Categories
ବିଶେଷ ଖବର ରାଜ୍ୟ ଖବର

ଦେଓମାଳୀ ଓ କୋଟିଆର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ମୁଖ୍ୟ ଶାସନ ସଚିବ

କୋରାପୁଟ: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲାର ଦେଓମାଳୀ ଓ କୋଟିଆ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଦେଓମାଳୀ ଠାରେ ଇକୋ ଟୁରିଜିମ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ଚାରା ରୋପଣ କରିଥିଲେ।

ସେହିଭଳି କୋଟିଆରେ ସରକାରଙ୍କ ପକ୍ଷରୁ ଯାରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ମଧ୍ୟ ଶ୍ରୀ ମହାପାତ୍ର ଅନୁଧ୍ୟାନ କରିଥିଲେ। ସେଠାରେ ଜନୈକ ଶ୍ରୀ ବାସନା ଗେମେଲଙ୍କ ଦ୍ବାରା ଷ୍ଟ୍ରବେରୀ ଚାଷ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ମହୁ ମାଛି ଚାଷ ବୁଲି ଦେଖିବା ସହ ଆବଶ୍ୟକୀୟ ପ୍ରୋତ୍ସାହନ ଦେବା ପାଇଁ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ଏକ ଫରେଷ୍ଟ ଗେଷ୍ଟ ହାଉସ ଓ ଶୀତଳ ଭଣ୍ତାରର ଉଦଘାଟନ କରିଥିଲେ।

ରଣାସିଂ ଅଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ର ଶୁଭ ଉଦଘାଟନ କରିବା ସହ ପିଲା ମାନଙ୍କୁ ପୋଷାକ ଓ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ। ସେହିଭଳି ସେମିଲିଗୁଡା ବ୍ଲକର ରାଜପୁଟ ଠାରେ ମିଶନ ଶକ୍ତି ଦ୍ବାରା ପରିଚାଳିତ ଏକ ମିଲେଟ ପ୍ରୋସେଙ୍ଗି ୟୁନିଟର ଶ୍ରୀ ମହାପାତ୍ର ମଧ୍ୟ ଉଦଘାଟନ କରିଥିଲେ। ଗାଲିଗାବଦର ଠାରେ ୱାଟରପୁଲ ବୁଲି ଦେଖିଥିଲେ।

ଏହାକୁ ସଠିକ ଭାବେ ପରିଚାଳନା କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ସେଠାରେ ଏକ ଇକୋ ରିସୋର୍ଟ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏତଦବ୍ୟତୀତ ସରକାରଙ୍କ ପକ୍ଷରୁ ଜିଲ୍ଲାରେ ଯାରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଅଧିକାରୀ ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ଅବଦ୍ଦଲ ଏମ୍ ଅକତାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଗୌରବ ଶିବାଜୀ ଇସଲୱାର, ଆଇ.ଟି.ଡି.ଏର ଶ୍ରୀ କାରୁ ସୋରେନ, ଉପ ଜିଲ୍ଲାପାଳ ଶ୍ରୀ ବେଣୁ ଧର ଶବର, ଡିଏଫଓ ଶ୍ରୀମତୀ ଅମିତାରାଣୀ ରୟ, ପଟ୍ଟାଙ୍ଗି ବିଡଓ ଶ୍ରୀ ସୌମ୍ୟ ସାର୍ଥକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଭୁବନେଶ୍ବର ଠାରେ ପିଏମ ଗତିଶକ୍ତି: ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଆୟୋଜିତ

ଭୁବନେଶ୍ବର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପିଏମ ଗତିଶକ୍ତି (ବହୁମୁଖି ଯୋଗାଯୋଗ ନିମନ୍ତେ ଜାତୀୟ ମାଷ୍ଟର ପ୍ଲାନ) ଓ ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଭୁବନେଶ୍ବର ଠାରେ ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ଉଦ୍ୟୋଗ ମହାନଦୀ କୋଲଫିଲ୍ଡସ ଲିମିଟେଡ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମାରୋହକୁ ସମ୍ବୋଧିତ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଲଜିଷ୍ଟିକ୍ସ ହେଉଛି ଦେଶ ପାଇଁ ସବୁଠୁ ବଡ଼ ଆହ୍ବାନ। ପିଏମ ଗତିଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହାଦ୍ବାରା ପରିବହନ କ୍ଷେତ୍ରର ବିଭିନ୍ନ ବିଭାଗରେ ରହିଥିବା ବାଧକଗୁଡ଼ିକ ଦୂର କରିବାରେ ଦୀର୍ଘକାଳୀନ ଭିତ୍ତିରେ ସହାୟତା ମିଳିପାରିବ। ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ସହିତ ଏହା ସାରା ଦେଶରେ ବହୁ ପରିମାଣରେ ଖଣି ଓ ମାଲ ପରିବହନ ଦିଗରେ ସହାୟକ ହୋଇପାରିବ।

ଓଡ଼ିଶା ବିଷୟରେ ଉଲ୍ଲେଖ କରି ଶ୍ରୀ ମହାପାତ୍ର କହିଥିଲେ ଯେ, କେବଳ ଓଡ଼ିଶା ଦେଶର ୧୪ରୁ ୧୫ଟି ରାଜ୍ୟକୁ ତାପଜ କୋଇଲା ପରିବହନ କରୁଛି। ପୂର୍ବାଞ୍ଚଳ କ୍ଷେତ୍ରରେ ଲଜିଷ୍ଟିକ୍ସ ସୁବିଧାର ବିକାଶ ଆବଶ୍ୟକତା ଉପରେ ଆଲୋକପାତ କରି ଶ୍ରୀ ମହାପାତ୍ର କହିଥିଲେ ଯେ, ଏହି କ୍ଷେତ୍ର ଦେଶର ବିକାଶ ପାଇଁ ବାହକ ଶକ୍ତି ଭାବେ କାର୍ଯ୍ୟ କରିଥାଏ। ଏହି ପରିପ୍ରେକ୍ଷୀରେ, ସେ କହିଥିଲେ ଯେ, ଲଜିଷ୍ଟିକ୍ସ କ୍ଷେତ୍ରରେ ଦୃଢ଼ ଭବିଷ୍ୟୋନ୍ମୁଖି ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ସଚିବ ନାଗେନ୍ଦ୍ର ନାଥ ସିହ୍ନା କହିଥିଲେ ଯେ, ଇସ୍ପାତ କ୍ଷେତ୍ର ପାଇଁ ଲଜିଷ୍ଟିକ୍ସ ଏକ ଜୀବନ ଓ ମୃତ୍ୟୁ ପରିସ୍ଥିତି ଭଳି। ଲଜିଷ୍ଟିକ୍ସର ଗୁରୁତ୍ବ ବିଷୟରେ ବର୍ଣ୍ଣନା କରି ସେ କହିଥିଲେ ଯେ ଗୋଟିଏ ଟନ ଇସ୍ପାତ ଉତ୍ପାଦନ ଲାଗି ୪ ଟନ୍ ସାମଗ୍ରୀ ପରିବହନ କରିବାକୁ ପଡ଼ିଥାଏ। ତେଣୁ ୧୨୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲାଗି, ୬୦୦ ନିୟୁତ ଟନ ସାମଗ୍ରୀକୁ ସାରା ଦେଶରେ ପରିବହନ କରାଯିବାର ଆବଶ୍ୟକତା ରହିଛି। ଇସ୍ପାତ କ୍ଷେତ୍ରରେ ମୋଟ ଉତ୍ପାଦନ ଖର୍ଚ୍ଚର ପ୍ରାୟ ୨୮ ପ୍ରତିଶତ ଲଜିଷ୍ଟିକ୍ସ ବାବଦରେ ଖର୍ଚ୍ଚ ହୋଇଥାଏ। ଯଦି ଆମକୁ ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବାର ଆବଶ୍ୟକତା ରହିଛି, ଆମକୁ ଲଜିଷ୍ଟିକ୍ସ ଖର୍ଚ୍ଚ ମଧ୍ୟ କମାଇବାକୁ ପଡ଼ିବ, ଯାହାକି ପିଏମ ଗତିଶକ୍ତି ଯୋଜନାରେ ମଧ୍ୟ ପରିକଳ୍ପନା କରାଯାଇଛି ।

ଶ୍ରୀ ସିହ୍ନା କହିଥିଲେ ଯେ, ରେଳ, ସଡ଼କ ଓ ଜଳପଥ ଭଳି ବର୍ତ୍ତମାନର ପରିବହନ ମାଧ୍ୟମ ବ୍ୟତୀତ ଲଜିଷ୍ଟିକ୍ସ ସହାୟତାର ନୂଆ ମାଧ୍ୟମ ଓ ଢାଞ୍ଚା ବିଷୟରେ ଆମକୁ ଚିନ୍ତା କରିବାକୁ ହେବ ଯାହାଫଳରେ ଏହାର ଖର୍ଚ୍ଚ ହ୍ରାସ ପାଇବ। ଖର୍ଚ୍ଚ କମେଇବା ଓ ଦକ୍ଷତାରେ ସୁଧାର ଆଣିବା ଲାଗି ସାମଗ୍ରୀ ପରିବହନର ସଠିକ ମାଧ୍ୟମ ଉପରେ ସେ ଗୁରୁତ୍ବାରୋପ କରିଥିଲେ। କେନ୍ଦ୍ର ଇସ୍ପାତ ସଚିବ କହିଥିଲେ ଯେ, ବିକଶିତ ରାଷ୍ଟ୍ରରେ ମୁଣ୍ଡପିଛା ଇସ୍ପାତ ଉପଯୋଗ ୭୦୦ କିଲୋଗ୍ରାମ ଥିବା ବେଳେ ଭାରତରେ ଏହା ୮୦ କିଲୋଗ୍ରାମ ରହିଛି। ଭାରତ ମଧ୍ୟମ ମାନ୍ୟତାପ୍ରାପ୍ତ ଦେଶରେ ସାମିଲ ହେଲେ ଲଜିଷ୍ଟିକ୍ସର ଚାହିଦା ବୃଦ୍ଧି ପାଇବ। ତେଣୁ ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବା ଜରୁରି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ଏମ ନାଗରାଜୁ କହିଥିଲେ ଯେ, ପିଏମ ଗତିଶକ୍ତି କାର୍ଯ୍ୟକ୍ରମରେ ନିହିତ ରହିଥିବା ସମନ୍ବୟ ଦୃଷ୍ଟିକୋଣ ଉତ୍ପାଦନ କ୍ଷମତା ବଢ଼ାଇବ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ। ଏଥିସହିତ ଭିତ୍ତିଭୂମି ନିର୍ମାଣରେ ବର୍ଜ୍ୟବସ୍ତୁ ପରିମାଣ ମଧ୍ୟ ହ୍ରାସ କରିବ। ଆଜିର ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ଚାରିଟି ରାଜ୍ୟରେ ପ୍ରାକୃତିକ ସମ୍ବଳ ଭର୍ତ୍ତି ହୋଇ ରହିଛି ବୋଲି ଶ୍ରୀ ନାଗରାଜୁ କହିଥିଲେ। ସେ ଆହୁରି କହିଥିଲେ ଯେ, ଦେଶର ଶିଳ୍ପ ବିକାଶରେ ଏହିସବୁ ରାଜ୍ୟ ଦୃଢ଼ ମୂଳଦୁଆ ନିର୍ମାଣ କରିବାରେ ସହାୟକ ହୋଇପାରିବେ। ବସ୍ତୁ ଓ ସାମଗ୍ରୀର ବାଧାମୁକ୍ତ ଓ ବ୍ୟୟସାପେକ୍ଷ ପରିବହନ ସୁନିଶ୍ଚିତ କରିବା ଲାଗି ଏସବୁ ରାଜ୍ୟରେ ଏକ ବ୍ୟବସ୍ଥିତ ଲଜିଷ୍ଟିକସ ନୀତି ବିଶେଷ ସହାୟକ ହୋଇପାରିବ।

ଝାଡ଼ଖଣ୍ଡ ସରକାରଙ୍କ ଖଣି ସଚିବ ଅବୁବାକର ସିଦ୍ଦିକି ପି, ଏନଏଲସିଆଇଏଲର ଅଧ୍ୟକ୍ଷ ପ୍ରସନ୍ନ କୁମାର ମୋଟୁପଲ୍ଲୀ ମଧ୍ୟ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ‘ପୂର୍ବାଞ୍ଚଳରେ ଭିତ୍ତିଭୂମି ବିକାଶ’ ଉପରେ ୧୦ ଜଣ ସିଇଓଙ୍କୁ ନେଇ ଏକ ମତବିନିମୟ ଅଧିବେଶନ ମଧ୍ୟ ଆୟୋଜନ କରାଯାଇଥିଲା।

ଦେଶରେ ସମନ୍ବିତ ଭିତ୍ତିଭୂମି ବିକାଶ ପାଇଁ ଲଜିଷ୍ଟିକ୍ସ ଦକ୍ଷତାରେ ସୁଧାର ଆଣିବା ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ କମେଇବା ଲାଗି ଏକ ପରିବର୍ତ୍ତନକାରୀ ଆଭିମୁଖ୍ୟ ନେଇ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଥିଲା। ଭିତ୍ତିଭୂମି ଯୋଗାଯୋଗ ପ୍ରକଳ୍ପର ଏକୀକୃତ ଯୋଜନା ପ୍ରସ୍ତୁତି ଓ ସମନ୍ବିତ କାର୍ଯ୍ୟକାରିତା ନିମନ୍ତେ ବିଭିନ୍ନ ମନ୍ତ୍ରଣାଳୟ/ରାଜ୍ୟ/ବିଭାଗ/ଉଦ୍ୟୋଗକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଏହାର ଉଦ୍ଦେଶ୍ୟ।

ଜାତୀୟ ଲିଜିଷ୍ଟିକ୍ସ ନୀତିର ବିଭିନ୍ନ ଉପାଦାନକୁ ଗଭୀର ଭାବେ ବୁଝିବା ଲାଗି ସବୁ ଅଂଶୀଦାରମାନଙ୍କୁ ପୂର୍ବ ଜୋନ ସମ୍ମିଳନୀ ଏକ ସୁଯୋଗ ଆଣି ଦେଇଛି।

କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଠାରେ ପିଏମ୍‌ ଗତିଶକ୍ତି ଏବଂ ଜାତୀୟ ଲଜିଷ୍ଟିକ ନୀତି ଉପରେ ପୂର୍ବ କ୍ଷେତ୍ର ସମ୍ମିଳନୀ ଆୟୋଜିତ ହେଉଛି। ଆସନ୍ତା ୧୬ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି, ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଆଦି ପୂର୍ବ କ୍ଷେତ୍ରୀୟ ରାଜ୍ୟରେ ମୌଳିକ ଭିତ୍ତିଭୂମି ବିକାଶ ନିମନ୍ତେ ଏକୀକୃତ ଯୋଜନା ପ୍ରସ୍ତୁତ କରିବା ଲାଗି ଆପୋସ ସମନ୍ବୟ ବଢ଼ାଇବା।

ଏହି ସମ୍ମିଳନୀରେ ପୂର୍ବ କ୍ଷେତ୍ରର ରାଜ୍ୟ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଯଥା କୋଇଲା, ଡିପିଆଇଆଇଟି, ରେଳବାଇ, ବିଦ୍ୟୁତ, ଇସ୍ପାତ, ସାର ଓ ରସାୟନ, ସଡ଼କ ପରିବହନ ମନ୍ତ୍ରଣାଳୟ, ଜାହାଜ ଚଳାଚଳ ଓ ଜଳମାର୍ଗ ସମେତ ପୂର୍ବ କ୍ଷେତ୍ରର ଉଦ୍ୟୋଗ ଜଗତର ଅଂଶୀଦାରମାନଙ୍କ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । ପୂର୍ବାଞ୍ଚଳରେ ସମାବେଶୀ ବିକାଶ ନିମନ୍ତେ ଗଭୀର ବିଚାରବିମର୍ଶ କରିବା ଓ ଆବଶ୍ୟକ ପରାମର୍ଶ ଦେବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଛି।

ପୂର୍ବାଞ୍ଚଳରେ ସମାବେଶୀ ବିକାଶ ନିମନ୍ତେ ଗଭୀର ବିଚାରବିମର୍ଶ କରିବା ଓ ଆବଶ୍ୟକ ପରାମର୍ଶ ଦେବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

Categories
ବିଶେଷ ଖବର

ମୁଖ୍ୟ ଶାସନ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସ୍ୱତନ୍ତ୍ର ପ୍ରଦକ୍ଷଣଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ ଯାରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସଂପୃକ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀ ମହାପାତ୍ର ଆଲୋଚନା କରିଛନ୍ତି।

