ଭଦ୍ରକରେ ଚାଷୀଙ୍କୁ ବଣ୍ଟା ଗଲା ଆଳୁ ବିହନ

Published: Nov 22, 2022, 11:19 pm IST

ଭୁବନେଶ୍ୱର: ରାଜ୍ୟ ସରକାର ଆଳୁ ଚାଷକୁ ପ୍ରୋତ୍ସାହିତ କରିବା ନିମନ୍ତେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ରିହାତି ଦରରେ ଯୋଗାଇ ଦେଉଥିବା ପରିପ୍ରେକ୍ଷୀରେ ଆଜି ଚଳିତ ବର୍ଷର ରବି ଋତୁରେ ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଭଦ୍ରକ ଜିଲ୍ଲାରେ ଏହାର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ସେ ରାଜ୍ୟରେ ଆଳୁ ଚାଷର ସଂପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଛନ୍ତି । ଭଦ୍ରକସ୍ଥିତ ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାର ଆଳୁଚାଷୀମାନଙ୍କୁ ଆଳୁ ବିହନ ରିହାତି ଦରରେ ବଣ୍ଟନ କରାଯାଇଥିଲା । ବଣ୍ଟନ ନିମନ୍ତେ ଆସିଥିବା କୁଫି୍ରଜ୍ୟୋତି କିସମର ଆଳୁ ବିହନକୁ ସର୍ବପ୍ରଥମେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁସାରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ଅରବିନ୍ଦ ଦାସ ଓ କୃଷି ବୈଜ୍ଞାନିକ ଶ୍ରୀମତୀ ଜ୍ୟୋତ୍ସାରାଣୀ ମହାରଣାଙ୍କ ଉପସ୍ଥିିତିରେ ମାନ ନିରୁପଣ କରାଯିବା ପରେ ଏହାକୁ ଚାଷୀମାନଙ୍କୁ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମନୋନୀତ ହୋଇଥିବା ୫୦ ଜଣ ଚାଷୀଙ୍କୁ ଆଳୁ ବିହନ ବଣ୍ଟନ କରାଯାଇଥିଲା । ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ପ୍ରାୟ ୨୯୨୫ କ୍ୱିଣ୍ଟାଲ ଉନ୍ନତ ମାନର ଆଳୁ ବିହନ ଚାଷୀମାନଙ୍କୁ ଯୋଗାଇଦେବାର ଲକ୍ଷ୍ୟ ରଖାଯାଯାଇଛି । ଏଥି ସହିତ ଚଳିତ ରବି ଋତୁରେ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ରିହାତି ଦରରେ ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶାଳୟ ସୂତ୍ରରୁ ପ୍ରକାଶ । ଆଜିର କାର୍ଯ୍ୟକ୍ରମରେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଏବଂ ବ୍ଲକର ବିଭାଗୀୟ କର୍ମଚାରୀଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Related posts