Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ୱରରରେ ବିଡିଏ କରିବ ୪୫ ଟି ଟାଉନ୍ ପ୍ଲାନିଂ ସ୍କିମ, ଜାଣନ୍ତୁ କେଉଁଠି ହେବ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ (ବି.ଡି.ଏ)ର ବିଭିନ୍ନ ଅଂଚଳରେ ଟାଉନ୍ ପ୍ଲାନିଂ ସ୍କିମ୍ର ଲୋକପ୍ରିୟତା ଯୋଗୁ ଏଥିରେ ବିଶେଷ ଅଗ୍ରଗତି ପରିଲକ୍ଷିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହା ଜଣାପଡିଛି।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ବି.ଡି.ଏର ଉପାଧ୍ୟକ୍ଷ ସଂଜୟ କୁମାର ସିଂ ଟାଉନ୍ ପ୍ଲାନିଂ ସ୍କିମ୍ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଏବଂ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ସ୍କିମର ଅଗ୍ରଗତି ସମୀକ୍ଷାକରି ପ୍ରତି ଟାଉନ୍ ପ୍ଲାନିଂ ଅଂଚଳରେ ଗମନାଗମନ, ପାନୀୟଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ ଆଦି ନିମନ୍ତେ ଉତ୍ତମ ଭିତ୍ତିଭୂମି ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ସଂପୃକ୍ତ ବିଭାଗ ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରତି ସ୍କିମ୍ ଅଂଚଳରେ ମୁଖ୍ୟ ରାସ୍ତା ଗୁଡ଼ିକୁ ପୁର୍ତ୍ତ ବିଭାଗ ଏବଂ ଭିତର ରାସ୍ତାଗୁଡ଼ିକୁ ବି.ଡି.ଏ ନିର୍ମାଣ କରିବେ ବୋଲି ବୈଠକରେ ସ୍ଥିର ହୋଇଥିଲା। ଜଳ ଯୋଗାଣ ଏବଂ ନର୍ଦ୍ଦମା ପରିଚାଳନା ନିମନ୍ତେ ଦୂରଦର୍ଶୀ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଓ୍ୱାଟ୍କୋଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସ୍କିମ୍ ଅଂଚଳ ମାନଙ୍କରେ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ନିମନ୍ତେ ସବିଶେଷ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ପାଇଁ ଶ୍ରୀ ମହାପାତ୍ର ଟାଟା ପାଓ୍ୱାର କେନ୍ଦ୍ରୀୟ ବିତରଣ କଂପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟ ସମୟାନୁବନ୍ଧିତ ଭାବେ ପୂର୍ଣ୍ଣାଙ୍ଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବି.ଡି.ଏ ଉପାଧ୍ୟକ୍ଷ ସଂଜୟ ସିଂ କହିଥିଲେ ଯେ ଭୁବନେଶ୍ୱର ଦୃତ ବର୍ଦ୍ଧିଷ୍ଣୁ ସ୍ଥିତି ଦୃଷ୍ଟିରୁ ବି.ଡି.ଏଦ୍ୱାରା ୪୫ ଟି ଟାଉନ୍ ପ୍ଲାନିଂ ସ୍କିମ୍ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ ଟି ସ୍କିମ୍ ଆରମ୍ଭ କରାଯାଇଛି ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହୋଇଛି ।

ଏହା ବ୍ୟତିତ ଅନ୍ୟ ୯ ଟି ସ୍କିମ୍ର ପ୍ରାରମ୍ଭିକ ପ୍ରସ୍ତୁତି କାମ ମଧ୍ୟ ତ୍ୱରାନ୍ୱିତ ହୋଇଛି । ସ୍କିମ୍ ନମ୍ବର-୧,୨,୩, ଏବଂ ୪ ରେ କ୍ଷେତ୍ରସ୍ତରୀୟ ସର୍ଭେ, ଜମି ଏକତ୍ରୀକରଣ, ସଂଶୋଧିତ ଜମି ପଟ୍ଟା ପ୍ରସ୍ତୁତି ଏବଂ ବଣ୍ଟନ କାର୍ଯ୍ୟ ଚାଲିଛି । ଆସନ୍ତା ୧ ରୁ ୨ ମାସ ମଧ୍ୟରେ ସମସ୍ତ ସଂଶୋଧିତ ପଟ୍ଟା ଯୋଗାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଟଉନ୍ ପ୍ଲାନିଂ ସ୍କିମ୍-୧ ସହଜପୁର, ନାରୋଗଦା, ସିଜୁପୁଟ ଏବଂ ପାଇକରାପୁର ମୌଜାରେ କରାଯାଉଛି । ସେହିପରି ସ୍କିମ୍-୨ ତମାଣ୍ଡୋ ଏବଂ ବିଜିପୁର ମୌଜା; ସ୍କିମ୍-୩ ନୂଆାଗାଁ ଓ ପାଇକରାପୁର; ଏବଂ, ସ୍କିମ୍-୪ ଶ୍ୟାମସୁନ୍ଦରପୁର ମୌଜାରେ କରାଯାଉଛି । ଏହି ୪ଟି ସ୍କିମ୍ ସମୁଦାୟ ୧୬୦୦ ଏକର ଜମି ଉପରେ କରାଯାଉଛି । ଏସବୁରେ ପ୍ରାୟ ୧.୫୦ ଲକ୍ଷରୁ ଅଧିକ ଲୋକ ବସବାସ କରିପାରିବେ ।

ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ୪ଟି ସ୍କିମ୍ର ବିକାଶ ପାଇଁ ପ୍ରାୟ ୭୪୯ କୋଟି ଟଙ୍କାର ବିନିଯୋଗ କରାଯିବ । ମୌଳିକ ଭିତ୍ତିଭୂମି ସୃଷ୍ଟିକରାଯିବା ପରେ ଏହି ସ୍କିମ୍ ଗୁଡ଼ିକ ନିଜେ ନିଜ ପାଇଁ ରାଜସ୍ୱ ସୃଷ୍ଟି କରିବା ନିମନ୍ତେ ସମର୍ଥ ହେବେ ବୋଲି ଉପାଧ୍ୟକ୍ଷ ଶ୍ରୀ ସିଂ ଜଣାଇଥିଲେ ।

ନଗର ଏବଂ ଗୃହ ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପଂଚାୟତି ରାଜ ଏବଂ ପାନୀୟ ଜଳଯୋଗାଣ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ବି.ଡି.ଏ ର ଯୋଜନା ସଦସ୍ୟ ଗୌରୀଶଙ୍କର ଭୂୟାଁଙ୍କ ସମେତ ସଂପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ପ୍ରସ୍ତୁତି ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ଜିଲ୍ଲାପାଳଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ବର: ଥାଇଲ୍ୟାଣ୍ଡ ନିକଟରେ ସଂଗଠିତ ହୋଇଥିବା ଲଘୁଚାପ ବଳୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ହେବାର ସମ୍ଭାବନା ଥିବାରୁ ଯେ କୌଣସି ସ୍ଥିତିର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକସେବା ଭବନରୁ ଅନୁଷ୍ଠିତ ଏହି ଭିଡିଓ କନ୍ଫେରେନ୍ସିଂ ରେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନ୍ ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଜୱାଦ୍ ଆସନ୍ତା ୪ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ର ନିକଟବର୍ତ୍ତୀ ସମୁଦ୍ରରେ ପହଞ୍ଚିବ । ଫଳରେ ୩ ତାରିଖ ସକାଳୁ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳରୁ ପ୍ରବଳତର ବର୍ଷା ଏବଂ ୭୦-୯୦ କି.ମି. ପବନ ବହିବାର ପୂର୍ବାନୁମାନ କରାଯାଇଛି । ତେବେ ଆସନ୍ତାକାଲି ଭାରତୀୟ ପାଣିପାଗ ବିଭାଗଙ୍କ ତରଫରୁ ବାତ୍ୟାର ଗତିପଥ ଓ ପବନର ଗତି ବିଷୟରେ ଅଧିକ ସୂଚନା ମିଳିବ ।

