ରେଳବାଇ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବେ ଦାୟିତ୍ବ ନେଲେ ସୁନୀତ ଶର୍ମା,ଜାଣନ୍ତୁ ସେ କିଏ ?

Published: Jan 2, 2021, 7:06 am IST

ନୂଆଦିଲ୍ଲୀ, ସୁନୀତ ଶର୍ମା ରେଳବାଇ ବୋର୍ଡର ନୂତନ ଅଧ୍ୟକ୍ଷ ତଥା ମୁଖ୍ୟ କାଯ୍ୟନିର୍ବାହୀ ଅଧିକାରୀ (ସିଇଓ), ଏବଂ ଭାରତ ସରକାରଙ୍କ ପଦାସୀନ ପ୍ରମୁଖ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ସୁନୀତ ଶର୍ମାଙ୍କୁ ରେଳ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଏହା ପୂର୍ବରୁ ସୁନୀତ ଶର୍ମା ପୂର୍ବ ରେଳବାଇର ମହାପ୍ରବନ୍ଧକ ଭାବରେ କାର୍ଯ୍ୟ କରିଥିଲେ ।

ସୁନୀତ ଶର୍ମା ୧୯୭୯ ରେ ଆଇଆଇଟି କାନପୁରରେ ଇଞ୍ଜିନିୟରିଂ ପଢୁଥିବା ସମୟରେ ଏକ ସ୍ୱତନ୍ତ୍ର କ୍ଲାସ ଆପ୍ରେଣ୍ଟିସ ଭାବରେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ । ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିବା ଶର୍ମାଙ୍କ ୪୦ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ରେଳବାଇ ସେବାର ବିଭିନ୍ନ ପଦବୀରେ କାର‌୍ୟ୍ୟ କରିବାର ଅଭିଜ୍ଞାତା ରହିଛି ।

ସେ ଅପରେସନ ୱର୍କିଂ, ଶେଡ, ଡିପୋ ଏବଂ ୱାର୍କସପ ରକ୍ଷଣାବେକ୍ଷଣରେ କାର‌୍ୟ୍ୟ କରିଛନ୍ତି। ସେ ମୁମ୍ବାଇର ପାରେଲ ୱାର୍କସପର ମୁଖ୍ୟ ପରିଚାଳକ ଥିଲେ ଯେଉଁଠାରେ ସେ ପାର୍ବତ୍ୟ ରେଳବାଇ ପାଇଁ ନେରୋ ଗେଜ ଲୋକୋମୋଟିଭ ତିଆରି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ମୁମ୍ବାଇ ନିକଟସ୍ଥ ଐତିହ୍ୟ ମାଥେରାନ ଲାଇନ ପାଇଁ ପୁରୁଣା ନେରୋ ଗେଜ ବାଷ୍ପ ଚାଳିତ ଲୋକୋମୋଟିଭକୁ ମଧ୍ୟ ପୁନରୁଦ୍ଧାର କରିଥିଲେ ।

୨୦୦୬ ମୁମ୍ବାଇ ଉପନଗରୀୟ ଟ୍ରେନ ବିସ୍ଫୋରଣ ସମୟରେ ସେ ସେହି ଦଳରେ ସାମିଲ ହୋଇଥିଲେ ଯେଉଁ ଦଳ ଆତଙ୍କବାଦୀ ଆକ୍ରମଣର କିଛି ଘଣ୍ଟା ମଧ୍ୟରେ ଉପନଗରୀୟ ରେଳ ନେଟୱାର୍କକୁ ପୁନଃ ଟ୍ରାକକୁ ଆଣି କାର‌୍ୟ୍ୟକ୍ଷମ କରାଇବାରେ ସଫଳ ହୋଇଥିଲା । ଏଡିଆରଏମ, ମୁମ୍ବାଇ ସିଏସଟି ଭାବରେ, ସେ ମୁମ୍ବାଇର ଲାଇଫ ଲାଇନ ରୂପରେ ପରିଗଣିତ ଉପନଗରୀୟ ରେଳ ନେଟୱାର୍କର ସେବା ବୃଦ୍ଧି କାର‌୍ୟ୍ୟ କରି ସେ ପ୍ରଶଂସିତ ହୋଇଥିଲେ ।

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ, ସେ କେନ୍ଦ୍ରୀୟ ରେଳବାଇର ମୁମ୍ବାଇ ସିଏସଟିରେ ହୋଇଥିବା ଆକ୍ରମଣ ପରବର୍ତ୍ତୀ ପୁନରୁଦ୍ଧାର କାର‌୍ୟ୍ୟ ପରିଚାଳନା ଦଳର ଅଂଶବିଶେଷ ଥିଲେ । ପୁଣେର ଡିଆରଏମ ଭାବରେ ଭିତ୍ତିଭୂମି ବଢାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଯାହାକି ରେଳବାଇର ପରିଚାଳନାଗତ ଦକ୍ଷତା ଆଣିଥିଲା ।​

