସି)କୁ ଅବଗତ କରାଇବା ପାଇଁ ଉଦ୍ଦିଷ୍ଟ ଭାରତର ନୂଆ କାର‌୍ୟ୍ୟସୂଚୀ ଓ ଉପଲବ୍ଧି (ଏନ୍‌ଡିସି)କୁ ଅନୁମୋଦନ କରାଯାଇଛି।

ଏହି ଅଦ୍ୟତନ(ଅପଡେଟେଡ୍‌) ଏନ୍‌ଡିସିରେ ପ୍ୟାରିସ୍ ଚୁକ୍ତି ଅନୁସାରେ ଜଳବାୟୁ ପରିବର୍ତ୍ତନ ରୋକିବାକୁ କି ପ୍ରକାର ସବିଶେଷ ଜାତୀୟ ପଦକ୍ଷେପ ଓ ଯୋଜନାମାନ ପ୍ରସ୍ତୁତ କରାଯାଇଛି ତାହା ସ୍ଥାନ ପାଇଛି। ଭାରତର ଏହି କାର‌୍ୟ୍ୟାନୁଷ୍ଠାନ ଦେଶର ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ। ଏଥିରେ ଅଭିବୃଦ୍ଧି ଧାରାକୁ ଅବ୍ୟାହତ ରଖିବା ସହିତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଗୁରୁତ୍ୱ ପାଇଛି। ୟୁଏନ୍‌ଏଫ୍‌ସିସିସିର ସର୍ତ୍ତ ଅନୁସାରେ ନିଜର ଜରୁରୀ ଆବଶ୍ୟକତା ପୂରଣ ନୀତିରେ ଭାରତ ଜୈବିକ ଇନ୍ଧନ ବ୍ୟବହାର କରିବ; ତେବେ ଏ କ୍ଷେତ୍ରରେ ଅଙ୍ଗାରକାମ୍ଳ ନିର୍ଗମନ କିପରି କମିବ ସେ ଦିଗରେ ଧ୍ୟାନ ଦେବ।

ଜାତିସଂଘ ମାର୍ଫତରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଭାବ ରୋକିବାକୁ ବିଭିନ୍ନ ରାଷ୍ଟ୍ରମାନଙ୍କ ସମ୍ମିଳନୀ (କୋପ୍‌)ନିୟମିତ ଭାବେ ଆୟୋଜିତ ହେଉଛି। ବ୍ରିଟେନର ଗ୍ଲାସ୍‌ଗୋରେ ଅନୁଷ୍ଠିତ କୋପ୍‌-୨୬ରେ ଭାରତ ବିଶ୍ୱ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସମଗ୍ର ପୃଥିବୀକୁ ଏକ ପଞ୍ଚସୂତ୍ରୀ ଯୋଜନା ଦେଇଥିଲା ଯାହା “ପଞ୍ଚାମୃତ” ନାମରେ ପରିଚିତ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂତ୍ର ପ୍ରଦାନ କରିଥିଲେ। ଭାରତ ସେହି ପଞ୍ଚାମୃତ ସୂତ୍ରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ କାର‌୍ୟ୍ୟ କରୁଛି। ଏବେ ଭାରତ ତାହାର ଏହି କାର‌୍ୟ୍ୟକ୍ରମ/ଯୋଜନାକୁ ଅଦ୍ୟତନ (ଅପଡେଟ୍‌) କରି ସେଥିରେ ୨୦୭୦ ସୁଦ୍ଧା ତାହାର ଅଙ୍ଗାରକାମ୍ଳ (କାର୍ବନ)ନିର୍ଗମନ ହାରକୁ ଶୂନରେ ପହଞ୍ଚାଇବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି ।

ପୂର୍ବରୁ ଭାରତ ୨୦୧୫ ଅକ୍ଟୋବର ୨ରେ ୟୁଏନ୍‌ଏଫ୍‌ସିସିସିକୁ ଏହାର ଏନ୍‌ଡିସି ପ୍ରଦାନ କରିଥିଲା। ଏଥିରେ ଆଠଟି ଲକ୍ଷ୍ୟ ଥିଲା। ସେଥିରୁ ତିନୋଟି ଯଥା ଅକ୍ଷୟଶକ୍ତି ଉତ୍ପାଦନ ମାଧ୍ୟମରେ ନିଜର ବିଜୁଳି ଆବଶ୍ୟକତାର ୪୦% ପୂରଣ କରିବାକୁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ, ୨୦୦୫ ସ୍ତର ଅନୁସାରେ ନିଜ ଜିଡିପିର ୩୩ରୁ ୩୫ଭାଗ ପର‌୍ୟ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ, ତଥା ନୂତନ ଜଙ୍ଗଲ ଓ ସବୁଜିମା ସୃଷ୍ଟି ମାଧ୍ୟମରେ ଆଉ ଅତିରିକ୍ତ ୨.୫ରୁ ୩ ବିଲିୟନ ଟନ୍‌ର କାର୍ବନ ସିଙ୍କ୍ ସୃଷ୍ଟି ଗୁରୁତ୍ୱ ପାଇଥିଲା।

