Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର ସଂସ୍କୃତି

ଉଦ୍‌ଘାଟିତ ହେଲା ଅଠରତମ ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ସନ୍ଧ୍ୟାରେ ଜନତା ମଇଦାନରେ ଉଦ୍‌ଘାଟିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଭାବରେ ଯୋଗ ଦେଇ ମେଳାର ଶୁଭାରମ୍ଭ କରିଥିଲେ। କାରିଗର ଓ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପାଠ କରିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ ଓଡ଼ିଶା କଳାର ରାଜ୍ୟ, କଳାଭୂମି। ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଦେଶ ବିଦେଶରେ ଗୌରବ ବୃଦ୍ଧି କରିଛି ଏବଂ କାରିଗରମାନଙ୍କ ପାଇଁ ସମ୍ମାନ ଆଣିଛି। ଏହି ମାଟିର କାରିଗରମାନଙ୍କର ଦକ୍ଷତାର ତୁଳନା ନାହିଁ। ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାଧରମାନଙ୍କୁ ବିଶେଷ ଅଭିନନ୍ଦନ ଜ୍ଞାପନ କରିଥିଲେ ଓ ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ବିଭିନ୍ନ ରାଜ୍ୟର କାରିଗରମାନଙ୍କୁ ସ୍ୱାଗତ କରିଥିଲେ।

ଉଦ୍‌ଘାଟନୀ ସଭାରେ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ପଦ୍ମ ବିଭୁଷଣ, ଡ଼. ସୁଦର୍ଶନ ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ସଚିବ, ଶ୍ରୀ ସରୋଜ କୁମାର ପଟେଲ, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରୀଷ୍ଣା ସାହୁ ତଥା ହସ୍ତଶିଳ୍ପ ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୨୦୨୨ ବର୍ଷ ପାଇଁ ହସ୍ତଶିଳ୍ପ କ୍ଷେତ୍ରରେ ୧୧ ଜଣ ଶିଳ୍ପୀଙ୍କୁ ସମ୍ମାନିତ କରାଯାଇଛି । ଓଡ଼ିଶାର କଳା ଓ ସଂସ୍କୃତି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ବିଶିଷ୍ଟ ଶିଳ୍ପୀ ଶ୍ରୀଯୁକ୍ତ ବିଜୟ କୁମାର ପରିଡାଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡରେ, ୫ ଜଣ ଶିଳ୍ପୀ ଙ୍କୁ ରାଜ୍ୟ ହସ୍ତଶିଳ୍ପ ଆୱାର୍ଡରେ ଓ ୫ ଜଣ ଶିଳ୍ପୀଙ୍କୁ କଳାକୃତି ସମ୍ମାନରେ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା।

ଶେଷରେ ବୟନ ଓ ହସ୍ତତନ୍ତ ନିିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରୀଷ୍ଣା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି ସନ୍ଧ୍ୟାରେ ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଯୋଗଦେଇ ଥିମ ପାଭିଲିୟନ୍‌ର ଶୁଭ ଉଦ୍‌ଘାଟନ କରିଥିଲେ।

ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ବିଚିତ୍ରାନନ୍ଦ ସ୍ୱାଇଁ ଓ ସାଥୀମାନେ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ମେଳାରେ ମୋଟ ୫୬୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ ସ୍ଥାନ ପାଇଛି।

ଚଳିତବର୍ଷ ଫୁଡ୍‌ କୋର୍ଟରେ ଓଡ଼ିଶାରେ ପାରମ୍ପରିକ ଖାଦ୍ୟ ପରିବେଷଣ ହେବା ସହିତ ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟର ଆସର ଜମିଛି। ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଦିବା ୨.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲା ରହିବ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆକର୍ଷଣ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସଂଧ୍ୟାରେ ବରେଣ୍ୟ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ୍‌, ଯୋଗଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ରୁଦ୍ରାକ୍ଷ ବୃକ୍ଷରେ ଜଳାର୍ପଣ କରି ସାଂସ୍କୃତିକ ସଂଧ୍ୟାର ଶୁଭାରମ୍ଭ କରିଥିଲେ ।

ମଞ୍ଚରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶ୍ରୀଯୁକ୍ତ ବିକ୍ରମାଦିତ୍ୟ ବାରିକ ଏବଂ ହସ୍ତଶିଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ଉପସ୍ଥିତ ରହି ବରେଣ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।

ଆଜିର ସାଂସ୍କୃତିକ ସନ୍ଧ୍ୟାରେ ଅତି ପରିଚିତ କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି, ଅମ୍ରିତା ନାୟକ, ବିଶ୍ୱଜିତ ମହାପାତ୍ର ଏବଂ ଦେବାଂଶି ଦାସ ନିଜ ସଙ୍ଗୀତର ତାଳେ ତାଳେ ଦର୍ଶକମାନଙ୍କୁ ବିମୋହିତ କରାଇଥିଲେ । ଦେବାଂଶି ଦାସ, ୨୦୨୧ ରେ ଜୀ ସାର୍ଥକ ‘ସା ରେ ଗା ମା ପା’ର ବିଜେତା ଥିଲେ, ଯାହାଙ୍କ ସଂଗୀତରେ ଲୋକମାନେ ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ ।

