ଲୋକସଭାରେ ଜାତୀୟ ଇସ୍ପାତ ନୀତି ସଂପର୍କରେ କଣ କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published: Mar 15, 2021, 7:12 pm IST

ନୂଆଦିଲ୍ଲୀ,  ଜାତୀୟ ଇସ୍ପାତ ନୀତି ସୂଚୀତ କରେ ଯେ ସରକାର ଦୀର୍ଘକାଳନୀ ପରିକଳ୍ପନା ସୂତ୍ରରେ ଦେଶର ଇସ୍ପାତ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇଦେବେ। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି ଯେ, ଏହି ନୀତିରେ ଦର୍ଶାଯାଇଛି ଯେ ଦେଶରେ ପ୍ରଯୁକ୍ତି ଦୃଷ୍ଟିରୁ ଅତ୍ୟାଧୁନିକ ତଥା ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଇସ୍ପାତ ଶିଳ୍ପର ବିକାଶ ଘଟାଯିବ ଯାହା ଇସ୍ପାତ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରାଇବ ଏବଂ ଦେଶର ଆର୍ଥିକ ବିକାଶରେ ମଧ୍ୟ ସହାୟକ ହେବ।

ସେ ଆହୁରି କହିଛନ୍ତି ଯେ, ଯେହେତୁ ଇସ୍ପାତ ଏକ ଅଣନିୟନ୍ତ୍ରିତ କ୍ଷେତ୍ର, ସରକାର ଏଥିପାଇଁ କେବଳ ଆବଶ୍ୟକ ସୁଯୋଗ ଓ ପ୍ରୋତ୍ସାହନ ହିଁ ଯୋଗାଇଦେବେ। ଇସ୍ପାତ କ୍ଷେତ୍ରର ବିକାଶ ନିମନ୍ତେ ଆବଶ୍ୟକ ଅନୁକୂଳ ଓ ଉପଯୁକ୍ତ ବାତାବରଣ ସୃଷ୍ଟି କରାଯିବ। ସରକାର ଏ ଦିଗରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ସଂପର୍କରେ ନିମ୍ନରେ ସୂଚନା ପ୍ରଦାନ କରାଗଲା:-

– ଘରୋଇ ଭାବେ ଉତ୍ପାଦିତ ଲୌହ ଓ ଇସ୍ପାତ ଉତ୍ପାଦ (ଡିଏମଆଇ ଏଣ୍ଡ ଏସପି) ନୀତି ପ୍ରବର୍ତ୍ତନ କରାଯାଇଛି ଯାହାର ଉଦ୍ଦେଶ୍ୟ ହେଲା ଘରୋଇ ଭାବେ ଉତ୍ପାଦିତ ଇସ୍ପାତ ଉତ୍ପାଦନ ଏବଂ ଉପଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା।

– ଷ୍ଟିଲ ସ୍କ୍ରାପ ନୀତି ପ୍ରବର୍ତ୍ତନ ଦ୍ୱାରା ଘରୋଇ ଭାବେ ସୃଷ୍ଟ ସ୍କ୍ରାପ୍ ଉପଲବ୍ଧତା ବୃଦ୍ଧି ପାଇବ।

– ଗୁଣାତ୍ମକ ଷ୍ଟିଲ ନିୟନ୍ତ୍ରଣ ଆଦେଶନାମା ଜାରି ଦ୍ୱାରା ଅଣ-ମାନଯୁକ୍ତ ଷ୍ଟିଲ ଉତ୍ପାଦନ ଓ ଆମଦାନିକୁ ନିୟନ୍ତ୍ରଣ କରାଯିବ।

– ଇସ୍ପାତ ଆମଦାନୀ ନିମନ୍ତେ ଅତ୍ୟାଧୁନିକ ପଂଜୀକରଣ ପାଇଁ ଷ୍ଟିଲ ଆମଦାନି ମନିଟରିଂ ସିଷ୍ଟମ୍ (ଏସଆଇଏମଏସ) କାର‌୍ୟ୍ୟକାରୀ କରାଯାଉଛି।

– ବିଭିନ୍ନ ହିତଧାରକ ଯେଉଁମାନଙ୍କ ମଧ୍ୟରେ ଶିଳ୍ପ ସଂଘ ଏବଂ ଦେଶର ଅଗ୍ରଣୀ ଘରୋଇ ଇସ୍ପାତ ଶିଳ୍ପ ସଂସ୍ଥା ସାମିଲ, ସେମାନଙ୍କ ସହିତ ଆଲୋଚନା କରାଯାଇ ଏହି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାବଳୀର ଆଲୋଚନା କରାଯାଇ ସେସବୁକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କ ସଂପୃକ୍ତ ମନ୍ତ୍ରଣାଳୟ/ ବିଭାଗ ଦ୍ୱାରା ସମାଧାନ କରାଯିବ।

– ବିଭିନ୍ନ ହିତଧାରକ ଯେଉଁଥିରେ ରେଳବାଇ, ପ୍ରତିରକ୍ଷା, ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ, ଗୃହନିର୍ମାଣ, ବେସାମରିକ ବିମାନ ଚଳାଚଳ, ସଡ଼କ ପହିବହନ ଓ ରାଜମାର୍ଗ, କୃଷି ଓ ଗ୍ରାମାଞ୍ଚଳ ବିକାଶ ଭଳି ମନ୍ତ୍ରଣାଳୟ, ବିଭାଗ ସାମିଲ ସେମାନଙ୍କ ସହ ଆଲୋଚନା କରାଯାଇ ଦେଶରେ ଇସ୍ପାତର ସାମଗ୍ରିକ ଚାହିଦା ବୃଦ୍ଧି ନିମନ୍ତେ କାର‌୍ୟ୍ୟପନ୍ଥା ଗ୍ରହଣ କରାଯିବ।

– ସରକାରଙ୍କ ଦ୍ୱାରା ନିକଟରେ ଘୋଷିତ ଉତ୍ପାଦନ ସଂଲଗ୍ନ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଅଧୀନରେ ‘ସ୍ୱତନ୍ତ୍ର ଇସ୍ପାତ’କୁ ସାମିଲ କରାଯିବ।

– ବିଭିନ୍ନ ଯୋଜନା ଯାହାକି ଭିନ୍ନ ଭିନ୍ନ ସମୟରେ ବିଜ୍ଞପିତ କରାଯାଇଛି ଓ ସେଥିରେ ରପ୍ତାନୀ ଭିତ୍ତିକ ଉତ୍ପାଦନ ନିମନ୍ତେ ବ୍ୟବହୃତ ସାମଗ୍ରୀ ସକାଶେ ଟିକସ ଓ ଉପକର ଯଥା ‘ଡ୍ୟୁଟି ଡ୍ରବ୍ୟାକ୍ ଯୋଜନା’ ଓ ‘ଆଡ଼ଭାନ୍ସଡ଼୍ ଅଥରାଇଜେସନ୍ ଯୋଜନା’ ଇତ୍ୟାଦି ଫେରସ୍ତ ଓ ଛାଡ଼ ଲାଗି ପ୍ରତିଶ୍ରୁତି ପ୍ରଦାନ କରାଯାଇଛି ତାହା ରପ୍ତାନୀଯୋଗ୍ୟ ସାମଗ୍ରୀର ପ୍ରତିଦ୍ୱନ୍ଦ୍ୱୀ ମୂଲ୍ୟ ନିର୍ଦ୍ଧାରଣରେ ସହାୟକ ହେବ।

Related posts