ନୂଆ ଏନ୍‌ଡିସି ଅନୁସାରେ ୨୦୦୫ ବର୍ଷ ତୁଳନାରେ ୨୦୩୦ ସୁଦ୍ଧା ଭାରତ ତାହାର ଜିଡିିପିର ୪୫ ଶତାଂଶ ପର‌୍ୟ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାକୁ ସଂକଳ୍ପ ବଦ୍ଧ । ସେହିଭଳି ୨୦୩୦ ସୁଦ୍ଧା ଭାରତ ମଧ୍ୟ ଅଣ ପାରମ୍ପରିକ ଉତ୍ସରୁ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ତାହାର ବିଜୁଳି ଉତ୍ପାଦନ କ୍ଷମତାକୁ ୫୦% ବୃଦ୍ଧି କରିବ। ଆଜି କ୍ୟାବିନେଟରେ ଅନୁମୋଦିତ ଏନ୍‌ଡିସିରେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ପ୍ରତିଫଳିତ ହୋଇଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଗରିବ ଓ ବିପଦାପନ୍ନ ଲୋକଙ୍କୁ ସୁରକ୍ଷିତ ରଖିବା ସହିତ ଜୀବନ ଶୈଳୀ ପରିବର୍ତ୍ତନ, ନିରନ୍ତର ବିକାଶ ଏବଂ ସମସ୍ତଙ୍କୁ ଜଳବାୟୁ ନ୍ୟାୟ ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ଅପ୍‌ଡେଟେଡ୍ ଏନ୍‌ଡିସିରେ କୁହାଯାଇଛି ଯେ “ ପରମ୍ପରା ଭିତ୍ତିରେ, ସଂରକ୍ଷଣ ମୂଲ୍ୟବୋଧ ଅନୁସାରେ, ସର୍ବନିମ୍ନ ଆବଶ୍ୟକତା ପୂରଣ ଲକ୍ଷ୍ୟରେ ସୁସ୍ଥ ଓ ନିରନ୍ତର ଜୀବନ ଯାପନ ପ୍ରଚାର ନିମନ୍ତେ ଏହା ଉପସ୍ଥାପିତ ହେଉଛି ଏବଂ ‘ଲାଇଫ’କୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାକୁ ପ୍ରସ୍ତାବ ରଖିଛି। ‘ଲାଇଫ୍‌’ର ଅର୍ଥ ଲାଇଫ ଷ୍ଟାଇଲ ଫର ଏନ୍‌ଭିରୋନ୍‌ମେଣ୍ଟ (ପରିବେଶ ପାଇଁ ଜୀବନ ଶୈଳୀ) ଯାହା ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ।

ଏହି ନୂତନ ଏନ୍‌ଡିସି ଭାରତର ସ୍ୱାର୍ଥ, ପରିବେଶ ଓ ଜଳବାୟୁ ପରିବର୍ତ୍ତନରେ ଜରୁରୀ ଆବଶ୍ୟକତାଗୁଡିକୁ ବିଚାରକୁ ନେଇ ଅତ୍ୟନ୍ତ ସତର୍କତାର ସହ ପ୍ରସ୍ତୁତି ହୋଇଛି। ତେବେ ଦାୟିତ୍ୱବୋଧ ସହିତ ଦେଶର ସାମର୍ଥ୍ୟକୁ ଏଥିରେ ଗୁରୁତ୍ୱପ୍ରଦାନ କରାଯାଇଛି। ଦେଶର ନିରନ୍ତର ବିକାଶଧାରାକୁ ଅବ୍ୟାହତ ରଖି ଯଥାସମ୍ଭବ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିବା ଦିଗରେ ଆମେ ଯେଉଁ ଅଙ୍ଗୀକାର ପ୍ରକାଶ କରିଥିଲୁ ସେ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

କୋପ୍‌-୨୬ରେ ପ୍ରଧାନମନ୍ତ୍ରୀ ବିଶ୍ୱ ସବୁଦାୟକୁ ଏକ ଏକକ ଶବ୍ଦ ବିଶିଷ୍ଟ ଆନ୍ଦୋଳନ (ୱାନ ୱାର୍ଡ ମୁମେଣ୍ଟ) ପାଇଁ ଆହ୍ୱାନ ଦେଇଥିଲେ। ସେହି ଶବ୍ଦଟି ଥିଲା ‘ଲାଇଫ’(ଖ, ଓ, ୠ, ଋ,)ବା ଲାଇଫ ଷ୍ଟାଇଲ ଫର ଏନ୍‌ଭିରୋନମେଣ୍ଟ। ସରଳ ଭାଷାରେ ପରିବେଶ ପାଇଁ ଜୀବନ ଶୈଳୀ। ଆମ ପୃଥିବୀର ସ୍ୱାର୍ଥ ଅନୁକୂଳ ଜୀବନ ଶୈଳୀ ଆମେ ଆପଣାଇଲେ ଆମର ଆବଶ୍ୟକତା ପୂରଣ ହେବ ଏବଂ ବସୁଧାର କୌଣସି କ୍ଷତି ହେବ ନାହିଁ । ଏନ୍‌ଡିସିରେ ନାଗରିକ କେନ୍ଦ୍ରୀୟ ଆଭିମୁଖ୍ୟ ନେଇ ଜଳବାୟୁ ପରିବର୍ତ୍ତନର ମୁକାବିଲାକୁ ଗୁରୁତ୍ୱ ଦିଆଯାଇଛି ।

୨୦୨୧ରୁ ୨୦୩୦ ମଧ୍ୟରେ ଭାରତ କିପରି ସ୍ୱଚ୍ଛ ଇନ୍ଧନ ବ୍ୟବହାର ପର‌୍ୟ୍ୟାୟକୁ ଯିବ ତାହା ଉଲ୍ଲେଖ କରାଯାଇଛି। ସ୍ୱଚ୍ଛ ଇନ୍ଧନ ଉତ୍ପାଦନ ପାଇଁ ସରକାର ଟିକସ ରିହାତି ସହିତ ଯୋଗାଇ ଦେଉଥିବା ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ ଅଛି। ଜଳ, କୃଷି, ଜଙ୍ଗଲ, ଉର୍ଜା, ଆବାସ, ବର୍ଜ୍ୟବସ୍ତୁ ପରିଚାଳନା, ସର୍କୁଲାର ଇକ୍‌ନମି ଆଦି ବିଭିନ୍ନ କ୍ଷେତ୍ରରେ ସରକାର ଗ୍ରହଣ କରୁଥିବା ପରିବେଶ ଅନୁକୂଳ ପଦକ୍ଷେପ ସମ୍ପର୍କରେ ମଧ୍ୟ ଏନ୍‌ଡିସି ତଥ୍ୟ ରଖିଛି । ଭାରତ କିପରି ପ୍ରଦୂଷଣକାରୀ ଅର୍ଥନୀତିରୁ ନିଜକୁ କ୍ରମଶଃ ଦୂରେଇ ସ୍ୱଚ୍ଛ ଇନ୍ଧନର ବ୍ୟବହାର ପୂର୍ବକ ନିଜର ଅଭିବୃଦ୍ଧି ବଢାଇବା ଦିଗରେ କାମ କରୁଛି ତାହାର ଅନେକ ଉଦାହରଣ ଏନ୍‌ଡିସିରେ ଉଲ୍ଲେଖ କରାଯାଇଛି।