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ, ଅବଢ଼ା ଯୋଜନା ଅନ୍ତର୍ଗତ ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ଐତିହ୍ୟ ସଂପର୍ଣ୍ଣ ତୀର୍ଥ ପୁଷ୍କରଣୀ ଗୁଡିକର ଉନ୍ନତିକରଣ, ମୋଚିସାହି ସ୍ଥିତ ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଓ ବଡଦାଣ୍ଡ ସ୍ଥିତ ମ୍ୟୁନିସପାଲଟି ମାର୍କେଟ କମ୍ପ୍ଲେକ୍ସ, ଜେଲ ରୋଡ ସ୍ଥିତ ବହୁତଳ ପାର୍କିଂ ବ୍ୟବସ୍ଥା, ଓଡ଼ିଆ ବିଶ୍ୱବିଦ୍ୟାଳୟ, ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠର ଉନ୍ନତିକରଣ, ଜିଲ୍ଲାର ବିଭିନ୍ନ ବ୍ଲକରେ ବିଜୁପଟ୍ଟନାୟକ ଇନଣ୍ଡୋର ଷ୍ଟାଡିୟମ୍ ଏବଂ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ କାର୍ଯ୍ୟ ତ୍ୱରାନିତ୍ୱ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଏହା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଅବଢ଼ା ଯୋଜନା ଅନ୍ତର୍ଗତ ଜଗନ୍ନାଥବଲ୍ଲଭ ପାର୍କିଂ ସ୍ଥଳୀ, ପ୍ରାୟ ୧୯୦ କୋଟି ଟଙ୍କା ଅଟକଳରେ ନିର୍ମାଣଧୀନ ଶ୍ରୀ ସେତୁ ପ୍ରକଳ୍ପ, ପ୍ରାୟ ୧୩୩ କୋଟି ଟଙ୍କା ଅଟକଳରେ ମୂଶା ନଦୀର ଦୁଇ ପର୍ଯ୍ୟାୟ ସଂପ୍ରସାରଣ କାର୍ଯ୍ୟ, ୧୮୦ କୋଟି ଟଙ୍କାରେ ନିର୍ମାଣ କରାଯାଉଥିବା ସମଙ୍ଗସ୍ଥିତ ପ୍ରଦର୍ଶନୀ ତଥା ପାର୍କିଂ ଏରିନା, ହବିଷ୍ୟାଳୀ ଆଶ୍ରୟସ୍ଥଳୀ- ବୃନ୍ଦାବତୀ ନିବାସ, ନିର୍ମାଣଧିନ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ ପରିଦର୍ଶନ କରି ଅଧିକାରୀମାନଙ୍କ ସହ କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ପ୍ରକଳ୍ପଗୁଡିକର ଅଗ୍ରଗତି ସଂପର୍କରେ ଅବଗତ ହେବା ସହ କାର୍ଯ୍ୟ ତ୍ୱରାନିତ୍ୱ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା,ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର, ସିଡିଏମଓ ଡା ସୁଜାତା ମିଶ୍ର, ଓବିସିସି ଜିଏମ ପ୍ରଭାତ କୁମାର ପାଣିଗ୍ରାହୀ ଏବଂ ଶ୍ରୀଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Categories
Hockey Worldcup23 ବିଶେଷ ଖବର

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ରାଉରକେଲା ଗସ୍ତ: ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ତିଆନ ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ସଚିବସ୍ତରୀୟ ଟିମରେ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ସଚିବ ଆର୍ ଭିନିଲକ୍ରୀଷ୍ଣା ଏବଂ ଇଡକୋର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ମଧ୍ୟ ରାଉରକେଲା ଆସିଥିଲେ।

ଏହି ଟିମ୍ ରାଉରକେଲାରେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ। ଉଭୟ ମୁଖ୍ୟ ଓ ଅଭ୍ୟାସ ପଡିଆର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଷ୍ଟାଡିଅମର ଦୁଇଟି ଯାକ ପିଚ୍‌ ଓ ହାଇମାସ୍କ ଲାଇଟ ଯାଂଚ ପରେ ଖେଳ ପାଇଁ ଲାଇସେନ୍‌ସ ମିଳିଛି।

ଉଲେଖନୀୟ ଯେ, ପୁରୁଷ ହକି ବିଶ୍ବକପର ୨୦ଟି ମ୍ୟାଚ ରାଉଲକେଲାରେ ଖେଳାଯିବ। ପ୍ରଥମ ମ୍ୟାଚ ଆସନ୍ତା ଜାନୁୟାରୀ ୧୩ ତାରିଖରେ ଭାରତ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆସନ୍ତା ୨୪ ତାରିଖରୁ ତିନୋଟି ଅଭ୍ୟାସ ମ୍ୟାଚ ଖେଳାଯିବ। ଏହି ଅଭ୍ୟାସ ମ୍ୟାଚ ସମୟରେ ଯଦି କିଛି ତ୍ରୁଟିଥିବା ନେଇ ଜଣାପଡେ ତେବେ ଭିତ୍ତିଭୂମିକୁ ଦୃଢ଼ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ। ଏହାସହ ରାଉରକେଲା ବିମାନ ବନ୍ଦରର କାର୍ଯ୍ୟଶେଷ ହୋଇଛି ଏବଂ ଖୁବଶୀଘ୍ର ଆବଶ୍ୟକୀୟ ଲାଇସେନ୍ସ ମିଳିବା ନେଇ ଶ୍ରୀ ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି।

ଉଡାଣ ଯୋଜନାରେ ଖେଳାଳି ମାନଙ୍କ ପାଇଁ ୪ଟି ବିମାନ ଉଡାଣ ସୁବିଧା ମିଳିବ। ଗୋଟିଏ ବର୍ଷ ମଧ୍ୟରେ ଏଭଳି ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯାଇଛି। ଏଥିନିମନ୍ତେ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିଥିବାରୁ ସୁନ୍ଦରଗଡ ଓ ରାଉଲକେଲା ବାସୀଙ୍କୁ ମୁଖ୍ୟଶାସନ ସଚିବ ଓ ୫-ଟି ସଚିବ ଧନ୍ୟବାଦ ଦେଇଛନ୍ତି।

ରାଉରକେଲାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ ହେବାକୁ ଯାଉଛି। ତେଣୁ ହକି ମ୍ୟାଚ ଦେଖିବା ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଦର୍ଶକ ରାଉରକେଲାକୁ ଆସିବେ। ତେଣୁ ଦର୍ଶକମାନଙ୍କ ଗାଡ଼ିଗୁଡ଼ିକୁ ସୁବିଧାରେ ରଖିବା ପାଇଁ ଷ୍ଟାଡିୟମ ଚାରିପଟେ ଆଧୁନିକ ପାର୍କିଂ ସ୍ଥଳ କରାଯାଉଛି। ତା’ଛଡ଼ା ଷ୍ଟାଡିୟମ ଭିତରେ ପାନୀୟ ଜଳ ଏବଂ ଶୌଚାଳୟ ଆଦି ସୁବିଧା କରାଯାଉଛି। ଯେଉଁ ଦର୍ଶକମାନେ ଷ୍ଟାଡିୟମ ବାହାରେ ରହିଥିବେ ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଏଲଇଡି ଲଗାଇବାର ବ୍ୟବସ୍ଥା କରାଯାଉଛି।

ଏହି ଗସ୍ତ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଯୋଗ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ୨୦୨୩ ପୁରୁଷ ହକି ବିଶ୍ୱକପ ଓଡ଼ିଶାରେ ଖେଳାଯିବ। ଏହି ବିଶ୍ୱକପ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହେବାକୁ ଯାଉଛି। ଏହି କ୍ରୀଡ଼ା ଭିତ୍ତିଭୂମି ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମର ରୂପ ନେବାକୁ ଯାଉଛି। ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୦ ହଜାରରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏ.ଜି ଅଡିଟ ଯୋଗୁଁ 566 କୋଟି ଅର୍ଥ ସରକାରୀ ତହବିଲ କୁ ଫେରିଲା : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ 2ୟ ଅଡିଟ ସପ୍ତାହ ସଚିବାଳୟ କନଭେନସନ ସମ୍ମିଳନୀ କକ୍ଷଠାରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆ, ପ୍ରଧାନ ମହାଲେଖାର ଅନନ୍ତ କିଶୋର ବେହେରା ଯୋଗ ଦେଇଥିଲେ।

ପ୍ରାରମ୍ଭରେ ରାଜ୍ୟପାଳ ଓ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଧାନ ମହାଲେଖାକାର ଶ୍ରୀ ବସନ୍ତିଆ ଓ ବେହେରା ସମ୍ବର୍ଦ୍ଧିତ କରିଥିଲେ। ପ୍ରଧାନ ମହାଲେଖାକାର ଶ୍ରୀ ବସନ୍ତିଆ ତାଙ୍କ ସ୍ୱାଗତ ଭାଷଣରେ ବର୍ତ୍ତମାନ ପରିସ୍ଥିରେ ଅଡିଟ ପରିସର ଅତି ବ୍ୟାପକ ହୋଇଛି। ଅନଲାଇନ କାରବାର ଓ କମ୍ପୁଟର ରାଇଜେସନ ଫଳରେ ପାରମ୍ପରିକ ଅଡିଟ ବଦଳରେ ବିଭିନ୍ନ ଆଧୁନିକ ପଦ୍ଧତିକୁ ଅଡିଟରେ ପ୍ରୟୋଗ କରାଯିବା ଫଳରେ ଖୁବ ଶୀଘ୍ର ଅଡିଟ ହେବାସହ ବିଭିନ୍ନ ଦୁର୍ନୀତିକୁ ସରକାରଙ୍କ ଦୃଷ୍ଟିକୁ ଅଣାଯାଇ ପାରୁଛି ବୋଲି କହିଥିଲଷ

ମୁଖ୍ୟ ଶାସନ ସଚିବ ତାଙ୍କ ବକ୍ତବ୍ୟରେ ଦୁର୍ନୀତିକୁ ରୋକିବା ପାଇଁ ରାଜ୍ୟ ସରକାର ଅନଲାଇନ କରବାର ଓ କମ୍ପୁଟରାଇଜେସନକୁ ଗୁରୁତ୍ୱ ଦିଆଯାଉଛି ଯାହାଫଳରେ ବିଭିନ୍ନ ସ୍ତରରେ ହେଉଥିବା ଦୁର୍ନୀତିକୁ ରୋକା ଯାଇପାରିବ। ଓଡିଶା ଏ. ଜି ତାଙ୍କ ଅଡିଟ ରିପୋର୍ଟରେ ଦର୍ଶାଯାଉଥିବା ବିଭିନ୍ନ ତ୍ରୁଟି ଓ ବିଚ୍ୟୁତି ଗ୍ରହଣ କରିବା ସହ ଏହା ଉପରେ ତ୍ୱରିତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହାଫଳରେ ରାଜ୍ୟ ସରକାରଙ୍କ ତହବିଲକୁ 566କୋଟି ଟଙ୍କା ଫେରସ୍ତ ଆସିଛି ବୋଲି କହିଥିଲେ। ସେ ଏ.ଜି ଅଫିସ କାର୍ଯ୍ୟାଧରକୁ ପ୍ରଶଂସା କରିଥିଲେ।

ଏ. ଜିଙ୍କ ତତ୍କାଳ ପଦକ୍ଷେପ ଯୋଗୁଁ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ କର୍ମଚାରୀ ଖୁବ ଶୀଘ୍ର ତାଙ୍କର ଅବସରକାଳୀନ ପ୍ରାପ୍ୟ ପାଇପାରୁଛନ୍ତି l ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ତାଙ୍କ ଅଭିଭାଷଣରେ ଭୋତିକ ପୃଥିବୀରୁ ଆଧ୍ୟାତ୍ମିକ ପୃଥିବୀକୁ ଆମର ଯାତ୍ରା ସେତେବେଳେ ତ୍ୱରାନିତ ଯେତେବେଳେ ପ୍ରତେକ୍ୟ ନିଜ ନିଜର ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିବେ।ବର୍ତ୍ତମାନ ଭାରତର ସାମ୍ପ୍ରତିକ ଶାସନ ବ୍ୟବସ୍ଥା ସଶକ୍ତ ହୋଇଛି। ପ୍ରଗତିର ନୂତନ ଶିଖର ସ୍ପର୍ଶ କରୁଛି। ଏହି କ୍ରିୟାଶୀଳତାର ଆଧାର ହେଉଛି ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱ। ଜରୁରୀ ଏବଂ ଏହାକୁ କ୍ରିୟାନୁୟନ କରେ ଅଡିଟ।

ଭାରତର ଅଡିଟ ବ୍ୟବସ୍ତାର ସମୃଦ୍ଧ ଇତିହାସ ଓ ଐତିହ୍ୟ ରହିଛି । ସମୟର ଆହ୍ୱାନ ଓ ଆବଶକ୍ୟତା ଅନୁସାରେ ଏଥିରେ ଉନ୍ନତି ହେଉଥିବା ସୁଖର କଥା ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ। ସେ ମଧ୍ୟ କହିଥିଲେ ମୁଁ ଆଜି ଜାଣିପାରୁଛି କାହାର ଉପଦେଶରେ ବିମୁଦ୍ରାକରଣ କରାଯାଇଥିଲା। ବରିଷ୍ଠ ଉପ ମହାଲେଖାକାର ଶ୍ରୀ ଦୀପକ ରଘୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱାଧୀନତାର ଅମୃତ ମହୋତ୍ସବର ରାଜ୍ୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପୁରସ୍କାର ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିଗ୍‌ଦର୍ଶନ ତଥା ରାଜ୍ୟ ସରକାରଙ୍କ ସହଯୋଗିତାରେ ସମ୍ବାଦ ଗ୍ରୁପ୍‌ ପକ୍ଷରୁ ଆଜି ସନ୍ଧ୍ୟାରେ ରାଜଭବନଠାରେ ଅନୁଷ୍ଠିତ ସ୍ୱାଧୀନତାର ଅମୃତ ମହୋତ୍ସବ ରାଜ୍ୟ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ। ଏଥିରେ ରାଜ୍ୟପାଳ ଇଂରାଜୀ ଓ ଓଡ଼ିଆ ଭାଷା ବର୍ଗର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ଅବସରରେ ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ଏବଂ ଦେଶ ପାଇଁ ସେମାନଙ୍କର ଦୃଷ୍ଟିଭଙ୍ଗୀ, ଚିନ୍ତାଧାରା ଦ୍ୱାରା ଅନେକ ସମ୍ଭାବନା ସୃଷ୍ଟି କରିଛନ୍ତି ଏବଂ ଆଗାମୀ ଦିନରେ ଏହି ସମ୍ଭାବନାର ସଦୁପଯୋଗ କରି ରାଜ୍ୟ ଓ ରାଷ୍ଟ୍ରର ଗୌରବ ବୃଦ୍ଧି କରିବେ ବୋଲି ଆଶା ପ୍ରକାଶ କରିଥିଲେ ।

ସେମାନଙ୍କର ପ୍ରତିଭା ରାଜ୍ୟ ପାଇଁ ବରଦାନ ସଦୃଶ ବୋଲି ରାଜ୍ୟପାଳ କହିଥିଲେ । ‘ଆଦିଶକ୍ତି’ର ସନ୍ତାନ ଭାବେ ସମସ୍ତେ ନିଜର ଅନ୍ତଃଶକ୍ତିର ବିକାଶ କରି ନିଜର ଜୀବନକୁ ଯଥାର୍ଥ କରିବା ପାଇଁ ପ୍ରୟାସରତ ରହିବେ ବୋଲି ସେ କହିଥିଲେ । ସମଗ୍ର ବ୍ରହ୍ମାଣ୍ଡ ପ୍ରେମ ଓ ସତ୍ୟ ଦ୍ୱାରା ସୃଷ୍ଟି ଓ ଏହାକୁ ଅକ୍ଷୁଣ୍ଣ ରଖିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ । ରାଜ୍ୟପାଳ ସମ୍ବାଦ ଗ୍ରୁପ୍‌କୁ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିଜ ଅଭିଭାଷଣରେ ରାଜ୍ୟପାଳଙ୍କ ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ସମ୍ବାଦ ଗ୍ରୁପ୍‌ର ପରିଚାଳନା ପ୍ରଶଂସନୀୟ ବୋଲି କହିଥିଲେ । ଏହିପରି କାର୍ଯ୍ୟକ୍ରମ ବର୍ତ୍ତମାନର ପିଲାମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମର ସେହି ମହନୀୟ ଗାଥା ସଂପର୍କରେ ଅଧିକ ପରିଚିତ କରାଇବ ବୋଲି କହିବା ସହ ଆଜିର ଛାତ୍ର ଆସନ୍ତାକାଲିର ସଫଳ ନାଗରିକ ହେବେ ବୋଲି ଦୃଢ଼ ଆଶାପୋଷଣ କରିଥିଲେ ଓ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ରାଜ୍ୟ ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା, କ୍ରୀଡ଼ାର ରାଜଧାନୀ ଆଦି ଅନେକ କ୍ଷେତ୍ରରେ ପ୍ରଶଂସନୀୟ ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ ।

‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଗୋଟିଏ ଗୋଟିଏ ରନି ବୋଲି ଅଭିହିତ କରିବା ସହ ସେମାନଙ୍କୁ ନେଇ ରାଜ୍ୟ ଗର୍ବିତ ବୋଲି କହିଥିଲେ । ଜିଲ୍ଲା ଓ ରାଜ୍ୟସ୍ତରରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଛାତ୍ରୀ, ଯାହା ନାରୀ ସଶକ୍ତିକରଣର ବାର୍ତ୍ତା ବହନ କରୁଛି ବୋଲି କହିଥିଲେ । ପ୍ରବନ୍ଧ ପ୍ରତିଯୋଗିତା ଅବସରରେ ପ୍ରତିଯୋଗୀମାନଙ୍କର ପ୍ରଶ୍ନ, ସ୍ୱପ୍ନ ଓ ବିଚାର ବାସ୍ତବିକ ବିଶେଷ ମହତ୍ତ୍ୱ ବହନ କରୁଛି ବୋଲି କହିଥିଲେ ଓ ପ୍ରତିଯୋଗିତାର ସଫଳ ଆୟୋଜନ କରି ‘ସମ୍ବାଦ ଗ୍ରୁପ୍‌’ ରାଜ୍ୟପାଳଙ୍କ ଆସ୍ଥାଭାଜନ ହୋଇପାରିଛି ବୋଲି ସେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ‘ଆମ ଓଡ଼ିଶା’ର ରାଜ୍ୟ ସଂପାଦକ ସ୍ୱରାଜ ମିଶ୍ର ସ୍ୱାଗତ ଅଭିଭାଷଣ ସହ ପ୍ରତିଯୋଗିତା ସଂପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ ।

ଏହି ଉତ୍ସବରେ ରାଜ୍ୟପାଳ ଇଂରାଜୀ ଓ ଓଡ଼ିଆ ଭାଷା ବର୍ଗରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବାବଦରେ ପ୍ରଥମ ପୁରସ୍କାର ବିବେଚିତ ପ୍ରତିଯୋଗୀଙ୍କୁ ପଚାଶ ହଜାର, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ତିରିଶ ହଜାର ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ କୋଡ଼ିଏ ହଜାର ଟଙ୍କା ଅର୍ଥରାଶି ସହ ପ୍ରଶଂସାପତ୍ର ପ୍ରଦାନ କରିଥିଲେ ।

ଇଂରାଜୀରେ ଶାଶ୍ୱତୀ ନାୟକ, ସୃଷ୍ଟି ସ୍ମରଣିକା ବିଶି, ସାଂଚି ଅଗ୍ରୱାଲ ଓ ଓଡ଼ିଆରେ କୁମାରୀ ସାଇପି୍ରୟା ଗିରି, ସ୍ୱପ୍ନଜିତ ନାୟକ, ସ୍ୱାଗତିକା ଚୌଧୁରୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏଥି ପୂର୍ବରୁ ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରରେ କୃତି ବିବେଚିତ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଉତ୍ସବରେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପୁନରୁଦ୍ଧାର ହେବ ଶୁକ-ପାଇକା ନଦୀ: ପ୍ରାୟ ୪୯.୬୭ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦିତ

ଭୁବନେଶ୍ୱର: ଜଳସେଚନ ଏବଂ ପ୍ରାକୃତିକ ଜୈବ-ପରିବେଶ ବିକାଶ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପଭାବେ କଟକ ଜିଲ୍ଲା ଅନ୍ତର୍ଗତ ମହାନଦୀ ତେଲ୍ଟାର ଶୁକ-ପାଇକା ନଦୀର ପୁନରୁଦ୍ଧାର ହେବ। ସ୍ଥାନୀୟ ଭାବେ ମୃତ-ନଦୀ ବୋଲି ଜଣାଶୁଣା ଏହି ନଦୀ ଖୁବ୍ ଶିଘ୍ର ପୁଣି ଜୀବନ୍ତ ଓ ଚଳଚଞ୍ଚଳ ହେବ।

ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ବନ୍ଧିତ ଏକ ପ୍ରକଳ୍ପ ଅନୁମୋଦିତ ହୋଇଛି। ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏହି ପ୍ରକଳ୍ପର ବୈଷୟିକ, ଆର୍ଥିକ ଏବଂ ପ୍ରଶାସନିକ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ପ୍ରକଳ୍ପର ବିଭିନ୍ନ ଦିଗ ବିଚାର କରି ଏହି ପ୍ରାକୃତିକ ନାଳର ପୁନରୁଦ୍ଧାର ନିମନ୍ତେ ଖୁବ୍ ଶିଘ୍ର ଟେଣ୍ଡର ଆହ୍ୱାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ପୁର୍ନବିନ୍ୟାସ ପରେ ବର୍ଷ ତମାମ ଯେପରି ନଦୀରେ ଯଥେଷ୍ଟ ପାଣି ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜଳ ସଂପଦ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନାଳରେ ଭରା-ଜଳ ରହିଲେ ତାହା ପାର୍ଶ୍ୱବର୍ତ୍ତୀ ସ୍ଥାନର ମୁର୍ତ୍ତିକା ଆର୍ଦ୍ରତା ବଜାୟ ରଖିବାରେ ସହାୟକ ହେବା ସହ ଉଭୟ ପାର୍ଶ୍ୱର କୃଷି ଜମିକୁ ବର୍ଷ ତମାମ ଉତ୍ପାଦନକ୍ଷମ କରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ବର୍ଷା ଓ ବନ୍ୟାଋତୁକୁ ଆଖିରେ ରଖି ପ୍ରକଳ୍ପ କାର୍ଯ୍ୟାୟନ ସମୟ-ନିର୍ଘଣ୍ଟ ନିର୍ଦ୍ଧାରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ବହୁମାତ୍ରାରେ ବନ୍ୟାପାଣି ନାଳରେ ଆସି ଯେପରି ପ୍ରଭୁତ କ୍ଷତି ନଘଟାଇବ ସେହିପରି ପ୍ରକଳ୍ପ ଡ଼ିଜାଇନ୍ ବୈଷୟିକ କୌଶଳ ଏବଂ କାର୍ଯ୍ୟାୟନ ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ପ୍ରକଳ୍ପ ପାଇଁ ପ୍ରାୟ ୪୯.୬୭ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ବୈଠକରେ ଅନୁମୋଦନ କରାଯାଇଥିଲା। ନଦୀର ଉଭୟ ପାର୍ଶ୍ୱରେ ଥିବା ଗ୍ରାମୀଣ ରାସ୍ତାଗୁଡିକୁ ସଂଯୋଗ କରିବା ନିମନ୍ତେ ନଦୀ ଉପରେ ୪ ଟି ପୋଲ ନିର୍ମାଣ ହେବ। ସମୁଦାୟ ପ୍ରକଳ୍ପକୁ ୧୮ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଣାଇଥିଲେ ଯେ ଏହି ପ୍ରାକୃତିକ ନାଳଟି ମହାନଦୀର ଦକ୍ଷିଣ ପାର୍ଶ୍ୱସ୍ଥିତ ଆୟତପୁର ଗ୍ରାମ ପାଖରୁ ବାହାରିଛି । କଟକ ସଦର, ନିଶ୍ଚିନ୍ତକୋଇଲି ଏବଂ ରଘୁନାଥପୁର ବ୍ଲକ୍ର ପ୍ରାୟ ୨୧ ଟି ପଞ୍ଚାୟତ ଦେଇ ପ୍ରାୟ ୩୦.୪୫ କି.ମି. ଅତିକ୍ରମ କଲାପରେ ଏହା ପୁନଶ୍ଚ ତାରପୁର ନିକଟସ୍ଥ ବଙ୍କାଳଠାରେ ମହାନଦୀରେ ମିଶିଛି। ୧୯୫୦ ମସିହାରେ ତତ୍କାଳୀନ ପ୍ରଳୟଙ୍କରୀ ବନ୍ୟା ନିୟନ୍ତ୍ରଣ ଉପାୟଭାବେ ଏହାର ଜଳ ପ୍ରବେଶ ପାର୍ଶ୍ୱ ବନ୍ଦ କରାଯାଇଥିଲା। ଏହି ପ୍ରାକୃତିକ ନାଳଟି ପୁନରୁଦ୍ଧାର ହେଲେ ଅଧିକ ଜଳସେଚନ ସୁବିଧା ସୃଷ୍ଟି ସହ, ମତ୍ସ୍ୟ ଚାଷ ଓ ଉଭୟ ପାର୍ଶ୍ୱ ଜମିରେ ଅର୍ଥକାରୀ ଫସଲ ଆଦି ଉତ୍ପାଦନ ହୋଇପାରିବ । ପ୍ରାକୃତିକ ଜୈବ-ପରିବେଶ ମଧ୍ୟ ପୁର୍ନଜୀବିତ ହେବ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ଜଳ ସଂପଦ ବିଭାଗ ପ୍ରଧାନ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର

ରାସ୍ତା ପାର୍ଶ୍ୱ ସୁବିଧା କେନ୍ଦ୍ରଗୁଡ଼ିକର ଉତ୍ତମ ପରିଚାଳନା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ଅବିବୃଦ୍ଧି କ୍ଷେତ୍ରରେ ଅନ୍ୟଏକ ପଦକ୍ଷେପ ଭାବେ ରାସ୍ତାପାର୍ଶ୍ୱ ସୁବିଧା କେନ୍ଦ୍ର ଗୁଡ଼ିକର ଉତ୍ତମ ପରିଚାଳନା ଓ ରକ୍ଷଣାବେକ୍ଷଣ ନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଆଜି ରାଜ୍ୟ ଲୋକସେବା ଭବନ ସଭାଗୃହରେ ଏ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ ରାଜ୍ୟର ବିଭିନ୍ନ ରାଜପଥ ଏବଂ ପର୍ଯ୍ୟଟନ ସ୍ଥଳୀକୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କ ପାର୍ଶ୍ୱରେ ବର୍ତ୍ତମାନ ସୁଦ୍ଧା ୮୪ ଟି ରାସ୍ତାପାର୍ଶ୍ୱ ସୁବିଧା କେନ୍ଦ୍ର ସ୍ଥାପନ କରାଯାଇଛି। ଏସବୁ କେନ୍ଦ୍ରରେ ଗାଡି ପାର୍କିଂ, ମହିଳା ଓ ପୁରୁଷ ଶୌଚାଳୟ, ପ୍ରସାଧନ ସ୍ଥାନ, ବସିବା ସ୍ଥାନ, ଚା କଫି ଓ ଜଳଖିଆ ଆଦି ସ୍ଥାନ ନିର୍ମାଣ କରାଯାଇଛି। ଏଥିମଧ୍ୟରୁ ୩୫ ଟି କେନ୍ଦ୍ର ପର୍ଯ୍ୟଟନ ବିଭାଗ ଏବଂ ୪୯ ଟି କେନ୍ଦ୍ର ପୂର୍ତ୍ତବିଭାଗ ମାଧ୍ୟମରେ ନିର୍ମାଣ କରାଯାଇଛି। ଏହାଛଡ଼ା ପ୍ରକୃତି ପର୍ଯ୍ୟଟନ-ସ୍ଥଳୀ ମାନଙ୍କରେ ଜଙ୍ଗଲ ଓ ପରିବେଶ ବିଭାଗମାଧ୍ୟମରେ ମଧ୍ୟ ପର୍ଯ୍ୟଟନ-ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଛି।

ବୈଠକରେ ମୁଖ୍ୟତଃ ରାସ୍ତାପାର୍ଶ୍ୱ ସୁବିଧା କେନ୍ଦ୍ରଗୃଡ଼ିକର ଉତ୍ତମ ରକ୍ଷଣାବେକ୍ଷଣ ଏବଂ ପରିଚାଳନା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ନିରନ୍ତର ପରିଚାଳନା ଏବଂ ସ୍ଥାନୀୟ ଲୋକଙ୍କ ସଂପୃକ୍ତି ଆଦିକୁ ବିଚାର କରି ସଂପୃକ୍ତ ବ୍ଲକ୍ ଓ ଗ୍ରାମ ପଂଚାୟତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଫେଡେରେସନ୍ ମାଧ୍ୟମରେ ଏହିସବୁ କେନ୍ଦ୍ରର ପରିଚାଳନା ନିମନ୍ତେ ନିତୀଗତ ନିଷ୍ପତ୍ତି ନିଆଯାଇଥିଲା। କେନ୍ଦ୍ରଗୁଡ଼ିକର ମରାମତି ଏବଂ ରକ୍ଷଣାବେକ୍ଷଣ ବିଭାଗ ଦ୍ୱାରା ସଂପୃକ୍ତ ପରିଚାଳକ ସଂଘର ସକ୍ରିୟ ସହଯୋଗରେ କରାହେବ । କେନ୍ଦ୍ରଗୁଡ଼ିକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅଧିକ ସହଜ, ଆତିଥ୍ୟପୂର୍ଣ୍ଣ ଏବଂ ନିରାପଦ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ନିର୍ଦ୍ଧିଷ୍ଟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ପୁର୍ତ୍ତ, ପର୍ଯ୍ୟଟନ ଏବଂ ମିଶନଶକ୍ତି ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଭ୍ରମଣକାରୀ ଏବଂ ପର୍ଯ୍ୟଟକମାନେ ସାଧାରଣତଃ ଯିବା ଆସିବା କରୁଥିବା ରାସ୍ତା ନିକଟସ୍ଥ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ସ୍ଥାନ ଗୁଡିକୁ ଚିହ୍ନଟ କରି ସେସବୁର ଏକ ସଂକ୍ଷିପ୍ତ ବିବରଣୀ ଭିତ୍ତିକ ତାଲିକା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗ୍ରାମ ଉନ୍ନୟନ ଓ ପୁର୍ତ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସୁନ୍ଦର ସ୍ଥାନ ଗୁଡିକର ବିକାଶ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ଶୌଚାଳୟ, ବସିଥିବା ସ୍ଥାନ ଏବଂ ଛୋଟ ପାର୍କିଂ ସ୍ଥାନ ଆଦିର ସୁବିଧା କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏହା କରାଗଲେ ପର୍ଯ୍ୟଟକମାନେ “ଦୀର୍ଘ ଯାତ୍ରାର କ୍ଲାନ୍ତିରୁ ସାମାନ୍ୟ ବିରାମ ନେଇ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିଦର୍ଶନ କରିପାରିବେ”, ଏବଂ ଓଡ଼ିଶା ଭ୍ରମଣ ସେମାନଙ୍କ ପାଇଁ ଅଧିକ ଉପଭୋଗ୍ୟ ଓ ସ୍ମରଣୀୟ ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ମିଶନ ଶକ୍ତି ଶାସନ ସଚିବ ସୁଜାତା କାର୍ତ୍ତିକେୟାନ୍, ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବଙ୍କ ସମେତ ସଂଫୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏବେ ବାତ୍ୟା ନାହିଁ, ତଥାପି ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବ ଦେଲେ ଏହି ସବୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶାର ଭୌଗଳିକ ସ୍ଥିତି ଓ ଜଳବାୟୁ ସର୍ବଦା ବନ୍ୟା, ବାତ୍ୟା ପ୍ରବଣ ହୋଇ ରହିଛି। ଚଳିତ ମାସ ଠାରୁ ଫେରନ୍ତା ଦକ୍ଷିଣ ପଶ୍ଚିମ ମୌସୁମୀ-ବାୟୁ ପ୍ରଭାବରେ (ବିଶେଷତଃ ଅକ୍ଟୋବର ଓ ନଭେମ୍ବର ମାସରେ) ଓଡ଼ିଶାରେ ଭୀଷଣ ବାତ୍ୟା ଅନୁଭୁତ ହୁଏ। ବେଳେବେଳେ ଏହି ସମୟ ଅବଧି ଡିସେମ୍ବର ୧୫ ପର୍ଯ୍ୟନ୍ତ ମଧ୍ୟ ରହିଥାଏ।

ଏସବୁକୁ ବିଚାରକରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର “ବାତ୍ୟା-ଋତୁ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି”। ନିର୍ଦ୍ଧାରିତ ଏସ୍.ଓ.ପି. ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଏବଂ ମାନବ ସମ୍ବଳ ଆଦିର ମାନଚିତ୍ର ପ୍ରସ୍ତୁତ ସହ ସେସବୁକୁ ପୂର୍ଣ୍ଣ କର୍ମକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟ ସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସମ୍ଭ୍ୟାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ବିଭିନ୍ନ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।
ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏଚ୍.ଆର.ବିଶ୍ୱାସ ଜଣାଇଥିଲେ ଯେ ଓଡ଼ିଶାର ବର୍ତ୍ତମାନ ଜଳବାୟୁସ୍ଥିତି ବାତ୍ୟା ଅନୁକୂଳ ରହିଛି ହେଲେ ଆସନ୍ତା ୧୫ ଦିନ ଭିତରେ ବାତ୍ୟାର ସୂଚନା ମିଳିନାହିଁ।

ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ ଇତିମଧ୍ୟରେ ଓଡ଼ିଶାରେ ବାତ୍ୟାର ପୂର୍ବାନୁମାନ ଏବଂ ଆଗୁଆ ସତର୍କ ସୂଚନା ପ୍ରସାରଣ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି। ଜିଲ୍ଲା ଓ ଅଞ୍ଚଳଭିତ୍ତିକ ପାଣିପାଗ ସୂଚନା ଦିଆଯାଉଛି। ଏକ ବାତ୍ୟାର ପ୍ରଭାବ ଭିତ୍ତିକ ପୂର୍ବାନୁମାନ ବ୍ୟବସ୍ଥା କରାଯାଇଛି।

ଗୋପାଳପୁର ଓ ପାରାଦ୍ୱୀପଠାରେ ଡପଲର ପାଣିପାଗ ରାଡାର ଷ୍ଟେସନ ସହ ବାଲେଶ୍ୱର, ଚାନ୍ଦବାଲି, ପୁରୀ, ଭୁବନେଶ୍ୱର, ଗୋପାଳପୁର ଏବଂ ପାରାଦ୍ୱୀପ ଆଦି ସ୍ଥାନରେ ଉଚ୍ଚକ୍ଷମତା ସମ୍ପନ୍ନ ବାୟୁଗତି ପରିମାପକ ଯନ୍ତ୍ରମାନ ( ହାଇ ଓ୍ୱିଣ୍ଡ୍ ସ୍ପିଡ୍ ରେକର୍ଡର) ସ୍ଥାପନ କରାଯାଇଛି। ଏହି ଯନ୍ତ୍ର ଘଣ୍ଟା ପ୍ରତି ପ୍ରାୟ ୩୦୦ କି.ମି. ପବନ ସ୍ଥିତିରେ ମଧ୍ୟ କାର‌୍ୟ୍ୟକରିପାରିବ। ଏସବୁ ଆଧୂନିକ ଭିତ୍ତିଭୂମି ସ୍ଥିତିର ପର‌୍ୟ୍ୟବେକ୍ଷଣ କରିବାସହ ପାଗ ପୂର୍ବାନୁମାନ ଅନୁଶୀଳନରେ ସହାୟକ ହେଉଛି।

ବତ୍ୟାରେ ଟେଲିଫୋନ୍ ଏବଂ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ ମୋବାଇଲ୍ ଟେଲିକମ୍-ଟାଓ୍ୱାର,ସାଟେଲାଇଟ୍ ଫୋନ୍ ଜେନେରେଟର, ବିଦ୍ୟୁତ ଖୁଣ୍ଟ, କଣ୍ଡକ୍ଟର, ସବ୍ଷ୍ଟେସନ୍, ଏବଂ ଯଥେଷ୍ଟ ସଂଙ୍ଖ୍ୟକ ମାନବ ସମ୍ବଳ ଆଦିର ଆକଳନ ଏବଂ ଆବଶ୍ୟକ ବେଳେ ତୁରନ୍ତ ନିୟୋଜିତ ପାଇଁ ପ୍ରସ୍ତୁତ ରହିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଏହାଛଡା ପାନୀୟ ଜଳ ପାଇଁ ଗ୍ରାମ ଓ ସହରାଞ୍ଚଳରେ ଥିବା ହ୍ୟାଣ୍ଡ ପମ୍ପ ଗୁଡିକୁ କର୍ମକ୍ଷମ ରଖିବା ସହ ବାତ୍ୟା ଅତିକ୍ରାନ୍ତ ହେବା ସଂଙ୍ଗେ ସଂଙ୍ଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କର୍ମକ୍ଷମ କରିବାକୁ ପୂର୍ଣ୍ଣ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଯଥେଷ୍ଟ ପରିମାଣର ବ୍ଲିଚିଂ, ହେଲୋଜେନ୍ ବଟିକା, ଔଷଧ, ଆମ୍ବୁଲାନ୍ସ୍ ଏବଂ ଡ଼ାକ୍ତରୀ ଟିମ୍ ଆଦି ବିଷୟରେ ପୂର୍ବ ପ୍ରସ୍ତୁତି କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଓଡ଼୍ରାଫ୍ ଏବଂ ଅଗ୍ନିଶ୍ରମ ସଂସ୍ଥା ଟିମ୍ମାନଙ୍କର ସବୁ ଉପକରଣକୁ ସଠିକ୍ଭାବେ ଯାଞ୍ଚ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ବାତ୍ୟା ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମମାନଙ୍କରେ ବାତ୍ୟା ପ୍ରସ୍ତୁତି ସଚେତନତା କାର‌୍ୟ୍ୟକ୍ରମ ଜାରି ରଖିବା ସହ ଆସନ୍ନ ପ୍ରସବ, ବୟସ୍କ, ଦିବ୍ୟାଙ୍ଗ, ଅସହାୟମାନଙ୍କର ତାଲିକା ପ୍ରସ୍ତୁତ ରଖିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗଙ୍କୁ କୁହାଯାଇଥିଲା। ଆବଶ୍ୟକ ବେଳେ ନିରାପଦ ସ୍ଥାନକୁ ସହାୟତା-ଭିତ୍ତିକ ସ୍ଥାନାନ୍ତର କରିବାରେ ଏହି ତାଲିକା ବହୁ ପରିମାଣରେ ଫଳପ୍ରଦ ହେବ।

ତୁରନ୍ତ ଗମନା ଗମନ ସୁବିଧାର ପୁନଃ ସ୍ଥାପନ, ରାସ୍ତା ଓ ନଦୀବନ୍ଧ ମରାମତି, ବାତ୍ୟା ସମୟରେ ଲୁଣାଘେରି ବନ୍ଧର ସୁରକ୍ଷା, ପାନୀୟ ଜଳ, ସହରାଞ୍ଚଳରେ ଉଦ୍ବୃତ ବର୍ଷା ଜଳ ନିଷ୍କାସନ, ହସ୍ପିଟାଲ୍ ଗୁଡିକରେ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା, ଗୋ ଖାଦ୍ୟ ଯୋଗାଣ, ପରିମଳ ବ୍ୟବସ୍ଥା ପାଇଁ କଣ୍ଟିଜେଣ୍ଟ୍ ପ୍ଲାନ୍ ସହ ଆବଶ୍ୟକୀୟ ସାମଗ୍ରୀ ଓ ମାନବ ସମ୍ବଳ, କୃଷକମାନଙ୍କୁ ଉପଯୁକ୍ତ ପରାମର୍ଶ ଓ ସୂଚନା ପ୍ରଦାନ, ଧାନ-କିଣା ମଣ୍ଡିରେ ସଂଗୃହିତ ଧାନର ସୁରକ୍ଷା ଓ ପରିବହନ ଆଦି କାମ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସଜାଗ ରଖିବା ପାଇଁ ମଧ୍ୟ ବିଭାଗମାନଙ୍କୁ କୁହାଯାଇଥିଲା।

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ବାତ୍ୟା ପରିଚାଳନା ସହ ସଂପୃକ୍ତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ। ନାଭାଲ୍, ଆର୍ମି, କୋଷ୍ଟଗାର୍ଡ଼ ଓ ଭାରତୀୟ ପାଣିପାଗ ବିଭାଗ ଆଦିର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ନିଜ ନିଜ ବିଭାଗର ପ୍ରସ୍ତୁତି ଓ ଆବଶ୍ୟକତା ସଂପର୍କିତ ସୂଚନା ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

“ସ୍ଥାନ ଭିତ୍ତିକ ଗବେଷଣା ସଂକଳନ”ର ଉନ୍ମୋଚନ କଲେ ମୁଖ୍ୟ ଶାସନ ସଚିବ, ଜାଣନ୍ତୁ ଏହା କଣ

ଭୁବନେଶ୍ବର: ଫଳାଫଳ ଭିତ୍ତିକ ଉନ୍ନୟନମୂଳକ ପରିଚାଳନା ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୁପ ରାଜ୍ୟ ସରକାର ସ୍ଥାନ ଭିତ୍ତିକ ଅଧ୍ୟୟନ କାର‌୍ୟ୍ୟ ଆରମ୍ଭ କରିଛନ୍ତି। ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀର ଉତ୍କର୍ଷ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପ୍ରଥମ ସ୍ଥାନ ଭିତ୍ତିକ ଗବେଷଣା ସଂକଳନକୁ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଉନ୍ମୋଚନ କରିଛନ୍ତି। ଏଥି ପାଇଁ ରାଜ୍ୟ ଲୋକସେବା ଭବନ ସଭାଗୃହରେ ଆୟୋଜିତ ବୈଠକରେ ଗୋପବନ୍ଧୁ ଏକାଡ଼େମୀର ମହା ନିର୍ଦ୍ଦେଶକ ଶ୍ରୀମତୀ ରଂଜନା ଚୋପ୍ରା ଏବଂ ୟୁନିସେଫ୍ର ରାଜ୍ୟ ମୁଖ୍ୟ ଡ଼ଃ ମୋନିକା ନିଲେସନ୍ ଯୋଗ ଦେଇଥିଲେ।

ଉତ୍କର୍ଷ କେନ୍ଦ୍ରର ଏତାଦୃଶ ସୃଜନାତ୍ମକ ପ୍ରଚେଷ୍ଟା ପାଇଁ ଗବେଷକମାନଙ୍କୁ ସାଧୁବାଦ ଜଣାଇବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏ ପ୍ରକାର ଅଧ୍ୟୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ଏସବୁ ଅଧ୍ୟୟନ ମାଧ୍ୟମରେ ଜନ-ସମୁଦାୟମାନଙ୍କର ଆବଶ୍ୟକତା, ଆକାଂକ୍ଷା ଏବଂ ଉନ୍ନୟନମୂଳକ କାର‌୍ୟ୍ୟକ୍ରମରେ ଥିବା କ୍ଷେତ୍ରସ୍ତରୀୟ ଗୁରୁତ୍ୱପୂର୍ଣ୍ଣ-ଶୂନ୍ୟତା (କ୍ରିଟିକାଲ୍ ଗ୍ୟାପ୍) ଆଦି ଜାଣି ହେବ। ଅଧ୍ୟୟନର ଫଳାଫଳ ଅଧିକାରୀମାନଙ୍କ ତାଲିମ ନିମନ୍ତେ ଅତି ଉପାଦେୟ ଦେବା ସହ ଏବଂ ଅନ୍ୟତ୍ର ପ୍ରୟୋଗ ନିମନ୍ତେ ବିଭିନ୍ନ ପ୍ରକଳ୍ପ ନମୁନା ପ୍ରସ୍ତୁତିରେ ସହାୟକ ହେବବୋଲି ଶ୍ରୀ ମହାପାତ୍ର କହିଥିଲେ।

ଅଧ୍ୟୟନରୁ ପ୍ରାପ୍ତ ତଥ୍ୟ ଓ ଉପସଂହାର ବିଷୟରେ ସଂପୃକ୍ତ ବିଭାଗମାନଙ୍କ ସହ ଆଲୋଚନାତ୍ମକ ଅନୁଶୀଳନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଗୋପବନ୍ଧୁ ଏକାଡ଼େମୀଙ୍କୁ ପରାମର୍ଶ ଦେଇଥିଲେ। ଏହା କ୍ଷେତ୍ରସ୍ତରୀୟ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସହଯୋଗିତା-ଭିତ୍ତିକ ଯୋଜନା ଓ ପ୍ରକଳ୍ପ ପ୍ରସ୍ତୁତି ଦିଗରେ ସହାୟକ ହେବ।

ମହାନିର୍ଦ୍ଦେଶକ ଶ୍ରୀମତୀ ଚୋପ୍ରା କହିଥିଲେ ଯେ ରାଜ୍ୟ ସରକାରଙ୍କ ପାଣ୍ଠି ଏବଂ ୟୁନିସେଫ୍ଙ୍କ ବୈଷୟିକ ସହଯୋଗିତାରେ ୨୦୨୧ ମସିହାରୁ ଗୋପବନ୍ଧୁ ଏକାଡ଼େମୀର ଉତ୍କର୍ଷ କେନ୍ଦ୍ର ରାଜ୍ୟ ତାଲିମ ନିୟାମକ ଅନୁସାରେ କାର‌୍ୟ୍ୟ କରୁଛି। ଏହାର ପ୍ରଥମ ସଂକଳନ ବର୍ତ୍ତମାନ ପ୍ରକାଶିତ ହେଲା । ଏହି ସଂକଳନ ଉଭୟ ଉନ୍ନୟନମୂଳକ-ପ୍ରଶାସନ ଏବଂ ଅଧିକାରୀ ମାନଙ୍କ ତାଲିମର ଗୁଣାତ୍ମକ ବିକାଶରେ ବ୍ୟବହୃତ ହେବ।

ୟୁନିସେଫ୍ ରାଜ୍ୟ ମୁଖ୍ୟ ଡ଼ଃ ମୋନିକା କହିଥିଲେ ଯେ ସ୍ଥାନ ଭିତ୍ତିକ ଗବେଷଣା ପଦ୍ଧତି ନେଇ କାର‌୍ୟ୍ୟ କରୁଥିବା ଉତ୍କର୍ଷ କେନ୍ଦ୍ର ସାରା ଦେଶରେ ପ୍ରଥମ। ଗୋପବନ୍ଧୁ ଏକାଡ଼େମୀର ଏହି କେନ୍ଦ୍ର ସହ ୟୁନିସେଫ୍ ନିଜର ସହଯୋଗିତା ବଜାୟ ରଖିବ।

ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ଡ଼ଃ ଶଶାଙ୍କ ଗ୍ରହାଚାର‌୍ୟ୍ୟ କହିଥିଲେ ଯେ ବିବିଧ ବିଷୟରେ ୧୯ ଟି ଫଳାଫଳ ଭିତ୍ତିକ ଗବେଷଣା ଏହି ସଂକଳନରେ ସ୍ଥାନିତ ହୋଇଛି । ଆଦର୍ଶ ବିଦ୍ୟାଳୟର କାର‌୍ୟ୍ୟକାରିତା, ମହିଳା ବୁଣାକାରଙ୍କ ରୋଜଗାର ଉପରେ କୋଭିଡ୍-୧୯ ର ପ୍ରଭାବ, ସିକଲ୍ ସେଲ୍ର ପ୍ରଥମାବସ୍ଥାରୁ ନିର୍ଣ୍ଣୟ ଓ ଚିକିତ୍ସା , ଉପକୂଳ ଅଞ୍ଚଳରେ ମତ୍ସ୍ୟଜିବୀ ସମୁଦାୟ, ମାନସିକ ଅନଗ୍ରସର ପିଲାମାନଙ୍କର ଯତ୍ନ ଓ ଶିକ୍ଷା, ସ୍ୱାଧାର ଗୃହର କାର‌୍ୟ୍ୟକାରିତା, କିଶୋରୀମାନଙ୍କ ମଧ୍ୟରେ ରକ୍ତହୀନତା, ଧାନ ସଂଗ୍ରହ, ଅପପୁଷ୍ଟିର ସମାଧାନ, ବନ୍ୟଜନ୍ତୁ ଶିକାର ନିରାକରଣ, ଜନସମୁଦାୟ ସ୍ତରରେ ନୂତନ ଜିବୀକା ନିର୍ବାହ ପନ୍ଥା ଆଦି ପ୍ରମୁଖ ବିଷୟ ଏଥିରେ ସ୍ଥାନିତ ହୋଇଛି।

ଡ଼ଃ ଶଶାଙ୍କ ଗ୍ରହାଚାର୍ଯ୍ୟ, ପଦ୍ମଜା ପତି, ସୌମ୍ୟ ବାନାର୍ଜୀ, ରଶ୍ମିତା ବେହେରା ଏବଂ ଅମର୍ତ୍ୟ କ୍ରିଷ୍ଣା ରାୟ ଆଦି ଗବେଷକମାନଙ୍କୁ ନେଇ ଗଠିତ ଉତ୍କର୍ଷ କେନ୍ଦ୍ରର ଗବେଷଣା ଟିମ୍ଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି। ସଂକଳନଟିକୁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ଏବଂ ୟୁନିସେଫ୍ଙ୍କ ଦ୍ୱାରା ଯୌଥ ଭାବେ ପ୍ରକାଶନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଡିସେମ୍ବର ସୁଦ୍ଧା ଶେଷ ହେବ ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପ, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଏକ ଆକର୍ଶଣୀୟ ଐତିହାସିକ ଓ ସାଂସ୍କୃତିକ ସ୍ଥାନରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯଇଥିବା ପ୍ରକଳ୍ପର କାର‌୍ୟ୍ୟାୟନରେ ବେଶ ଅଗ୍ରଗତି ହୋଇଛି। ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି।

ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ କାମର ଅଗ୍ରଗତି ସମୀକ୍ଷା କରି ଚଳିତ ବର୍ଷ ଡ଼ିସେମ୍ବର ୩୦ ସୁଦ୍ଧା ସମସ୍ତ ନିର୍ମାଣ କାମ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ସଂଗ୍ରହାଳୟରେ ଗୋପବନ୍ଧୁଙ୍କ ରଚିତ ପୁସ୍ତକ, ତାଙ୍କର କର୍ମମୟ ଜୀବନ, ସମର୍ପିତ ସେବା, ବନ ବିଦ୍ୟାଳୟରେ ଶିକ୍ଷାଦାନ, ସ୍ୱାଧିନତା ଆଲୋଚନାରେ ସକ୍ରିୟ ଭୁମିକା ଏବଂ ତତ୍କାଳୀନ ସମୟ ସମ୍ବନ୍ଧିତ ସ୍ମାରକୀମାନ ସ୍ଥାନିତ କରିବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଗୋପବନ୍ଧୁଙ୍କ ଷଠୀଘର ଥିବା ପୈତୃକ ଗୃହର ସଂରକ୍ଷଣ କାର‌୍ୟ୍ୟ ସଠିକ୍ ଭାବେ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ଜନ୍ମପୀଠ ଓ ସଂଗ୍ରହାଳୟକୁ ଏକ ଆକର୍ଶଣୀୟ ପର‌୍ୟ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏଥି ପାଇଁ ପର‌୍ୟ୍ୟଟକ ସୁବିଧାକେନ୍ଦ୍ର, ସୂଚନା କେନ୍ଦ୍ର, ଜାତୀୟ ରାଜପଥ ନିକଟରେ ସୁଦୃଶ୍ୟ ହୋଡିଂ, ଆଦି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜନ୍ମପୀଠ ସହ, କରାଯାଉଥିବା ବିଭିନ୍ନ ସୁବିଧାର ଉତ୍ତମ ରକ୍ଷଣାବେକ୍ଷଣ ଓ ପରିଚାଳନା କାର‌୍ୟ୍ୟରେ ସ୍ଥାନୀୟ ଲୋକ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ସୁଆଣ୍ଡୋ ଗ୍ରାମ ନିକଟସ୍ଥ ଭାର୍ଗବୀ ନଦୀରେ ନଦୀ-ସମ୍ମୁଖ ବିକାଶ ସହ ଭାସମାନ ଜେଟ୍ଟି ଏବଂ ନୌବିହାର ସୁବିଧା କରାଇବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏହା ଅଧିକ ସଂଙ୍ଖ୍ୟକ ପର‌୍ୟ୍ୟଟକମାନଙ୍କୁ ଆକର୍ଷିତ କରିବ ଏବଂ ସ୍ଥାନୀୟ କିଛି ଲୋକଙ୍କ ପାଇଁ ଆଉ ଏକ ଜିବୀକା ନିର୍ବାହ ପନ୍ଥା ସୃଷ୍ଟି କରିବ।

ପ୍ରକଳ୍ପର ସଦ୍ୟତନ ସ୍ଥିତି ଉପସ୍ଥାପନ କରି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୁଦନ ପାଢ଼ୀ ଜଣାଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ଉତ୍କଳମଣିଙ୍କ ଷଠୀଘର ଥିବା ପୈତୃକ ଗୃହର ସଂରକ୍ଷଣ ଏବଂ ସଂଗ୍ରହାଳୟ ନିର୍ମାଣ ପ୍ରାୟ ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି। ଘର ପାଖରେ ଥିବା ପୁଷ୍କରଣୀର ବିକାଶ ମଧ୍ୟ କରାଯାଇଛି। ଶିବ ମନ୍ଦିର ନିର୍ମାଣ କାର‌୍ୟ୍ୟ ତ୍ୱରାନ୍ୱିତ ହୋଇଛି।

ରାସ୍ତା ପାର୍ଶ୍ୱ ସୁବିଧା କେନ୍ଦ୍ର, ଫୁଡ୍ କୋର୍ଟ ଏବଂ ସୂଚନା କେନ୍ଦ୍ରର କାର‌୍ୟ୍ୟ ମଧ୍ୟ ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି। ପୈତୃକ ବାସସ୍ଥାନରେ ସ୍ଥାପନ କରାଯିବାକୁ ଥିବା ୧୫ ଫୁଟର ସୁନ୍ଦର ପ୍ରତିମୂର୍ତ୍ତି ଏବଂ ଏହାର ପ୍ଲାଟ୍ଫର୍ମ କାର‌୍ୟ୍ୟ ଆଗେଇ ଚାଲିଛି। ବର୍ତ୍ତମାନ ସୁଆଣ୍ଡୋ ଗ୍ରାମ ରାସ୍ତାର ବିକାଶ ଏବଂ ଗ୍ରାମରେ ଭୁତଳ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କାର‌୍ୟ୍ୟ ଚାଲୁରହିଛି।

ଶ୍ରୀ ପାଢ଼ୀ ଆହୁରି ମଧ୍ୟ କହିଥିଲେ ଯେ ସମୁଦାୟ ପ୍ରକଳ୍ପରେ ପ୍ରାୟ ୨୫.୨୫ କୋଟି ଟଙ୍କା ବିନିଯୋଗ କରାହେଉଛି। ଏଥି ପାଇଁ ଓଡ଼ିଶା ଖଣି ନିଗମ ଆର୍ଥିକ ସହାୟତା ଯୋଗାଉଛନ୍ତି। ଇତି ମଧ୍ୟରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ ସ୍ମାରକୀ ଟ୍ରଷ୍ଟ ମଧ୍ୟ ଗଠନ କରାଯାଇଛ।

ଚଳିତ ବର୍ଷ ଡ଼ିସେମ୍ବର ଶେଷସୁଦ୍ଧା ପ୍ରକଳ୍ପ ଅନ୍ତର୍ଗତ ସମସ୍ତ କାମ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ପୀଠର ପରିଚ୍ଛନତା, ପରିଚାଳନା ଓ ରକ୍ଷଣାବେକ୍ଷଣ ସମ୍ବନ୍ଧିତ ବିଷୟ ବୈଠକରେ ସବିଶେଷ ଭାବେ ଆଲୋଚନା ହୋଇଥିଲା। ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ନିମନ୍ତେ ଓଡ଼ିଶା ଖଣି ନିଗମ ଆର୍ଥିକ ସହାୟତା ଦେବେ ବୋଲି ବୈଠକରେ ସ୍ଥିର ହୋଇଥିଲା।

ଇସ୍ପାତ୍ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଂଜନ ଦାସଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୁରୀର ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ସ୍ଥିତି ଅବଗତ କରାଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ, ଅକ୍ଟୋବର ୨୮ ରେ ମୁଖ୍ୟ ଉତ୍ସବ

ଭୁବନେଶ୍ୱର: ୧୯୭୨ ମସିହାରେ ଧଉଳି ପାହାଡରେ ପ୍ରତିଷ୍ଠିତ ବିଶ୍ୱବିଦିତ ଶାନ୍ତିସ୍ତୁପ ଏବଂ ବୌଦ୍ଧ ପୁଣ୍ୟପୀଠ ଚଳିତ ବର୍ଷ ୫୦ ବର୍ଷ ପୁରଣ କରୁଛି । ଏହାକୁ ସ୍ମରଣୀୟ କରିବା ନିମନ୍ତେ ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି।

ଏହି ଉପଲକ୍ଷେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ଉତ୍ସବ ପାଳନ ସମ୍ବନ୍ଧିତ କାର୍ଯ୍ୟକ୍ରମ ଏବଂ ପରିଚାଳନା ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ।

ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଦିନ ମୁଖ୍ୟ ଉତ୍ସବ ପାଳନ ନିମନ୍ତେ ସ୍ଥିର ହୋଇଥିଲା। ଏଥିରେ ପୃଥିବୀର ବିଭିନ୍ନ ଦେଶରୁ ପ୍ରାୟ ୧୫୦ ବୌଦ୍ଧ ସନ୍ୟାସୀ ଯୋଗ ଦେବାର ସମ୍ଭାବନା ଅଛି । ମୁଖ୍ୟ ଉତ୍ସବ ଦିନ ଭୁବନେଶ୍ୱରରୁ ଧଉଳି ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହେବ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଶାନ୍ତି ସ୍ତୁପ ଓଡ଼ିଶାର ଅନ୍ୟଏକ ପରିଚୟ । ଓଡ଼ିଶା ସରକାର ଏବଂ କଳିଙ୍ଗ ନିପ୍ପୋନ୍ ବୁଦ୍ଧ ସଂଘ ସହଭାଗିତାରେ ପ୍ରତିଷ୍ଠିତ ଏହି କିର୍ତ୍ତୀସ୍ତମ୍ଭ ବହୁସଂଙ୍ଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ତେଣୁ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ଆର୍ଥିକ ଏବଂ ପ୍ରଶାସନିକ ସହଯୋଗ ଯୋଗାଇ ଦିଆଯିବ।

ବର୍ତ୍ତମାନ ଓଡ଼ଶା ସରକାରଙ୍କ ତରଫରୁ ପ୍ରାୟ ୧.୮୭ କୋଟି ଟଙ୍କା ବ୍ୟୟବରାଦରେ କରାଯାଉଥିବା ଶାନ୍ତିସ୍ତୁପ ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚଳିତ ମାସ ଶେଷସୁଦ୍ଧା ସାରିବା ପାଇଁ ଶ୍ରୀ ମହାପାତ୍ର ପୁର୍ତ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶାନ୍ତିସ୍ତୁପକୁ ସଂଯୋଗ କରୁଥିବା ରାସ୍ତାର ନବୀକରଣ ଓ ଆଲୋକିକରଣ କାର୍ଯ୍ୟ ଉତ୍ସବର ବହୁ ଆଗରୁ ସାରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଉପସ୍ଥିତ ପଦ୍ମବିଭୁଷଣ ଶ୍ରୀ ସୁଦର୍ଶନ ସାହୁ କହିଥିଲେ ଯେ ସଂରକ୍ଷଣ କାର୍ଯ୍ୟ ଦେଖିବା ପାଇଁ ଜାପାନରୁ ଆସିଥିବା ବୈଷୟିକ ଯନ୍ତ୍ରୀମାନେ ଓଡ଼ିଶା ସରକାରଙ୍କ ଦ୍ୱାରା କରାଯାଉଥିବା ଗୁଣାତ୍ମକମାନ କାର୍ଯ୍ୟର ପ୍ରଶଂସା କରିଥିଲେ। ଧଉଳିର ମୁଖ୍ୟ ସନ୍ୟାସୀ ମଧ୍ୟ ଏହି କାର୍ଯ୍ୟର ମାନ ଏବଂ ଅଗ୍ରଗତି ବିଷୟରେ ସନ୍ତୋଷ ପ୍ରକାଶ କରିଥିଲେ।

ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ମଞ୍ଚ ପ୍ରସ୍ତୁତି, ସାଜସଜ୍ଜା, ବିଭିନ୍ନ ଦେଶରୁ ଆସୁଥିବା ସନ୍ୟାସୀ ଓ ପ୍ରତିନିଧି ମାନଙ୍କର ଆଗମନ, ରହଣୀ, ଉତ୍ସବରେ ଯୋଗଦାନ, ଆତିଥ୍ୟ ଆଦି ବିଷୟରେ ସବିଶେଷ ଯୋଜନା ଏବଂ ଖର୍ଚ୍ଚ ଆକଳନ କରି ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦାଖଲ କରିବା ପାଇଁ ଶ୍ରୀ ମହାପାତ୍ର ସ୍ଥାନୀୟ ଧଉଳି ଉନ୍ନୟନ କମିଟିଙ୍କୁ ପରାମର୍ଶ ଦେଇଥିଲେ। ଏହି କମିଟି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ।

ଧଉଳିରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରକାର ପର୍ଯ୍ୟଟକ ସୁବିଧା କେନ୍ଦ୍ର, ରାସ୍ତା ଆଲୋକ ଆଦିର ରକ୍ଷଣା ବେକ୍ଷଣ ଓ ପରିସରର ପରିଚ୍ଛନ୍ନତା ଆଦି କାର୍ଯ୍ୟ ନିୟମିତ ଭାବେକରିବା ପାଇଁ ଏହି ସ୍ଥାନୀୟ କମିଟିଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କମିଟି ପ୍ରବେଶ ଟିକେଟ ଓ ପାର୍କିଂ ଟିକେଟ ଆଦିରୁ ସଂଗୃହିତ ରାଶି ବିନିଯୋଗ କରିବେ।

ଶାନ୍ତିସ୍ତୁପ ପାଦଦଶ ପ୍ଲାଟଫର୍ମର ନବୀକରଣ, ଆଲୋକ ଏବଂ ଶବ୍ଦ ପ୍ରଦର୍ଶନୀର ନବୀକରଣ ଏବଂ ପୁନଃଆରମ୍ଭ ଦୁରରୁ ସ୍ତୁପର ଦୃଶ୍ୟକୁ ଅବରୋଧ କରୁଥିବା ବୃକ୍ଷଡାଳ ଆଦିର ସଜ୍ଜୀକରଣ, ରାସ୍ତା ଆଲୋକିକରଣ, ହସ୍ତଶିଳ୍ପ ବଜାର ଏବଂ ସପିଂକମ୍ପେଲକ୍ସକୁ ବ୍ୟବସାୟ ଅନୁକୁଳ ଉପଯୁକ୍ତ ଯାଗାକୁ ସ୍ଥାନାନ୍ତରଣ ଆଦି ବିଷୟରେ ଆଲୋଚନା ହୋଇ ସେସବୁର ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା।

ପଦ୍ମ ବିଭୁଷଣ ସୁଦର୍ଶନ ସାହୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସଙ୍କ ସମେତ ଧଉଳିର ମୁଖ୍ୟ ସନ୍ୟାସୀ ଓ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା ସରକାର ଏବଂ ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ସ୍ବାକ୍ଷରିତ ହେଲା ବୁଝାମଣାପତ୍ର, ଜାଣନ୍ତୁ କଣ 

ଭୁବନେଶ୍ୱର: ଉତ୍ତମ ସେବା ଯୋଗାଣ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ରାଷ୍ଟ୍ରାୟତ୍ତ ସଂପତ୍ତି ମୁଦି୍ରକରଣ ଓ ପୁନଃବିନିଯୋଗ ପାଇଁ ଆଜି ରାଜ୍ୟ ସରକାର ଏବଂ ବିଶ୍ୱ ବ୍ୟାଙ୍କର ଆନ୍ତର୍ଜାତିକ ଅର୍ଥ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ରାଜ୍ୟ ଲୋକସେବା ଭବନ ସଭାଗୃହଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହା ସାର୍ବଜନୀନ ସଂପତ୍ତିର ବୃତ୍ତିଗତ ଆର୍ଥିକ ପରିଚାଳନା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ବିଶେଷ ସହାୟକ ହେବ । ଏହା ମାଧ୍ୟମରେ ସାର୍ବଜନୀନ ସଂପତ୍ତିର ଏକ ବୃହତ ରାଶି ବେସରକାରୀ ପୁଂଜିବିନିଯୋଗକୁ ବ୍ୟାପକ କରିବ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ବୁଝାମଣାପତ୍ର ଅନୁସାରେ ରାଷ୍ଟ୍ରାୟତ୍ତ ଅଚଳ ସଂପତ୍ତିଗୁଡ଼ିକର ମୁଦି୍ରକରଣ ଓ ସେଥିରେ ଘରୋଇ ପୁଂଜିବିନିଯୋଗ ପ୍ରକ୍ରିୟାକୁ ସରଳ କରିବା ପାଇଁ ଆଇଏଫ୍‌ସି ବୈଷୟିକ ଓ ବୃତ୍ତିଗତ ସହାୟତା ଯୋଗାଇବ। ଏହା ରାଜ୍ୟର ଶିଳ୍ପ ଭିତ୍ତିଭୂମି ଓ ଶିଳ୍ପାନ୍ୱୟନ ବାତାବରଣ ବିକାଶରେ ବିଶେଷ ସହାୟକ ହେବ।

