ତେନ୍ତୁଳିରୁ ବିଭିନ୍ନ ଆଚାର ପ୍ରସ୍ତୁତିକୁ ପ୍ରୋତ୍ସାହନ ପାଇଁ ଦେବଗଡ଼ ଜିଲ୍ଲା ଶିଳ୍ପ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ପରାମର୍ଶ

Published: Oct 11, 2021, 9:45 pm IST

ଭୁବନେଶ୍ୱର: ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଦେବଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଦର୍ଶନ କରିବା ସହ ଶିଳ୍ପ କେନ୍ଦ୍ରର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି । ଭାରତ ସରକାରଙ୍କ ‘ଏକ ଜିଲ୍ଲା ଏକ ଉତ୍ପାଦ’ କାର୍ଯ୍ୟକ୍ରମ ଅନୁଯାୟୀ ଦେବଗଡ଼ ଜିଲ୍ଲାକୁ ତେନ୍ତୁଳି ପାଇଁ ବଛା ଯାଇଥିବା ଦୃଷ୍ଟିରୁ ତେନ୍ତୁଳିକୁ ନେଇ ସ୍ଥାନୀୟ ଲୋକେ କିପରି ଉଦ୍ୟୋଗ କରିପାରିବେ ସେ ଦିଗରେ ଅଧିକ ଦୃଷ୍ଟି ନିକ୍ଷେପ କରିବାକୁ ସେ ଶିଳ୍ପ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଦକ୍ଷିଣ ଭାରତରେ ତେନ୍ତୁଳିରୁ ଅନେକ ପ୍ରକାର ଆଚାର, ଚଟଣି ଏପରିକି ଶିଶୁମାନଙ୍କ ରୁଚି ଅନୁଯାୟୀ ଉତ୍ପାଦ ପ୍ରସ୍ତୁତ ହେଉଥିବାବେଳେ ଅନୁରୂପ ଭାବେ ଖାଦ୍ୟ ପ୍ରକ୍ରିୟାକରଣ ଦ୍ୱାରା ତେନ୍ତୁଳିର ଉପଯୁକ୍ତ ବିନିଯୋଗ କରିବା ପାଇଁ ସେ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ନତୁବା କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାକୁ କହିଥିଲେ । ଜିଲ୍ଲାରେ କୌଣସି ପ୍ରକାର ଭାରି ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇ ନପାରିବା କାରଣ ଜାଣିବା ପାଇଁ ସେ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏପରି କି ରାଇସ୍‌ ମିଲ୍‌ ସଂଖ୍ୟା ଦୁଇରୁ ଅଧିକ ନଥିବା ଜାଣି ସେ କ୍ଷୋଭ ପ୍ରକାଶ କରିଥିଲେ ।

ଦେବଗଡ଼ ଏକ କୃଷି ପ୍ରଧାନ ଜିଲ୍ଲା ଏବଂ ଏଠାରେ ପର୍ଯ୍ୟାପ୍ତ ପରିମାଣରେ ଧାନ ଚାଷ ହେଉଥିବା ସତ୍ତେ୍ୱ ରାଇସ୍‌ ମିଲ୍‌ ସଂଖ୍ୟା ବୃଦ୍ଧି ନପାଇବା ପରିତାପର ବିଷୟ ବୋଲି ସେ କହିଥିଲେ । ତେବେ ସ୍ଥାନୀୟ କଞ୍ଚାମାଲକୁ ନେଇ ଆଗାମୀ ଦିନରେ କିପରି ସ୍ଥାନୀୟ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠାନ ଗଢ଼ି ଉଠିବ ସେ ନେଇ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ନିକଟରେ ଜିଲ୍ଲାରେ ଏକ ଇଥାନଲ୍‌ କାରଖାନା ପ୍ରତିଷ୍ଠା ପାଇଁ ସମସ୍ତ ପ୍ରାରମ୍ଭିକ କାର୍ଯ୍ୟକ୍ରମ ସରିଥିବା ଜାଣି ସେ ଖୁସୀ ପ୍ରକଟ କରିଥିଲେ । ତା’ଛଡ଼ା ଆଉ ଦୁଇଟି ଅତ୍ୟାଧୁନିକ ରାଇସ୍‌ ମିଲ୍‌ ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସେ ସମୀକ୍ଷା ବେଳେ ଜାଣିବାକୁ ପାଇଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

ପରେ ପିଏମ୍‌ଇଜିବି ଯୋଜନାରେ ପ୍ରତିଷ୍ଠା କରାଯାଇଥିବା ମସଲ୍‌ ପାୱାର ଜିମ୍‌ ପରିଦର୍ଶନ କରି ସେ ଏ ଧରଣର କାର୍ଯ୍ୟ ପାଇଁ ଜିମ୍‌ର ପ୍ରତିଷ୍ଠାତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ସମୀକ୍ଷାବେଳେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ରମେଶ ଚନ୍ଦ୍ର ପଟେଲ୍‌, ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ଗୋଚ୍ଛାୟତ ଓ ଶ୍ରୀ ପ୍ରଭାତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Related posts