୨୦୩୦ସୁଦ୍ଧା ଭାରତୀୟ ରେଳବାଇ ସମ୍ପୂର୍ଣ୍ଣ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରିବା ଫଳରେ ବାର୍ଷିକ ଅଙ୍ଗାରକାମ୍ଳ ନିର୍ଗମନ ୬୦ ନିୟୁତ ଟନ୍ ହ୍ରାସ ପାଇବ। ସେହିଭଳି ଏଲ୍‌ଇଡି ବଲ୍‌ବ ଅଭିଯାନ ଫଳରେ ଅଙ୍ଗାରକାମ୍ଳ ନିର୍ଗମନ ବାର୍ଷିକ ୪୦ ନିୟୁତ ଟନ୍ କମିଥିବା ରିପୋର୍ଟରେ ଦର୍ଶାଯାଇଛି।

ଭାରତରେ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର‌୍ୟ୍ୟ ପାଇଁ ମୁଖ୍ୟତଃ ଘରୋଇ ସମ୍ବଳ ବିନିଯୋଗ କରାଯାଉଛି। ତେବେ ଏ କ୍ଷେତ୍ରରେ ଅଧିକ କିଛି କରିବା ପାଇଁ ଅତିରିକ୍ତ ସମ୍ବଳ ଓ ଅତ୍ୟାଧୁନିକ ଟେକ୍‌ନୋଲୋଜିର ଆବଶ୍ୟକତା ରହିଛି। ୟୁଏନ୍‌ଏଫସିସିସି ଏବଂ ପ୍ୟାରିସ ଚୁକ୍ତିର ସର୍ତ୍ତ ଅନୁସାରେ ଏହି ଅର୍ଥ ଓ ଟେକ୍‌ନୋଲୋଜି ବିକାଶଶୀଳ ରାଷ୍ଟ୍ରଙ୍କୁ ଯୋଗାଇ ଦେବା ବିକଶିତ ରାଷ୍ଟ୍ରମାନଙ୍କର ଦାୟିତ୍ୱ। ଭାରତ ମଧ୍ୟ ଏଭଳି ବାହ୍ୟ ଆର୍ଥିକ ସହାୟତା ଓ ଟେକ୍‌ନୋଲୋଜି ଆବଶ୍ୟକ କରୁଛି।

ଭାରତର ଏନ୍‌ଡିସି କୌଣସି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା କରିବାକୁ ବାଧ୍ୟତାମୂଳକ ନୁହେଁ। ଏହାର ମୂଳ ଲକ୍ଷ୍ୟ ହେଲା ସାମଗ୍ରିକ ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରା ହ୍ରାସ ଓ ସମୟ କ୍ରମେ ଏହାର ଅର୍ଥନୀତିର ଊର୍ଜା ଦକ୍ଷତା ବୃଦ୍ଧି। ଏହା ମଧ୍ୟ ଦେଶର ଦୁର୍ବଳ ବର୍ଗ ଅର୍ଥନୀତିର ଦୁର୍ବଳ କ୍ଷେତ୍ରକୁ ସୁରକ୍ଷିତ ରଖିବାକୁ ଚାହେଁ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

୨୭୯୮ କୋଟି ଟଙ୍କାର ତରଙ୍ଗା ହିଲ-ଅମ୍ବାଜୀ-ଅବୁ ରୋଡ୍ ନୂଆ ରେଳ ଲାଇନକୁ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ: ୨୭୯୮.୧୫ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ ସହିତ ରେଳ ମନ୍ତ୍ରଣାଳୟ ଦ୍ବାରା ତରଙ୍ଗା ହିଲ-ଅମ୍ବାଜୀ-ଆବୁ ରୋଡ୍ ନୂଆ ରେଳଲାଇନ ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ସାମ୍ବାଦିକଙ୍କୁ ସମ୍ବୋଧୀତ କରି ଏହା କହିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।

ନୂଆ ରେଳ ଲାଇନର ଲମ୍ବ ମୋଟ ୧୧୬.୬୫ କିଲୋମିଟର ହେବ । ଏହି ପ୍ରକଳ୍ପ ୨୦୨୬-୨୭ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଏ ପ୍ରକଳ୍ପ ନିର୍ମାଣ ସମୟରେ ପାଖାପାଖି ୪୦ ଲକ୍ଷ ମାନବ ଦିବସ ଲାଗି ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି ହେବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତ ସଂକଳ୍ପ ଅନୁରୂପ, ଏ ପ୍ରକଳ୍ପ ରେଳ ଯୋଗାଯୋଗ ବଢ଼ାଇବା ଏବଂ ଗମନାଗମନରେ ସୁଧାର ଆଣିବାକୁ ଯାଉଛି । ଏହାଦ୍ବାରା ସ୍ଥାନୀୟ ଅଞ୍ଚଳରେ ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ହେବ।