ସୁନାମଧନ୍ୟ କଳାକାର ଆଶୁତୋଷ ମହାନ୍ତି ଏବଂ ଅମ୍ରିତା ନାୟକ ନିଜର ସଙ୍ଗୀତର ଯାଦୁଗରୀରେ ଦର୍ଶକମାନଙ୍କ ମନରେ ଉଦ୍ଦୀପନା ଭରି ଦେଇଥିଲେ । ଇଣ୍ଡିଆନ ଆଇଡଲ୍‌ ସିଜନ-୧୦ ରେ ଟପ୍‌ ୮ ପ୍ରତିଯୋଗୀ ବିଶ୍ୱଜିତ ମହାପାତ୍ର ଯିଏ କି ବଲିଉଡ ଓ ଓଡ଼ିଆ ସଙ୍ଗୀତରେ ନିଜର କଣ୍ଠଦାନ କରିଛନ୍ତି, ସେ ନିଜର କଣ୍ଠର ଯାଦୁଗରୀରେ ଲୋକମାନଙ୍କର ମନୋରଞ୍ଜନ କରିଥିଲେ ।

ଆଜି ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସଂଧ୍ୟାରେ ପ୍ରବଳ ଜନସମାଗମ ହୋଇଥିଲା । ଦର୍ଶକମାନେ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ସାଂସ୍କୃତିକ କାର୍ଯକ୍ରମର ମଜା ଉଠାଇଥିଲେ । ସବୁଦିନ ଭଳି ଆଜି ବି ଫୁଡ କୋର୍ଟରେ ବହୁି ଗହଳି ପରିଲକ୍ଷିତ ହୋଇଥିଲା । ପରିଦର୍ଶକମାନେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସୁସ୍ୱାଦୁ ତଥା ପାରମ୍ପରିକ ଖାଦ୍ୟର ବ୍ୟଞ୍ଜନ ମନ ଭରି ଉପଭୋଗ କରୁଥିଲେ । ଛୋଟ ପିଲାମାନେ କିଡ୍ସ ପ୍ଲେ ଜୋନରେ ବିଭିନ୍ନ ପ୍ରକାରର ଦୋଳି ଖେଳି ଆନନ୍ଦ ଲାଭ କରିଥିଲେ ।

ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପଶ୍ଚିମ ଓଡିଶାର ଲୋକନୃତ୍ୟରେ ଦୁଲୁକିଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଦଶମ ସଂଧ୍ୟାରେ ବରେଣ୍ୟ ଅତିଥି ଭାବରେ ଓଡ଼ିଶା ହାଇକୋର୍ଟ, କଟକର ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ଏବଂ ବିଶିଷ୍ଟ କବୟିତ୍ରୀ ଓ ଲେଖିକା ଶ୍ରୀମତୀ ଅଭିପସା ଦାସ ଯୋଗଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ରୁଦ୍ରାକ୍ଷ ବୃକ୍ଷରେ ଜଳାର୍ପଣ କରି ସାଂସ୍କୃତିକ ସଂଧ୍ୟାର ଶୁଭାରମ୍ଭ କରିଥିଲେ ।

ମଞ୍ଚରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ଶ୍ରୀକାନ୍ତ ପୃଷ୍ଟି ଏବଂ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ଉପସ୍ଥିତ ରହି ବରେଣ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।

ଆଜିର ସାଂସ୍କୃତିକ ସନ୍ଧ୍ୟା ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଲୋକସଂସ୍କୃତି ପାଇଁ ସମର୍ପିତ ଥିଲା। ଦର୍ଶକ ତଥା ପରିଦର୍ଶକମାନଙ୍କୁ ଏହା ଓଡ଼ିଶାର କଳା, ସଂସ୍କୃତି ତଥା ଜୀବନଶୈଳୀ ସହ ପରିଚିତ କରାଇଥିଲା। ଢାପ ପୁଆଁରୀ କଳାକେନ୍ଦ୍ର, ଟିଟିଲାଗଡର କଳାକାରବୃନ୍ଦ ରସରକେଲୀ ନୃତ୍ୟର ତାଳେ ତାଳେ ଦର୍ଶକଙ୍କ ମନ ମୋହିଲାବେଳେ କଳାଜୀବୀ, ବରଗଡ଼ ଏବଂ କୋଶଳ ଫୋକ୍‌ ଏକାଡେମୀ, ବଲାଙ୍ଗୀରର ନୃତ୍ୟଶିଳ୍ପୀମାନେ ଡାଲଖାଇର ତାଳେ ତାଳେ ପରିଦର୍ଶକମାନଙ୍କର ମନୋରଞ୍ଜନ କରିଥିଲେ। ସୁନାମଧନ୍ୟ ଗାୟିକା ପଦ୍ମିନୀ ଡୋରା ଓ ତାଙ୍କର ସାଥି କଳାକାରମାନେ ଆଜିର ସମ୍ବଲପୁରୀ ସଙ୍ଗୀତର ସନ୍ଧ୍ୟାର ଆସରକୁ ଜମାଇଥିଲେ।

