ବିଶ୍ୱର ସର୍ବବୃହତ୍ ପଟାସ ଯୋଗାଣକାରୀ ସଂସ୍ଥା କାନାଡାର “କାନାପୋଟେକ୍ସ” ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ

Published: Sep 28, 2022, 9:15 pm IST

ନୂଆଦିଲ୍ଳୀ: ଦେଶରେ ରାସାୟନିକ ସାରର ଉପଲବ୍ଧତା ବୃଦ୍ଧି ଏବଂ ଏ କ୍ଷେତ୍ରରେ ଦୀର୍ଘକାଳୀନ ଯୋଗାଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଭାରତୀୟ ସାର କମ୍ପାନୀମାନେ ବିଶ୍ୱର ସର୍ବବୃହତ୍ ପଟାସ ଯୋଗାଣକାରୀ ସଂସ୍ଥା କାଡାନାର “ କାନପୋଟେକ୍ସ” କମ୍ପାନୀ ସହିତ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଗତକାଲି ଅର୍ଥାତ୍ ୨୦୨୨ ସେପ୍ଟେମ୍ବର ୨୭ତାରିଖରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାରତୀୟ ସାର କମ୍ପାନୀ କରମଣ୍ଡଳ ଇଣ୍ଟରନ୍ୟାସନାଲ, ଚମ୍ବଲ ଫର୍ଟିଲାଇଜର ଓ ଇଣ୍ଡିଆନ ପଟାସ ଲିମିଟେଡ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାନାଡାର କାନପୋଟେକ୍ସ ବିଶ୍ୱର ସର୍ବବୃହତ୍ ପଟାସ ରପ୍ତାନୀକାରୀ/ଯୋଗାଣକାରୀ ସଂସ୍ଥା। ଏହା ବାର୍ଷିକ ୧୩୦ଲକ୍ଷ ମେଟ୍ରିକ ଟନ୍ ପଟାସ ଓ ପଟାସ ଜାତୀୟ ସାର ଏବଂ ଅନ୍ୟାନ୍ୟ ଉର୍ବରକ ସାମଗ୍ରୀ ରପ୍ତାନୀ କରିଥାଏ। ସ୍ୱାକ୍ଷରିତ ଚୁକ୍ତି ଅନୁସାରେ କାନପୋଟେକ୍ସ ଭାରତକୁ ‘ମ୍ୟୁରେଟ ଅଫ ପଟାସ’ ସାର ଯୋଗାଇବ।

ଏହି ଚୁକ୍ତିକୁ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡବୀୟ ସ୍ୱାଗତ କରିଛନ୍ତି। ଏହାକୁ ଏକ ଐତିହାସିକ ପରିପେକ୍ଷ ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହି ଚୁକ୍ତି ଫଳରେ ଭାରତରେ ପଟାସ ସାରର ଅଭାବ ଓ ମୂଲ୍ୟ ଅସ୍ଥିରତାର ଅବସାନ ଘଟିବ ଏବଂ ଚାଷୀକୂଳ ଏହା ଦ୍ୱାରା ବିଶେଷଭାବେ ଉପକୃତ ହେବେ। ଦୀର୍ଘକାଳୀନ ଭିତ୍ତିରେ କାନ୍ସପୋଟେକ୍ସ ଭାରତକୁ ପଟାସ ସାର ଯୋଗାଇବା ଦ୍ୱାରା ଦେଶରେ ପଟାସ ଯୋଗାଣ ଓ ଉପଲବ୍ଧତା ବଢିବ ଏବଂ ଏହାର ମୂଲ୍ୟ ସ୍ଥିର ରହିବ। ସାର ଯୋଗାଣ ବ୍ୟବସ୍ଥାକୁ ସୁସଂହତ ଓ ସୁଦୃଢ କରିବାକୁ ଭାରତୀୟ କମ୍ପାନୀମାନଙ୍କୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହାର ସୁଯୋଗ ନେଇ ସମ୍ପୃକ୍ତ କମ୍ପାନୀମାନେ ସାର ଯୋଗାଣ ଶୃଙ୍ଖଳାକୁ ସୁଦୃଢ କରିବା ଆବଶ୍ୟକ। ଏଥିପାଇଁ ସେମାନେ ସମ୍ବଳବାନ ରାଷ୍ଟ୍ରଙ୍କ ସହିତ ଅଂଶୀଦାରୀ ଭିତିରେ କାମ କରି ଆଗେଇ ଆସିବା ଉଚିତ।

