ପଶ୍ଚିମ ଓଡିଶାର ଲୋକନୃତ୍ୟରେ ଦୁଲୁକିଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା

Published: Feb 10, 2023, 11:17 pm IST
ToshaliMela

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଦଶମ ସଂଧ୍ୟାରେ ବରେଣ୍ୟ ଅତିଥି ଭାବରେ ଓଡ଼ିଶା ହାଇକୋର୍ଟ, କଟକର ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ଏବଂ ବିଶିଷ୍ଟ କବୟିତ୍ରୀ ଓ ଲେଖିକା ଶ୍ରୀମତୀ ଅଭିପସା ଦାସ ଯୋଗଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ରୁଦ୍ରାକ୍ଷ ବୃକ୍ଷରେ ଜଳାର୍ପଣ କରି ସାଂସ୍କୃତିକ ସଂଧ୍ୟାର ଶୁଭାରମ୍ଭ କରିଥିଲେ ।

ମଞ୍ଚରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ଶ୍ରୀକାନ୍ତ ପୃଷ୍ଟି ଏବଂ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ଉପସ୍ଥିତ ରହି ବରେଣ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।

ଆଜିର ସାଂସ୍କୃତିକ ସନ୍ଧ୍ୟା ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଲୋକସଂସ୍କୃତି ପାଇଁ ସମର୍ପିତ ଥିଲା। ଦର୍ଶକ ତଥା ପରିଦର୍ଶକମାନଙ୍କୁ ଏହା ଓଡ଼ିଶାର କଳା, ସଂସ୍କୃତି ତଥା ଜୀବନଶୈଳୀ ସହ ପରିଚିତ କରାଇଥିଲା। ଢାପ ପୁଆଁରୀ କଳାକେନ୍ଦ୍ର, ଟିଟିଲାଗଡର କଳାକାରବୃନ୍ଦ ରସରକେଲୀ ନୃତ୍ୟର ତାଳେ ତାଳେ ଦର୍ଶକଙ୍କ ମନ ମୋହିଲାବେଳେ କଳାଜୀବୀ, ବରଗଡ଼ ଏବଂ କୋଶଳ ଫୋକ୍‌ ଏକାଡେମୀ, ବଲାଙ୍ଗୀରର ନୃତ୍ୟଶିଳ୍ପୀମାନେ ଡାଲଖାଇର ତାଳେ ତାଳେ ପରିଦର୍ଶକମାନଙ୍କର ମନୋରଞ୍ଜନ କରିଥିଲେ। ସୁନାମଧନ୍ୟ ଗାୟିକା ପଦ୍ମିନୀ ଡୋରା ଓ ତାଙ୍କର ସାଥି କଳାକାରମାନେ ଆଜିର ସମ୍ବଲପୁରୀ ସଙ୍ଗୀତର ସନ୍ଧ୍ୟାର ଆସରକୁ ଜମାଇଥିଲେ।

ଆଜି ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଦଶମ ସଂଧ୍ୟାରେ ପ୍ରବଳ ଜନ ସମାଗମ ହୋଇଥିଲା। ଦର୍ଶକମାନେ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ସାଂସ୍କୃତିକ କାର୍ଯକ୍ରମର ମଜା ଉଠାଇଥିଲେ। ସବୁଦିନ ଭଳି ଆଜି ବି ଫୁଡ କୋର୍ଟରେ ବହୁି ଗହଳି ପରିଲକ୍ଷିତ ହୋଇଥିଲା। ଦର୍ଶକମାନେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସୁସ୍ୱାଦୁ ତଥା ପାରମ୍ପରିକ ଖାଦ୍ୟର ବ୍ୟଞ୍ଜନ ମନଭରି ଉପଭୋଗ କରୁଥିଲେ।

ପିଲାମାନେ କିଡ୍ସ ପ୍ଲେ ଜୋନରେ ବିଭିନ୍ନ ପ୍ରକାରର ଦୋଳି ଖେଳି ଆନନ୍ଦ ଲାଭ କରିଥିଲେ । ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

Related posts