ଆଜି ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଦଶମ ସଂଧ୍ୟାରେ ପ୍ରବଳ ଜନ ସମାଗମ ହୋଇଥିଲା। ଦର୍ଶକମାନେ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ସାଂସ୍କୃତିକ କାର୍ଯକ୍ରମର ମଜା ଉଠାଇଥିଲେ। ସବୁଦିନ ଭଳି ଆଜି ବି ଫୁଡ କୋର୍ଟରେ ବହୁି ଗହଳି ପରିଲକ୍ଷିତ ହୋଇଥିଲା। ଦର୍ଶକମାନେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସୁସ୍ୱାଦୁ ତଥା ପାରମ୍ପରିକ ଖାଦ୍ୟର ବ୍ୟଞ୍ଜନ ମନଭରି ଉପଭୋଗ କରୁଥିଲେ।

ପିଲାମାନେ କିଡ୍ସ ପ୍ଲେ ଜୋନରେ ବିଭିନ୍ନ ପ୍ରକାରର ଦୋଳି ଖେଳି ଆନନ୍ଦ ଲାଭ କରିଥିଲେ । ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

Categories
ବିଶେଷ ଖବର ସଂସ୍କୃତି

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା, ସିଡାକ୍‌ରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କର କଳାକୃତି ପ୍ରଦର୍ଶିତ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖମନ୍ତ୍ରୀଙ୍କର ମୁଖ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଯୋଗଦେଇଥିଲେ।

ସେହିପରି ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ତଥା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ, ହସ୍ତଶିଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶ୍ରୀ ବିକ୍ରମାଦିତ୍ୟ ବାରିକ, ସିଡାକର ମେମ୍ବର ସେକ୍ରେଟାରୀ ଶ୍ରୀ ଶିଶିର କୁମାର ରଥ, ଯୋଗଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ଅର୍ପଣ କରି, ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ରୁଦ୍ରାକ୍ଷ ବୃକ୍ଷରେ ଜଳାର୍ପଣ କରି ସାଂସ୍କୃତିକ ସଂଧ୍ୟାର ଶୁଭାରମ୍ଭ କରିଥିଲେ । ହସ୍ତଶିଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ବରେଣ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।

ଚଳିତ ବର୍ଷ ଏହି ମେଳା ପରିସରରେ ସିଡାକ୍‌ରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ୬ଟି ହସ୍ତଶିଳ୍ପ ଯଥା ଚାନ୍ଦୁଆ, ପଟ୍ଟଚିତ୍ର, ଟେରାକୋଟା, ପଥର ଓ କାଠ ଖୋଦେଇ, ତାଳପତ୍ର ଖୋଦେଇ ଆଦିରେ ସେମାନଙ୍କର କଳାକୃତି ପ୍ରଦର୍ଶନ କରୁଛନ୍ତି । ଏହା ଛଡ଼ା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସିଡାକ୍‌ର ମିଳିତ ସହଯୋଗରେ ନଡ଼ିଆ କତା ହସ୍ତଶିଳ୍ପରେ ୬ ମାସର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ଭିନ୍ନକ୍ଷମ ପିଲାମାନେ ନିଜର ପ୍ରତ୍ୟକ୍ଷ କଳା ପ୍ରଦର୍ଶନ କରିବା ସହ ବିକ୍ରିବଟା କରୁଛନ୍ତି ।

ଏହି ୭ ଦିନରେ ୨୫,୦୦୦ ହଜାରରୁ ଊଦ୍ଧ୍ୱର୍ ଟଙ୍କାର ବେପାର ହୋଇସାରିଲାଣି । ତୋଷାଳୀ ମେଳାରେ ଏଯାବତ୍‌ ୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ ହୋଇଥିବାରୁ କାରିଗର, ବୁଣାକାର ତଥା ଖାଦ୍ୟଷ୍ଟଲର ମାଲିକମାନେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି ।

ଆଜି ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ବହୁ ଚର୍ଚ୍ଚିତ ସୁନାମଧନ୍ୟ ଗାୟକ ମଣ୍ଟୁ ଛୁରିଆ ବିଭିନ୍ନ ସମ୍ବଲପୁରୀ ଗୀତ ଗାଇ ଦର୍ଶକମାନଙ୍କୁ ଗୀତର ତାଳେ ତାଳେ ଝୁମାଇ ଥିଲେ । ପୁରାତନ ଓ ଆଧୁନିକ ଗୀତ ପରିବେଷଣ କରିବା ସହ ଦର୍ଶକମାନଙ୍କ ଭରପୂର ମନୋରଂଜନ କରାଇଥିଲେ । ଆଜିର ସଙ୍ଗୀତ ମାହୋଲଟି ଲୋକମାନଙ୍କ ମନରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଭରି ଦେଇଥିଲା ।

ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସଂଧ୍ୟାରେ ପ୍ରବଳ ଜନ ସମାଗମ ହୋଇଥିଲା । ଦର୍ଶକମାନେ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ସାଂସ୍କୃତିକ କାର୍ଯକ୍ରମର ମଜା ଉଠାଇଥିଲେ । ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

Categories
ବିଶେଷ ଖବର ସଂସ୍କୃତି

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ଦର୍ଶକେ ନେଉଛନ୍ତି ପାରମ୍ପରିକ ଖାଦ୍ୟର ମଜା

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ପଞ୍ଚମ ସନ୍ଧ୍ୟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ପ୍ରଦୀପ ପ୍ରଜ୍ୱଳନ ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ଦେଇ ସାଂସ୍କୃତିକ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ।

ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ନିଖୁଣ କାରୁକାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ଶ୍ରୀମତୀ ପାଢ଼ୀ କାରିଗର ଓ ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ ଏବଂ ମଞ୍ଚରେ ଉପସ୍ଥିତ ଥିବା ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଶ୍ରୀକାନ୍ତ ପୃଷ୍ଟି ସମ୍ମାନିତ କରିଥିଲେ ।

ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ବଲିଉଡ୍‌ ଜଗତର ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ଶ୍ରୀ କ୍ରୀଷ୍ଣା ବେଉରା ଓ ସାଥୀ କଳାକାରମାନେ ସଂଗୀତ ପରିବେଷଣ କରିଥିଲେ। ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ମେଳା ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି।

ଚଳିତ ବର୍ଷ ଏହି ମେଳା ପରିସରରେ ୨୫ଟି ଷ୍ଟଲ ବିଶିଷ୍ଟ ଫୁଡ୍‌ କୋର୍ଟରେ ବିଶେଷ ଗହଳି ଦେଖିବାକୁ ମିଳୁଛି। ଏଠାରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ପିଠା, ମିଠା, ପାରମ୍ପରିକ ତଥା ଅନ୍ତର୍ଦେଶୀୟ ଖାଦ୍ୟପେୟ ସହ ବିନା ପିଆଜ-ରସୁଣର ଖାଦ୍ୟ ବ୍ୟଞ୍ଜନ ଷ୍ଟଲମାନ ଉପଲବ୍ଧ ରହିଛି।

ଗୁଜୁରାଟୀ, ରାଜସ୍ଥାନୀ, ଦିଲ୍ଲୀ, ପଞ୍ଜାବୀ ଏବଂ ବିଭିନ୍ନ ଅନ୍ୟ ରାଜ୍ୟର ଖାଦ୍ୟଦ୍ରବ୍ୟ ସହ ବାରିପଦା ମୁଢ଼ି-ମଟନ, ମାଟିହାଣ୍ଡି ବିରିୟାନି ଏବଂ ବାଉଁଶ ଚିକେନର ଖାଦ୍ୟପସରା ଲୋକମାନଙ୍କୁ ଆକୃଷ୍ଟ କରିଛି। ଦର୍ଶକମାନେ ବିଭିନ୍ନ ପ୍ରକାରର ପାରମ୍ପରିକ ଓ ସୁସ୍ୱାଦୁ ଭୋଜନର ମଜା ଉଠାଉଥିବାବେଳେ ମିଲେଟ୍‌ ଷ୍ଟଲଟି ଅନ୍ୟତମ ଆକର୍ଷଣ ପାଲଟିଛି।

ପିଲାମାନଙ୍କର ଖେଳିବା ପାଇଁ ଚିଲ୍‌ଡ୍ରେନସ୍‌ ପ୍ଲେ ଜୋନ୍‌ରେ ବିଭିନ୍ନ ପ୍ରକାର ଦୋଳିର ବ୍ୟବସ୍ଥା କରାଯାଇଛି । ପିଲାମାନେ ଦୋଳିର ଆନନ୍ଦ ନେବା ସହ ମେଳା ପରିସରକୁ ଏକ ଆନନ୍ଦମୟ ପରିବେଶ ଦେଉଛନ୍ତି। ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ୪୦୦ ଜଣ ହସ୍ତଶିଳ୍ପ କାରିଗରଙ୍କ କଳାକୃତିର ପ୍ରଦର୍ଶନ

ଭୁବନେଶ୍ୱର: ହସ୍ତଶିଳ୍ପ, ବୟନ ଓ ହସ୍ତତନ୍ତ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଚତୁର୍ଥ ସନ୍ଧ୍ୟାରେ ହସ୍ତଶିଳ୍ପ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର, ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଶୋଭନ କ୍ରୀଷ୍ଣା ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ନିବେଦନ କରି ସାଂସ୍କୃତିକ ସଂଧ୍ୟାର ଶୁଭାରମ୍ଭ କରିଥିଲେ।

