ଏପ୍ରିଲରେ ହାରାହାରି ୪ଜି ଡାଉନ୍‌ଲୋଡ ସ୍ପିଡରେ ଶୀର୍ଷରେ ଜିଓ: ଟ୍ରାଇ ତଥ୍ୟ

Published: May 16, 2021, 7:54 pm IST

ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୁପକ୍ଷ (ଟ୍ରାଇ) ଦ୍ୱାରା ନିକଟରେ ପ୍ରକାଶିତ ୪ଜି ସ୍ପିଡ୍ ଚାର୍ଟରେ ରିଲାଏନ୍ସ ଜିଓ ଏପ୍ରିଲ୍ ମାସରେ ସର୍ବାଧିକ ହାରାହାରି ଡାଉନ୍‌ଲୋଡ୍ ସ୍ପିଡ୍ ସହ ଶୀର୍ଷରେ ରହିଥିବା ଜଣାପଡିଛି। ଏପ୍ରଲ୍ ମାସରେ ସେକେଣ୍ଡ ପିଛା ସର୍ବାଧିକ ହାରାହାରି ୨୦.୧ ମେଗାବିଟ୍ ୪ଜି ଡାଉନ୍‌ଲୋଡ୍ ସ୍ପିଡ ହାସଲ କରିବା ସହିତ ଜିଓ ଏହି ସାରଣୀରେ ଶୀର୍ଷସ୍ଥାନ ଅଧିକାର କରିଛି। ଟ୍ରାଇର ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ଏହି ତଥ୍ୟ ଅନୁଯାୟୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ଜିଓର ତିନିଗୁଣ ଅଧିକ ହାରାହାରି ୪ଜି ଡାଉନ୍‌ଲୋଡ ସ୍ପିଡ ରହିଛି।

ଟ୍ରାଇ ତଥ୍ୟ ମୁତାବକ ଏପ୍ରିଲରେ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ ୨୦.୧ ଏମ୍‌ବିପିଏସ୍ ରହିଥିବାବେଳେ ଏହା ପଛକୁ ଭୋଡାଫୋନର ହାରାହାରି ଡାଉନ୍‌ଲୋଡ ସ୍ପିଡ ୭ ଏମ୍‌ବିପିଏସ୍‌, ଆଇଡିଆର ୫.୮ ଏମ୍‌ବିପିଏସ୍ ଏବଂ ଭାରତୀ ଏୟାରଟେଲର ହାରାହାରି ଡାଉନ୍‌ଲୋଡ ସ୍ପିଡ ୫ ଏମ୍‌ବିପିଏସ୍ ରହିଥିଲା।

ସେହିଭଳି ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ କ୍ଷେତ୍ରରେ ଏପ୍ରିଲରେ ଭୋଡାଫୋନ୍ ୬.୭ ଏମବିପିଏସ୍ ସହିତ ଅନ୍ୟମାନଙ୍କ ଠାରୁ ଆଗରେ ରହିଥିବାବେଳେ ଏହାପଛକୁ ଆଇଡିଆ ୬.୧ ଏମ୍‌ବିପିଏସ୍‌, ଜିଓ ୪.୨ ଏମ୍‌ବିପିଏସ୍ ଏବଂ ଏୟାରଟେଲ୍ ୩.୯ ଏମ୍‌ବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ହାସଲ କରିଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି। ଯଦିଓ ଭୋଡାଫୋନ ଏବଂ ଆଇଡିଆ ସେମାନଙ୍କର ମୋବାଇଲ ବ୍ୟବସାୟରେ ମିଶ୍ରଣ ଘଟାଇ ଭୋଡାଫୋନ ଆଇଡିଆ ଲିମିଟେଡ କରିଛନ୍ତି, ତେବେ ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ ଉଭୟ ସଂସ୍ଥା ପାଇଁ ପୃଥକ ନେଟୱର୍କ ତଥ୍ୟ ପ୍ରକାଶ କରୁଛନ୍ତି।

ଟ୍ରାଇର ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ରିଲାଏନ୍ସ ଜିଓ ୩୮.୫ ଏମ୍‌ବିପିଏସ୍ ହାରାହାରି ୪ଜି ଡାଉନ୍‌ଲୋଡ ସ୍ପିଡ ସହିତ ୪ଜି ସ୍ପିଡ ସାରଣୀରେ ସର୍ବାଗ୍ରେ ରହିଛି। ଏହା ପଛକୁ ଭୋଡାଫୋନ ଏବଂ ଏୟାରଟେଲ ଯଥାକ୍ରମେ ୬.୨ ଏମବିପିଏସ୍ ଏବଂ ୫ ଏମ୍‌ବିପିଏସ୍ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ ହାସଲ କରିଛନ୍ତି। ତେବେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡରେ ଭୋଡାଫୋନ ୭.୭ ଏମବିପିଏସ୍  ସହିତ ଶୀର୍ଷରେ ରହିଥିବାବେଳେ ଜିଓ ୫.୬ ଏମ୍‌ବିପିଏସ୍ ଏବଂ ଏୟାରଟେଲ ୩.୧ ଏମ୍‌ବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ହାସଲ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଡାଉନଲୋଡ ସ୍ପିଡ ଗ୍ରାହକଙ୍କୁ ଇଂଟରନେଟ୍‌ରେ ବ୍ରାଉଜିଂ ଏବଂ ଭିଡିଓ ଆଦି ଦେଖିବାରେ ସହାୟତା କରିଥାଏ। ଅନ୍ୟପକ୍ଷରେ ଅପ୍‌ଲୋଡ ସ୍ପିଡ ସେମାନଙ୍କୁ ସେମାନଙ୍କ ସଂଯୋଗରେ ଥିବା ବ୍ୟକ୍ତିଙ୍କୁ ଚିତ୍ର ଏବଂ ଭିଡିଓ ପଠାଇବାରେ ସହାୟତା କରିଥାଏ। ଟ୍ରାଇ ପକ୍ଷରୁ ସମଗ୍ର ଦେଶରେ ତାହାର ମାଇଁସ୍ପିଡ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତିରେ ସଂଗ୍ରହ କରାଯାଉଥିବା ତଥ୍ୟ ଆଧାରରେ ହାରାହାରି ସ୍ପିଡ ହିସାବ କରାଯାଇଥାଏ।

Related posts