ଜୀବନବ୍ୟାପୀ ସାଧନା ପୁରସ୍କାର ଦିଆ ନ ଯିବା ନେଇ ଓଡିଶା ଶିଳ୍ପୀ ମହାସଂଘ କ୍ଷୁବ୍ଧ, ସଚିବଙ୍କ ବଦଳି ଦାବୀ

Published: Jan 21, 2021, 10:07 pm IST

ଭୁବନେଶ୍ବର, ଆଜି ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ତୋଷାଳୀ ମେଳା ଉଦଘାଟନ ଅବସରରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ହେଲେ ଗତ ୨୦୧୨ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଇ ଆସୁଥିବା ଜୀବନ ବ୍ୟାପୀ ସାଧନା ପୁରସ୍କାର ଚଳିତ ବର୍ଷ ପ୍ରଦାନ କରାଯାଇନାହିଁ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଶିଳ୍ପୀ ଜାତି ପ୍ରତି ଏକ ପ୍ରତାରଣା ବୋଲି ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ କୁହାଯାଇଛି ।

ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସଚିବ ଶୁଭା ଶର୍ମା ଏଭଳି  କାର୍ଯ୍ୟ ପାଇଁ ଦାୟୀ ବୋଲି ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଅଭିଯୋଗ କରିଛନ୍ତି । ବିଶେଷ କରି ବିଭାଗୀୟ ସଚିବଙ୍କ ପ୍ରରୋଚନାରେ ରାଜ୍ୟର ଜଣେ ବରିଷ୍ଠ ଶିଳ୍ପୀଙ୍କୁ ଚଳିତ ବର୍ଷର ଜୀବନବ୍ୟାପୀ ସାଧନା ପୁରସ୍କାରରୁ ବଂଚିତ କରାଯାଇଛି।

ଗତ ଡିସେମ୍ବର ମାସରେ ହୋଇଥିବା ଚୟନ ପକ୍ରିୟାରେ ବିଚାରକ ମଣ୍ଡଳୀ ଜୀବନ ବ୍ୟାପୀ ସାଧନା ପୁରସ୍କାର ପାଇଁ ରାଜ୍ୟର ଜଣେ ବିଶିଷ୍ଠ ଶିଳ୍ପୀଙ୍କୁ ମନୋନୀତ କରିଥିଲେ। ବିଚାରକ ମଣ୍ଡଳୀର ମନୋୟନକୁ ସମ୍ମାନ ନ ଦେଇ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାନଯିବା ଅତ୍ୟନ୍ତ ନିନ୍ଦନୀୟ । ଏଭଳି କାରିଗର ବିରୋଧୀ କାର୍ଯ୍ୟରେ ଲିପ୍ତ ସଚିବଙ୍କୁ ଯଥାଶୀଘ୍ର ବଦଳି କରିବାକୁ ଶିଳ୍ପୀ ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛି । ନଚେତ ସଚିବଙ୍କ ବଦଳି ଦାବୀ ନେଇ ଖୁବଶୀଘ୍ର ଶିଳ୍ପୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପତି କରିଛି।

 

Related posts