ଆଜି ରାଷ୍ଟ୍ରପତିଙ୍କ ଗାଁରୁ ଆରମ୍ଭ ହେବ ଓଡିଶାରେ ୫ଜି ସେବା, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

Published: Oct 1, 2022, 6:40 am IST

ଭୁବନେଶ୍ବର: ଆଜି ଓଡିଶାରେ ବହୁ ପ୍ରତୀକ୍ଷିତ ୫ଜି ସେବାର ଶୁଭାରମ୍ଭ ହେବ। ଏହି ସେବା ପ୍ରଥମେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଗାଁ ସ୍କୁଲରୁ ଆରମ୍ଭ କରାଯିବ। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରର ପାହଡପୁର ଗାଁରେ ଥିବା ଏସଏଲଏସ ମେମୋରିୟାଲ ଆବାସିକ ସ୍କୁଲରେ ଏହା ଆରମ୍ଭ ହେବ। ଏଥିପାଇଁ ରିଲାଏନ୍ସ ଜିଓ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସ୍କୁଲକୁ ୨୦୧୬ ମସିହାରେ ପ୍ରତିଷ୍ଠା କରିଥିଲେ। ପରଲୋକଗତ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଷ୍ଟ୍ରପତି ମୁର୍ମୁ ଏହାକୁ ପ୍ରତିଷ୍ଠା କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପ୍ରତିବର୍ଷ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ଜନ୍ମ ଏବଂ ମୃତ୍ୟୁ ବାର୍ଷିକୀରେ ଏହି ସ୍କୁଲ ଯାଆନ୍ତି। ଏହିପରି ଏକ ବିରଳ ସ୍ମୃତି ଜଡିତ ଥିବା ସ୍କୁଲରେ ଏହି ୫ଜି ସେବା ଆରମ୍ଭ କରିବା ପାଇଁ ଭାରତ ସରକାର ନିଷ୍ପତି କରିଛନ୍ତି।

ଆଜି ଦିନ ଦଶଟାରେ ଏହି ୫ଜି ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ।  ଏହି ୫ଜି ସେବା ମାଧ୍ୟମରେ ଏହି ସ୍କୁଲ ପିଲାଙ୍କ ସହିତ ସେ କଥା ହେବେ। ଏଥିପାଇଁ ରିଲାଏନ୍ସ ଜିଓ ତରଫରୁ ସ୍କୁଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ସ୍କୁଲ ତରଫରୁ ଛାତ୍ରଛାତ୍ରୀଙ୍କୁ ଏକାଠି କରି ପ୍ରଧାନମନ୍ତ୍ରୀଙ୍କ ସହିତ କିପରି କଥାବାର୍ତ୍ତା ହେବେ ସେ ନେଇ ମଧ୍ୟ ପ୍ରସ୍ତୁତି କରାଯାଇଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ହେବାକୁ ଥିବା ଭାରତୀୟ ମୋବାଇଲ କଂଗ୍ରେସରେ ଯୋଗ ଦେଇ ୫ଜି ସେବାର ଘୋଷଣା କରିବେ। ଏହି ନୂଆ ସେବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ଲୋକଙ୍କ ସହିତ ମଧ୍ୟ କଥା ହେବେ। ସେଥିପାଇଁ ବିଭିନ୍ନ ୫ଜି ସେବା ପ୍ରଦାନକାରୀ କଂପାନୀ ତରଫରୁ ବିଭିନ୍ନ ରାଜ୍ୟରେ ବନ୍ଦୋବସ୍ତ କରାଯାଇଛି।

ତେବେ ଓଡିଶାରେ ଏହି ୫ଜି ସେବା ବର୍ତ୍ତମାନ ପାଇଁ କେବଳ ସେହି ସ୍କୁଲ ମଧ୍ୟରେ ସୀମିତ ରଖାଯାଇଛି। ସାଧାରଣ ଲୋକେ ବର୍ତ୍ତମାନ ଏହି ସେବା ପାଇପାରିବେ ନାହିଁ। ଆସନ୍ତା ଦୀପାବଳିରେ ରାଜ୍ୟର ବିଭିନ୍ନ ସହରରେ ଏହି ସେବା ସାଧାରଣ ଲୋକଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି।

Related posts