ଅମ୍ବାଜୀ ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ହୋଇଥିବା ବେଳେ ଏହା ଭାରତର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ । ପ୍ରତ୍ୟେକ ବର୍ଷ ଗୁଜରାଟ ସହିତ ଦେଶର ବିଭିନ୍ନ ଭାଗ ଏବଂ ବିଦେଶରୁ ଲକ୍ଷାଧିକ ଭକ୍ତ ଏଠାକୁ ଆସିଥାନ୍ତି । ଏଠାରେ ରେଳ ଲାଇନ ନିର୍ମାଣ ଫଳରେ ଲକ୍ଷାଧିକ ଯାତ୍ରୀଙ୍କୁ ସୁବିଧା ମିଳିପାରିବ।

ଏହାବ୍ୟତୀତ, ତରଙ୍ଗା ହିଲରେ ଥିବା ଅଜୀତନାଥ ଜୈନ ମନ୍ଦିର (୨୪ଟି ପବିତ୍ର ଜୈନ ତୀର୍ଥଙ୍କର ମଧ୍ୟରୁ ଗୋଟିଏ) ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କୁ ମଧ୍ୟ ଏହି ରେଳ ସଂଯୋଗ ଦ୍ବାରା ଅଧିକ ଲାଭ ମିଳିପାରିବ । ତରଙ୍ଗା ହିଲ-ଅମ୍ବାଜୀ-ଆବୁ ରୋଡ ମଧ୍ୟରେ ଏହି ନୂଆ ରେଳଲାଇନ ଦୁଇଟି ଗୁରୁତ୍ବପୂର୍ଣ୍ଣ ଧାର୍ମିକ ସ୍ଥଳକୁ ରେଳବାଇର ମୁଖ୍ୟ ନେଟୱର୍କ ସହ ଯୋଡ଼ିବ ।

ଏହି ଲାଇନ କୃଷି ଏବଂ ସ୍ଥାନୀୟ ଉତ୍ପାଦକୁ ସହଜରେ ନେବା ଆଣିବା କରିବା ଲାଗି ସୁବିଧା ପ୍ରଦାନ କରିବ ଏବଂ ଗୁଜରାଟ ଓ ରାଜସ୍ଥାନ ମଧ୍ୟରେ ତଥା ଦେଶର ଅନ୍ୟ ଭାଗରେ ମଧ୍ୟ ଲୋକମାନଙ୍କୁ ଉନ୍ନତ ଗମନାଗମନ ସୁବିଧା ପ୍ରଦାନ କରିବ । ଏହି ପ୍ରକଳ୍ପ ବର୍ତ୍ତମାନର ଅହମ୍ମଦାବାଦ-ଆବୁ ରୋଡ ରେଳ ଲାଇନ ପାଇଁ ବିକଳ୍ପ ମାର୍ଗ ମଧ୍ୟ ପ୍ରଦାନ କରିବ ।

ପ୍ରସ୍ତାବିତ ଦୋହରୀକରଣ ସହ ଯୋଡ଼ି ହେବା ଫଳରେ ରାଜସ୍ଥାନର ସିରୋହୀ ଜିଲ୍ଲା ଏବଂ ଗୁଜରାଟର ବନାସକାଣ୍ଠା ଓ ମେହସାଣା ଜିଲ୍ଲା ଦେଇ ଅତିକ୍ରମ କରିବ । ନୂଆ ରେଳ ଲାଇନ ନିର୍ମାଣ ଫଳରେ ପୁଞ୍ଜିନିବେଶ ଆକୃଷ୍ଟ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶ ହୋଇପାରିବ ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ନିଆଯାଇପାରେ ବଡ ନିଷ୍ପତି

ଭୁବନେଶ୍ବର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନରେ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ଭଚ୍ୟୁୟାଲ ମାଧ୍ୟମରେ ଯୋଗଦେବେ। ଏହି ବୈଠକରେ ୨୦ଟି ପ୍ରସ୍ତାବ କ୍ୟାବିନେଟ୍‌ର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ।

ତେବେ ଆସନ୍ତା ମଇ 29 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ ହେବ। ସେଥିପାଇଁ ଏହି କ୍ୟାବିନେଟରେ କୌଣସି ଏକ ବଡ ନିଷ୍ପତି ଗ୍ରହଣ କରାଯିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

କ୍ୟାବିନେଟ ନିଷ୍ପତି: ଏଣିକି ଲୋକେ ଶ୍ରୀଜଗନ୍ନାଥ ଜମି କିଣାବିକା କରିପାରିବେ, ଶୁଣନ୍ତୁ କଣ କହୁଛନ୍ତି ସିଏସ

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା, ଏଣିକ ଜଗନ୍ନାଥଙ୍କ ଜମିକୁ ଦଖଲଦାରମାନେ କିଣିବିକା କରିପାରିବେ। ପୂର୍ବରୁ ଯେଉଁମାନେ ଜଗନ୍ନାଥଙ୍କ ଜମି ରଖିଥିଲେ ସେମାନେ ସରକାରୀ କଟକଣା ଭିତରେ ସେହି ଜମିର ସଂପୂର୍ଣ୍ଣ ମାଲିକ ହୋଇପାରୁ ନ ଥିଲେ। ହେଲେ ସେହି ନିୟମକୁ ସଂଶୋଧନ କରାଯାଇଛି।

ବର୍ତ୍ତମାନର ସଂଶୋଧିତ ନିୟମ ଅନୁସାରେ ଯେଉଁମାନେ ଜଗନ୍ନାଥଙ୍କ ଜମି ଭୋଗ କରୁଛନ୍ତି ସେମାନେ ତାହାକୁ ନିଜ ନାମରେ କରିବା ପାଇଁ ଆବେଦନ କରିବେ। ତେବେ ସେହି ଆବେଦନ ପୂର୍ବ ପରି ଆଉ ରାଜ୍ୟ ସରକାରଙ୍କୁ କରିବାକୁ ଆବଶ୍ୟକ ନାହିଁ। ସେମାନେ ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିବେ। ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ସାମୁହିକ ଭାବେ ଏହାର ଅନୁମତି ପ୍ରଦାନ କରିବେ।

