ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି, କୋଭିଡ19ର 3ୟ ଲହରକୁ ମୁକାବିଲା ପାଇଁ ନେଲେ ଭିନ୍ନ ପଦକ୍ଷେପ

Published: May 16, 2021, 11:09 pm IST

ଭୁବନେଶ୍ଵର, ରାଜ୍ୟରେ କରୋନା ଲଢେଇକୁ ଅଧିକ ଲକ୍ଷଭେଦୀ ଓ ଫଳପ୍ରସୂ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅପରାହଣରେ ରାଜ୍ୟବାସୀଙ୍କୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ଵରେ ରାଜ୍ୟରେ ଚାଲିଥିବା କୋଭିଡ ଲଢେଇରେ ପ୍ରତ୍ୟକ ଜୀବନ ମୂଲ୍ୟବାନ । ଏ ଦିଗରେ ଆଜି ରାଜ୍ୟ ସରକାର ଦୁଇଟି ବଡ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।

ପ୍ରଥମତଃ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ କରୋନା ଟୀକା କିଣିବା ପାଇଁ ଇତି ମଧ୍ୟରେ ଗ୍ଲୋବାଲ ଟେଣ୍ଡର ଆହ୍ଵାନ କରାଯାଇଛି । ଓଡିଶା ରାଜ୍ୟ ଔଷଧ ନିଗମ ଲିଃ. ମାଧ୍ୟମରେ ପ୍ରାୟ ୩.୮ କୋଟି ଟୀକା କ୍ରୟ କରାଯିବ । ଜନସାଧାରଣଙ୍କୁ ଶୀଘ୍ର ଟୀକା ଯୋଗାଇବା ଲକ୍ଷ୍ୟ ସାଧନ ନିମନ୍ତେ ଏହି ଟେଣ୍ଡର ମାଧ୍ୟମରେ ୪ ମାସ ମଧ୍ୟରେ ଟୀକା କ୍ରୟ ପାଇଁ ଚେଷ୍ଟା କରାଯାଉଛି ।

ଏହି ଗ୍ଲୋବାଲ ଟେଣ୍ଡରରେ ବିଶ୍ଵର ଯେକୌଣସି ଦେଶର ଟୀକା ଉତ୍ପାଦନକାରୀ କମ୍ପାନୀମାନେ ଭାଗ ନେଇ ପାରିବେ । ଚଳିତ ମେ ମାସ ୧୯ ତାରିଖ ଦିନ ପ୍ରି-ବିଡ ବୈଠକ ଅନୁଷ୍ଠିତ ହେବ ଏବଂ ଏହି ମାସ ୨୮ ତାରିଖ ଟେଣ୍ଡର ଗ୍ରହଣ ପାଇଁ ଶେଷ ତାରିଖ ରଖାଯାଇଛି ।

ଦ୍ବିତୀୟରେ କୋଭିଡ ମୁକାବିଲା ନିମନ୍ତେ ସର୍ବୋତ୍ତମ ବିଜ୍ଞାନ ଓ ତଥ୍ୟଭିତ୍ତିକ ପରାମର୍ଶ ଦେବା ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପରାମର୍ଶଦାତା କମିଟି ଗଠନ କରାଯାଇଛି । ଖ୍ୟାତିସମ୍ପନ୍ନ ଡାକ୍ତର କେ. ଶ୍ରୀନାଥ ରେଡ୍ଡୀ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । ଏହି କମିଟି ରାଜ୍ୟରେ ଟିକାକରଣ ଏବଂ ଭବିଷ୍ୟତରେ ସମ୍ଭାବ୍ୟ କରୋନା ଲହରକୁ ସାମନା କରିବା ପାଇଁ ଭିତ୍ତିଭୂମି, ଟେକ୍ନୋଲୋଜି ଏବଂ ଆନ୍ତର୍ଜାତୀୟ କ୍ଷେତ୍ରରେ ପ୍ରାମାଣିତ ସର୍ବୋତ୍ତମ ପଦ୍ଧଟି ବିଷୟରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ ।

ଡାକ୍ତର ଦେବୀ ସେଠୀ, ଡାକ୍ତର ରମାକାନ୍ତ ପଣ୍ଡାଙ୍କ ସମେତ ଖ୍ୟାତନାମା ବୈଜ୍ଞାନିକମାନଙ୍କୁ ଏହି କମିଟିରେ ସଦସ୍ୟ ଭାବେ ଗ୍ରହଣ କରାଯାଇଛି । ଓଡିଶା ଭେଷଜ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ଏହାର ଆବାହକ ରହିଛନ୍ତି ।

Related posts