ଆଜି ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ଓଡିଆ ସଙ୍ଗୀତ ଜଗତର ଚିରପରିଚିତ ସଙ୍ଗୀତ ନିର୍ଦ୍ଦେର୍ଶକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ପ୍ରଶାନ୍ତ କୁମାର ପାଢୀ ଏବଂ କଣ୍ଠଶିଳ୍ପୀ ଶ୍ରୀମତୀ ଗୀତା ଦାଶ, ଶ୍ରୀ ସୁବାସ ଦାଶ ଓ ଶ୍ରୀ ତାନସେନ ସିଂ ଓଡିଆ ଓ ହିନ୍ଦୀ ଭାଷାର ପୁରାତନ ସଙ୍ଗୀତ ପରିବେଷଣ କରିଥିଲେ। ଏହି ସୁମଧୁର ସଙ୍ଗୀତର ମାହୋଲକୁ ଦର୍ଶକମାନେ ଭରପୂର ଉପଭୋଗ କରିଥିଲେ।

ଚଳିତ ବର୍ଷ ଏହି ମେଳା ପରିସରରେ ସମୁଦାୟ ୪୦୦ ଜଣ ହସ୍ତଶିଳ୍ପ କାରିଗର ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୫୦ ଜଣ ହସ୍ତଶିଳ୍ପ କାରିଗର ସେମାନଙ୍କର ପାରମ୍ପରିକ କଳାକୃତି ଯଥା ପଟ୍ଟଚିତ୍ର, ତାଳପତ୍ର ଚିତ୍ର, କାଠ କେ„ଇ, କଂସା ଓ ପିତ୍ତଳ କାମ, ନଡିଆ ହସ୍ତଶିଳ୍ପ, ଝୋଟ ଶିଳ୍ପ, ଡୋକରା, ଜନଜାତି ଅଳଙ୍କାର, ସବାଇ ଘାସ ଶିଳ୍ପ, କାଇଁଚ ଶିଳ୍ପ, ପଥର ଖୋଦେଇ, କାଗଜ ମୁଖା, ଶିଙ୍ଗ କାମ, ରୂପା ତାରକସି, ଲାଖ ଶିଳ୍ପ, ନଡିଆ କତା ଶିଳ୍ପ ଇତ୍ୟାଦି ପ୍ରଦର୍ଶନପୂର୍ବକ ବିକ୍ରିବଟା କରୁଛନ୍ତି।

ଏତଦ୍‌ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟ ଯଥା ଉତ୍ତର ପ୍ରଦେଶ, ପଞ୍ଜାବ, ପଶିମବଙ୍ଗ, ଗୁଜୁରାଟ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଛତିଶଗଡ଼, ପୁଡୁଚେରୀ, ଝାଡ଼ଖଣ୍ଡ, ଜମ୍ମୁ ଓ କାଶ୍ମୀର, ତେଲେଙ୍ଗାନା, ସିକିମ, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୋଆ, ମହାରାଷ୍ଟ୍ର, ବିହାର, ରାଜସ୍ଥାନ, ଦିଲ୍ଲୀ, ଆସାମ, ନାଗାଲାଣ୍ଡ, ହରିୟାନା, ମଣିପୁର, ତ୍ରିପୁରା, ତାମିଲନାଡୁ, ହିମାଚଳ ପ୍ରଦେଶ ରୁ ୨୫୦ ଜଣ କାରିଗର ସେମାନଙ୍କର କଳାକୃତି ପ୍ରଦର୍ଶନ କରିଛନ୍ତି।

ଆଜି ତୋଷାଳି ଜାତୀୟ ମେଳାର ଚତୁର୍ଥ ସଂଧ୍ୟାରେ ଜନତା ମୈଦାନରେ ପ୍ରବଳ ଜନଗହଳି ହୋଇଥିଲା। ଦର୍ଶକମାନେ ନିଜ ମନପସନ୍ଦର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କିଣିବା ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଭୋଜନର ମଜା ଉଠାଉଛନ୍ତି। ଏଯାବତ ମେଳାରେ ୨ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ୟବସାୟ ହୋଇଥିବାରୁ କାରିଗର, ବୁଣାକାର ତଥା ଖାଦ୍ୟ ଷ୍ଟଲ ମାଲିକମାନେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି।

ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨, ୨୦୨୩ ପର୍ଯ୍ୟନ୍ତ ଚାଲିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରରେ ଉଦ୍‌ଘାଟିତ ହେଲା ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ସନ୍ଧ୍ୟାରେ ଜନତା ମଇଦାନରେ ଉଦ୍‌ଘାଟିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାରିଗର ଓ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପାଠ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ “ଓଡ଼ିଶା କଳାର ରାଜ୍ୟ, କଳାଭୂମି। ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଦେଶବିଦେଶରେ ଗୌରବ ବଢ଼ାଇଛି। ଆମର କାରିଗରମାନଙ୍କ ପାଇଁ ସମ୍ମାନ ଆଣିଛି। ଏ ମାଟିର କାରିଗରମାନଙ୍କ ଦକ୍ଷତାର ତୁଳନା ନାହିଁ।