ଯାଜପୁର, ଢ଼େଙ୍କାନାଳ, ଗଜପତି, କଟକ, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ୍, ନୟାଗଡ଼, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ମୟୁରଭଞ୍ଜ ଆଦି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସେମାନଙ୍କ ପ୍ରସ୍ତୁତି ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସିଧା ସଳଖ କଥା ହୋଇଥିଲେ ।

ତିନି ତାରିଖ ବେଳକୁ ବାତ୍ୟାର ଗତିପଥ ଜଣାପଡ଼ିବା ପରେ ତଳୁଆ ଏବଂ କଚ୍ଚାଘରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ଆଣିବା, ସମସ୍ତ ବହୁମୁଖ୍ୟ ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପୂର୍ଣ୍ଣ ପ୍ରସ୍ତୁତ କରିବା, ଆଶ୍ରୟସ୍ଥଳ ପରିଚାଳନା ଟିମ୍ଙ୍କୁ ପୂର୍ବରୁ କାର‌୍ୟ୍ୟରେ ନିୟୋଜିତ କରିବା, ଶୁଖିଲା ଖାଦ୍ୟ ଏବଂ ରିଲିଫ୍ ପଦାର୍ଥର ଉପଲବ୍ଧି ବିଷୟରେ ସଜାଗ ରହିବା, ମାଇକ୍ ପ୍ରଚାର ମାଧ୍ୟମରେ ଲୋକ ମାନଙ୍କୁ ଆଗୁଆ ସୂଚନାଦେବା, ଆସନ୍ନପ୍ରସବା ମହିଳା ଏବଂ ନିଃସହାୟ ବୃଦ୍ଧ ବ୍ୟକ୍ତିମାନଙ୍କୁ ଆଗୁଆ ନିରାପଦସ୍ଥାନକୁ ନେବା ଆଦି ନିମନ୍ତେ ସଠିକ୍ ବ୍ୟବସ୍ଥା ନିଶ୍ଚିତ କରାଇବା ପାଇଁ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

‘ଜଓ୍ୱାଦ୍’’ ପ୍ରଭାବରେ ଭୀଷଣ ବର୍ଷାହେବାର ସମ୍ଭାବନା ଥିବାରୁ କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ସହରାଞ୍ଚଳରେ ବର୍ଷାଜଳ ନିଷ୍କାସନ ନାଳ ସବୁକୁ ସଫା କରିବାସହ ସମ୍ବେଦନଶୀଳ ଖାଲୁଆ ସ୍ଥାନମାନଙ୍କରେ ପାଣି ନିଷ୍କାସନ ପମ୍ପ୍ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଦିଆଯାଇଥିବା ପରାମର୍ଶ ଗୁଡ଼ିକୁ କୃଷକମାନଙ୍କ ନିମନ୍ତେ ବ୍ୟପକଭାବେ ମାଇକ୍ରେ ପ୍ରଚାର କରିବା ପାଇଁ ଶ୍ରୀ ମହାପତ୍ର ନିର୍ଦ୍ଦେଶ ଦେଇଥିଲେ । ପାଚି ଯାଇଥିବା ଫସଲ ଏବଂ ପରିପକ୍ୱ ପନିପରିବା ଆଦିକୁ ଆଗୁଆ ଅମଳକରି ନିରାପଦ ସ୍ଥାନକୁ ଆଣିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ଜେନା କହିଥିଲେ ଯେ ଇତି ମଧ୍ୟରେ ଓଡ୍ରାଫ୍, ଏନ୍.ଡି.ଆର୍.ଏଫ୍. ଏବଂ ଫାୟାର ସର୍ଭିସ୍ ଟିମ୍ମାନଙ୍କୁ ପ୍ରସ୍ତୁତ କରାଯାଇଛି । ପ୍ରାୟ ୧୦୮ ଓଡ୍ରାଫ୍ ଓ ଏନ୍.ଡି.ଆର.ଏଫ୍ ଟିମ୍ ଏବଂ ୨୦୦ ଫାୟାର ସର୍ଭିସ୍ ଟିମ୍ଙ୍କୁ ଆବଶ୍ୟକତା ଅନୁସାରେ ପୂର୍ବ ମୃତୟନ କରାଯିବ ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ କରୋନା ତୃତୀୟ ଲହର ଭୟ, ଜରୁରୀ ବୈଠକରେ ମୁଖ୍ୟ ଶାସନ ସଚିବ ନେଲେ ଏହି ନିଷ୍ପତି

ଭୁବନେଶ୍ୱର: କୋଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବର୍ତ୍ତମାନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ଆରମ୍ଭ ହୋଇଛି । ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଜୀବିକା ନିର୍ବାହ ସହିତ ସଂପୃକ୍ତ ସମସ୍ତ ଅନୁଷ୍ଠାନ, ସଂସ୍ଥା ଏବଂ କାର୍ଯ୍ୟକ୍ରମଗୁଡ଼ିକ ପୁନଃ ଆରମ୍ଭ ହୋଇଛି । ତେଣୁ ଏହି ସମୟରେ ସମ୍ଭାବ୍ୟ ତୃତୀୟ ଲହରର ପ୍ରଭାବ ରୋକିବା ନିମନ୍ତେ ଆମକୁ ଅଧିକ ସତର୍କ, ସଜାଗ ଓ କ୍ରିୟାଶୀଳ ହେବାକୁ ପଡ଼ିବ ।

ମଣ୍ଡଳ ଉନ୍ନୟନ ଅଧିକାରୀ, ସରପଂଚ, ୱାର୍ଡମେମ୍ବର, ଅଙ୍ଗନାବାଡ଼ି କର୍ମୀ, ଗ୍ରାମ ଓ ପଂଚାୟତ ସ୍ତରୀୟ ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ମାନଙ୍କ ମାଧ୍ୟମରେ ସବୁ ଅଂଚଳର ବାସ୍ତବ ସ୍ଥିତି ବିଷୟରେ ସଠିକ୍ ସୂଚନା ସଂଗ୍ରହ ସହ କୌଣସି ସ୍ଥାନରେ କୋଭିଡ୍ ସଂକ୍ରମଣ ଜଣାପଡ଼ିବା ମାତ୍ରେ ଲକ୍ଷଣ ପ୍ରକାଶ ପାଇବାମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହାଛଡ଼ା ଘରକୁ ଘର ଅଭିଜାନ ମାଧ୍ୟମରେ କୋଭିଡ୍ ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ କୋଭିଡ୍ ପରିଚାଳନାରେ ଓଡ଼ିଶା ଆନ୍ତର୍ଜାତିକ ସ୍ୱୀକୃତି ପାଇଛି । କୋଭିଡ୍ ଟିକାକରଣରେ ସମଭାବେ ଆଗୁଆ ହୋଇ ଏହି ସୁନାମ ବଜାୟ ରଖିବା ପାଇଁ ଶ୍ରୀ ଜେନା ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଟିକାକରଣର ଗ୍ରାମ ସ୍ତରୀୟ କାର୍ଯ୍ୟ-ଯୋଜନାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟାନ୍ୱୟନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜକୁମାର ଶର୍ମା କହଥିଲେ ଯେ କେତେକ ଦେଶରେ କୋଭିଡ୍ର ଏକ ନୂଆ ମିଶ୍ରିତ ପ୍ରକାର ଦେଖାଇଛି । ଏହା ଅଧିକ ମିଶ୍ରିତ ଏବଂ ତୀବ୍ର ହେବାର ସମ୍ଭାବନା ରହିଛି । ତେଣୁ ୧୮ ରୁ ଉର୍ଦ୍ଧ୍ଵ ସମସ୍ତ ନାଗରିକଙ୍କର ଶତ ପ୍ରତିଶତ ଟିକାକରଣ ଆମ ପାଇଁ ଏକ ବଡ଼ ପ୍ରତିରୋଧକ ହେବ । କୋଭିଡ୍ ପରୀକ୍ଷା କଲାବେଳେ ‘ଜେନୋମିକ୍ ସିକୁଏନ୍ସିଂ’ କରାଇବା ପାଇଁ ମଧ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଥିଲେ ।