ଏହା ମଧ୍ୟ ଖୋଲାବଜାରରୁ ଋଣ ଉଠାଣ ଆବଶ୍ୟକତାକୁ ବହୁଭାବେ ହ୍ରାସ କରିବ ଓ ଭିତ୍ତିଭୂମି ବିକାଶ ପାଇଁ ଆର୍ଥିକ ବ୍ୟବଧାନ ଦୂର କରିବ । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଏହି ପ୍ରଚେଷ୍ଟା ଘରୋଇ ପୁଂଜିବିନିଯୋଗ ଓ ଅଧିକ କର୍ମନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ବିଶେଷ ସହାୟକ ହେବ ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ପୂର୍ତ୍ତ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଶିଳ୍ପ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଓଡ଼ିଶା ସରକାରଙ୍କ ତରଫରୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଓ ଆନ୍ତର୍ଜାତିକ ଅର୍ଥ ନିଗମର ସର୍ବଭାରତୀୟ ଅଧିକାରୀ ସୁଶ୍ରୀ ରୋଶିକା ସିଂହ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିନ୍ତା ବଢାଇଲାଣି କରୋନା ଆକ୍ରାନ୍ତ ସଂଖ୍ୟା, ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ୱର: ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି । ତେବେ ସହରାଞ୍ଚଳମାନଙ୍କରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଟିକାକରଣ, ସଚେତନତା ଏବଂ ସଠିକ୍ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ଆରୋପ କରିଛନ୍ତି ।

ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ଼୍ ସ୍ଥିତି ସମୀକ୍ଷା କରି ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ବିଷୟରେ ନିର୍ଦ୍ଦେଶମାନ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ କୋଭିଡ଼୍ ସଂକ୍ରମଣ ଓ ପରିଚାଳନା ସମ୍ବନ୍ଧିତ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଆସନ୍ତା କାଲି ୧୫ ତାରିଖରୁ ୧୮-୫୯ ବର୍ଷ ଲୋକଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ କରିବା, ଦୈନିକ କୋଭିଡ଼୍ ପରୀକ୍ଷା ସଂଖ୍ୟା ବଢ଼ାଇବା କଲ୍ ସେଣ୍ଟରକୁ ୨୪x ୭ ଭିତ୍ତିରେ କାର୍ଯ୍ୟକ୍ଷମ କରାଇବା ଏବଂ ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବିଭିନ୍ନ ଇଞ୍ଜିନିଅରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନ ଆଦିରେ ଛାତ୍ରଛାତ୍ରୀମାନଙ୍କର ଟିକାକରଣ ସହ ସହରାଞ୍ଚଳମାନଙ୍କରେ ୧୮ ରୁ ୫୯ ବର୍ଷ ଲୋକଙ୍କ ପାଇଁ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସହରାଞ୍ଚଳରେ ପ୍ରତି ୱାର୍ଡ଼ ଏବଂ ଗ୍ରାମାଞ୍ଚଳରେ ଗ୍ରାମ ଓ ପଂଚାୟତୱାରୀ ଟିକାକରଣ କାର୍ଯ୍ୟଯୋଜନା କାର୍ଯ୍ୟାନ୍ୱୟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଜନ ପ୍ରତିନିଧି, ସେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ ସାମିଲ କରିବାକୁ ଉନ୍ନୟନ କିମିଶନର ଶ୍ରୀ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟରେ ଆଇ.ଏଲ୍.ଆଇ. ଏବଂ ସାରି ରୋଗର ସଂନୀରକ୍ଷଣକୁ ସଘନ କରିବା ସହ ଲୋକମାନଙ୍କ ମଧ୍ୟରେ କୋଭିଡ଼୍ ନିରୋଧି ବ୍ୟବହାରିକ ଢ଼ଙ୍ଗି ଯଥା ମାସ୍କ ପରିଧାନ, ପରସ୍ପରଠାରୁ ଶାରିରୀକ ଦୁରତା, ଭିଡ଼୍ ମଧ୍ୟକୁ ନଯିବା, ଅଯଥା ଗହଳି ସୃଷ୍ଟି ନକରିବା ଆଦି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଟିକାକରଣ କେନ୍ଦ୍ରର ଅବସ୍ଥିତି ଓ ସମୟ, କଲ୍ସେଣ୍ଟର ଓ ସହାୟତା କେନ୍ଦ୍ରର ନମ୍ବର ଏବଂ କୋଭିଡ଼୍ ଚିକିତ୍ସା ସୁବିଧା ବିଷୟରେ ଲୋକମାନଙ୍କୁ ସଠିକ୍ ସୂଚନାପ୍ରଦାନ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।

ସମୀକ୍ଷାରୁ ଜଣାପଡିଥିଲା ଯେ ବର୍ତ୍ତମାନ ରାଜ୍ୟରେ ସମୁଦାୟ ୪୨୬୨ ଆକ୍ଟିଭ୍ କୋଭିଡ଼୍ କେସ୍ ଅଛି । ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ପିଲାଙ୍କ ସଂଙ୍ଖ୍ୟା ୭୧ । ସଂକ୍ରମିତମାନେ ମୁଖ୍ୟତଃ ହୋମ୍ ଆଇସୋଲେସନ୍ ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୩୯ ଜଣ ଚିକିତ୍ସା ପାଇଁ ହସ୍ପିଟାଲରେ ଆଡମିସନ୍ ହୋଇଛନ୍ତି । ପ୍ରତ୍ୟେକ ମେଡ଼ିକାଲ କଲେଜ ଏବଂ ଜିଲ୍ଲା ଚିକିତ୍ସାଳୟରେ ସ୍ୱତନ୍ତ୍ର କୋଭିଡ଼୍ ୱାର୍ଡ ବ୍ୟବସ୍ଥା କରାଯାଇଛି । ଆବଶ୍ୟକତା ଅନୁସାରେ ହସ୍ପିଟାଲ ଏବଂ ବେଡ୍ ସଂଖ୍ୟା ବଢ଼ାଇବା ପାଇଁ ପ୍ରତି ଜିଳ୍ଲା ପ୍ରସ୍ତୁତ ଅଛି । ଜୁଲାଇ ୧୫ ତାରିଖରୁ ୧୮ ରୁ ୫୯ ବର୍ଷ ବୟସ୍କ ନିମନ୍ତେ ମାଗଣା ବୁଷ୍ଟର ଡ଼ୋଜ୍ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି କରାଯାଉଛି ।

ଉନ୍ନୟନ କମିାନର ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ଶ୍ରୀ ସଂଜୀବ ଚେପ୍ରା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀଗଣ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଳ୍ଲାପାଳ ଏବଂ ପୌର ପରିଷଦ କମିଶନରମାନେ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ନିଜ ନିଜ ଅଂଚଳର କୋଭିଡ଼୍ ସ୍ଥିତି ଓ ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ସଦ୍ୟତନ ସୂଚନା ଦେଇଥିଲେ

Categories
ବିଶେଷ ଖବର ରାଜ୍ୟ ଖବର

ସମ୍ବଲପୁର ଜିଲ୍ଲାକୁ ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର କରିବାକୁ ମୁଖ୍ୟ ଶାସନ ସଚିବ ଦେଲେ ଏହି ନିର୍ଦ୍ଦେଶ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅପରାହ୍ନରେ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ବିଭାଗରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରସିଦ୍ଧ ହୀରାକୁଦ ନଦୀବନ୍ଧ ,ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଏବଂ ଆଇଲାଣ୍ଡ କୁ କିଭଳି ପର୍ଯ୍ୟଟକଙ୍କ ନିମନ୍ତେ ଅଧିକ ଆକର୍ଷଣୀୟ କରାଯାଇ ପାରିବ ତା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।

ସମୀକ୍ଷାରେ ମୁଖ୍ୟତଃ କଟକ -ଅନୁଗୁଳ , ଅନୁଗୁଳ -ସମ୍ବଲପୁର ଜାତୀୟ ରାଜପଥ, ଜଳ ସମ୍ପଦ ବିଭାଗର ମେଗା ଲିଫ୍ଟ ପ୍ରକଳ୍ପ, ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ପୂର୍ତ୍ତ ବିଭାଗ ରାସ୍ତା ଆଦି ବିଷୟ ସ୍ଥାନ ପାଇ ଥିଲା। ମୁଖ୍ୟ ରାସ୍ତା ଗୁଡ଼ିକର କାର୍ଯ୍ୟ ତୁରନ୍ତ ସାରିବାକୁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ପୂର୍ଣ୍ଣାଙ୍ଗ ନିମନ୍ତେ ସମୟସୀମା ଧାର୍ଯ୍ୟକରି ସେହି ଅନୁସାରେ ସାପ୍ତାହିକ ଓ ମାସିକ କାର୍ଯ୍ୟ – ସାରଣୀ ପ୍ରସ୍ତୁତ ଓ ତାହାର ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରେ ପରେ ଶ୍ରୀ ମହାପାତ୍ର ମା ସମଲେଇଙ୍କୁ ଦର୍ଶନ କରି ସେଠାରେ ଚାଲିଥିବା ଉନ୍ନୟନ କାର୍ଯ୍ୟପାଇଁ ପ୍ରସ୍ତୁତିର ଅଗ୍ରଗତି ଲକ୍ଷ୍ୟ କରିଥିଲେ। ମନ୍ଦିରରେ ଲାଇଟ ଏବଂ ସାଉଣ୍ଡ ସୋ ର ସଠିକ କାର୍ଯ୍ୟକାରିତା ତନଖି ଥିଲେ। ଏହି ଆଲୋକ ଓ ଧ୍ଵନି ପ୍ରଦର୍ଶନ ରେ ସମ୍ବଲପୁର ଇତିହାସ, ଐତିହ, କଳା, ସଂସ୍କୃତି, ଆଧ୍ୟାତ୍ମିକତା, କୃଷି, ଲୋକ ପରମ୍ପରା ଉପରେ ଆଧାରିତ କଥାବସ୍ତୁ ରଙ୍ଗୀନ ଆଲୋକ ଓ ଶବ୍ଦ ଦ୍ୱାରା ସନ୍ନିବେଶିତ ହୋଇଛି।

ଏଥିରେ ମଧ୍ୟ ସମ୍ବଳିକା ସମ୍ପର୍କରେ ଗ୍ରିକ ଦାର୍ଶନିକ ଟଲେମିଙ୍କ ଉଲ୍ଲେଖ ଠାରୁ ଆରମ୍ଭ କରି ଚୌହାନ ଵଂଶର ଆଗମନ, ବଳରାମ ଦେବଙ୍କ ଦ୍ୱାରା ସମଲେଇ ମନ୍ଦିର ନିର୍ମାଣ ଓ ସମ୍ବଲପୁର ନଗର ସ୍ଥାପନ, ବ୍ରିଟିଶ ରାଜ, ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ଆଦି ବିଭିନ୍ନ ଐତିହାସିକ କଥାବସ୍ତୁ ସ୍ଥାନିତ ହୋଇଛି। ଏହି ଲାଇଟ ଏବଂ ସାଉଣ୍ଡ ପ୍ରଦର୍ଶନ କୁ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ପରିବେଷଣ ର ବ୍ୟବସ୍ଥା ରହିଛି। ଏ ପ୍ରକାର ରୁଦ୍ଧିମନ୍ତ ଲାଇଟ୍ ଓ ସାଉଣ୍ଡ ସୋ ପ୍ରସ୍ତୁତି ଓ ପରିବେଷଣ ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।

ଏହି ଗସ୍ତ ସମୟରେ ଅନ୍ୟ ମାନଙ୍କ ସହ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଚଳିତ ମାସ ଶେଷ ସୁଦ୍ଧା ୨ୟ ବ୍ରାହ୍ମଣୀ ସେତୁକୁ ଯାତାୟାତ ଉପଯୋଗୀ କରିବାକୁ ନିର୍ଦ୍ଦେଶ ଦେଲେ ସିଏସ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦ୍ଵିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲ। ଆଜି ପୂର୍ବାହ୍ନରେ ସେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ।

କ୍ଷେତ୍ର ପରିଦର୍ଶନ କରିବା ପରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ବ୍ରାହ୍ମଣୀ ନଦୀ ଉପରେ ଯେଉଁ ଦ୍ୱିତୀୟ ସେତୁ ନିର୍ମାଣ ଚାଲିଛି ତାହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜନସାଧାରଣଙ୍କ ସୁବିଧା ପାଇଁ ଏହି ସେତୁର ଗୋଟିଏ ପାର୍ଶ୍ୱକୁ ଚକିତ ମାସ ଶେଷ ସୁଦ୍ଧା ଯାତାୟାତ ଉପଯୋଗୀ କରାଯିବ। ଜୁନ୍ ମାସ ଶେଷ ସୁଦ୍ଧା ଏହି ସେତୁକୁ ୬ ଲେନ୍ ବିଶିଷ୍ଟ କରି ପୂର୍ଣ୍ଣାଙ୍ଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେଏହି ସେତୁ ସମ୍ପୂର୍ଣ୍ଣ ହେବାପରେ ରାଉରକେଲା ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରିବ। ଭାରିଯାନଗୁଡ଼ିକ ସହର ଭିତରକୁ ନଆସି ବାଇପାସ୍ ରାସ୍ତା ଦେଇ ଯାତାୟତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ଫଳରେ ପ୍ରଦୂଷଣ ମଧ୍ୟ ନିୟନ୍ତ୍ରଣ ହୋଇପାରିବ ।

ସୂଚନାଯୋଗ୍ୟ, ୨୦୨୩ରେ ହେବାକୁ ଥିବା ପୁରୁଷ ବିଶ୍ୱକପ୍ ହକିକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଉନ୍ନୟନମୂଳକ କାମ ସହିତ ସୌନ୍ଦର୍ଯ୍ୟକରଣ କାମ କରାଯାଉଛି। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏହିସବୁ କାର୍ଯ୍ୟ ବୁଲି ଦେଖିଥିଲେ।

ମୁଖ୍ୟତଃ ସେ କୋଏଲନଗରସ୍ଥିତ ବୈକୁଣ୍ଠ ଘାଟ ନିକଟରେ ନିର୍ମାଣାଧୀନ ରିକ୍ରିଏସନାଲ ପାର୍କ, ଟ୍ରାଫିକ ଗେଟ୍ ନିକଟରେ ଚାଲିଥିବା ପାର୍କିଂ ସ୍ଥଳ ଓ ପାନପୋଷଠାରେ ବହୁତଳ ମାର୍କେଟ କଂପ୍ଲେକ୍ସର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। କାମର ଗୁଣାତ୍ମକ ମାନ ବଜାୟ ରଖି ଏହିସବୁ ପ୍ରକଳ୍ପ ନିର୍ମାଣ ନିର୍ଦ୍ଧାରିତ ସମୟ ସୀମା ଭିତରେ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାଉରକେଲା ଗସ୍ତ ସାରି ମୁଖ୍ୟ ଶାସନ ସଚିବ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଏବଂ ଲହୁଣୀପଡ଼ା ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ। କୋଇଡ଼ା ବ୍ଲକର ଟେନସା ହିଲ ଟପ୍ ନେଚର କ୍ୟାମ୍ପକୁ ଯାଇ ସେଠାରେ ପର୍ଯ୍ୟଟକମାନଙ୍କୁ ଆତିଥ୍ୟ ପ୍ରଦାନ ପାଇଁ କାର୍ଯ୍ୟରତ ସ୍ଥାନୀୟ ବନ ସୁରକ୍ଷା ସମିତି ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ତା’ଛଡ଼ା ନେଚର କ୍ୟାମ୍ପପାଇଁ ସ୍ଥାପିତ ବିଭିନ୍ନ କଟେଜର ରକ୍ଷଣା ବେକ୍ଷଣ କାମର ତନଖି କରିଥିଲେ । ପର୍ଯ୍ୟଟକ ମାନଙ୍କ ନିମନ୍ତେ ଏହି ପର୍ଯ୍ୟଟନସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ସରକାର ଉଦ୍ୟମ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ।

ସେହିପରି ଲହୁଣୀପଡ଼ା ବ୍ଲକର ଲଲେଇସ୍ଥିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଗସ୍ତ କରି ଏହାର ସଠିକ୍ କାର୍ଯ୍ୟକାରିତାର ଅନୁଧ୍ୟାନ କରିଥିଲେ।

ଏହି ଗସ୍ତ ବେଳେ ମୁଖ୍ୟ ଶାସନ ସଚିବଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ବଣାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ଦେବଗଡ଼ ଡିଏଫଓ ଧନାଜୀ ଆର୍ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କଟକ କ୍ୟାନସର ହସପିଟାଲର ରୋଗୀ, ସହାୟକମାନଙ୍କ ପାଇଁ ବଡ଼ ଆସ୍ୱସ୍ତି , ତିଆରି ହେଲା ବିଶ୍ରାମ ସ୍ଥଳ

