ରିଲାଏନ୍ସ ରିଟେଲ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର

Published: May 10, 2021, 8:28 pm IST

ଭୁବନେଶ୍ୱର: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ ଲିମିଟେଡ ୨୦୨୧ରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର ଭାବେ ମାନ୍ୟତା ଲାଭ କରିଛି। ଏଥିସହିତ ରିଲାଏନ୍ସ ରିଟେଲ ଏକମାତ୍ର ଭାରତୀୟ ରିଟେଲର ଭାବରେ ବିଶ୍ୱର ୨୫୦ ରିଟେଲର ତାଲିକାରେ ସ୍ଥାନ ପାଇଛି। ବିଶ୍ୱର ପ୍ରଭାବଶାଳୀ ରିଟେଲିଂ ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ରିଟେଲର ତାଳିକାରେ ଏହା କ୍ରମାଗତ ଚାରିବର୍ଷ ହେଲା ସ୍ଥାନ ପାଇଆସୁଛି। ଗତବର୍ଷ ଏହା ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ୫୦ ରିଟେଲର ତାଲିକାରେ ରିଲାଏନ୍ସ ରିଟେଲ ଶୀର୍ଷରେ ରହିଥିବାବେଳେ ଚଳିତ ବର୍ଷ ଦ୍ୱିତୀୟ ସ୍ଥାନରେ ରହିଛିି। ତେବେ ବିଶ୍ୱର ପ୍ରଭାବଶାଳୀ ରିଟେଲିଂ ତାଲିକାରେ ଗତବର୍ଷ ରହିଥିବା ୫୬ତମ ସ୍ଥାନରୁ ତିନିଟି ସ୍ଥାନ ଉପରକୁ ଉଠି ଏହା ୫୩ତମ ସ୍ଥାନରେ ରହିଥିବା ଡେଲଏଟ ପକ୍ଷରୁ ପ୍ରସ୍ତୁତ ଏବଂ ପ୍ରକାଶିତ ବିଶ୍ୱ ରିଟେଲ ଜଗତର ପ୍ରଭାବଶାଳୀ ତାଲିକାରୁ ଜଣାଯାଇଛି।

ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ କମ୍ପାନୀର ଅଭିବୃଦ୍ଧି ୪୧.୮% ହୋଇଛି ଏବଂ ଏହାର ଉପଭୋକ୍ତା ଇଲେକଟ୍ରୋନିକ୍ସ, ଫ୍ୟାଶନ, ଲାଇଫଷ୍ଟାଇଲ ଏବଂ ତେଜରାତି ବା ଗ୍ରେସେରୀ ଷ୍ଟୋର ସଂଖ୍ୟା ୧୩.୧% ବୃଦ୍ଧି ପାଇଥିବା କାରଣରୁ କମ୍ପାନୀକୁ ଏଭଳି ସଫଳତା ମିଳିଥିବା କୁହାଯାଇଛି। ୨୦୨୦ ଆର୍ଥିକ ବର୍ଷ ଶେଷସୁଦ୍ଧା ଦେଶର ୭ହଜାରରୁ ଅଧିକ ସହର ଓ ନଗରରେ ଏହାର ଖୁଚୁରା ଷ୍ଟୋର ସଂଖ୍ୟା ୧୧,୭୮୪କୁ ବୃଦ୍ଧିପାଇଛି।

ତତ୍‌ସହିତ ଉଭୟ ଡିଜିଟାଲ ଇ-କମର୍ସ ବ୍ୟବସାୟ ଏବଂ ବି୨ବି ବ୍ୟବସାୟ ଏହାର ଅଭିବୃଦ୍ଧିରେ ଦ୍ୱିତୀୟ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡେଲଏଟ୍ ପକ୍ଷରୁ କୁହାଯାଇଛି। ହ୍ୱାଟ୍‌ସଆପ ବ୍ୟବହାର କରି ଜିଓମାର୍ଟ ପ୍ଲାଟଫର୍ମରେ ରିଲାଏନ୍ସର ଡିଜିଟାଲ ବ୍ୟବସାୟ ତ୍ୱରାନ୍ୱିତ କରିବା ଏବଂ କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ସହାୟତା କରିବାକୁ କମ୍ପାନୀ ହ୍ୱାଟ୍‌ସଆପ ସହିତ ସହଭାଗିତା କରୁଛି। ରିଲାଏନ୍ସ ରିଟେଲ ୨୦୧୯ ଆର୍ଥିକ ବର୍ଷ ଶେଷସୁଦ୍ଧା ଶ୍ରୀ କନ୍ନନ ଡିପାର୍ଟମେଂଟାଲ ଷ୍ଟୋର୍‌ର ୨୯ଟି ଷ୍ଟୋର ଅଧିଗ୍ରହଣ କରିବା ସହିତ ଫ୍ୟୁଚର ଗ୍ରୁପ୍‌ର ଖୁଚୁରା, ପାଇକାରୀ ଏବଂ ଲଜିଷ୍ଟିକ୍ସ ୟୁନିଟକୁ ୩.୪ ବିଲିଅନ ଡଲାରରେ ଅଧିଗ୍ରହଣ କରିବା ସମ୍ପର୍କରେ ୨୦୨୦ ଅଗଷ୍ଟରେ ଘୋଷଣା କରିଥିଲା। ଇ-କମର୍ସ କ୍ଷେତ୍ରରେ ରିଲାଏନ୍ସ ରିଟେଲ୍ କରିଥିବର ଦୁଇଟି ଅଧିଗ୍ରହଣ ମଧ୍ୟରେ ଭାଇଟାଲିକ ହେଲ୍‌ଥ ଏବଂ ଏହାର ଅନ୍‌ଲାଇନ ଫାର୍ମାସି ପ୍ଲାଟଫର୍ମ ନେଟ୍‌ମେଡ୍ସକୁ ଅଗଷ୍ଟରେ ଅଧିଗ୍ରହଣ କରିଥିଲା ଏବଂ ନଭେମ୍ବରରେ ଅନ୍‌ଲାଇନ ହୋମ ଡେକୋର କମ୍ପାନୀ ଅର୍ବାନ ଲ୍ୟାଡରର ୯୬% ଅଂଶ ଅଧିଗ୍ରହଣ କରିଥିଲା।

ସୂଚନା ଯୋଗ୍ୟ ଯେ ଡେଲଏଟ ପକ୍ଷରୁ ପ୍ରକାଶିତ ବିଶ୍ୱ ରିଟେଲ ଜଗତର ପ୍ରଭାବଶାଳୀ ରିଟେଲରଙ୍କ ଏହି ତାଲିକାର ଶୀର୍ଷରେ ଆମେରିକାର ପ୍ରମୁଖ ରିଟେଲର ସଂସ୍ଥା ୱାଲମାର୍ଟ ରହିଛି। ବିଶ୍ୱର ଶୀର୍ଷ ୧୦ଟି ରିଟେଲର ମଧ୍ୟରେ କେବଳ ଆମେରିକାରୁ ୭ଟି ରହିଛନ୍ତି।

Related posts