କୋଭିଡ୍ ନିରାକରଣ ବ୍ୟବହାର ଯଥା ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଏବଂ ସାନିଟାଇଜର ବ୍ୟବହାର ଆଦିକୁ କଡାକଡି ଭାବେ ପ୍ରବର୍ତ୍ତନ କରାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିୟମ ଭଙ୍ଗ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନଙ୍କ ବିରୁଦ୍ଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ, ଜୋରିମାନା ଆଦାୟ ଆଦିକୁ ଅଧିକ ସଘନ ଓ ବ୍ୟାପକ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।

କୋଭିଡ୍-୧୯ ମୃତକଙ୍କ ଉତ୍ତରାଧିକାରୀଙ୍କୁ ଅନୁକଂପା ସହାୟତା ରାଶି ପ୍ରଦାନ ବିଷୟ ବୈଠକର ଆଲୋଚନାରେ ସ୍ଥାନ ପାଇଥିଲା । ଏହି ପ୍ରକ୍ରିୟାକୁ ଜନ ସାଧାରଣଙ୍କ ନିମନ୍ତେ ଅଧିକ ସରଳ ଓ ସୁଗମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ଅଡିଟେଡ୍ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ଅନୁକଂପା ରାଶି ପ୍ରଦାନ ନିମନ୍ତେ ପ୍ରକ୍ରିୟାଗତ ଆବଶ୍ୟକତା ପ୍ରତିବନ୍ଧକ ହେବା ଉଚ୍ଚିତ୍ ନୁହେଁ ବୋଲି ଉନ୍ନୟନ କମିଶନର ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।

ସବୁ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାର କୋଭିଡ୍ ସ୍ଥିତି, ପ୍ରତିରୋଧାତ୍ମକ କାର୍ଯ୍ୟଯୋଜନା ଏବଂ ଅନୁକଂପା ରାଶି ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ମାନବ ସମ୍ବଳ ପରିଚାଳନାରେ ୫-ଟି ନିତୀ, ନଭେମ୍ବର ୩୦ ସୁଦ୍ଧା ଇ-ସର୍ଭିସ୍ବୁକ୍ ଅପ୍ଡେଟ୍ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମାନବ ସମ୍ବଳ ପରିଚାଳନାରେ ୫-ଟି ନୀତି ପ୍ରୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ସମସ୍ତ ସରକାରୀ କର୍ମଚାରୀମାନଙ୍କର ଇ-ସର୍ଭିସ୍ବୁକ୍ର ସଦ୍ୟତନକରଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି କାର୍ଯ୍ୟର ଅଗ୍ରଗତି ବିଷୟ ଅନୁଧ୍ୟାନ କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଇ-ସର୍ଭିସ୍ବୁକ୍ ସରକାରୀ କର୍ମଚାରୀ ମାନଙ୍କ ଉତ୍ତମ ପରିଚାଳନାରେ ବହୁ ଭାବେ ସହାୟକ ହେବା ସହ ଅବସର ନେଉଥିବା କର୍ମଚାରୀମାନଙ୍କର ପେନ୍ସନ୍ ସମ୍ବନ୍ଧିତ ଦେୟ ପ୍ରଦାନକୁ ଅଧିକ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବ। ଏହା ଉଭୟ କର୍ମଚାରୀ ଏବଂ ସରକାରୀ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଏବଂ ବୃତ୍ତିଗତ କରିବ।

ନଭେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳମାନେ ନିଜ ନିଜ ବିଭାଗ କର୍ମଚାରୀ ମାନଙ୍କର ଇ-ସର୍ଭିସ୍ବୁକ୍ କାର୍ଯ୍ୟର ସଦ୍ୟତନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହା ନହେଲେ ଡିସେମ୍ବର ମାସଠାରୁ ସଂପୃକ୍ତ କର୍ମଚାରୀ ଏବଂ ବିଭାଗୀୟ ନୋଡାଲ୍ ଅଧିକାରୀଙ୍କ ଦରମା ମିଳିବାରେ ବାଧା ସୃଷ୍ଟିହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ଜଣାଇଥିଲେ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ ପୁର୍ତ୍ତ , କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଅବକାରୀ, ଶିଳ୍ପ, ପର୍ଯ୍ୟଟନ, ଗୃହ, ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଇସ୍ପାତ୍ ଓ ଖଣି, ନଗର ଓ ଗୃହ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ଶ୍ରମ ଓ ନିୟୋଜନ ଆଦି ବିଭାଗର ପ୍ରାୟ ୯୫ ପ୍ରତିଶତ କର୍ମଚାରୀମାନଙ୍କର ଇ-ସର୍ଭିସ୍ବୁକ୍ ସଦ୍ୟତନ କରାସରିଛି। ସେହିପରି ବାଲେଶ୍ୱର, ବରଗଡ଼, ଭଦ୍ରଖ, ଝାରସୁଗୁଡ଼ା, କୋରାପୁଟ, ମାଲ୍କାନାଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ପ୍ରାୟ ୯୨ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଅନ୍ୟ ବିଭାଗ ଏବଂ ଜିଲ୍ଲାମାନେ ହାରାହାରି ୭୦ ପ୍ରତିଶତ କାର୍ଯ୍ୟଶେଷ କରିଛନ୍ତି।

ବୈଠକରେ ମୁଖ୍ୟତଃ ଇ-ସର୍ଭିସ୍ବୁକ୍ ସଫଟ୍ଓୟାର ର କାର୍ଯ୍ୟକାରିତା, ସେଥିରେ ତଥ୍ୟ ସନ୍ନିବେଶ କରିବା, ଡାଟା ଏଣ୍ଟ୍ରି କାର୍ଯ୍ୟ ଆଦି ସମ୍ବନ୍ଧିତ ବିଷୟ ଆଲୋଚନା ହୋଇଥିଲା। ବିଭିନ୍ନ ଜିଲ୍ଲା ଏବଂ ବିଭାଗର ନୋଡାଲ୍ ଅଧିକାରୀମାନେ ନିଜ ନିଜର ଅଭିଜ୍ଞତା ଓ ସମସ୍ୟା ବିଷୟ ଜଣାଇଥିଲେ। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ସେବୁର ଆଶୁ ସମାଧାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ

ଭୁବନେଶ୍ୱର: ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଆଜି ଲୋକ ସେବା ଭବନକୁ ଆସି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଗତକାଲି ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କଠାରୁ ନୂଆଦିଲ୍ଲୀରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ ।

ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରି ନାହାନ୍ତି । ଜନଜାତି ମହିଳାମାନଙ୍କ ପରି ସରଳ ଓ ନିରାଡ଼ମ୍ବର ଜୀବନଶୈଳୀ ଆଦରି ନେଇଥିବା ପୂର୍ଣ୍ଣମାସୀ ଗତ ୪୦ ବର୍ଷରୁ ଊଦ୍ଧ୍ୱର୍କାଳ ଧରି ଆଧ୍ୟାତ୍ମିକ ବାଣୀ ପ୍ରଚାର କରି ଆସୁଛନ୍ତି ।ଜିଜ୍ଞାସୁମାନଙ୍କ ଆଧ୍ୟାତ୍ମିକ ପ୍ରସଙ୍ଗ ସମ୍ବଳିତ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାବେଳେ ସେ ଭଜନ ଓ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିଥାନ୍ତି । କୁଇ ଭାଷାରେ ସେ ହଜାର ହଜାର ଭଜନ ଓ ଆଧ୍ୟାତ୍ମିକ ବାଣୀ ପରିବେଷଣ କରି ଆସୁଛନ୍ତି । ଆଧ୍ୟାତ୍ମିକ କ୍ଷେତ୍ରରେ ତାଙ୍କର ବହୁ ଅନୁଗାମୀ ମଧ୍ୟ ରହିଛନ୍ତି ।

Categories
Diwali2021 ବିଶେଷ ଖବର ରାଜ୍ୟ ଖବର

ଦୀପାବଳି ନିମନ୍ତେ କଡା ନିର୍ଦ୍ଦେଶ, ବାଣ ଫୁଟାଇବା ପାଇଁ ସମୟ ଏବଂ ସ୍ଥାନ ଧାର୍ଯ୍ୟ କଲେ ମୁଖ୍ୟ ସଚିବ

ଭୁବନେଶ୍ବର: ଦୀପାବଳିରେ ବାଣ ଫୁଟାଇବା ଏବଂ ପରିବେଶ ପ୍ରତି ଧ୍ୟାନ ଦେବାକୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ କଲେକ୍ଟର, ପୋଲିସ ଅଧୀକ୍ଷକ ଏବଂ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୀପାବଳି ପାଇଁ ସୁପ୍ରିମକୋର୍ଟ,  ହାଇକୋର୍ଟ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଆଜି ଲୋକସେବା ଭବନରୁ ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ସେ ସମୀକ୍ଷା ବୈଠକରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସେ ଏହା ସ୍ପଷ୍ଟ ଭାବରେ କହିଛନ୍ତି ଯେ କୋଭିଡରୁ ସୁସ୍ଥ ଥିବା ବ୍ୟକ୍ତିଙ୍କ ଜନସ୍ୱାସ୍ଥ୍ୟ ଏବଂ ପୋଷ୍ଟ-କୋଭିଡ ଯତ୍ନ ଗୁରୁତ୍ୱପୂର୍ଣ୍ଣ ଅଟେ। ଜନସ୍ୱାସ୍ଥ୍ୟ ଏବଂ ଉତ୍ସବ ମଧ୍ୟରେ ସଠିକ୍ ସନ୍ତୁଳନ ରହିବା ଆବଶ୍ୟକ। କେବଳ ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ (PESO) ଦ୍ୱାରା ପ୍ରମାଣିତ ହୋଇଥିବା ବାଣ ବିକ୍ରି ହୋଇ ବ୍ୟବହାର ହେବ।

କୈଣସି ବ୍ୟବସାୟୀ କିମ୍ବା ଖୁଚୁରା ବ୍ୟବସାୟୀ ସ୍ଥାନୀୟ ଜିଲ୍ଲାପାଳ କିମ୍ବା ପୋଲିସ କମିଶନରଙ୍କଠାରୁ ବିକ୍ରୟ ପାଇଁ ବୈଧ ଲାଇସେନ୍ସ ବିନା ବାଣ ବିକ୍ରୟ କରିପାରିବେ ନାହିଁ। ଯେଉଁ ବାଣ ବିକ୍ରେତା ଏହି ଆଦେଶ ଉଲ୍ଲଂଘନ କରିବେ ସେମାନଙ୍କୁ ଆଇନର ବ୍ୟବସ୍ଥା ଅନୁଯାୟୀ କଠୋର କାର୍ଯ୍ୟ ଗ୍ରହଣ କରିବାକୁ କହିଛନ୍ତି।

ଶ୍ରୀ ମହାପାତ୍ର ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ରାସ୍ତାରେ ଏବଂ ସର୍ବସାଧାରଣ ସ୍ଥାନରେ ବାଣ ଫୁଟାଇବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ଲୋକମାନେ ନିଜ ଘର ପରିସରରେ କେବଳ ସବୁଜ ବାଣ ବ୍ୟବହାର କରିବାକୁ ପରାମର୍ଶ ଦେବା ପାଇଁ ସେ କହିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକୁ ବ୍ୟାଖ୍ୟା କରି ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନ ଶ୍ରୀ ପ୍ରଦୀପ କୁମାର ଜେନା ସ୍ପଷ୍ଟ କରିଛନ୍ତି ବାଣ ବ୍ୟବସାୟୀ ବ୍ୟବସାୟୀଙ୍କୁ କେବଳ ସବୁଜ ବାଣ ବିକ୍ରୀ କରିବାକୁ ଅନୁମତି ଦିଆଯିବ। ସବୁଜ ବାଣ PESO ସାର୍ଟିଫାଇଡ୍ ଆଇଟମ୍ ଏବଂ ସେହି ଆଇଟମ୍ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକର ନାମ ରହିଥିବା ଆବଶ୍ୟକ। ଖୁଚୁରା ବ୍ୟବସାୟୀଙ୍କ ଦ୍ବାରା ଉତ୍ପାଦିତ ବାଣ  PESO ରୁ ଯାଞ୍ଚ କରି ପ୍ରମାଣପତ୍ର ଆଣିଲେ ତାହାକୁ ବ୍ୟବହାର କରିବା ପାଇଁ ଅନୁମତି ଦିଆଯାଇପାରିବ।

ସେହିପରି ବାଣ ବ୍ୟବହାର ବା ଫୁଟାଇବା ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସୀମିତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେଥିପାଇଁ ଦୀପାବଳି ଦିନ ସଂଧ୍ୟା 8 ଟାରୁ ରାତି 10ଟା ପର୍ଯ୍ୟନ୍ତ ବାଣ ବ୍ୟବହାର କରାଯିବ। ସେହିପରି ବିକ୍ରୟ ପାଇଁ ସଂପୃକ୍ତ କଲେକ୍ଟର ଏବଂ ପୋଲିସ କମିଶନରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ସ୍ଥାନରେ ସୀମିତ ରହିବ ବୋଲି କୁହାଯାଇଛି।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସମସ୍ତ ଆଇଆଇସି, ଓଆଇସି ମାନଙ୍କର ସବିଶେଷ ସାନିଟାଇଜେସନ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସବୁଜ ବାଣ ସମ୍ବନ୍ଧରେ SOP ପୋଲିସ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଆଦେଶଗୁଡିକର କଠୋର କାର୍ଯ୍ୟକାରିତା ପାଇଁ ସେମାନଙ୍କୁ କ୍ଷେତ୍ର ଯାଞ୍ଚ କରିବାକୁ କୁହାଯାଇଛି।  ଜିଲ୍ଲପାଳ ଏବଂ ଏସପିମାନେ କେବଳ ସବୁଜ ବାଣ ବିକ୍ରୟ ଏବଂ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ନିଜ ନିଜ ଅଞ୍ଚଳରେ କରାଯାଇଥିବା ସବିଶେଷ ବ୍ୟବସ୍ଥା ବିଷୟରେ ସମୀକ୍ଷା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ମଂଜୁର ହେଲା ୫୩୩ କୋଟି ଟଙ୍କା, ଜାଣନ୍ତୁ କେଉଁ ଜିଲ୍ଲାକୁ କେତେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ, ଓମ୍ବାଡିସିର ମୁଖ୍ୟ ନିର୍ବାହୀ ଅଧିକାରୀ ଉମାନାନ୍ଦୁରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଉପସ୍ଥିତିରେ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ନୂତନ ଭାବେ ୮୮୯ ସ୍କୁଲ ପାଇଁ ୫୩୩ କୋଟି ୪୦ ଲକ୍ଷ ଟଙ୍କାର ନୂତନ ପ୍ରକଳ୍ପ ଅନୁମୋଦନ ପାଇଁ ଓମ୍ବାଡିସିଙ୍କୁ ପ୍ରେରଣ କରାଯାଇଥିଲା । ଓମ୍ବାଡିସି ବୋର୍ଡ କମିଟି ଦ୍ୱାରା ଗୃହୀତ ହୋଇଥିଲା ଏବଂ ୫୩୩ କୋଟି ୪୦ ଲକ୍ଷ ଟଙ୍କା ଓମ୍ବାଡିସି ବୋର୍ଡ ଦ୍ୱାରା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏହା ଦ୍ୱାରା ଆଦିବାସୀ ଓ ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ଆନନ୍ଦଦାୟକ ଶିକ୍ଷା ପାଇପାରିବେ ।

