ପୁଣି ଥରେ ରେପୋ ରେଟ୍ ବୃଦ୍ଧି କଲା ଆରବିଆଇ, ବିଭିନ୍ନ ମହଲରେ ପ୍ରତିକ୍ରିୟା

Published: Aug 5, 2022, 5:14 pm IST

ମୁମ୍ବାଇ: ଆଜି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛନ୍ତି। ଆଜି ଆରବିଆଇ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବ୍ୟାଙ୍କ ସୁଧହାର ବା ରେପୋ ରେଟ୍ ବୃଦ୍ଧି କରିଛି ବୋଲି କୁହାଯାଇଛି। ଏଥିରେ ୫୦ ବେସିସ୍ ପଏଣ୍ଟ ବଢିଛି ରେପୋ ରେଟ୍। ଯାହାଫଳରେ ରେପୋ ରେଟ୍ ଏବେ ୫.୪୦ ପ୍ରତିଶତରେ ପହଞ୍ଚିଛି।

ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ମୁଦ୍ରାନୀତି ସମୀକ୍ଷା ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ତିନି ମାସର ସ୍ବଳ୍ପ ଅବଧି ମଧ୍ୟରେ ଏହା ତୃତୀୟ ଥର ପାଇଁ ବୃଦ୍ଧି ପାଇଛି।

ରିଜର୍ଭ ବ୍ୟାଙ୍କ ସୁଧହାର ବଢାଇବା ଅର୍ଥ ଇଏମଆଇ ଏବଂ ଋଣ ମହଙ୍ଗା ହେବ। ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ଉଦ୍ୟମ ଜାରି ରଖିଛନ୍ତି। ଏହାସତ୍ତ୍ବେ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି। ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଶକ୍ତିକାନ୍ତ ଦାସ।

ବିଶ୍ବର ବର୍ତ୍ତମାନ ସ୍ଥିତି ଯୋଗୁଁ ଅର୍ଥନୀତି ପ୍ରଭାବିତ ହୋଇଛି ବୋଲି ଗଭର୍ଣ୍ଣର କହିଛନ୍ତି। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧ ହାର ହ୍ରାସ କରିଛି ଆଇଏମଏଫ। ୨୦୨୩ ଆର୍ଥିକ ବର୍ଷରେ ୭.୨ ପ୍ରତିଶତ ରହିବା ନେଇ ଅଭିବୃଦ୍ଧି ଆକଳନ କରାଯାଇଛି। ଏହାସହିତ ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ବୃଦ୍ଧି ସମ୍ଭାବନା ଥିବା କୁହାଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Related posts