ଏଫ୍.ସି.ଆଇ ସଂଗ୍ରହ କରୁଥିବା ମିଲିଙ୍ଗ ଅରୁଆ ଚାଉଳର ବୟସ ପରୀକ୍ଷା କରିବ

Published: Oct 25, 2021, 9:05 pm IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଖାଦ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଅନୁସାରେ, ସେଣ୍ଟ୍ରାଲ ପୁଲରେ ପୁରୁଣା ଅରୁଆ ଚାଉଳ ଲଟ୍ ନନେବା ନିଶ୍ଚିତ କରିବାକୁ, ଏଫ୍.ସି.ଆଇ ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୨୧-୨୨ ଖରିଫ କ୍ରେୟ ଋତୁ ପାଇଁ ମିଲିଙ୍ଗ ଅରୁଆ ଚାଉଳର ବୟସ ପରୀକ୍ଷା କରିବାକୁ ଯାଉଅଛି। ଏଥିପାଇଁ ନିଗମର କ୍ଷେତ୍ର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆସରିଛି ଯେ ଭାରତ ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ବିଧିମତ ନିୟମ ଅନୁସାରେ ନୂଆ ମିକ୍ସଡ୍ ଇଣ୍ଡିକେଟର ମେଥଡ ପ୍ରୟୋଗ କରି ମିଲିଙ୍ଗ ଅରୁଆ ଚାଉଳର ବୟସ ପରୀକ୍ଷା କରାଯିବ।

ଏହି ପରୀକ୍ଷା ପ୍ରଣାଳୀ ଜରିଆରେ ଯେଉଁ ନମୁନା ଚାଉଳର ରଙ୍ଗ ସବୁଜ କିମ୍ବା ଆଭୋକାଡୋ ସବୁଜ (green or avocado green) ଆସିବ ସେହି ଅରୁଆ ଚାଉଳ ଲଟକୁ ସଂଗ୍ରହ କରାଯିବ ଏବଂ ହଳଦିଆ, ହଳଦିଆ ନାରଙ୍ଗୀ କିମ୍ବା ନାରଙ୍ଗୀ (yellow, yellow-orange or orange) ଆସୁଥିବା ଅରୁଆ ଚାଉଳ ନୂଆ କରି ମିଲିଙ୍ଗ ହୋଇନଥିବା ଏବଂ ପୁରୁଣା ଚାଉଳ ଦର୍ଶାଉଥିବାରୁ ଏହାକୁ ସଂଗ୍ରହ ବେଳେ ପ୍ରତ୍ୟାଖ୍ୟାନ କରାଯିବ। ଏହାକୁ ସଫଳ କରିବା ପାଇଁ ସମସ୍ତ ଅଂଶିଦାର ମାନଙ୍କୁ ଏଫ୍.ସି.ଆଇ ତରଫରୁ ସୂଚିତ ଏବଂ ଅନୁରୋଧ କରାଯାଉଅଛି।

ଏଥି ସହିତ ଅଂଶିଦାର ମାନଙ୍କୁ ସୂଚାଇ ଦିଆଯାଉଛି ଯେ, ଯଦି କେହି ଏହି ପରୀକ୍ଷା ପଦ୍ଧତି ବିଷୟରେ ପ୍ରଶିକ୍ଷଣ ନେବାକୁ ଚାହୁଁଛନ୍ତି, ତାହେଲେ ସେମାନେ ନିକଟସ୍ଥ ଏଫ୍.ସି.ଆଇ କେନ୍ଦ୍ରକୁ ଯାଇ ପ୍ରଶିକ୍ଷଣ ନେଇପାରିବେ।

Related posts