ବୈଠକର ନିଷ୍ପତ୍ତି ଅନୁଯାୟୀ ଅନୁଗୋଳ ଜିଲ୍ଲାର ୧୬ଟି ସ୍କୁଲ ପାଇଁ ୯ କୋଟି ୬୦ ଲକ୍ଷ ଟଙ୍କା, ଦେବଗଡ଼ର ୪୭ ସ୍କୁଲ ପାଇଁ ୨୮ କୋଟି ୨୦ ଲକ୍ଷ ଟଙ୍କା, ଢେଙ୍କାନାଳ ଜିଲ୍ଲାର ୧୭ଟି ସ୍କୁଲ ପାଇଁ ୧୦ କୋଟି ୨୦ ଲକ୍ଷ ଟଙ୍କା, ଯାଜପୁର ଜିଲ୍ଲାର ୧୯୫ ସ୍କୁଲ ପାଇଁ ୧୧୭ କୋଟି ଟଙ୍କା, ଝାରସୁଗୁଡ଼ା ଜିଲ୍ଲାର ୮୦ଟି ସ୍କୁଲ ପାଇଁ ୪୮ କୋଟି ଟଙ୍କା, ମୟୂରଭଞ୍ଜ ଜିଲ୍ଲାର ୩୩୯ଟି ସ୍କୁଲ ପାଇଁ ୨୦୩ କୋଟି ୪୦ ଲକ୍ଷ ଟଙ୍କା ଏବଂ ସୁନ୍ଦରଗଡ଼ ଜିଲ୍ଲାର ୧୯୫ଟି ସ୍କୁଲ ପାଇଁ ୧୧୭ କୋଟି ଟଙ୍କା ହାଇସ୍କୁଲ ରୂପାନ୍ତରୀକରଣ ପାଇଁ ମଂଜୁର ହୋଇଛି।

ପ୍ରତି ସ୍କୁଲ ପାଇଁ ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ଏହି ସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ବିଜ୍ଞାନାଗାର, ଇ-ପାଠାଗାର, ସ୍କୁଲ ପରିବେଶର ଉନ୍ନତିକରଣ, ପୁରାତନ ଛାତ୍ର ସଂଘ ଏବଂ ସ୍କୁଲ ପରିଚାଳନା କମିଟି ଦ୍ୱାରା ସ୍କୁଲ ପରିଚାଳନା ଓ ପିଲାମାନଙ୍କ ଦକ୍ଷତା ବିକାଶ ପରିଚାଳନା ଆଦି ଏହି ଅର୍ଥରୁ ଭରଣା କରାଯିବ ।

ସେହିପରି ସ୍ମାର୍ଟ ବୋର୍ଡ, ଡିଜିଟାଲ୍‌ କ୍ଲାସ୍‌ ରୁମ୍‌ ପାଇଁ ଆବଶ୍ୟକୀୟ ଉପକରଣ ପରି ଆଇ.ସି.ଟି ଉପକରଣ, ସ୍କୁଲ ମୁଖ୍ୟଦ୍ୱାରର ପରିବର୍ତ୍ତନ, ଖେଳପଡ଼ିଆର ଉନ୍ନତିକରଣ, ପାଠ୍ୟଖସଡ଼ାର ଉନ୍ନତିକରଣ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ଆଦି ପାଇଁ ମଧ୍ୟ ଏହି ଅର୍ଥ ଖର୍ଚ୍ଚ କରାଯିବ । ଗୋଷ୍ଠୀ ସଂପୃକ୍ତିକରଣ ଏବଂ ପୁରାତନ ବିଦ୍ୟାର୍ଥୀଙ୍କ ସହ ସ୍କୁଲ କମିଟିର ଯୋଗାଯୋଗ ମାଧ୍ୟମରେ ଏହି କାର୍ଯ୍ୟକ୍ରମଗୁଡ଼ିକର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ମାନସସନ୍ତାନ ୫-‘ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟର ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ସମସ୍ତ ଉପସ୍ଥିତ ସଭ୍ୟସଭ୍ୟା ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତ୍ୱରିତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ମୋନା ଶର୍ମା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ଭାସ୍କର ଶର୍ମା, ଓଡ଼ିଶା ସ୍କୁଲ ଶିକ୍ଷା ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟର ଖଣି ଖାଦନ ଥିବା ପୌର ଅଞ୍ଚଳର ବିକାଶ ପାଇଁ ମିଳିଲା 640 କୋଟି ଟଙ୍କାର ଅନୁଦାନ

ଭୁବନେଶ୍ବର: ଆଜି OMBADC ବା ଓଡିଶା ଖଣି ଅଞ୍ଚଳ ଉନ୍ନୟନ ନିଗମ ଅଧୀନରେ 640.55 କୋଟି ମୂଲ୍ୟର ପ୍ରକଳ୍ପଗୁଡିକ ଅନୁମୋଦନ କରାଯାଇଛି। ଏହା ଖଣିଜ ଉତ୍ପାଦିତ ଜିଲ୍ଲାଗୁଡିକର ସହରାଞ୍ଚଳ ସଂସ୍ଥାଗୁଡ଼ିକ ପାଇଁ ଖର୍ଚ୍ଚ କରାଯିବ। ଏଥିରେ ମାଧ୍ୟମିକ ବିଦ୍ୟାଳୟର ବିକାଶ, ପରିବେଶ ମନିଟରିଂ ଏବଂ କ୍ରୀଡା ବିକାଶ କ୍ଷେତ୍ରରେ କାର୍ଯ୍ୟ କରାଯିବ।

ମୁଖ୍ୟ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଆୟୋଜିତ ହୋଇଥିବା ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି। ଏଥିରେ OMBADC ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ନନ୍ଦୁରୀ ପ୍ରକଳ୍ପର ଆବଶ୍ୟକତା ଏବଂ ଆଶା କରାଯାଉଥିବା ଫଳାଫଳ ଉପସ୍ଥାପନ କରିଥିଲେ।

ଏହି ପ୍ରକଳ୍ପଗୁଡିକ ମାଧ୍ୟମିକ ବିଦ୍ୟାଳୟର ବିକାଶ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରମାନଙ୍କୁ ବିଶ୍ୱ ସ୍ତରୀୟ ଶିକ୍ଷା ତଥା ଏକ୍ସପୋଜର ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ ନୂତନ ପ୍ରକଳ୍ପ ମାଧ୍ୟମରେ ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ୍, ଆଇସିଟି ଲ୍ୟାବ୍ ବିକଶିତ ହେବ, ଶିକ୍ଷକମାନେ ବିଶ୍ୱସ୍ତରୀୟ ଏକ୍ସପୋଜର୍ ସହିତ ଛାତ୍ରମାନଙ୍କୁ ସର୍ବୋତ୍ତମ ଶିକ୍ଷା ପ୍ରଦାନ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି।

