ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆକର୍ଷଣ

Published: Feb 11, 2023, 11:24 pm IST
ToshaliMela

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସଂଧ୍ୟାରେ ବରେଣ୍ୟ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ୍‌, ଯୋଗଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ରୁଦ୍ରାକ୍ଷ ବୃକ୍ଷରେ ଜଳାର୍ପଣ କରି ସାଂସ୍କୃତିକ ସଂଧ୍ୟାର ଶୁଭାରମ୍ଭ କରିଥିଲେ ।

ମଞ୍ଚରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶ୍ରୀଯୁକ୍ତ ବିକ୍ରମାଦିତ୍ୟ ବାରିକ ଏବଂ ହସ୍ତଶିଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ଉପସ୍ଥିତ ରହି ବରେଣ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।

ଆଜିର ସାଂସ୍କୃତିକ ସନ୍ଧ୍ୟାରେ ଅତି ପରିଚିତ କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି, ଅମ୍ରିତା ନାୟକ, ବିଶ୍ୱଜିତ ମହାପାତ୍ର ଏବଂ ଦେବାଂଶି ଦାସ ନିଜ ସଙ୍ଗୀତର ତାଳେ ତାଳେ ଦର୍ଶକମାନଙ୍କୁ ବିମୋହିତ କରାଇଥିଲେ । ଦେବାଂଶି ଦାସ, ୨୦୨୧ ରେ ଜୀ ସାର୍ଥକ ‘ସା ରେ ଗା ମା ପା’ର ବିଜେତା ଥିଲେ, ଯାହାଙ୍କ ସଂଗୀତରେ ଲୋକମାନେ ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ ।

ସୁନାମଧନ୍ୟ କଳାକାର ଆଶୁତୋଷ ମହାନ୍ତି ଏବଂ ଅମ୍ରିତା ନାୟକ ନିଜର ସଙ୍ଗୀତର ଯାଦୁଗରୀରେ ଦର୍ଶକମାନଙ୍କ ମନରେ ଉଦ୍ଦୀପନା ଭରି ଦେଇଥିଲେ । ଇଣ୍ଡିଆନ ଆଇଡଲ୍‌ ସିଜନ-୧୦ ରେ ଟପ୍‌ ୮ ପ୍ରତିଯୋଗୀ ବିଶ୍ୱଜିତ ମହାପାତ୍ର ଯିଏ କି ବଲିଉଡ ଓ ଓଡ଼ିଆ ସଙ୍ଗୀତରେ ନିଜର କଣ୍ଠଦାନ କରିଛନ୍ତି, ସେ ନିଜର କଣ୍ଠର ଯାଦୁଗରୀରେ ଲୋକମାନଙ୍କର ମନୋରଞ୍ଜନ କରିଥିଲେ ।

ଆଜି ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସଂଧ୍ୟାରେ ପ୍ରବଳ ଜନସମାଗମ ହୋଇଥିଲା । ଦର୍ଶକମାନେ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ସାଂସ୍କୃତିକ କାର୍ଯକ୍ରମର ମଜା ଉଠାଇଥିଲେ । ସବୁଦିନ ଭଳି ଆଜି ବି ଫୁଡ କୋର୍ଟରେ ବହୁି ଗହଳି ପରିଲକ୍ଷିତ ହୋଇଥିଲା । ପରିଦର୍ଶକମାନେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସୁସ୍ୱାଦୁ ତଥା ପାରମ୍ପରିକ ଖାଦ୍ୟର ବ୍ୟଞ୍ଜନ ମନ ଭରି ଉପଭୋଗ କରୁଥିଲେ । ଛୋଟ ପିଲାମାନେ କିଡ୍ସ ପ୍ଲେ ଜୋନରେ ବିଭିନ୍ନ ପ୍ରକାରର ଦୋଳି ଖେଳି ଆନନ୍ଦ ଲାଭ କରିଥିଲେ ।

ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

Related posts