ଦେଶର ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published: Apr 20, 2021, 11:37 pm IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ଟିକା ପ୍ରସ୍ତୁତକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ସଫଳତା ଓ ପେଶାଦାର ମନୋଭାବକୁ ବେଶ ପ୍ରଶଂସା କରିଛନ୍ତି । ସାମର୍ଥ୍ୟ, ସଂସାଧନ ଓ ସେବା ଭାବ ଆମ ଟିକା ଉଦ୍ୟୋଗର ସବୁଠାରୁ ବଡ ଶକ୍ତି । ଏହା ସେମାନଙ୍କୁ ବିଶ୍ୱରେ ଭ୍ୟାକ୍ସିନ ଲିଡର ବନାଇଛି ।

ଦେଶର ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ଦକ୍ଷତା ଉପରେ ଭରସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସରକାର ମଇ ୧ରୁ ସମସ୍ତ ସାବାଳକଙ୍କ ଟିକାକରଣ କାର‌୍ୟ୍ୟକ୍ରମକୁ ଅନୁମତି ଦେଇଛନ୍ତି । ଏହି ଟିକାକରଣ ପାଇଁ କମ ସମୟ ମଧ୍ୟରେ ଟିକା ପ୍ରସ୍ତୁତକର୍ତ୍ତାମାନଙ୍କୁ ଉତ୍ପାଦନ କ୍ଷମତା ବଢାଇବାକୁ ସେ ଅନୁରୋଧ କରିଛନ୍ତି । ନୂଆ ଟିକା ବିକଶିତ କରିବା ପାଇଁ ବୈଜ୍ଞାନିକମାନେ ଜାରି ରଖିଥିବା ଗବେଷଣା ଓ ଉଦ୍ୟମକୁ ପ୍ରଶଂସା କରିଥିଲେ । ଖୁବ କମ ସମୟ ମଧ୍ୟରେ ଟିକା ବିକାଶ ଓ ଉତ୍ପାଦନ କରିବାର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦୀ ଟିକା ପ୍ରସ୍ତୁତକର୍ତ୍ତାମାନଙ୍କୁ ଦେଇଛନ୍ତି ।

ଭାରତରେ ପ୍ରସ୍ତୁତ ଭ୍ୟାକ୍ସିନ ସବୁଠାରୁ ଶସ୍ତା ବୋଲି କହିବା ସହ ଭାରତରେ ବିଶ୍ୱର ସର୍ବବୃହତ ଟିକାକରଣ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଟିକା ବିକାଶ ଓ ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବା ବେଳେ ଦେଶ ଲଗାତର ମିଶନ କୋଭିଡ ସୁରକ୍ଷା ଅନୁଯାୟୀ ସରକାରୀ- ଘରୋଇ ଭାଗିଦାରୀ ପାଇଁ ଉଦ୍ୟମ କରୁଥିଲା ଓ ଆରମ୍ଭରୁ ଶେଷ ଯାଏଁ ଟିକା ବିକାଶର ଇକୋସିଷ୍ଟମ ବଜାୟ ରଖିଥିଲା ।

ସରକାର ସମସ୍ତ ଟିକା ପ୍ରସ୍ତୁତକର୍ତ୍ତାଙ୍କୁ ଯଥା ସମ୍ଭବ ସାହାଯ୍ୟ ଓ ଲଜିଷ୍ଟିକ ସହାୟତା ସୁନିଶ୍ଚିତ କରିବା ସହ ଟିକା ଅନୁମତି ପ୍ରକ୍ରିୟାକୁ ସଅଳ ଓ ବିଜ୍ଞାନସମ୍ମତ କରିବାକୁ ପଦକ୍ଷେପ ନେଇଥିଲେ । ଏବେ ଟ୍ରାଏଲ ପର‌୍ୟ୍ୟାୟରେ ଥିବା ଟିକାଗୁଡିକର ସରଳ ଅନୁମତି ପ୍ରକ୍ରିୟା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର କୋଭିଡ- ୧୯ ବିରୋଧୀ ଲଢେଇରେ ଘରୋଇ କ୍ଷେତ୍ରର ସ୍ୱାସ୍ଥ୍ୟ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

ଆଗାମୀ ଦିନରେ ଟିକାକରଣ ଅଭିଯାନରେ ବେସରକାରୀ କ୍ଷେତ୍ର ଆହୁରି ସକ୍ରିୟ ଭୂମିକା ଆପଣାଇବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ । ଡାକ୍ତରଖାନା ଓ କାରଖାନା ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣକୁ ଅନୁମତି ପ୍ରଦାନ ପାଇଁ ସରକାରଙ୍କ ନିଷ୍ପତ୍ତି ଓ ଅଧିକ ପ୍ରୋତ୍ସାହନ ତଥା ନମନୀୟତା ପ୍ରଦାନ ପାଇଁ ନେଇଥିବା ପଦକ୍ଷେପ ପାଇଁ ଟିକା ପ୍ରସ୍ତୁତକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଟିକାର ବିକାଶ ଓ ଉତ୍ପାଦନ ପାଇଁ ଭାରତ ସରକାରଙ୍କ ଠାରୁ ମିଳିଥିବା ସମର୍ଥନ ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ । ଉତ୍ପାଦନ ବୃଦ୍ଧି, ଆସିବାକୁ ଥିବା ଟିକା ଓ ନୂଆ ଭୂତାଣୁ ସମ୍ପର୍କରେ ଗବେଷଣା ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ ।

Related posts