ଏହିପରି ସୁବିଧା ପିଲାମାନଙ୍କୁ ଜାତୀୟ ତଥା ବିଶ୍ୱ ସ୍ତରରେ ଯେ କୈଣସି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ କରିବା ଉଚିତ ବୋଲି ସେ କହିଛନ୍ତି। ସେହିପରି ଖେଳ ପଡିଆର ବିକାଶ ଏବଂ ଆନନ୍ଦଦାୟକ ଆମ୍ବିଆନ୍ସ ଏବଂ ଏକ ଶିକ୍ଷଣ ଇକୋ-ସିଷ୍ଟମ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।  ସିଇଓ ନନ୍ଦୁରୀ ଆକଳନ କରିଛନ୍ତି ଯେ ଅନୁଗୁଳ,ଢେଙ୍କାନାଳ, ଦେଓଗଡ, ଯାଜପୁର, ଝାରସୁଗୁଡା, ମୟୂରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲାର ମୋଟ 889 ଟି ମାଧ୍ୟମିକ ବିଦ୍ୟାଳୟ ଏହି ପ୍ରକଳ୍ପ ଅଧୀନରେ ଆନୁମାନିକ 533.40 କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏହି ବୈଠକରେ ଖଣି ପ୍ରଭାବିତ ଜିଲ୍ଲାମାନଙ୍କରେ ଏକାଦଶ ସହରାଞ୍ଚଳ ପାଇଁ ସମୁଦାୟ 104.15 କୋଟି ଟଙ୍କା ଧାର୍ଯ୍ୟ ହୋଇଥିବା ବହୁମୁଖୀ ଇନଡୋର ଷ୍ଟାଡିୟମର ବିକାଶ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ଏଥିମଧ୍ୟରେ ନଅଟି ପୌରପାଳିକା ଯଥା ବେଲପାହଡ, ବ୍ରଜରାଜନଗର, ଆନନ୍ଦପୁର, ବଡବିଲ୍, ବିରିମିତ୍ରପୁର, ରାଜଗଂଗପୁର, ରାଉରକେଲା ଏବଂ ବ୍ୟାସନଗର  ପୌରପାଳିକା ଅନ୍ତର୍ଭୁକ୍ତ।

ସେହିପରି ଦୁଇଟି ଏନଏସି ଚମ୍ପୁଆ ଏବଂ ଯୌଡା ମଧ୍ୟ ଏଥିରେ ସାମିଲ କରାଯାଇଛି।  ଏହାଦ୍ବାରା ନିକଟବର୍ତ୍ତୀ ଅଞ୍ଚଳରେ କ୍ରୀଡା ପ୍ରତିଭା ପ୍ରତିପୋଷଣ ଏବଂ ପ୍ରୋତ୍ସାହନ ପାଇଁ ସାହାଯ୍ୟ କରିବ। ଖଣି ଜିଲ୍ଲାମାନଙ୍କରେ କ୍ରୀଡ଼ା ପ୍ରତିଭାର ପୋଷଣ ତଥା ପ୍ରୋତ୍ସାହନ ପାଇଁ ସୁବିଧାଗୁଡ଼ିକର ସର୍ବୋତ୍ତମ ଉପଯୋଗ କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଓଡିଶାର ଖଣି ଅଞ୍ଚଳରେ ପରିବେଶ ସୁରକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଆଇସିଟି ଏବଂ ଡାଟା ବିଜ୍ଞାନର ପ୍ରୟୋଗ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଛି। ଏଥିପାଇଁ 3.10 କୋଟି ଟଙ୍କା ଅନୁଦାନକୁ ମଧ୍ୟ ସ୍ବୀକୃତ ପିରଦାନ କରାଯାଇଛି। ଏହି ପ୍ରକଳ୍ପଟି ଖଣି ଯୋଗୁଁ ସୃଷ୍ଟି ହେଉଥିବା ପରିବେଶ ପ୍ରଦୂଷଣ ତଥ୍ୟ ଉପରେ ଏକ ବିସ୍ତୃତ ତଥ୍ୟ ସଂଗ୍ରହ ତଥା ବିକାଶ ପାଇଁ ଯୋଜନା କରାଯାଇଛି। ସିଇଓ ନନ୍ଦୁରୀ ଆକଳନ କରିଛନ୍ତି ଯେ ଉତ୍ପାଦିତ ତଥ୍ୟକୁ ପ୍ରଦୂଷଣକୁ ହ୍ରାସ କରିବାରେ ଏବଂ ଖଣି କାର୍ଯ୍ୟ ସମ୍ବନ୍ଧରେ ନିଷ୍ପତ୍ତି ନେବାରେ ବ୍ୟବହାର କରାଯିବ। ଏହି ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଗସ୍ତରେ ମୂଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ କାର୍ଯ୍ୟକ୍ରମର କଲେ ସମୀକ୍ଷା

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୂଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିୟାନ ଓ ସ୍ୱତନ୍ତ ସଚିବ ଭିନିଲ କ୍ରିଷ୍ଣା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ପ୍ରମୂଖ କଳାହାଣ୍ଡି ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଛନ୍ତି।

ଶନିବାର ସକାଳ ୧୦ଟା ସମୟରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଉତ୍କେଲା ବିମାନ ବନ୍ଦରରେ ଓହ୍ଲାଇ ସେଠାରେ ବିମାନ ବନ୍ଦରର ସ୍ଥିତି, ଉନ୍ନତି, ଜମି ଅଧିଗ୍ରହଣ, ଆଦି ବିଭିନ୍ନ ଦିଗ ଉପରେ ବ୍ୟାପକ ସମୀକ୍ଷା କରିଥିଲେ।

ଏହାପରେ ମୂଖ୍ୟ ଶାସନ ସଚିବ ତଥା ଅନ୍ୟ ପଦାଧିକାରୀମାନେ ଭବାନୀପାଟଣା ନିକଟସ୍ଥ ଭଙ୍ଗାବାରି ଠାରେ ନିର୍ମାଣାଧିନ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ର ନିର୍ମାଣ, ଅଗ୍ରଗତି, ଅଧ୍ୟାପନା ବ୍ଲକ, ଅଡିଟୋରିୟମ, ପୁରୁଷ ଓ ମହିଳା ହଷ୍ଟେଲ ଇତ୍ୟାଦି କାର୍ୟ୍ୟର ସମୀକ୍ଷା କରିଥିଲେ।

ସେହିପରି ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜର ପୂର୍ଣ୍ଣାଙ୍ଗ ରୂପରେଖ ଓ ବଜେଟ ପ୍ରସ୍ତୃତ କରିବାକୁ ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ମାଁ ଇନ୍ଦ୍ରାବତୀ ଟେମ୍ପଲ କମ୍ଲେକ୍ସ, ଭବାନୀପାଟଣା ନୂତନ ବସଷ୍ଟାଣ୍ଡ, ସାନ୍ଦୁଲ ପ୍ରକଳ୍ପ, ମେଗାଲିପ୍ଟ, କେସିଙ୍ଗା-ବଲାଙ୍ଗୀର ୨୨୦ କେଭି ଇଲେକ୍ଟ୍ରୀ ଲାଇନ, ବିଜୁ ଏକ୍ସପ୍ରେସ ୱେ, ଟାଉନ ହଲ, ଧର୍ମଗଡ ଆଟିଆଇ ଇତ୍ୟାଦି ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ। ନିର୍ମାଣାଧିନ ପ୍ରକଳ୍ପ ଗୁଡିକ ଶୀଘ୍ର ସମାପ୍ତ କରିବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ନର୍ଲା ରୋଡ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବ୍ୟବସ୍ଥା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥରଲେ।

