Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟାରେ ପରିବେଷଣ ହେଲା ସୁଗମ ସଂଗୀତ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟାରେ ଅତିଥି ଭାବେ ଭାରତ ସରକାରଙ୍କ କେନ୍ଦ୍ର ବୟନ ମନ୍ତ୍ରଣାଳୟ ଅଧିନସ୍ଥ ହସ୍ତଶିଳ୍ପ ବିକାଶ ଆୟୁକ୍ତ ଶ୍ରୀମତୀ ଅମ୍ରିତ୍ ରାଜ୍ ମଞ୍ଚରେ ପ୍ରଦୀପ ପ୍ରଜ୍ଵଳନ କରି ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ।

ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା,ଶ୍ରୀମତୀ ପ୍ରଣତୀ ଛୋଟରାୟ ଅତିଥିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ସହିତ ମଞ୍ଚରେ ଉପସ୍ଥିତଥିଲେ ପଦ୍ମ ବିଭୁଷଣ, ଡ଼. ସୁଦର୍ଶନ ସାହୁ।

ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ, ସୁବାସ ଦାସ, ଅଞ୍ଜଳି ମିଶ୍ର, ଶୈଳଭାମା ମହାପାତ୍ର ଓ ସୌରଭ ନାୟକଙ୍କ ଦ୍ବାରା ପରିବେଷିତ ସୁଗମ ସଙ୍ଗୀତ ଦର୍ଶକ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କାରିଗରମାନଙ୍କ ମନରେ ଆନନ୍ଦ ଭରିଦେଇଥିଲା।

ଡିସେମ୍ବର, ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଜାତୀୟ ମେଳାର ଅବଧି କ୍ରମେ କ୍ରମେ ସରିଆସୁଥିବାରୁ ଲୋକମାନଙ୍କ ମଧ୍ୟରେ ନିଜ ମନପସନ୍ଦର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ କିଣିବାପାଇଁ ପ୍ରବଳ ଉତ୍ସାହ ଏବଂ ମେଳାର ଖାଦ୍ୟ ପ୍ରାଙ୍ଗଣରେ ଅଧିକ ଭିଡ ପରିଲକ୍ଷିତ ହେଉଛି।

ଭୁବନେଶ୍ବରର ଜନତା ମଇଦାନ ଠାରେ ଅନୁଷ୍ଠିତ ଏହି ଜାତୀୟ ମେଳାରେ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମମେଳା ମଞ୍ଚରେ ପ୍ରତ୍ୟହ ସନ୍ଧ୍ୟା ୬ ଟା ରୁ ୯.୩୦ ପର‌୍ୟ୍ୟନ୍ତ ପରିବେଷିତ ହେବା ସହିତପ୍ରତ୍ୟହ ଅପରାହ୍ନ ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଦର୍ଶକ, ଗ୍ରାହକ ତଥା ସର୍ବସାଧାରଣଙ୍କ ପାଇଁ ଖୋଲା ରହୁଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର ସଂସ୍କୃତି

ଉଦ୍‌ଘାଟିତ ହେଲା ଅଠରତମ ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ସନ୍ଧ୍ୟାରେ ଜନତା ମଇଦାନରେ ଉଦ୍‌ଘାଟିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଭାବରେ ଯୋଗ ଦେଇ ମେଳାର ଶୁଭାରମ୍ଭ କରିଥିଲେ। କାରିଗର ଓ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପାଠ କରିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ ଓଡ଼ିଶା କଳାର ରାଜ୍ୟ, କଳାଭୂମି। ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ଦେଶ ବିଦେଶରେ ଗୌରବ ବୃଦ୍ଧି କରିଛି ଏବଂ କାରିଗରମାନଙ୍କ ପାଇଁ ସମ୍ମାନ ଆଣିଛି। ଏହି ମାଟିର କାରିଗରମାନଙ୍କର ଦକ୍ଷତାର ତୁଳନା ନାହିଁ। ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାଧରମାନଙ୍କୁ ବିଶେଷ ଅଭିନନ୍ଦନ ଜ୍ଞାପନ କରିଥିଲେ ଓ ଆଜି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ବିଭିନ୍ନ ରାଜ୍ୟର କାରିଗରମାନଙ୍କୁ ସ୍ୱାଗତ କରିଥିଲେ।

ଉଦ୍‌ଘାଟନୀ ସଭାରେ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ପଦ୍ମ ବିଭୁଷଣ, ଡ଼. ସୁଦର୍ଶନ ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ସଚିବ, ଶ୍ରୀ ସରୋଜ କୁମାର ପଟେଲ, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରୀଷ୍ଣା ସାହୁ ତଥା ହସ୍ତଶିଳ୍ପ ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୨୦୨୨ ବର୍ଷ ପାଇଁ ହସ୍ତଶିଳ୍ପ କ୍ଷେତ୍ରରେ ୧୧ ଜଣ ଶିଳ୍ପୀଙ୍କୁ ସମ୍ମାନିତ କରାଯାଇଛି । ଓଡ଼ିଶାର କଳା ଓ ସଂସ୍କୃତି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ବିଶିଷ୍ଟ ଶିଳ୍ପୀ ଶ୍ରୀଯୁକ୍ତ ବିଜୟ କୁମାର ପରିଡାଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡରେ, ୫ ଜଣ ଶିଳ୍ପୀ ଙ୍କୁ ରାଜ୍ୟ ହସ୍ତଶିଳ୍ପ ଆୱାର୍ଡରେ ଓ ୫ ଜଣ ଶିଳ୍ପୀଙ୍କୁ କଳାକୃତି ସମ୍ମାନରେ ସମ୍ମାନିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା।