2003 ମସିହାରେ ଜଗନ୍ନାଥ ଜମିକୁ ନେଇ ଏକ ୟୁନିଫର୍ମ ନୀତି ପ୍ରଣୟନ କରାଯାଇଥିଲା। ଏଥିରେ ଯେଉଁମାନେ ଜଗନ୍ନାଥ ଜମି ଦଖଲ କରିଛନ୍ତି ସେମାନଙ୍କ ନାମରେ ସେ ଜମି କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା। ହେଲେ ଆଇନ କଟକଣା ଭିତରେ ସେ ସବୁ କରିବା ସମ୍ଭବ ହୋଇ ନ ଥିଲା। ଫଳରେ ହଜାର ହଜାର ଆବେଦନକାରୀଙ୍କ ଆବେଦନ ଫଇସଲା ହୋଇପାରୁ ନ ଥିଲା।

ବର୍ତ୍ତମାନ ଶ୍ରୀମନ୍ଦିର ଅଧିନିୟମ 1954 କୁ ସଂଶୋଧିତ କରାଯାଇ ଏହି ବ୍ୟବସ୍ଥାକୁ ସରଳ କରାଯାଇଛି। ଫଳରେ ଜଗନ୍ନାଥ ଜମି ଭୋଗ କରୁଥିବା ହଜାରହଜାର ଲୋକେ ଉପକୃତ ହୋଇପାରିବେ। ଏପରିକି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏଥିରେ ଲାଭବାନ ହୋଇପାରିବ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟରେ ୨୪ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ଆସିଲା ଓଡ଼ିଶା ଇଲୋଟ୍ରୋନିକ୍ସ ପଲିସି ୨୦୨୧

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥି ମଧ୍ୟରେ ରହିଛି ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଇଲୋଟ୍ରୋନିକ୍ସ ପଲିସି ୨୦୨୧ । ରାଜ୍ୟରେ ଇଲୋଟ୍ରୋନିକ୍ସ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଏହି ପଲିସି ଆଣିଛନ୍ତି।

କ୍ୟାବିନେଟରେ ନୂଆ ମେଗା ଜଳସେଚନ ପ୍ରକଳ୍ପକୁ ମଂଜୁରୀ ମିଳିଛି। ତାହା ହେଲା ସୁକତେଲ ନଦୀରେ ଉପରେ ବ୍ୟାରେଜ ନିର୍ମାଣକୁ ମଞ୍ଜୁରୀ । ସେହିଭଳି ପାର୍ବତୀଗିରି ମେଗା ଉଠାଜଳସେଚନା ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି। ଏଥିରେ ଆସନ୍ତା ୫ ବର୍ଷ ପାଇଁ ୧୦ ୭୫୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଞ୍ଜୁର ହୋଇଛି । ଏହାଦ୍ୱାରା ପ୍ରାୟ ୨ଲକ୍ଷ ୬୩ ହଜାର ୮ଶହ ହେକ୍ଟର ଜମିକୁ ଜଳସେଚିତ କରାଯାଇପାରିବ।

ସେହିପରି ଆସନ୍ତା ୫ ବର୍ଷରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୪୮୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ କ୍ୟାବିନେଟ ଅନୁମୋଦନ ମିଳିଛି । କ୍ରୀଡ଼ାବିତ ଓ ପାରା କ୍ରୀଡ଼ାବିତଙ୍କୁ ମଧ୍ୟ ସମାନ ସରକାରୀ ଚାକିରି ମିଳିବ । ତେବେ କେଉଁ ପଦକ ଜିତିଲେ କେଉଁ ଚାକିରି ପାଇବେ ସେ ନେଇ ଏକ ନୂଆ ନିୟମାବାଳୀ ପ୍ରସ୍ତୁତ କରାଯାଇଛି। ଏହାକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ଓ ଏହାର ସମ୍ପତ୍ତି ଓ ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠର ପରିଚାଳନାକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ଦେବା ପାଇଁ ଏକ ଅଧ୍ୟାଦେଶକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ମନ୍ଦିର କାର୍ଯ୍ୟର ଉତ୍ତମ ଓ ସଠିକ୍ ପରିଚାଳନା ହେବା ସହ ତୀର୍ଥଯାତ୍ରୀ, ଭକ୍ତ ଓ ଉପାସକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦିଆଯିବ ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତି, ସରକାରୀ କର୍ମଚାରୀଙ୍କ ବଢିଲା ପେନସନ, ଜାଣନ୍ତୁ କେଉଁମାନେ ପାଇବେ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏକ ବଡ ନିଷ୍ପତି ନିଆଯାଇଛି। ତାହା ହେଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ପେନସନ ପରିମାଣକୁ ବୃଦ୍ଧି କରିଛନ୍ତି। ଯେଉଁ କର୍ମଚାରୀମାନେ ଜାତୀୟ ପେନସନ ଯୋଜନାରେ ଆସୁଛନ୍ତି ସେମାନେ ଏହି ବର୍ଦ୍ଧିତ ପରିମାଣ ପାଇବେ।

କ୍ୟାବିନେଟର ନିଷ୍ପତି ଅନୁସାରେ କର୍ମଚାରୀଙ୍କ ପେନସନ ପାଇଁ ରାଜ୍ୟ ସରକାର ଯେଉଁ ଅଂଶ ପ୍ରଦାନ କରୁଛନ୍ତି ସେଥିରେ ବୃଦ୍ଧି କରାଯାଇଛି। ପୂର୍ବରୁ ଦିଆଯାଉଥିବା 10 ପ୍ରତିଶତ ରାଜ୍ୟ ଅଂଶକୁ 14 ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ପେନସନ ପିଛାଲା ଭାବେ ଗତ 2019 ଏପ୍ରିଲ 1 ତାରିଖରୁ ଲାଗୁ କରିବା ପାଇଁ କ୍ୟାବିନେଟ ମୋହର ମାରିଛନ୍ତି।

କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଏହା ଦ୍ବାରା ରାଜ୍ୟର 2 ଲକ୍ଷ 8 ହଜାର ରାଜ୍ୟ ସରକାରୀ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ସରକାର 380 କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ। ବର୍ତ୍ତମାନ ପିଛିଲା ଭାବେ ଏହା ପ୍ରଦାନ କରାଗଲା ରାଜ୍ୟ ସରକାରଙ୍କୁ 772 କୋଟି ଟଙ୍କା ଦେବାକୁ ପଡିବ।

ଏହି ବର୍ଦ୍ଧିତ ପେନସନ ଅଂଶ ରାଜ୍ୟ ସରକାରଙ୍କ ଗ୍ରୁପ ବି,ସି, ଡି ଏବଂ କଣ୍ଟ୍ରାଚ୍ୟୁୟାଲ କର୍ମଚାରୀ ପାଇବେ। ଏଥିସହିତ ସରକାରୀ ଏଡେଡ୍ ଶିକ୍ଷାନୁଷ୍ଠାନ କର୍ମଚାରୀ ମଧ୍ୟ ଏହି ବର୍ଦ୍ଧିତ ପେନସନ ଯୋଜନାର ଲାଭ ପାଇପାରିବେ। ଏଥିସହିତ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରଙ୍କୁ ମଧ୍ୟ ଏହି ପେନସନ ଦେବାକୁ ନିଷ୍ପତି ହୋଇଛି।

ଆଜି 35 ତମ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ 17ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଦଶଟି ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ନିଆଯାଇପାରେ ନିଷ୍ପତି

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଏ ନେଇ ଗତକାଲି ସଂଧ୍ୟାରୁ ସମସ୍ତ ମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଦିନ 11ଟା 30ରେ ଏହି ବୈଠକ ବସିବ ବୋଲି ସ୍ଥିର ହୋଇଛି।

ଏହି ବୈଠକରେ ପ୍ରାୟ 10ଟି ପ୍ରସଂଗରେ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ରହିଛି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବୃଦ୍ଧି। ଏହି କର୍ମଚାରଙ୍କ ଦରମା ବୃଦ୍ଧି ନେଇ କ୍ୟାବିନେଟ ମୋହର ବାଜିବ ବୋଲି ଚର୍ଚ୍ଚା ଚାଲିଛି। ଯେଉଁ କର୍ମଚାରୀଙ୍କ ଆଠ ହଜାର ଦରମା ଅଛି ତାହା ତେର ହଜାରକୁ ବୃଦ୍ଧି କରାଯିବ ବୋଲି ଆଲୋଚନା ଚାଲିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅବକାରୀ ନିଷେଧ ଆଇନ ଉପରେ ବିହାର କ୍ୟାବିନେଟର ବଡ ନିଷ୍ପତ୍ତି: ମଦ ଜବତ ଅଞ୍ଚଳକୁ କରାଯିବ ସିଲ୍

ପାଟନା: ବିହାରରେ ମଦ ନିଷେଧ ଏବଂ ଉତ୍ପାଦନ ନିୟମ ୨୦୨୧ କୁ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିରେ ମଦ୍ୟପାନ ନିଷେଧ ସହ ଜଡିତ ଅନେକ ନିୟମ ସ୍ପଷ୍ଟ କରାଯାଇଛି। ବର୍ତ୍ତମାନ ଯଦି କୌଣସି ଅଞ୍ଚଳରେ ମଦ ଉତ୍ପାଦନ, ସଂରକ୍ଷଣ, ବଟଲିଂ, ବିକ୍ରୟ କିମ୍ବା ଆମଦାନୀ-ରପ୍ତାନି ହୁଏ, ତେବେ ସମଗ୍ର ଅଞ୍ଚଳକୁ ସିଲ୍ କରାଯିବ। ତଥାପି, କେବଳ ଆବାସିକ ପରିସରର ଚିହ୍ନିତ ଅଂଶକୁ ସିଲ୍ କରାଯିବ ଏବଂ ସମଗ୍ର ପରିସର କିମ୍ବା ସମଗ୍ର ବାସଗୃହକୁ ସିଲ୍ କରାଯିବ ନାହିଁ। ମଦ ସଂରକ୍ଷଣ ପାଇଁ କ୍ୟାଣ୍ଟନମେଣ୍ଟ କ୍ଷେତ୍ର ଏବଂ ସାମରିକ ଷ୍ଟେସନକୁ ଅନୁମତି ଦିଆଯିବ। କୌଣସି ସେବା କିମ୍ବା ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ କ୍ୟାଣ୍ଟନମେଣ୍ଟ ଅଞ୍ଚଳ ବାହାରେ ମଦ୍ୟପାନ କିମ୍ବା ରଖିବାକୁ ଦିଆଯିବ ନାହିଁ।