ଭୁବନେଶ୍ୱର: କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନ୍ସର ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନକୁ ଦୈନିକ ଆସୁଥିବା ରୋଗୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାର ଅସୁବିଧା ବିଷୟ ଦୃଷ୍ଟିକୁ ଆସିବା ମାତ୍ରେ ଏହାର ଆଶୁ ସମାଧାନ ପାଇଁ ବିଶ୍ରାମ ସ୍ଥଳ ନିର୍ମାଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଏହି ହସ୍ପିଟାଲ୍ ପରିସରରେ ପୁର୍ତ୍ତ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଗତସପ୍ତାହ କ୍ୟାମ୍ପ ନିର୍ମାଣ ଆରମ୍ଭ କରିଥିଲେ ।

ନିର୍ମାଣ ହେଉଥିବା ୩ଟି କ୍ୟାମ୍ପ୍ ମଧ୍ୟରୁ ଆଜି ପୂର୍ବାହ୍ନରେ ଗୋଟିଏ ଶିବିର କାର‌୍ୟ୍ୟକ୍ଷମ ହୋଇଛି । ଏଥିରେ ରୋଗୀ ଏବଂ ତାଙ୍କର ସହାୟକ ମାନେ ରହୁଛନ୍ତି । ଆସନ୍ତା କାଲି ସୁଦ୍ଧା ୨ୟ ଶିବିର ଏବଂ ସପ୍ତାହ ଶେଷ ସୁଦ୍ଧା ୩ୟ ଶିବିର ପୂର୍ଣ୍ଣ କାର‌୍ୟ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ଶିବିରରେ ଆଲୋକ, ଫ୍ୟାନ୍ ଏବଂ ପାନୀୟଜଳ ଆଦିର ଅତି ଆବଶ୍ୟକୀୟ ବ୍ୟବସ୍ଥା ନିଶ୍ଚିତ କରାଇବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ହସ୍ପିଟାଲ୍ର ନିର୍ଦ୍ଦେଶକ, ଡାକ୍ତର ଲଲାଟେନ୍ଦୁ ଷଢଙ୍ଗୀ କହିଥିଲେ ଯେ କାର‌୍ୟ୍ୟକ୍ଷମ ହୋଇଥିବା ୧ମ ଶିବିରରେ ପ୍ରାୟ ୫୦ ଜଣ ରୋଗୀ ଆଶ୍ରୟ ନେଇଛନ୍ତି। ୨ୟ ଏବଂ ୩ୟ ଶିବିର କାର୍ଯ୍ୟକ୍ଷମ ହୋଇଗଲେ ୧୦୦ରୁ ୧୫୦ ରୋଗୀ ଏବଂ ତାଙ୍କର ସହାୟକମାନେ ଆଶ୍ରୟ ନେଇ ପାରିବେ। ଶିବିରରେ ଆବଶ୍ୟକୀୟ ଲାଇଟ୍, ଫ୍ୟାନ୍ ଓ ପାନୀୟଜଳ ଆଦିର ବ୍ୟବସ୍ଥା କରାଯାଇଛି। ପାଖରେ ଆହାର କେନ୍ଦ୍ର ମଧ୍ୟ ଅଛି।

ସାଧାରଣତଃ ରେଡିଏସନ୍ ନେଉଥିବା ରୋଗୀ ଓ ତାଙ୍କର ସହାୟକମାନେ ହସ୍ପିଟାଲ୍ ବାରଣ୍ଡା ଆଦିରେ ବିଶ୍ରାମ ନେଉଥିଲେ। ହସ୍ପିଟାଲ୍ରେ ଦୈନିକ ହାରାହାରି ୩୫୦ ରୋଗୀ ରେଡିଏସନ୍ ନେଉଛନ୍ତି। ରେଡିଏସନ୍ ଏକ ଆଉଟ୍ଡୋର ଚିକିତ୍ସା। ବର୍ତ୍ତମାନ ହସ୍ପିଟାଲ୍ର ବେଡ୍ ସଂଖ୍ୟା ୨୮୧, ଯେଉଁଥିରେକି ଗୁରୁତର ଚିକିତ୍ସାଧିନ ରୋଗୀମାନେ ରହୁଛନ୍ତି। ଏହାଛଡ଼ା ପ୍ରତିଦିନ ହାରାହାରି ୫୦୦ ନୂଆରୋଗୀ ହସ୍ପିଟାଲ୍କୁ ଆସୁଛନ୍ତି । କିଛି ରୋଗୀଙ୍କର ପ୍ରାକ୍-ଆଡ୍ମିସନ୍ ପରୀକ୍ଷା ନିରୀକ୍ଷା ଦରକାର ପଡୁଛି।

କ୍ୟାନ୍ସର ରୋଗର ନିରୂପଣ ମଧ୍ୟ ଏକ ସମୟ ସାପେକ୍ଷ ପରୀକ୍ଷା। ତାଛଡ଼ା ଦୂର ଦୁରନ୍ତରୁ ଆସି ରେଡିଏସନ୍ ନେଉଥିବା ରୋଗୀମାନେ ଅନେକ ସମୟରେ ନିଜ ଘରକୁ ଫେରିନପାରି ସାଧାରଣ ଭାବେ ହସ୍ପିଟାଲ୍ ବାରଣ୍ଡାରେ ଆଶ୍ରୟ ନେଇଥାଆନ୍ତି। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ନିର୍ମାଣ ହେଇଥିବା ଆଶ୍ରୟ ସ୍ଥଳ ଏ ପ୍ରକାର ଲୋକମାନଙ୍କୁ ଅନେକ ଆଶ୍ୱସ୍ତି ଦେଇଛି।

ସୂଚନା ଯୋଗ୍ୟ, ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ୨୦୦ ବେଡ୍ ବିଶିଷ୍ଟ ନୂଆ ଓ୍ୱାର୍ଡ ତିଆରି କରାଯାଉଛି। ଚଳିତ ବର୍ଷ ଜୁନ୍ ମାସ ଶେଷସୁଦ୍ଧା ଏହି ଓ୍ୱାର୍ଡ୍କୁ ପୂର୍ଣ୍ଣ କାର‌୍ୟ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହା କାର୍ଯ୍ୟକ୍ଷମ ହୋଇଗଲେ ଦୈନିକ ନୂଆ ରୋଗୀମାନଙ୍କ ଆଡମିସନ୍ ସମସ୍ୟାର ସମାଧାନ ହୋଇଯିବ। ସମସ୍ତ ରୋଗୀ ହସ୍ପିଟାଲ୍ରେ ଆଡ୍ମିସନ୍ ହୋଇପାରିବେ। ନିର୍ମାଣ ହୋଇଥିବା ଏହି ୩ଟି ଆଶ୍ରୟ ଶିବିର ଭବିଷ୍ୟତରେ ରୋଗୀଙ୍କର ସହାୟକମାନଙ୍କ ନିମନ୍ତେ ବ୍ୟବହାର ହୋଇପାରିବ ବୋଲି ଡାକ୍ତର ଷଢଙ୍ଗୀ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଥମ ଥର ପାଇଁ ସଡକ ପଥରେ ସ୍ବାଭିମାନ ଅଞ୍ଚଳକୁ ଗଲେ ମୁଖ୍ୟ ଶାସନ ସଚିବ

ମାଲକାନଗିରି/ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାରଙ୍କ ବ୍ୟାପକ ବିକାଶମୂଳକ ହସ୍ତକ୍ଷେପ ସହ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସଡ଼କ ପଥ ଦେଇ ଏକଦା ନକ୍ସଲ ଗଡ ଭାବେ ବିବେଚିତ ଚିତ୍ରାକୋଣ୍ଡା ସ୍ବାଭିମାନ ଆଞ୍ଚଲର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଆଜି ମାଲକାନଗିରି ଗସ୍ତର ଦ୍ୱିତୀୟ ଦିନରେ ସେ ଏହି ଅଞ୍ଚଳ ପରିଦର୍ଶନ କରିଛନ୍ତି।

ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ସ୍ବାଭିମାନ ଅଂଚଳ ସ୍ୱତନ୍ତ୍ର ପ୍ୟାକେଜଗୁଡିକର କ୍ଷେତ୍ର ସ୍ତରର କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ। ମୁଖ୍ୟତଃ
ଉଦ୍ୟାନ ଚାଷ, କୃଷି, ମତ୍ସ୍ୟ ଚାଷ, ଅଧିବାସୀମାନଙ୍କ ପାଇଁ ବିକଳ୍ପ ଜୀବିକା ନିର୍ବାହ ସୃଷ୍ଟି, କୃଷକଙ୍କ ଆୟ ବୃଦ୍ଧି, ପାନୀୟ ଜଳ ଯୋଗାଣ, ଗୁଣାତ୍ମକ ସ୍ୱାସ୍ଥ୍ୟସେବାରେ ଉନ୍ନତି, ଶିକ୍ଷା ଏବଂ ହଷ୍ଟେଲ କମ୍ପ୍ଲେକ୍ସର ବିକାଶ, ଇକୋ-ଟୁରିଜିମର ଅଭିବୃଦ୍ଧି, ଜଳସେଚନ, ବିଦ୍ୟୁତିକରଣ, ସମସ୍ତ ଗ୍ରାମକୁ ସଡ଼କ ସଂଯୋଗ, ଟେଲିକମ୍ ସଂଯୋଗ ଆଦି ପ୍ରକଳ୍ପର କାର୍ଯ୍ୟନ୍ଵୟନ କୁ ମୁଖ୍ୟ ସଚିବ କ୍ଷେତ୍ର ସ୍ତରରେ ଲକ୍ଷ୍ୟ କରି ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ।

ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମରେ ଭିତ୍ତିଭୂମି ସ୍ଥାପନ ଏବଂ ଜୀବିକା ନିର୍ବାହ କାର୍ଯ୍ୟକଳାପକୁ ବ୍ୟାପକ ଓ ସଘନ କରିବାକୁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗର ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷାରୁ ଜଣାପଡିଥିଲା ଯେ ବର୍ତ୍ତମାନ ଅଧିକରୁ ଅଧିକ ଲୋକ ମତ୍ସ୍ୟଚାଷ, ବନବିଭାଗ ଏବଂ ଉଦ୍ୟାନ କୃଷି ଆଦି କାର‌୍ୟ୍ୟକୁ ଜୀବିକା ପନ୍ଥା ଭାବେ ଗ୍ରହଣ କରୁଛନ୍ତି।

ଏହି ଅଞ୍ଚଳରେ ସାତୋଟି ଟେଲି ଟାୱାର କାର୍ଯ୍ୟ କରୁଛି। ସ୍ବାଭିମାନ ଅଞ୍ଚଳ ୯ ଟି ପଞ୍ଚାୟତରେ ସମସ୍ତ ଘରକୁ ପ୍ରାୟ ୬୦୦୦ ମୋବାଇଲ୍ ହ୍ୟାଣ୍ଡସେଟ୍ ବଣ୍ଟନ କରାଯାଇଛି। ପ୍ରାୟ ୯୯ ପ୍ରତିଶତ ଅଞ୍ଚଳକୁ ନକ୍ସଲ କାର୍ଯ୍ୟକଳାପରୁ ମୁକ୍ତ କରାଯାଇଛି।

ଏହି ପରିଦର୍ଶନ ସମୟରେ ଶ୍ରୀ ମହାପାତ୍ର ଚିତ୍ରାକୋଣ୍ଡାର ଉଦ୍ୟାନ କୃଷି, ଚିତ୍ରକୋଣ୍ଡା ଠାରେ ଇକୋ ପାର୍କ, ଲିଫ୍ଟ ଜଳସେଚନ ପ୍ରକଳ୍ପର କାର‌୍ୟ୍ୟ, ପାଇପ୍ ପାନୀୟ ଜଳ ଯୋଗାଣର ଅଗ୍ରଗତି ଏବଂ ୩୩ କେଭି ପାୱାର୍ ସବ୍ ଷ୍ଟେସନ ଆଦି ସ୍ଥାନ ବୁଲିବା ବେଳେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।

ସେ ବିଏସ୍ଏଫ୍ କ୍ୟାମ୍ପକୁ ଯାଇ କ୍ୟାମ୍ପ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ସେ ଏହି ଅଞ୍ଚଳରେ ସଡ଼କ ସଂଯୋଗ ଏବଂ ସେବା ବିତରଣ ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁଙ୍କ ସହ ବହୁ ସଂଖ୍ୟକ ଲୋକ ଏକାଠି ହୋଇ ମୁଖ୍ୟ ଶାସନ ସଚବଙ୍କୁ ସ୍ଵାଗତ କରିଥିଲେ ଏବଂ ବିକାଶମୂଳକ କାର୍ଯ୍ୟ ବିଷୟରେ ସେମାନେ ସେମାନଙ୍କର ଖୁସି ବ୍ୟକ୍ତ କରିଥିଲେ।

ଅନେକ ଲୋକ କହିବାର ଶୁଣିବାକୁ ମିଳିଥିଲା ଯେ ସେମାନଙ୍କ ଅଞ୍ଚଳକୁ କୌଣସି ମୁଖ୍ୟ ସଚିବଙ୍କ ଏହା ପ୍ରଥମ ଗସ୍ତ। ଏହାପୂର୍ବରୁ ପ୍ରଥମ ଦିନ ପରିଦର୍ଶନରେ ଶ୍ରୀ ମହାପାତ୍ର ମଧୁସୂଦନ ଉଚ୍ଚ ବିଦ୍ୟାଳୟ, ମୋଟୁରେ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ପ୍ରକଳ୍ପ ଏବଂ ପୋଟେରୁ ଅଞ୍ଚଳରେ ଗଭୀର ବୋରୱେଲ ଜଳସେଚନ କ୍ଲଷ୍ଟରରେ କୃଷି କାର‌୍ୟ୍ୟକଳାପକୁ ଦେଖିଥିଲେ ଜ୍ଝ ସେ ଓଡିଶା ଏବଂ ଛତିଶଗଡକୁ ସଂଯୋଗ କରୁଥିବା ସାବରୀ ନଦୀ ଉପରେ ନିର୍ମାନାଧିନ ସେତୁର ଅଗ୍ରଗତି ମଧ୍ୟ ସମୀକ୍ଷା ମଧ୍ୟ କରିଥିଲେ।

ଶ୍ରୀ ମହାପାତ୍ର ମଧ୍ୟ ମୁଗି ବୋର୍ଡର୍ ପଏଣ୍ଟକୁ ଯାଇ ସେଠାରେ ବିକାଶମୂଳକ କାର‌୍ୟ୍ୟକଳାପର ସମୀକ୍ଷା କରିଥିଲେ। ସେଠାରେ ସ୍ଥାପିତ ଓଡିଶାର ମହାନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।  ଏହି ଗସ୍ତ ସମୟରେ ଜିଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ସମାରି ତାଙ୍ଗୁଲୁ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିରାସେନ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଶ୍ରୀ ବାଲମୁକୁନ୍ଦ ଭୁୟାଁ, ବିଭାଗୀୟ ବନ ଅଧିକାରୀ ଶ୍ରୀ ପ୍ରତାପ କୋଟାପାଲି ଏବଂ ମାଲକାନଗିରିର ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଖୁବ ଶିଘ୍ର ଆରମ୍ଭ ହେବ ମାଲକାନଗିରି ବିମାନ ବନ୍ଦର କାମ, ମୁଖ୍ୟ ଶାସନ ସଚିବ କଲେ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଜିଲ୍ଲାରେ ପହଞ୍ଚିବା ପରେ ପରେ ଶ୍ରୀ ମହାପାତ୍ର ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ୱାନୀ, ପ୍ରକଳ୍ପ ନିର୍ଦ୍ଦଶକ ବାଲମୁକୁନ୍ଦ ଭୂୟାଁଙ୍କ ସମେତ, ବନଖଣ୍ଡ ଅଧିକାରୀ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟଗୁଡିକର ଅଗ୍ରଗତି ସମୀକ୍ଷା କରିଥିଲେ।

ବୈଠକରେ ମୁଖ୍ୟତଃ ରାସ୍ତାଘାଟ ଓ ପୋଲ ନିର୍ମାଣ, ଦୂର ଦୂରାନ୍ତ ସ୍ଥାନକୁ ଗମନାଗମନ ସୁବିଧା, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଉଦ୍ୟାନ, କୃଷି, ମତ୍ସ୍ୟଚାଷ, ଜଳସେଚନ ଓ ବିବିଧ ଶସ୍ୟ ଉପ୍ତାଦନ ଆଦି ବିଷୟରେ ସବିଶେଷ ସମୀକ୍ଷା ହୋଇଥିଲା।

