ଓଡିଶା ସରକାର ଏବଂ ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ସ୍ବାକ୍ଷରିତ ହେଲା ବୁଝାମଣାପତ୍ର, ଜାଣନ୍ତୁ କଣ 

Published: Jul 22, 2022, 6:55 pm IST

ଭୁବନେଶ୍ୱର: ଉତ୍ତମ ସେବା ଯୋଗାଣ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଷ୍ଟ୍ରାୟତ୍ତ ସଂପତ୍ତି ମୁଦି୍ରକରଣ ଓ ପୁନଃବିନିଯୋଗ ପାଇଁ ଆଜି ରାଜ୍ୟ ସରକାର ଏବଂ ବିଶ୍ୱ ବ୍ୟାଙ୍କର ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ରାଜ୍ୟ ଲୋକସେବା ଭବନ ସଭାଗୃହଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହା ସାର୍ବଜନୀନ ସଂପତ୍ତିର ବୃତ୍ତିଗତ ଆର୍ଥିକ ପରିଚାଳନା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ବିଶେଷ ସହାୟକ ହେବ । ଏହା ମାଧ୍ୟମରେ ସାର୍ବଜନୀନ ସଂପତ୍ତିର ଏକ ବୃହତ ରାଶି ବେସରକାରୀ ପୁଂଜିବିନିଯୋଗକୁ ବ୍ୟାପକ କରିବ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ବୁଝାମଣାପତ୍ର ଅନୁସାରେ ରାଷ୍ଟ୍ରାୟତ୍ତ ଅଚଳ ସଂପତ୍ତିଗୁଡ଼ିକର ମୁଦି୍ରକରଣ ଓ ସେଥିରେ ଘରୋଇ ପୁଂଜିବିନିଯୋଗ ପ୍ରକ୍ରିୟାକୁ ସରଳ କରିବା ପାଇଁ ଆଇଏଫ୍‌ସି ବୈଷୟିକ ଓ ବୃତ୍ତିଗତ ସହାୟତା ଯୋଗାଇବ। ଏହା ରାଜ୍ୟର ଶିଳ୍ପ ଭିତ୍ତିଭୂମି ଓ ଶିଳ୍ପାନ୍ୱୟନ ବାତାବରଣ ବିକାଶରେ ବିଶେଷ ସହାୟକ ହେବ।

ଏହା ମଧ୍ୟ ଖୋଲାବଜାରରୁ ଋଣ ଉଠାଣ ଆବଶ୍ୟକତାକୁ ବହୁଭାବେ ହ୍ରାସ କରିବ ଓ ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ବ୍ୟବଧାନ ଦୂର କରିବ । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଏହି ପ୍ରଚେଷ୍ଟା ଘରୋଇ ପୁଂଜିବିନିଯୋଗ ଓ ଅଧିକ କର୍ମନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ବିଶେଷ ସହାୟକ ହେବ ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ପୂର୍ତ୍ତ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଶିଳ୍ପ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଓଡ଼ିଶା ସରକାରଙ୍କ ତରଫରୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଓ ଆନ୍ତର୍ଜାତିକ ଅର୍ଥ ନିଗମର ସର୍ବଭାରତୀୟ ଅଧିକାରୀ ସୁଶ୍ରୀ ରୋଶିକା ସିଂହ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

Related posts