ଜବତ ପାଇଁ ଏକ ଆବେଦନ ପାଇବା ପରେ, ଜିଲ୍ଲାପାଳ ୯୦ ଦିନ ମଧ୍ୟରେ ଜବରଦଖଲ ଆଦେଶ ଦେବେ। ପ୍ରଥମ ଅପରାଧରେ ଜାମିନ ପାଇଁ ଧାରା ୪୩୬ର ଲାଗୁ ହେବ। ଜିଲ୍ଲାପାଳଙ୍କ ଆଦେଶ ବିରୁଦ୍ଧରେ ଏକ ଆବେଦନ କରାଯାଇପାରିବ, ଯେଉଁଥିରେ ଉପ୍ତାଦ କମିଶନରଙ୍କୁ ୩୦ ଦିନ ମଧ୍ୟରେ ଏହି ଆଦେଶ ଦେବାକୁ ପଡିବ। ସଂଶୋଧନ ପାଇଁ ବିଭାଗୀୟ ସଚିବଙ୍କୁ ମଧ୍ୟ ୩୦ଦିନ ମଧ୍ୟରେ ଏକ ନିର୍ଦ୍ଦେଶ ପାସ କରିବାକୁ ପଡିବ। ଆବେଦନ ଏବଂ ସଂଶୋଧନ ପ୍ରକ୍ରିୟାରେ, ଯଦି ଆବେଦନକାରୀ କିମ୍ବା ତାଙ୍କ ଓକିଲ ନିର୍ଦ୍ଧାରିତ ଶୁଣାଣି ତାରିଖରେ ଉପସ୍ଥିତ ନ ଥାନ୍ତି, ତେବେ ଉପଲବ୍ଧ ରେକର୍ଡ ଆଧାରରେ ପ୍ରିଜାଇଡିଂ ଅଫିସରଙ୍କ ଦ୍ଵାରା ପୂର୍ବ-ନିଷ୍ପତ୍ତି ନିଆଯିବ।

ଏଥି ସହିତ ଇଥାନଲ ଉତ୍ପାଦନ କରୁଥିବା ଶସ୍ୟ ଭିତ୍ତିକ ଡିଷ୍ଟିଲରିର କାର୍ଯ୍ୟକଳାପ ଦିନରାତି ସିସିଟିଭି କ୍ୟାମେରାର ତତ୍ତ୍ୱାବଧାନରେ ପରିଚାଳିତ ହେବ। ନିଶା ଦ୍ରବ୍ୟରେ ଭର୍ତ୍ତି ଯାନଗୁଡ଼ିକୁ କେବଳ ରାଜ୍ୟ ସୀମାରେ ଘୋଷିତ ଚେକ୍ ପୋଷ୍ଟ ଦେଇ ଯିବାକୁ ଅନୁମତି ଦିଆଯିବ। ଯେକଣସି ପରିସ୍ଥିତିରେ, ୨୪ ଘଣ୍ଟା ମଧ୍ୟରେ ଏହିପରି ଯାନଗୁଡିକ ରାଜ୍ୟ ସୀମା ଛାଡିବା ବାଧ୍ୟତାମୂଳକ ହେବ। ମଦ ବୋଝେଇ ଗାଡି ନିର୍ଦ୍ଦିଷ୍ଟ ମାର୍ଗରେ ରାଜ୍ୟ ସୀମାରେ ପ୍ରବେଶ କରିବା ମାତ୍ରେ ଏଥିରେ ଏକ ଡିଜିଟାଲ୍ ଲକ୍ ରଖାଯିବ।

Categories
ଜାତୀୟ ଖବର ବିଶେଷ ଖବର

ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨-୨୩ ରବି ବିପଣନ ଋତୁ (ଆରଏମଏସ) ପାଇଁ ସମସ୍ତ ସୂଚୀଭୁକ୍ତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦିତ ଫସଲର ସୁନିଶ୍ଚିତ ଲାଭଜନକ ମୂଲ୍ୟ ପ୍ରଦାନ କରିବାର ଲକ୍ଷ୍ୟ ନେଇ ସରକାର ୨୦୨୨-୨୩ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି। ପୂର୍ବ ବର୍ଷ ତୁଳନାରେ କେତେକ ନିର୍ଦ୍ଦିଷ୍ଟ ଫସଲରେ ସର୍ବୋଚ୍ଚ ଏମଏସପି ବୃଦ୍ଧି ପାଇଁ ସୁପାରିସ କରାଯାଇଛି।

ଏହି ଫସଲଗୁଡ଼ିକ ମଧ୍ୟରେ ରହିଛି ମସୁର, ତୈଳ ବୀଜ ଓ ସୋରିଷ। ଏହି ତିନୋଟି ଫସଲରେ କୁଇଣ୍ଟାଲ ପ୍ରତି ୪୦୦ ଟଙ୍କା ଲେଖାଏଁ ଏମଏସପି ବୃଦ୍ଧି କରାଯାଇଛି। ସେହିପରି ଚଣାରେ କୁଇଣ୍ଟାଲ ପ୍ରତି ଏମଏସପି ୧୩୦ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବବର୍ଷ ତୁଳନାରେ କୁସୁମ ଉପରେ କୁଇଣ୍ଟାଲ ପ୍ରତି ୧୧୪ ଟଙ୍କା ଏମଏସପି ବୃଦ୍ଧି କରାଯାଇଛି। ଫସଲ ବିବିଧକରଣକୁ ପ୍ରୋତ୍ସାହନ ଲକ୍ଷ୍ୟ ନେଇ ଫସଲର ଏଭଳି ଭିନ୍ନ ଭିନ୍ନ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି।

ଏଥିରେ ପରିଶୋଧ କରାଯାଇଥିବା ସମସ୍ତ ଖର୍ଚ୍ଚ ସାମିଲ ରହିଛି, ଅର୍ଥାତ ଶ୍ରମିକମାନଙ୍କୁ ମଜୁରି, ବଳଦ କିମ୍ବା ମେସିନ ସାହାଯ୍ୟରେ ହଳ ଏବଂ ଅନ୍ୟ କାମ, ଭାଗରେ ଦିଆଯାଇଥିବା ଜମିର ଭଡ଼ା, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କ୍ଷେତ ପ୍ରସ୍ତୁତିରେ ହେଉଥିବା ଖର୍ଚ୍ଚ, ଗତିଶୀଳ ପୁଞ୍ଜି ଉପରେ ସୁଧ, ପମ୍ପ ସେଟ ଆଦି ଚାଲିବା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଏଥିରେ ସାମିଲ ରହିଛି। ଏହାବ୍ୟତୀତ ଅନ୍ୟ ଖର୍ଚ୍ଚ ଏବଂ ପରିବାର ଦ୍ବାରା କରାଯାଉଥିବା ଶ୍ରମର ମୂଲ୍ୟ ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ।