ସେ କହିଛନ୍ତି ଯେ ରାସାୟନିକ ସାର ଓ ଏହାର କଞ୍ଚାମାଲ ପାଇଁ ଭାରତ ବିଦେଶ ବଜାର ଉପରେ ଅଧିକ ନିର୍ଭରଶୀଳ। ତେଣୁ ଭାରତୀୟ କମ୍ପାନୀମାନେ ଏହାର ଆମଦାନୀ ବ୍ୟବସ୍ଥାକୁ ସୁସଂହତ କରିବା ପାଇଁ ସମ୍ବଳବାନ ଦେଶଙ୍କ ସହିତ ଅଂଶୀଦାରୀ ଭିତ୍ତିରେ କାମ କଲେ ଭାରତର କୃଷି ଓ କୃଷକଙ୍କୁ ଲାଭ ମିଳିବ। ଏହା ଦ୍ୱାରା ମଧ୍ୟ ସାର ଅଭାବ ଦୂର ହୋଇ ମୂଲ୍ୟ ସ୍ଥିର ରହିବ ଏବଂ ଯୋଗାଣ ଚାହିଦା ମଧ୍ୟରେ ଉପଯୁକ୍ତ ଭାରସାମ୍ୟ ରକ୍ଷା କରି ହେବ।
ମନ୍ତ୍ରୀ ଶ୍ରୀ ମାଣ୍ଡବୀୟ ଆହୁରି କହିଛନ୍ତି ଯେ ବୁଝାମଣାପତ୍ର ଅନୁସାରେ କାନପୋଟେକ୍ସ ସଂସ୍ଥା ଭାରତକୁ ତିନିବର୍ଷ ପାଇଁ ବାର୍ଷିକ ୧୫ଲକ୍ଷ ମେଟ୍ରିକ ଟନ୍ ଲେଖାଏଁ ପଟାସ ଯୋଗାଇବ। ଏହି ପଟାସକୁ ଭାରତୀୟ ସାର ଉତ୍ପାଦନକାରୀ କମ୍ପାନୀମାନେ ବ୍ୟବହାର କରିପାରିବେ। ସେମାନେ ଆବଶ୍ୟକ କଞ୍ଚାମାଲ ଓ ଅନ୍ୟାନ୍ୟ ଖଣିଜ ନିୟମିତ ଭାବେ ଚାହିଦା ମୁତାବକ ପାଇଲେ ଦେଶରେ ପଟାସ ସାରର ଅଭାବ ରହିବ ନାହିଁ। ଯୋଗାଣ ବଢିଲେ ଏହି ସାରର ମୂଲ୍ୟ ମଧ୍ୟ ସ୍ଥିର ରହିବ ଏବଂ ଅଭାବ ଜନିତ ମୂଲ୍ୟ ଅସ୍ଥିରତା ଦୂର ହୋଇପାରିବ।

ଏହି ଚୁକ୍ତି ଦ୍ୱାରା ଦେଶର କୃଷକ ସମାଜ ବିଶେଷ ଉପକୃତ ହେବା ସହ ସେମାନଙ୍କର କଲ୍ୟାଣ ସାଧିତ ହେବ। ଏହାଦ୍ୱାରା କୃଷି ଉତ୍ପାଦନ ବଢିବ ଏବଂ ଦେଶର ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ସୁଦୃଢ ହୋଇପାରିବ। ଏହି ଚୁକ୍ତି କାନାଡା-ଭାରତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ନିବିଡ କରିବ ବୋଲି ମନ୍ତ୍ରୀ ଶ୍ରୀ ମାଣ୍ଡବୀୟ ଆଶା ପ୍ରକାଶ କରିଛନ୍ତି।