ମୁଁ ବହୁତ ଖୁସି ଯେ ଆମର ୪୭ ଜଣ ଶିଳ୍ପୀଙ୍କୁ କ୍ରାଫଫ ଆୱାର୍ଡରେ ସମ୍ମାନିତ କରାଗଲା। ଓଡ଼ିଶାର କଳା ଓ ସଂସ୍କୃତି କ୍ଷେତ୍ରରେ ସେମାନଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ୩ ଜଣ ବିଶିଷ୍ଟ ଶିଳ୍ପୀ ପଦ୍ମ ବିଭୂଷଣ ଶ୍ରୀ ସୁଦର୍ଶନ ସାହୁ, ଶ୍ରୀ ଦେବେନ୍ଦ୍ର ମିଶ୍ର ଓ ଶ୍ରୀ ବେଣୁଧର ମହାପାତ୍ରଙ୍କୁ ଲାଇଫ୍‌ ଟାଇମ୍‌ ଏଚିଭ୍‌ମେଣ୍ଟ ଆୱାର୍ଡରେ ସମ୍ମାନିତ କରାଗଲା।’’ ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାଧରମାନଙ୍କୁ ବିଶେଷ ଅଭିନନ୍ଦନ ଜ୍ଞାପନ କରିଥିଲେ।

“ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ସାରା ଦେଶର ବିଭିନ୍ନ ରାଜ୍ୟର କାରିଗରମାନେ ଯୋଗଦେଇଛନ୍ତି।’’ ବୋଲି ଉଲ୍ଲେଖ କରି  ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଜଗନ୍ନାଥଙ୍କ ପବିତ୍ର ଭୂମ ଓଡ଼ିଶାକୁ ସ୍ୱାଗତ କରିଥିଲେ।

ଉଦ୍‌ଘାଟନୀ ସଭାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର (ମଧ୍ୟ ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଉତ୍ସବରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ସ୍ୱାଗତ ଭାଷଣ ଦେଇ କହିଲେ ଯେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ବୁଣାକାର ଓ କାରିଗରମାନଙ୍କୁ ସମୃଦ୍ଧ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଭାଗ ପକ୍ଷରୁ ବରିଷ୍ଠ କାରିଗରମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଆଜି ଉଦ୍‌ଘାଟନୀ ଉତ୍ସବରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା ଏବଂ ରୁଦ୍ରାକ୍ଷ ବୃକ୍ଷରେ ଅତିଥିମାନେ ଜଳ ପ୍ରଦାନ କରିଥିଲେ।

ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ କହିଲେ ଯେ ଆମର ହସ୍ତଶିଳ୍ପ, ସ୍ଥାପତ୍ୟ, ହସ୍ତତନ୍ତ ସବୁଥିରେ ଓଡ଼ିଶାର କାରିଗରମାନଙ୍କର ହସ୍ତର ନମୁନା ରହିଛି । ତୋଷାଳି ମେଳା ହେଉଛି ଭାବଗତ ସଂହତି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସାହୁ ତାଙ୍କ ଭାଷଣରେ ତୋଷାଳି ହସ୍ତଶିଳ୍ପ ମେଳାରେ ରାଜ୍ୟରେ କାର୍ଯ୍ୟରତ, ଶିଳ୍ପୀ, କାରିଗର, ବୁଣାକାର ଓ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ସୃଷ୍ଟି କରିବା ସହିତ ଭାରତୀୟ ପାରମ୍ପାରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ହୋଇପାରିବ ବୋଲି କହିଥିଲେ ।

ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଜେନା ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହି ମେଳା ବୁଣାକାର, କାରିଗରମାନଙ୍କୁ ଜ୍ଞାନ ଆହରଣ କରିବାରେ ସହାୟକ ହେବ । ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ରାଉତ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହି ମେଳାରେ ଅଂଶଗ୍ରହଣକାରୀମାନେ ଭାବର ବିନିମୟ ସହିତ ବୁଣାକାର ଓ କାରିଗରମାନଙ୍କ ଆୟ ବୃଦ୍ଧି ପାଇବ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୨୦୧୯, ୨୦୨୦, ୨୦୨୧ ବର୍ଷ ପାଇଁ ହସ୍ତଶିଳ୍ପ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପୁରସ୍କାର ଓ ହସ୍ତତନ୍ତ ରାଜ୍ୟ ପୁରସ୍କାରପ୍ରାପ୍ତ କାରିଗରମାନଙ୍କୁ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର, ସ୍ୱତନ୍ତ୍ର ସଚିବ ଶ୍ରୀ ସରୋଜ କୁମାର ପଟେଲ, ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି ଅତିଥି ଭାବେ ଯୋଗଦାନ କରିଥିଲେ । ଶେଷରେ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରୀଷ୍ଣା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପ ଇଲିୟାନା ସିତାରିଷ୍ଟ ଓ ସାଥୀମାନେ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଏହି ମେଳାରେ ମୋଟ ୫୬୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ ସ୍ଥାନ ପାଇଛି । ଚଳିତ ବର୍ଷ ଫୁଡ୍‌ କୋର୍ଟରେ ଓଡ଼ିଶାରେ ପାରମ୍ପରିକ ଖାଦ୍ୟ ପରିବେଷଣ ହେବା ସହିତ ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟର ଆସର ଜମିଛି। ମେଳାର ଅନ୍ୟତମ ଆକର୍ଷଣ ସାଜିଛି ମିଲେଟ୍‌ ଫୁଡ୍‌ ଷ୍ଟଲ । ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଦିବା ୨.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲାରହିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଫେବୃଆରୀ ୧ରୁ ଭୁବନେଶ୍ବରରେ ହେବ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଫେବୃଆରୀ ୧ ତାରିଖରୁ ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ।

ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ସ୍ୱତନ୍ତ୍ର ସ୍ଥାନ ନିରୁପଣ କରିସାରିଛି।

ଏହି ମେଳାର ଲକ୍ଷ୍ୟ ହେଉଛି, ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାର ତଥା ତତ୍‌ସମ୍ବନ୍ଧୀୟ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରବା। ଏଥି ସହିତ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକି୍ର ନିମନ୍ତେ ଆବଶ୍ୟକୀୟ ବଜାର ସୃଷ୍ଟି କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଏହି ମେଳା ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବ।

ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ କରିବା ଏବଂ କାରିଗର ଓ ବୁଣାକାରମାନଙ୍କ ସାମଗ୍ରୀର ପ୍ରସ୍ତୁତି କୌଶଳ ତଥା ସୃଜନାତ୍ମକ ଜଟିଳତାକୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଏହି ମେଳାର ଉଦ୍ଦେଶ୍ୟ।

ଚଳିତ ବର୍ଷ ଏହି ମେଳାରେ ୫୬୦ ଜଣ କାରିଗର ଓ ବୁଣାକାର ଅଂଶଗ୍ରହଣ କରୁଛନ୍ତି। ମେଳାରେ ବିକାଶ ଆୟୁକ୍ତ,(ହସ୍ତଶିଳ୍ପ), ଭାରତ ସରକାରଙ୍କ ଜାତୀୟ ହସ୍ତଶିଳ୍ପ ମେଳା ଯୋଜନା ଅନ୍ତର୍ଭୁକ୍ତ ୨୫୦ ଜଣ କାରିଗରଙ୍କ ହସ୍ତଶିଳ୍ପ ଏବଂ ବିକାଶ ଆୟୁକ୍ତ (ହସ୍ତତନ୍ତ) ଦ୍ୱାରା ଭାରତର ବିଭିନ୍ନ ପ୍ରଦେଶର ୫୦ ଜଣ ବୁଣାକାରମାନଙ୍କ ହସ୍ତତନ୍ତ ଷ୍ଟଲରେ ସ୍ଥାନିତ ହେବ। ସେହିପରି ରାଜ୍ୟ ସରକାରଙ୍କର ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟଙ୍କ ଦ୍ୱାରା ପ୍ରାୟୋଜିତ ୧୫୦ ଜଣ କାରିଗର ଓ ୧୧୦ ଜଣ ବୁଣାକାରଙ୍କ ଉତ୍ପାଦ ଷ୍ଟଲରେ ସ୍ଥାନିତ ହେବ।

ଏହା ବ୍ୟତୀତ ଶିକ୍ଷାନୁଷ୍ଠାନଭିତ୍ତିକ ଓଡ଼ିଶା ଓ ଭାରତ ସରକାରଙ୍କ ଅଧିନସ୍ଥ ହସ୍ତଶିଳ୍ପ ଏବଂ ହସ୍ତତନ୍ତଭିତ୍ତିକ ସଂସ୍ଥାର ଷ୍ଟଲଗୁଡ଼ିକ ସ୍ଥାନିତ ହେବ। ଅନ୍ୟ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ନିଗମ ମଧ୍ୟ ଏହି ମେଳାରେ ଅଂଶଗ୍ରହଣ କରିବେ।

ଚଳିତ ବର୍ଷ ଗୋଟିଏ ଖାଦ୍ୟ ପ୍ରାଙ୍ଗଣରେ ୨୫ ଗୋଟି ଷ୍ଟଲ ରହିବ। ଓଡ଼ିଶାର ପାରମ୍ପରିକ ଖାଦ୍ୟ, ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟ ମଧ୍ୟ ସ୍ଥାନ ପାଇବ। ଏହା ବ୍ୟତୀତ ମିଲେଟ୍‌ ମିଶନ, ଓମ୍‌ଫେଡ୍‌ ଏବଂ ଓଟିଡିସିର ୫ଟି ଷ୍ଟଲ ରହିବ।

ଏହି ମେଳାରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆମନ୍ତ୍ରିତ କଳାକାର ଓ କଳାକାର ସଂଗଠନଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ପରିବେଷିତ ହେବ। ଆମ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଗୋଟିଏ ଫ୍ୟାସନ୍‌ ସୋ’ର ମଧ୍ୟ ଆୟୋଜନ କରାଯାଇଛି।