ଗତ କିଛି ବର୍ଷ ଧରି କେତେକ ତୈଳବୀଜ, ଡାଲି, ମୋଟା ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ବ୍ୟବସ୍ଥିତ କରିବା ଲାଗି ମିଳିତ ଭାବେ ପ୍ରୟାସ କରାଯାଇ ଆସୁଛି। ଯାହାଫଳରେ ଚାଷୀମାନେ ଅଧିକ ଜମିରେ ଏସବୁ ଫସଲ ଉତ୍ପାଦନ କରିବା ପାଇଁ ପ୍ରୋତ୍ସାହିତ ହେବେ। ଏଥିପାଇଁ ସେମାନେ ଉନ୍ନତ ଜ୍ଞାନକୌଶଳ ଏବଂ ଚାଷ ପଦ୍ଧତି ଆପଣାଇବେ, ଏହାଦ୍ବାରା ଚାହିଦା ଓ ଯୋଗାଣରେ ସନ୍ତୁଳନ ସୃଷ୍ଟି ହୋଇପାରିବ।

ନିକଟରେ ସରକାର କେନ୍ଦ୍ର ପ୍ରୟୋଜିତ ଯୋଜନା ଜାତୀୟ ଖାଦ୍ୟ ତେଲ-ଅଏଲ ପାମ (ଏନଏମଇଓ-ଓପି) ମଧ୍ୟ ଘୋଷଣା କରିଛନ୍ତି। ଏହି ଯୋଜନା ଫଳରେ ଖାଇବା ତେଲର ଘରୋଇ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କମିବ। ଏହି ଯୋଜନା ପାଇଁ ୧୧,୦୪୦ କୋଟି ଟଙ୍କା ଖର୍ଚ ଅଟକଳ କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ମିଳିଲେ ଚାଷୀମାନେ କେବଳ ଅଧିକ ଜମିରେ ଅଧିକ ପରିମାଣର ଫସଲ ଉତ୍ପାଦନ କରିବେ ନାହିଁ ବରଂ ସେମାନଙ୍କ ଲାଭ ଓ ରୋଜଗାର ମଧ୍ୟ ବଢ଼ାଇପାରିବେ।

Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ୬୯୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୮୯ଟି ଇନଡୋର ଷ୍ଟାଡିୟମ, କ୍ୟାବିନେଟର ମଂଜୁରୀ

ଭୁବନେଶ୍ବର, ଆଜି ରାଜ୍ୟ କ୍ୟାବିନେଟରେ କ୍ରୀଡା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ସେହି ଅନୁସାରେ ରାଜ୍ୟରେ ଏକାଥରେ ୮୯ ଟି ଇନଡୋର ଷ୍ଟାଣ୍ଡିୟମ ନିର୍ମାଣ କରାଯିବ। ସେଥିପାଇଁ ଖର୍ଚ୍ଚ ହେବ ୬୯୩ କୋଟି ଟଙ୍କା। ଏହାକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି। ଏହାର କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ କରାଯିବ ବୋଲି ନିଷ୍ପତ କରାଯାଇଛି।

ତେବେ ଏହି ଇନଡୋର ଷ୍ଟାଡିୟମ ବହୁମୁଖୀ ବ୍ୟବହାର କରିବା ପାଇଁ ନିଷ୍ପତି କରାଯାଇଛି। ଏଥିରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରଉତ୍ତୋଳନ ସହ ଯୋଗ ଓ ବ୍ୟାୟମଶାଳା ରହିବ। ଏହି ଷ୍ଟାଡିୟମଟି ପ୍ରାୟ ୨୦୦ କିଲୋମିଟର ପବନ ଶକ୍ତିକୁ ସହୟ କରିପାରୁଥିବା ପରି ନିର୍ମାଣ କରାଯିବ। ଫଳରେ ଏହା ବାତ୍ୟା ଆଶ୍ରୟସ୍ଥଳ ଭାବରେ ମଧ୍ୟ ବ୍ୟବହାର କରାଯିବ।

ସେହିପରି ଏହି ଷ୍ଟାଡିୟଗୁଡିକ ମହାମାରି ତଥା ବିଭିନ୍ନ ବିପର୍ଯ୍ୟୟ ସମୟରେ ଡାକ୍ତରଖାନା ଭାବେ ମଧ୍ୟ ବ୍ୟବହାର କରାଯିବା ପରି ବ୍ୟବସ୍ଥା ରହିବ। ବିଜ୍ଞାପିତ ଅଞ୍ଚଳରେ ୫୦ ଏବଂ ପୌରାଞ୍ଚଳରେ ୧୦୦ ବେଡ ହେବା ପରି କରାଯିବ।

ଏହାଦ୍ବାରା ରାଜ୍ୟ ସରକାର କ୍ରୀଡା କ୍ଷେତ୍ରରେ ଏକ ନୂଆ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ମାଧ୍ୟମରେ ଏହାର ପରିକଳ୍ପନା କରାଯାଇଛି। ଏହା ଉପରେ ରାଜ୍ୟର କ୍ରୀଡାପ୍ରେମୀ ତଥା କ୍ରୀଡାବିତଙ୍କ ପରାମର୍ଶ ନିଆଯାଇଥିଲା। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବୀକୃତ ପ୍ରଦାନ କରିଛନ୍ତି।