ରାଜ୍ୟ ସରକାରଙ୍କ ୫ଟି ଅଧିନରେ କଳାହାଣ୍ଡି ଜିଲ୍ଲାର ୨୬ ଟି ହାଇସ୍କୁଲକୁ ନିଆଯାଇଥିବା ବେଳେ ସେସବୁର ସମୀକ୍ଷା କରିବା ସହିତ ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ ଓ ଟାଉନ ହାଇସ୍କୁଲକୁ ପରିଦର୍ଶନରେ ଯାଇ ରୁପାନ୍ତରିତ ହୋଇଥିବା ସ୍ମାର୍ଟ କ୍ଲାସରୁମ, ବିଜ୍ଞାନ ପରୀକ୍ଷାଗାର ଇତ୍ୟାଦି ନିର୍ମାଣ ଉପରେ ସନ୍ତୋଷ ପ୍ରକାଶ କରିବା ସହ ଅନ୍ୟାନ୍ୟ କାର୍ୟ୍ୟ ସବୁ ଶିଘ୍ର ସାରିଦେବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଏହିସବୁ ଗସ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି, ଏସପି ଶ୍ରବଣ ବିବେକ, ପିଡି ଡିଆରଡିଏ ସୋମେଶ ଉପାଧ୍ୟାୟ, ଭବାନୀପାଟଣା ଉପଜିଲ୍ଲାପାଳ ତଥା ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି, କୋଭିଡ19ର 3ୟ ଲହରକୁ ମୁକାବିଲା ପାଇଁ ନେଲେ ଭିନ୍ନ ପଦକ୍ଷେପ

ଭୁବନେଶ୍ଵର, ରାଜ୍ୟରେ କରୋନା ଲଢେଇକୁ ଅଧିକ ଲକ୍ଷଭେଦୀ ଓ ଫଳପ୍ରସୂ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅପରାହଣରେ ରାଜ୍ୟବାସୀଙ୍କୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ଵରେ ରାଜ୍ୟରେ ଚାଲିଥିବା କୋଭିଡ ଲଢେଇରେ ପ୍ରତ୍ୟକ ଜୀବନ ମୂଲ୍ୟବାନ । ଏ ଦିଗରେ ଆଜି ରାଜ୍ୟ ସରକାର ଦୁଇଟି ବଡ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।

ପ୍ରଥମତଃ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ କରୋନା ଟୀକା କିଣିବା ପାଇଁ ଇତି ମଧ୍ୟରେ ଗ୍ଲୋବାଲ ଟେଣ୍ଡର ଆହ୍ଵାନ କରାଯାଇଛି । ଓଡିଶା ରାଜ୍ୟ ଔଷଧ ନିଗମ ଲିଃ. ମାଧ୍ୟମରେ ପ୍ରାୟ ୩.୮ କୋଟି ଟୀକା କ୍ରୟ କରାଯିବ । ଜନସାଧାରଣଙ୍କୁ ଶୀଘ୍ର ଟୀକା ଯୋଗାଇବା ଲକ୍ଷ୍ୟ ସାଧନ ନିମନ୍ତେ ଏହି ଟେଣ୍ଡର ମାଧ୍ୟମରେ ୪ ମାସ ମଧ୍ୟରେ ଟୀକା କ୍ରୟ ପାଇଁ ଚେଷ୍ଟା କରାଯାଉଛି ।

ଏହି ଗ୍ଲୋବାଲ ଟେଣ୍ଡରରେ ବିଶ୍ଵର ଯେକୌଣସି ଦେଶର ଟୀକା ଉତ୍ପାଦନକାରୀ କମ୍ପାନୀମାନେ ଭାଗ ନେଇ ପାରିବେ । ଚଳିତ ମେ ମାସ ୧୯ ତାରିଖ ଦିନ ପ୍ରି-ବିଡ ବୈଠକ ଅନୁଷ୍ଠିତ ହେବ ଏବଂ ଏହି ମାସ ୨୮ ତାରିଖ ଟେଣ୍ଡର ଗ୍ରହଣ ପାଇଁ ଶେଷ ତାରିଖ ରଖାଯାଇଛି ।

ଦ୍ବିତୀୟରେ କୋଭିଡ ମୁକାବିଲା ନିମନ୍ତେ ସର୍ବୋତ୍ତମ ବିଜ୍ଞାନ ଓ ତଥ୍ୟଭିତ୍ତିକ ପରାମର୍ଶ ଦେବା ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପରାମର୍ଶଦାତା କମିଟି ଗଠନ କରାଯାଇଛି । ଖ୍ୟାତିସମ୍ପନ୍ନ ଡାକ୍ତର କେ. ଶ୍ରୀନାଥ ରେଡ୍ଡୀ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । ଏହି କମିଟି ରାଜ୍ୟରେ ଟିକାକରଣ ଏବଂ ଭବିଷ୍ୟତରେ ସମ୍ଭାବ୍ୟ କରୋନା ଲହରକୁ ସାମନା କରିବା ପାଇଁ ଭିତ୍ତିଭୂମି, ଟେକ୍ନୋଲୋଜି ଏବଂ ଆନ୍ତର୍ଜାତୀୟ କ୍ଷେତ୍ରରେ ପ୍ରାମାଣିତ ସର୍ବୋତ୍ତମ ପଦ୍ଧଟି ବିଷୟରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ ।

ଡାକ୍ତର ଦେବୀ ସେଠୀ, ଡାକ୍ତର ରମାକାନ୍ତ ପଣ୍ଡାଙ୍କ ସମେତ ଖ୍ୟାତନାମା ବୈଜ୍ଞାନିକମାନଙ୍କୁ ଏହି କମିଟିରେ ସଦସ୍ୟ ଭାବେ ଗ୍ରହଣ କରାଯାଇଛି । ଓଡିଶା ଭେଷଜ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ଏହାର ଆବାହକ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ: କୋଭିଡ୍ ସ୍ଥିତିକୁ ନେଇ କଲେ ସମୀକ୍ଷା

ରାଉରକେଲା: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର, ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ ସହିତ ଆସି ରାଉରକେଲା ସହର ଏବଂ ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ସ୍ଥିତି ଓ ଏହାର ପରିଚାଳନା ପାଇଁ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ରାଉରକେଲାରେ ପହଞ୍ଚି ଜେ ପି କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିବା ସହିତ ହାଇଟେକ୍ କୋଭିଡ୍ ହସ୍ପିଟାଲ, ଶାନ୍ତି ମେମୋରିଆଲ କୋଭିଡ୍ ହସ୍ପିଟାଲ, ଏନଟିପିସି କୋଭିଡ୍ ସେଣ୍ଟରରେ ଉପଲବ୍ଧ ଚିକିତ୍ସା ସୁବିଧା, ଉପକରଣ ଓ ଔଷଧପତ୍ର ଆଦି ବିଷୟରେ ସମୀକ୍ଷା କରିଥିଲେ। ରାଉରକେଲା ମହାନଗର ନିଗମର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ କୋଭିଡ୍ ସମ୍ପର୍କିତ କ୍ଷେତ୍ର ସ୍ତରୀୟ ସ୍ଥିତି ଓ ତଥ୍ୟ ଉପାସ୍ଥାପନ କରିଥିଲେ।