ରୁଷିଆ, ଇସ୍ରାଏଲ ଓ ଅନ୍ୟ କେତେକ ରାଷ୍ଟ୍ରଙ୍କ ସହିତ ପଟାସ ଯୋଗାଣ ପାଇଁ ଭାରତ ଦୀର୍ଘମିଆଦି ଚୁକ୍ତି ସ୍ୱାକ୍ଷରିତ କରିବାକୁ ଉଦ୍ୟମ କରୁଛି ବୋଲି ସେ କହିବା ସହିତ ଏହାର ଆମଦାନୀକୁ ହ୍ରାସ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା କହିଥିଲେ। ମୋଲାସେସ୍ରୁ ପଟାସ ଉତ୍ପାଦନ ସହିତ ଏନ୍ବିଏସ୍ ଯୋଜନାରେ ଦେଶରେ ଦେଶୀ କାରିଗରୀ ଜ୍ଞାନ କୌଶଳ ଉପଯୋଗ କରି ବିଭିନ୍ନ ପ୍ରକାର ପଟାସ ଜାତୀୟ ସାର ଉତ୍ପାଦନ କରିବାକୁ ରସାୟନ ଓ ସାର ମନ୍ତ୍ରଣାଳୟ ଉଦ୍ୟମ ଆରମ୍ଭ କରିଛି ବୋଲି ସେ କହିଛନ୍ତି।

ପୃଷ୍ଟଭୂମି

ପଟାସ, ପଟାସିୟମର ଉତ୍ସ। ଏହାକୁ ମ୍ୟୁରେଟ ଅଫ୍ ପଟାସ ସାର ପ୍ରସ୍ତୁତିରେ ସିଧାସଳଖ ବ୍ୟବହାର କରାଯାଇଥାଏ। ସେହିଭଳି ଏନ୍ପିକେ ସାର ପ୍ରସ୍ତୁତିରେ ପଟାସକୁ ଅନ୍ୟାନ୍ୟ ରାସାୟନିକ ସାମଗ୍ରୀ ସହିତ ମିଶାଇ ବ୍ୟବହାର କରାଯାଏ। ଭାରତ ତାହାର ପଟାସ ଆବଶ୍ୟକତାର ଶତପ୍ରତିଶତ ଆମଦାନୀ ମାଧ୍ୟମରେ ପୂରଣ କରେ। ଭାରତ ଏବେ ବାର୍ଷିକ ୪୦ ଲକ୍ଷ ମେଟ୍ରିକ ଟନ୍ ମ୍ୟୁରେଟ୍ ଅଫ ପଟାସ ସାର ଆମଦାନୀ କରୁଛି।

କାନାଡାର କାନପୋଟେକ୍ସ ସଂସ୍ଥା ଦୁଇଟି ପ୍ରମୁଖ ସାର କମ୍ପାନୀଙ୍କର ଏକ ମିଳିତ ଉପକ୍ରମ। ଏହି କମ୍ପାନୀଦ୍ୱୟ ହେଲେ ମୋଜଏକି ଓ ନ୍ୟୁଟିଏନ୍। କାନାଡାର ସାସ୍କଟଚେୱାନ ଅଞ୍ଚଳରେ ଏହାର କାରଖାନା ରହିଛି। ସେଠାରୁ ବିଦେଶକୁ ସିଧାସଳଖ ପଟାସ ଓ ବିଭିନ୍ନ ପ୍ରକାର ପଟାସ ଜାତୀୟ ସାର ରପ୍ତାନୀ କରାଯାଇଥାଏ। ଏବେ ଏହି ସଂସ୍ଥା ବିଶ୍ୱର ୪୦ରୁ ଅଧିକ ଦେଶକୁ ବାର୍ଷିକ ୧୩୦ଲକ୍ଷ ମେଟ୍ରିକ ଟନ୍ ପଟାସ ରପ୍ତାନୀ କରୁଛି। ଭାରତ ଏବେ ଏହି ତାଲିକାରେ ଯୋଡି ହୋଇଛି।

Related posts