ସେବା ମନୋବୃତ୍ତି ନେଇ ଜିଲ୍ଲାର ସମସ୍ତ ଲୋକାଭିମୁଖି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବୈଠକରେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ ବା ମରାମତି କାମ ଆରମ୍ଭ କରାଯାଇଥିବା ରାସ୍ତାଗୁଡିକୁ ମୌସୁମୀ ଆସିବା ପୂର୍ବରୁ ଯାତାୟାତ ଯୋଗ୍ୟ କରିବା ସହ ଅଣ ସଂଯୋଗୀକୃତ ଜନ ବସତିକୁ ରାସ୍ତା ନିର୍ମାଣ ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାର ପ୍ରାକୃତିକ ଓ ମାନବ ସମ୍ବଳ ଉପଯୋଗୀ ବିଭିନ୍ନ ପ୍ରକାରର ଜିବୀକା ନିର୍ବାହ ପନ୍ଥା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରି ଲୋକମାନଙ୍କ ନିମନ୍ତେ ବର୍ଷ ତମାମ ଆୟର ସୁଯୋଗ ସୃଷ୍ଟି ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ବୈଠକ ପରେ ପରେ ସାମ୍ବାଦିକମାନଙ୍କର ପ୍ରଶ୍ନ ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ସ୍ୱାଭିମାନ ଅଞ୍ଚଳ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଯୋଜନା ଗୁଡିକୁ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି I ଏସବୁ ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ପାଇଁ କ୍ଷେତ୍ର ସ୍ତରୀୟ ସ୍ଥିତି ଅନୁସାରେ ଆଜି ସମିକ୍ଷାରେ ସମୟ ସାରଣୀ ନିର୍ଦ୍ଧାରଣ କରାଯାଇଛି।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥଲେ ଯେ ସମଗ୍ର ଜିଲ୍ଲା ପାଇଁ ପରିପୃକ୍ତି ( ସାଚୁରେଚନ ମୋଡ) ଭିତ୍ତିରେ ଜଳ ଯୋଗାଣ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି। ଇତି ମଧ୍ୟରେ ବାଲିମେଳା ସହରାଞ୍ଚଳର ଶତ ପ୍ରତିଶତ ଗୃହକୁ ପାଇପ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି। ମାଲକାନଗିରି ସହରାଞ୍ଚଳର ସମସ୍ତ ଗୃହକୁ ଖୁବ ଶୀଘ୍ର ଜଳ ଯୋଗାଣ ପାଇପ୍ ସଂଯୋଗ ଦିଆଯିବ।

ମାଲକାନଗିରି ବିମାନ ବନ୍ଦର ସମ୍ବନ୍ଦିତ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହୁଥିଲେ ଯେ ଇତି ମଧ୍ୟରେ ବିମାନ ବନ୍ଦର ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟ ସରିଛି ଜଙ୍ଗଳ ଜମି କିସମ ପରିବର୍ତ୍ତନ ପାଇଁ ଅନୁମତି ମିଳି ସାରିଛି। ବିମାନ ବନ୍ଦର ଜମିର ଚତୁପାର୍ଶ୍ୱ ଆବଦ୍ଧ କରାଯାଇଛି। ନିର୍ମାଣ କାର୍ଯ୍ୟ ନିମନ୍ତେ ଟେଣ୍ଡର ଆହ୍ୱାନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ଏବଂ ଖୁବ ଶୀଘ୍ର କ୍ଷେତ୍ର ସ୍ତରୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା 2024 ମସିହା ପ୍ରଥମ ଭାଗରେ ଏହି ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରାଯିବ।

ଅପରାହ୍ନରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି କ୍ଷେତ୍ର ସ୍ତରୀୟ ସ୍ଥିତିର ଅନୁଧ୍ୟାନ କରିଥିଲେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ରଥଯାତ୍ରାରେ ଆରମ୍ଭ ହେବ ବାଗଚୀ ଶଙ୍କର କ୍ୟାନସର ହସପିଟାଲ, ମୁଖ୍ୟଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର: ଓଡ଼ିଶାରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଅନ୍ୟଏକ ମାଇଲ୍ଖୁଣ୍ଟ ଭାବେ ଗଢ଼ିଉଠୁଥିବା ବାଗ୍ଚୀ-ଶଙ୍କର କ୍ୟାନ୍ସର୍ ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ରର ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ଓଡ଼ିଶା କୌଶଳ ବିକାଶ କର୍ତ୍ତୁପକ୍ଷ ଅଧ୍ୟକ୍ଷ ତଥା ହସ୍ପିଟାଲ ଓ କରୁଣାଶ୍ରୟର ପ୍ରମୁଖ କର୍ଣ୍ଣଧାର ଡଃ ସୁବ୍ରତୋ ବାଗ୍ଚୀଙ୍କ କ୍ଷେତ୍ରପରିଦର୍ଶନ ଏବଂ ସମୀକ୍ଷାରୁ ଏହା ଜଣାପଡ଼ିଛି ।

ଏହି ହସ୍ପିଟାଲ୍ ପାଇଁ ରାଜ୍ୟ ସରକାର ଇନଫୋଭ୍ୟାଲି-୨ ରେ ଯୋଗାଇ ଦେଇଥିବା ୨୦ ଏକର ପରିମିତ ଅଂଚଳ ପରିଦର୍ଶନ କରି ଶ୍ରୀ ମହାପାତ୍ର ନିର୍ମାଣ କାର୍ଯ୍ୟର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଇତିମଧ୍ୟରେ ଏହି ହସ୍ପିଟାଲ୍କୁ ୭୫୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ନିର୍ମାଣ କାମ ଆରମ୍ଭ ହୋଇଛି । ପୂର୍ବରୁ ଏହା ୫୦୦ ଶଯ୍ୟା ପାଇଁ ଯୋଜନା କରାଯାଇଥିଲା। ଇତି ମଧ୍ୟରେ ବର୍ହିବିଭାଗ ଚିକିତ୍ସା କୋଠା ଏବଂ ଗ୍ରାଉଣ୍ଡ ଫ୍ଲୋର କାମରେ ଦୃତ ଅଗ୍ରଗତି ହୋଇଛି। ଚଳିତ ବର୍ଷ ମେ ମାସ ଶେଷ ସୁଦ୍ଧା ଗ୍ରାଉଣ୍ଡ ଫ୍ଲୋରର ଛାତ ପଡ଼ିବ ବୋଲି କାର୍ଯ୍ୟରତ ଇଞ୍ଜିନିଅର ଜଣାଇଥିଲେ।

ଏହି ହସ୍ପିଟାଲରେ ରୋଗୀ ଏବଂ ତାଙ୍କର ସହାୟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ। କ୍ୟାଣ୍ଟିନ୍, ଶୌଚାଳୟ, ପାର୍କିଂ ସ୍ଥାନ, ଅତ୍ୟାବଶ୍ୟକୀୟ ପଦାର୍ଥ ସରଞ୍ଜାମ ଦୋକାନ ଆଦି ଉପଲବ୍ଧ ହେବ। ହସ୍ପିଟାଲ୍ ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ସବୁଜ ବଳୟ ସୃଷ୍ଟି ସହ ପରିସର ଭିତରେ ଥିବା ପ୍ରକୃତିକ ଖାଲୁଆ ଯାଗାକୁ ଏକ ସୁନ୍ଦର ପୁଷ୍କରିଣୀ ଭାବେ ବିକଶିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଦ୍ରବ୍ୟ, ଆଇନ୍ ଶୃଙ୍ଖଳା ସ୍ଥିତି, ନିର୍ମାଣ ନିମନ୍ତେ ମାନବ ସମ୍ବଳ, ଯନ୍ତ୍ରପାତି ଆଦିର ଉପଲବ୍ଧି ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମୀକ୍ଷା କରିଥିଲେ। ଏସବୁ ବିଷୟରେ କିଛି ଅସୁବିଧା ଅଛିକି ବୋଲି କ୍ଷେତ୍ରରେ କାର୍ଯ୍ୟରତ ଇଞ୍ଜିନିଅର ଏବଂ ସୁପରଭାଇଜରମାନଙ୍କୁ ପଚାରି ବୁଝିଥିଲେ। ନିର୍ମାଣପାଇଁ କୌଣସି ବିଶେଷ ଅସୁବିଧା ନଥିବା କଥା ଇଞ୍ଜିନିୟରମାନେ ଜଣାଇଥିଲେ। ୨୦୨୩ ମସିହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସୁଦ୍ଧା ହସ୍ପିଟାଲ୍ର ପ୍ରଥମ ପର୍ଯ୍ୟାୟ ନିର୍ମାଣ ଶେଷ ପୂର୍ବକ ରୋଗୀସେବା ଆରମ୍ଭ କରିବା ପାଇଁ ସମୀକ୍ଷା ସମୟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏହି ହସ୍ପିଟାଲ୍ ନିର୍ମାଣରେ ପ୍ରାୟ ୨୨୦ କୋଟି ଟଙ୍କା ବିନିଯୋଗ ହେବାର ଆକଳନ କରାଯାଇଛି।

ପରେ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ଡଃ ବାଗ୍ଚୀ ଇନଫୋଭ୍ୟାଲି-୨ ରେ ବାଗ୍ଚୀ କରୁଣାଶ୍ରୟ ଉପଶମ ଚିକିତ୍ସା କେନ୍ଦ୍ର ପରିସର ଯାଇ ସେଠାରେ ମଧ୍ୟ ନିର୍ମାଣ ଓ ସେବା ଯୋଗାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ପ୍ରାୟ ୨୧୦ କୋଟି ଟଙ୍କା ଆକଳନରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ୨୦୨୩ ଜୁଲାଇ ମାସ ଶେଷସୁଦ୍ଧା ସରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହାକୁ ୧୫୦ ଶଯ୍ୟା ବିଶିଷ୍ଟ ଉପଶମ ଚିକିତ୍ସା କେନ୍ଦ୍ର ଭାବେ ବିକଶିତ କରାଯିବ। ଶିକ୍ଷା ଓ ଗବେଷଣା ନିମନ୍ତେ ଏଥିରେ ୫୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମ ବ୍ୟବସ୍ଥା କରାଯିବ।

ଗଣ୍ଡମୁଣ୍ଡାଠାରେ ଆରମ୍ଭ କରାଯାଇଥିବା ଅସ୍ଥାୟୀ ଗୃହଭିତ୍ତିକ ସେବାଯୋଗାଣ କେନ୍ଦ୍ରରେ ମଧ୍ୟ ବର୍ହିବିଭାଗ ଚିକିତ୍ସା ଆରମ୍ଭ କରାଯାଇଛି ବୋଲି ଡକ୍ଟର ବାଗଚୀ ଜଣାଇଥିଲେ। ଏହି କେନ୍ଦ୍ରରେ ଗୃହଭିତ୍ତିକ ସେବା ଯୋଗାଣ ଏବଂ ବର୍ହିବିଭାଗ ଚିକିତ୍ସା ପାଇଁ ଆବଶ୍ୟକୀୟ ଡାକ୍ତର, ନର୍ସ, ଫାମାସିଷ୍ଟ, ଗାଡ଼ି ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଆଦିରେ ପରିମାଣାତ୍ମକ ଓ ଗୁଣାତ୍ମକ ବିକାଶ କରାଯାଇଛି। ଚଳିତ ମାର୍ଚ୍ଚ ମାସରୁ ପ୍ରତି ସପ୍ତାହର ଶୁକ୍ରବାର ଦିନ ଏହି ଚିକିତ୍ସା ଔଷଧ ଯୋଗାଇ ଦିଆଯାଇଛି । ସୂଚନା ଯୋଗ୍ୟ, ଏହି ଅସ୍ଥାୟୀ ଗୃହସେବା ଚିକିତ୍ସା କେନ୍ଦ୍ରକୁ ମୁଖ୍ୟ ଶାସନ ସଚିବ ଗତ ଡିସେମ୍ବର ମାସରେ ଉଦଘାଟନ କରିଥିଲେ।

ଇତି ମଧ୍ୟରେ ୧୨୮ ଜଣ ରୋଗୀଙ୍କୁ କେନ୍ଦ୍ର ତରଫରୁ ଗୃହଭିତ୍ତିକ ଉପଶମ ଚିକିତ୍ସା ଓ ଯତ୍ନ ଯୋଗାଇ ଦିଆଯାଇଛି। ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍, ଏମ୍ସ୍, କ୍ୟାପିଟାଲ୍ ହସ୍-ପିଟାଲ୍ ଆଦିରୁ ଶେଷ ପର୍ଯ୍ୟାୟ ଉପମଶମ ଚିକିତ୍ସା ଦରକାର କରୁଥିବା ରୋଗୀମାନଙ୍କୁ ଏଠାକୁ ପଠାଯାଉଛି । ବର୍ତ୍ତମାନ ସୁଦ୍ଧା ୩୬ ଜଣ ଏପରି ରୋଗୀଙ୍କୁ ବର୍ହିବିଭାଗ ରେଫେରାଲ୍ କେସ୍ ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି ।

ଏହାଛଡ଼ା କର୍କଟ ରୋଗରେ ମୃତ୍ୟୁବରଣ କରିଥିବା ୬ଟି ଗରିବ ପରିବାରଙ୍କୁ ମଧ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ଓ ପିଲାଙ୍କ ପାଠପଢ଼ା ସହାୟତା ଯୋଗାଇବାର ସମନ୍ୱୟ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ସମୟରେ ଡକ୍ଟର ସୁବ୍ରତୋ ବାଗ୍ଚୀଙ୍କ ସମେତ ହସ୍-ପିଟାଲ୍ର ମୁଖ୍ୟ ଅର୍କିଟେକ୍ ଶ୍ରୀ ସୁନ୍ଦର ରମନ୍, କରୁଣାଶ୍ରୟର ମୁଖ୍ୟ ଆର୍କିଟେକ୍ ଶ୍ରୀ ଏନ୍. ମେଡାପ୍ପା, କରୁଣାଶ୍ରୟର ପରିଚାଳକ ଶ୍ରୀ ଜ୍ଞାନ ରଂଜନ ମହାପାତ୍ର, ପ୍ରକଳ୍ପ ପରିଚାଳକ ଶ୍ରୀ ଲଲାଟେନ୍ଦୁ ଚୌଧୂରୀ ପ୍ରମୁଖ କ୍ଷେତ୍ରସ୍ତରୀୟ ସ୍ଥିତି ସହ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ, ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ନିର୍ଦ୍ଦେଶ

ପୁରୀ: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପୁରୀ ଏକ ଉପକୂଳବର୍ତ୍ତି ଜିଲ୍ଲା ହୋଇଥିବାରୁ ବାତ୍ୟା ନିରୋଧି ବନୀକରଣ ସଘନ କରିବାକୁ ବୃକ୍ଷରୋପଣ ନିମନ୍ତେ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

ଅସ୍ତରଙ୍ଗ ଓ କାକଟପୁର ସମେତ ଜିଲ୍ଲାର ସମସ୍ତ ସମୁଦ୍ର କୂଳିଆ ଅଞ୍ଚଳ, ବନଖଣ୍ତ-ଅଭୟାରଣ୍ୟ, ପୁରୀ- କୋଣାର୍କ ମେରାଇନ ଡ୍ରାଇଭ ରୋଡ,ନୂଆ ମୁହାଣ ଅଞ୍ଚଳ, ପୁରୀ- ସାତପଡା ଓ ଜାତୀୟ ରାଜପଥ ଏବଂ ଜିଲ୍ଲାର ଅନ୍ୟାନ୍ୟ ସହରାଞ୍ଚଳରେ ବୃକ୍ଷରୋପଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବର, ଅଶ୍ବସ୍ତ, ଆକାଶିଆ, କାଜୁ ଓ ଝାମୁ ଗଛ ଲଗାଇବା, ମୃତ୍ତିକା କ୍ଷୟ ରୋକିବା, ବାଲିବନ୍ଧ ସୁରକ୍ଷା ଏବଂ ଅସ୍ତରଙ୍ଗର ତଣ୍ତାଘର ଅଞ୍ଚଳକୁ ସମୁଦ୍ରପାଣି ପ୍ରବେଶ ରୋକିବା ନିମନ୍ତେ କିଆବାଡ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଗତବର୍ଷ ଜିଲ୍ଲାରେ ୧୭୮୩୭୫ଟି ଚାରାରୋପଣ ସହ ୧୪୬୦୦ ଚାରା ବଣ୍ଟନ କରାଯାଇଛି । ଆସନ୍ତା ଆର୍ଥିକ ବର୍ଷରେ ୭୭୧.୧ ହେକ୍ଟର ଅଞ୍ଚଳରେ ୬୮୫୨୫୦ ଚାରା ରୋପଣ ନିମନ୍ତେ ଲକ୍ଷ ରଖାଯାଇଥିବା ଜିଲ୍ଲା ବନଖଣ୍ତ ଅଧିକାରୀ ସୂଚନା ଦେଇଥିଲେ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଡିଏଫ୍ଓ ଶ୍ରୀ ପି. ର‍ମାସ୍ବାମୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଶାନ୍ତ କୁମାର ଦାସ, ୱାଟକୋ ଜେନେରାଲ ମ୍ୟାନେଜର ଶ୍ରୀ ଶରତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।