ସମୀକ୍ଷା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ କୋଭିଡ୍ ହସ୍ପିଟାଲରେ ଆବଶ୍ୟକ ବେଡ୍‌, ଆଇସିୟୁ ଏବଂ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି। ରାଉରକେଲାରେ ଥିବା ଜେ ପି ହସ୍ପିଟାଲରେ ୨୫୦ଟି ବେଡ୍ କୋଭିଡ୍ ଚିକିତ୍ସା ପାଇଁ ରଖାଯାଇଛି। ସୁନ୍ଦରଗଡ଼ସ୍ଥିତ ଏନଟିପିସି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ପାଇଁ ୪୦୦ ଶଯ୍ୟା ରହିଛି। ସେହିପରି ରାଉରକେଲାସ୍ଥିତ ହାଇଟେକ କୋଭିଡ୍ ହସ୍ପିଟାଲକୁ ଖୁବଶୀଘ୍ର କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଖୋଲାଯିବ । ଏହାଛଡ଼ା ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ କେୟାର ସେଂଟରଗୁଡ଼ିକରେ ୧ ହଜାରରୁ ଅଧିକ ବେଡର ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ କୋଭିଡ୍ ସଂକ୍ରମଣର ପ୍ରତିରୋଧ ନିମନ୍ତେ କୋଭିଡ୍ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପ୍ରବର୍ତ୍ତନ କରାଯିବ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାଛଡ଼ା ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଅଧିକ ବ୍ୟାପକ କରାଯିବ। ଆବଶ୍ୟକସ୍ଥଳେ ଜିଲ୍ଲା ପ୍ରଶାସନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ମଧ୍ୟ କରିପାରିବେ।

ଏହି ଗସ୍ତ ଓ ସମୀକ୍ଷା ସମୟରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ, ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା, ରାଉରକେଲା ଏସପି ମୁକେଶ ଭାମୋ, ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ଆରଏସପି ସିଇଓ ଦୀପକ ଚଟ୍ଟରାଜଙ୍କ ସହିତ ଆରଜିଏଚ, ଆଇଜିଏଚ, ଶାନ୍ତି ମେମୋରିଆଲ ହସ୍ପିଟାଲ, ହାଇଟେକ୍ ହସ୍ପିଟାଲ, ଆରଏସପିର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଯାଜପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଯାଜପୁର, ଯାଜପୁର ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରାଯାଉଛି । ବିଭିନ୍ନ ମେଗା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରାଯିବା ସହ ତାହାର ସୁଫଳ ଲୋକମାନଙ୍କୁ ଯଥାଶିଘ୍ର ମିଳିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରବିବାର ପୁର୍ବାହ୍ନରେ ଯାଜପୁର ଜିଲାକୁ ଦିନିକିଆ ଗସ୍ତରେ ଆସି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରିଥିଲେ । ପରେ ମନ୍ଦିର ଚତୁଃପାଶ୍ୱ ପରିଦର୍ଶନ କରିବା ସହ ମନ୍ଦିରର ଉନ୍ନୟନ ପାଇଁ ୬କୋଟି ୫୦ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ ।

ମା’ଙ୍କ ମନ୍ଦିରର ଉନ୍ନୟନ ଓ ଉନ୍ନତିକରଣ କାର୍ଯ୍ୟ ଶିଘ୍ର ଆରମ୍ଭ କରିବାକୁ ମହାପାତ୍ର ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପରେ କୁସୁମା ପୋଖରୀ ପରିଦର୍ଶନ ସହ ତାହାର ଉନ୍ନତି କରଣ ପାଇଁ ବିଭିନ୍ନ ପରାମର୍ଶ ମୁଖ୍ୟ ସଚିବ ଦେଇଥିଲେ । ପରେ ପରେ ଜିଲା ମୁଖ୍ୟ ଚିକିତ୍ସାଳୟର ସମ୍ପ୍ରସାରିତ ନିର୍ମାଣ କାର‌୍ୟ୍ୟକୁ ପରିଦର୍ଶନ କରିବା ସହ ପ୍ରକଳ୍ପ ସାରିବାକୁ ଧାର‌୍ୟ୍ୟ ହୋଇଥିବା ଦେଢ଼ ବର୍ଷ ସମୟସୀମା ମଧ୍ୟରେ ଏହା ଯେପରି ଲୋକଙ୍କ ସେବାରେ ଲାଗେ ସେ ସମ୍ପର୍କରେ ନିର୍ଦ୍ଦେଶ ଦେଇଥିଲେ ।

ଏହା ପରେ ଜିଲା ସ୍କୁଲର ସ୍ମାର୍ଟ କ୍ଲାସକୁ ମୁଖ୍ୟ ସଚିବ ଅନୁଧ୍ୟାନ କରିବା ସହ ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାପାଳଙ୍କ କାର‌୍ୟ୍ୟାଳୟରେ ଜିଲାରେ କାର‌୍ୟ୍ୟକାରୀ ହେଉଥିବା ଓ ହେବାକୁ ଥିବା ବିଭିନ୍ନ ମେଗା ପ୍ରକଳ୍ପ ସମ୍ପର୍କରେ ମୁଖ୍ୟ ସଚିବ ସମୀକ୍ଷା କରିଥିଲେ । ଯାଜପୁର ଟାଉନ୍‌, ବ୍ୟାସନଗର, କଳିଙ୍ଗନଗର ଓ ଜିଲାର ଅନ୍ୟାନ୍ୟ ଅଞ୍ଚଳ ଗୁଡ଼ିକର ଉନ୍ନୟନ ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ଗୁଡ଼ିକୁ ସେ ଅନୁଧ୍ୟାନ କରିଥିଲେ । ଏହାକୁ ଆଗାମୀ ଦିନରେ କାର‌୍ୟ୍ୟକାରୀ କରାଯିବ ଏବଂ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ସେହିପରି ଡ଼ିଏମ୍‌ଏଫ୍ ଓ ଓମ୍ବାର୍ଡ଼ସି ସହାୟତାରେ ଚାଲୁଥିବା କାର‌୍ୟ୍ୟ ଓ ପ୍ରସ୍ତୁତ ହୋଇଥିବା ଯୋଜନା କାର‌୍ୟ୍ୟକୁ ମଧ୍ୟ ଶ୍ରୀ ମହାପାତ୍ର ସମୀକ୍ଷା କରିଥିଲେ । ଜିଲାର ବିକାଶ ଓ ଉନ୍ନୟନ କାର‌୍ୟ୍ୟ ଅଗ୍ରାଧିକାର ଭିତ୍ତିରେ କରାଯାଉଛି । ୪୦ ଏକର ଜମିରେ ପ୍ରଶାସନିକ ଭବନ ନିର୍ମାଣ ହେଉଛି । ସମସ୍ତ ସ୍କୁଲ ମାନଙ୍କର ପିଲାମାନେ ଯେପରି ବେଷ୍ଟ ଏଜୁକେଶନ ପାଇପାରିବେ ତାହାପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି । ଜୀବିକା ମିଶନ ମାଧ୍ୟମରେ ଲୋକମାନଙ୍କୁ କର୍ମନିଯୁକ୍ତି ମଧ୍ୟ ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟ ସଚିବ କହିଥିଲେ । ବ୍ୟାସନଗର ଓ କଳିଙ୍ଗ ନଗରରେ ମଧ୍ୟ ଏକାଧିକ ପ୍ରକଳ୍ପ ଚାଲୁ ରହିଛି ।

ଆଗକୁ ଏହାର ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି ବୋଲି ମୁଖ୍ୟ ସଚିବ କହିବା ସହ ସଠିପୁର, ବ୍ୟାସନଗର ଓ କଳିଙ୍ଗନଗର ଇତ୍ୟାଦି ଅଞ୍ଚଳକୁ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋର, ଆଇଏଏସ୍ ପ୍ରୋବେସନର ସଚିନ୍ ପାୱାର, ଅତିରିକ୍ତ ଜିଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ, ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ପ୍ରମୁଖ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ରାଠୋର ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ଜିଲାରେ କାର‌୍ୟ୍ୟକାରୀ ହେଉଥିବା ଓ ହେବାକୁ ଥିବା ଯୋଜନା ଗୁଡ଼ିକର ନୀଳ ନକ୍ସା ପ୍ରଦର୍ଶନ କରିଥିଲେ ।