ଚଳିତ ବର୍ଷ ମେଳାକୁ ସୁଗମ୍ୟ ସହିତ ବୟସ୍କ ତଥା ଦିବ୍ୟାଙ୍ଗ ଅନୁକୂଳ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ହୁଇଲ୍‌ ଚେୟାର୍‌ ଓ ଦିବ୍ୟାଙ୍ଗ ଏବଂ ବୟସ୍କ ପରିଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି । ମେଳାକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଦର୍ଶକ ଓ ପ୍ରଦର୍ଶକମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ହାତ ତିଆରି ବ୍ୟାଗ୍‌ ଉପଲବ୍ଧ କରାଯାଇଛି।

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଦିବା ୨.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲାରହିବ। ବିଭାଗ ପକ୍ଷରୁ ମହିଳା କାରିଗର ଓ ବୁଣାକାରମାନଙ୍କ ନମନ୍ତେ ମାଗଣା ରହଣି ତଥା ପରିବହନ ସୁବିଧା ଇତ୍ୟାଦିର ବ୍ୟବସ୍ଥା କରାଯାଇଛି।
ଚଳିତ ବର୍ଷ ମେଳାରେ ୨୦ ଲକ୍ଷ ଜନସମାବେଶ ସହିତ ୨୦ କୋଟି ଟଙ୍କାର ସାମଗ୍ରୀ ବିକି୍ରର ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ବିକାଶ ଆୟୁକ୍ତ(ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ)ଙ୍କ ସହଭାଗିତାରେ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ତରଫରୁ ଏହି ଜାତୀୟ ସ୍ତରର ମେଳାର ନମୁନା ପରିକଳ୍ପନା ଓ ପ୍ରଯୋଜନା କରାଯାଇଛି।

Categories
ଫଟୋ ଖବର

ଭୁବନେଶ୍ବରରେ ଆୟୋଜିତ ଜାତୀୟ ତୋଷାଳୀ ମେଳାରେ ଚାଲିଛି କିଣାବିକା

ଭୁବନେଶ୍ବରରେ ଆୟୋଜିତ ଜାତୀୟ ତୋଷାଳୀ ମେଳାରେ ଚାଲିଛି କିଣାବିକା

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜୀବନବ୍ୟାପୀ ସାଧନା ପୁରସ୍କାର ଦିଆ ନ ଯିବା ନେଇ ଓଡିଶା ଶିଳ୍ପୀ ମହାସଂଘ କ୍ଷୁବ୍ଧ, ସଚିବଙ୍କ ବଦଳି ଦାବୀ

ଭୁବନେଶ୍ବର, ଆଜି ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ତୋଷାଳୀ ମେଳା ଉଦଘାଟନ ଅବସରରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ହେଲେ ଗତ ୨୦୧୨ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଇ ଆସୁଥିବା ଜୀବନ ବ୍ୟାପୀ ସାଧନା ପୁରସ୍କାର ଚଳିତ ବର୍ଷ ପ୍ରଦାନ କରାଯାଇନାହିଁ । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଶିଳ୍ପୀ ଜାତି ପ୍ରତି ଏକ ପ୍ରତାରଣା ବୋଲି ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ କୁହାଯାଇଛି ।

ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସଚିବ ଶୁଭା ଶର୍ମା ଏଭଳି  କାର୍ଯ୍ୟ ପାଇଁ ଦାୟୀ ବୋଲି ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଅଭିଯୋଗ କରିଛନ୍ତି । ବିଶେଷ କରି ବିଭାଗୀୟ ସଚିବଙ୍କ ପ୍ରରୋଚନାରେ ରାଜ୍ୟର ଜଣେ ବରିଷ୍ଠ ଶିଳ୍ପୀଙ୍କୁ ଚଳିତ ବର୍ଷର ଜୀବନବ୍ୟାପୀ ସାଧନା ପୁରସ୍କାରରୁ ବଂଚିତ କରାଯାଇଛି।

ଗତ ଡିସେମ୍ବର ମାସରେ ହୋଇଥିବା ଚୟନ ପକ୍ରିୟାରେ ବିଚାରକ ମଣ୍ଡଳୀ ଜୀବନ ବ୍ୟାପୀ ସାଧନା ପୁରସ୍କାର ପାଇଁ ରାଜ୍ୟର ଜଣେ ବିଶିଷ୍ଠ ଶିଳ୍ପୀଙ୍କୁ ମନୋନୀତ କରିଥିଲେ। ବିଚାରକ ମଣ୍ଡଳୀର ମନୋୟନକୁ ସମ୍ମାନ ନ ଦେଇ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାନଯିବା ଅତ୍ୟନ୍ତ ନିନ୍ଦନୀୟ । ଏଭଳି କାରିଗର ବିରୋଧୀ କାର୍ଯ୍ୟରେ ଲିପ୍ତ ସଚିବଙ୍କୁ ଯଥାଶୀଘ୍ର ବଦଳି କରିବାକୁ ଶିଳ୍ପୀ ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛି । ନଚେତ ସଚିବଙ୍କ ବଦଳି ଦାବୀ ନେଇ ଖୁବଶୀଘ୍ର ଶିଳ୍ପୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ନିଷ୍ପତି କରିଛି।