ଶେଷରେ ବୟନ ଓ ହସ୍ତତନ୍ତ ନିିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରୀଷ୍ଣା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି ସନ୍ଧ୍ୟାରେ ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଯୋଗଦେଇ ଥିମ ପାଭିଲିୟନ୍‌ର ଶୁଭ ଉଦ୍‌ଘାଟନ କରିଥିଲେ।

ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ବିଚିତ୍ରାନନ୍ଦ ସ୍ୱାଇଁ ଓ ସାଥୀମାନେ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି ମେଳାରେ ମୋଟ ୫୬୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ ସ୍ଥାନ ପାଇଛି।

ଚଳିତବର୍ଷ ଫୁଡ୍‌ କୋର୍ଟରେ ଓଡ଼ିଶାରେ ପାରମ୍ପରିକ ଖାଦ୍ୟ ପରିବେଷଣ ହେବା ସହିତ ବିଭିନ୍ନ ରାଜ୍ୟର ସୁସ୍ୱାଦୁ ଖାଦ୍ୟର ଆସର ଜମିଛି। ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଦିବା ୨.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲା ରହିବ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆକର୍ଷଣ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସଂଧ୍ୟାରେ ବରେଣ୍ୟ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ୍‌, ଯୋଗଦେଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦପଦ୍ମରେ ପୁଷ୍ପଗୁଚ୍ଛ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ରୁଦ୍ରାକ୍ଷ ବୃକ୍ଷରେ ଜଳାର୍ପଣ କରି ସାଂସ୍କୃତିକ ସଂଧ୍ୟାର ଶୁଭାରମ୍ଭ କରିଥିଲେ ।

ମଞ୍ଚରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶ୍ରୀଯୁକ୍ତ ବିକ୍ରମାଦିତ୍ୟ ବାରିକ ଏବଂ ହସ୍ତଶିଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ଶ୍ୟାମଭକ୍ତ ମିଶ୍ର ଉପସ୍ଥିତ ରହି ବରେଣ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।

ଆଜିର ସାଂସ୍କୃତିକ ସନ୍ଧ୍ୟାରେ ଅତି ପରିଚିତ କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି, ଅମ୍ରିତା ନାୟକ, ବିଶ୍ୱଜିତ ମହାପାତ୍ର ଏବଂ ଦେବାଂଶି ଦାସ ନିଜ ସଙ୍ଗୀତର ତାଳେ ତାଳେ ଦର୍ଶକମାନଙ୍କୁ ବିମୋହିତ କରାଇଥିଲେ । ଦେବାଂଶି ଦାସ, ୨୦୨୧ ରେ ଜୀ ସାର୍ଥକ ‘ସା ରେ ଗା ମା ପା’ର ବିଜେତା ଥିଲେ, ଯାହାଙ୍କ ସଂଗୀତରେ ଲୋକମାନେ ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ ।

ସୁନାମଧନ୍ୟ କଳାକାର ଆଶୁତୋଷ ମହାନ୍ତି ଏବଂ ଅମ୍ରିତା ନାୟକ ନିଜର ସଙ୍ଗୀତର ଯାଦୁଗରୀରେ ଦର୍ଶକମାନଙ୍କ ମନରେ ଉଦ୍ଦୀପନା ଭରି ଦେଇଥିଲେ । ଇଣ୍ଡିଆନ ଆଇଡଲ୍‌ ସିଜନ-୧୦ ରେ ଟପ୍‌ ୮ ପ୍ରତିଯୋଗୀ ବିଶ୍ୱଜିତ ମହାପାତ୍ର ଯିଏ କି ବଲିଉଡ ଓ ଓଡ଼ିଆ ସଙ୍ଗୀତରେ ନିଜର କଣ୍ଠଦାନ କରିଛନ୍ତି, ସେ ନିଜର କଣ୍ଠର ଯାଦୁଗରୀରେ ଲୋକମାନଙ୍କର ମନୋରଞ୍ଜନ କରିଥିଲେ ।

ଆଜି ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସଂଧ୍ୟାରେ ପ୍ରବଳ ଜନସମାଗମ ହୋଇଥିଲା । ଦର୍ଶକମାନେ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ସାଂସ୍କୃତିକ କାର୍ଯକ୍ରମର ମଜା ଉଠାଇଥିଲେ । ସବୁଦିନ ଭଳି ଆଜି ବି ଫୁଡ କୋର୍ଟରେ ବହୁି ଗହଳି ପରିଲକ୍ଷିତ ହୋଇଥିଲା । ପରିଦର୍ଶକମାନେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସୁସ୍ୱାଦୁ ତଥା ପାରମ୍ପରିକ ଖାଦ୍ୟର ବ୍ୟଞ୍ଜନ ମନ ଭରି ଉପଭୋଗ କରୁଥିଲେ । ଛୋଟ ପିଲାମାନେ କିଡ୍ସ ପ୍ଲେ ଜୋନରେ ବିଭିନ୍ନ ପ୍ରକାରର ଦୋଳି ଖେଳି ଆନନ୍ଦ ଲାଭ କରିଥିଲେ ।

ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।