ବାରଣାସୀସ୍ଥିତ ଡିଜେଲ ଲୋକୋମୋଟିଭ କାର‌୍ୟ୍ୟର ମୁଖ୍ୟ ମେକାନିକାଳ ଇଞ୍ଜିନିୟର ଭାବେ ବୈଦ୍ୟୁତିକ ଲୋକୋମୋଟିଭ ଉତ୍ପାଦନ କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ ଡିଜେଲକୁ ଇଲେକ୍ଟ୍ରିକ ଲୋକୋମୋଟିଭରେ ରୂପାନ୍ତର କରିବା କାର‌୍ୟ୍ୟ ରେକର୍ଡ ସମୟ ଏବଂ ପ୍ରଥମ ଥର ପାଇଁ ବିଶ୍ଵରେ ହୋଇଥିଲା ।

ରାଇବରେଲି ଆଧୁନିକ କୋଚ କାରଖାନାର ମହାପ୍ରବନ୍ଧକ ଭାବେ ସେ ଏକ ବର୍ଷ ମଧ୍ୟରେ ବହୁ ଆବଶ୍ୟକୀୟ ଆଧୁନିକ ଯାତ୍ରୀ କୋଚର ନିର୍ମାଣ ଦ୍ୱିଗୁଣିତ କରିବାର କୀର୍ତ୍ତିମାନ ସ୍ଥାପନ କରିଥିଲେ ।

ପୂର୍ବାଞ୍ଚଳ ରେଲବାଇର ମହାପ୍ରବନ୍ଧକ ଭାବେ ମାଲବାହୀ ଟ୍ରେନର ଗତିକୁ ରେକର୍ଡ ସ୍ତରକୁ ବୃଦ୍ଧି କରିବା ଏବଂ ନୂତନ ଲାଇନ ଓ ବିଦ୍ୟୁତିକରଣ ସଙ୍କ୍ରାନ୍ତ ଅନେକ ଭିତ୍ତିଭୂମି ପ୍ରକଳ୍ପ ସମାପ୍ତ କରିବା ପାଇଁ ପଦକ୍ଷେପ ନେଇଥିଲେ ଯାହା କେବଳ ରେଳବାଇର ପରିଚାଳନା ଦକ୍ଷତା ବଢାଇଲା ନାହିଁ ବରଂ ସ୍ଥାନୀୟ ଅଞ୍ଚଳର ବିକାଶରେ ମଧ୍ୟ ସହାୟକ ହୋଇଥିଲା । ସେ କାର‌୍ୟ୍ୟକୁ ସହଜ କରିବା ଏବଂ ପ୍ରଶାସନିକ ସଂସ୍କାର ଆଣିବା ନିମନ୍ତେ ବ୍ୟବସ୍ଥାଗତ ପରିବର୍ତ୍ତନ ଆଣିବା ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ତାଙ୍କ କ୍ୟାରିଅର ସମୟରେ ସେ ଅନେକ ବୃତ୍ତିଗତ ପୁରସ୍କାର ହାସଲ କରିଛନ୍ତି । ଜେନେରାଲ ମ୍ୟାନେଜର (ଆଧୁନିକ କୋଚ କାରଖାନା ରାଇବରେଲି) ଏବଂ ଚିଫ୍ ମେକାନିକାଲ ଇଞ୍ଜିନିୟର (ବନାରସ ଲୋକୋମୋଟିଭ ୱାର୍କସ) ଥିବା ସମୟରେ ଏହି କାରଖାନାଗୁଡ଼ିକ ସର୍ବୋତ୍ତମ ଉତ୍ପାଦନ ୟୁନିଟ ପାଇଁ ପୁରସ୍କୃତ ହୋଇଛନ୍ତି ।

ସୁନୀତ ଶର୍ମା ଜର୍ମାନୀ ଏବଂ ଫ୍ରାନ୍ସରୁ ବୃତ୍ତିଗତ ପ୍ରଶିକ୍ଷଣ ହାସଲ କରିଛନ୍ତି ଏବଂ ସେ ଆମେରିକାର କାର୍ନେଗି ମେଲନ୍ ବିଶ୍ୱବିଦ୍ୟାଳୟରୁ ଉନ୍ନତ ନେତୃତ୍ୱ ଏବଂ ପରିଚାଳନା ପାଠ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ସେ ଲୋକୋମୋଟିଭ ନିର୍ମାଣ ଲାଗି ଜଣେ ପରାମର୍ଶଦାତା ଭାବରେ ଇରାନ ଗସ୍ତ କରିଛନ୍ତି।

ସେ ଜଣେ ଉତ୍ସାହୀ କ୍ରୀଡ଼ାବିତ ଏବଂ ପ୍ରତିଯୋଗୀତା ମୂଳକ ସ୍ତରରେ ବିଲିୟର୍ଡସ ଏବଂ ସ୍ନୁକର ଖେଳିଛନ୍ତି । ସେ ମଧ୍ୟ ଜଣେ ଉତ୍ସାହୀ ଗଲ୍ଫ ଏବଂ ବ୍ୟାଡମିଣ୍ଟନ ଏବଂ ସ୍କ୍ୱାସ ଖେଳାଳୀ।

Related posts