
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ତ୍ରଣାଳୟ ଦୁଇଟି ସମନ୍ୱିତ ଇଲେକ୍ଟ୍ରୋନିକ ଯୁଦ୍ଧ ପ୍ରଣାଳୀ ‘ପ୍ରୋଜେକ୍ଟ ହିମଶକ୍ତି’ କିଣିବାକୁ ଯାଉଛି। ଏଥିପାଇଁ ହାଇଦ୍ରାବାଦସ୍ଥିତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (ବିଇଏଲ) ସହିତ ୩,୦୦୦ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। କ୍ରୟ {ଭାରତୀୟ-ଆଇଡିଏମଏମ (ସ୍ୱଦେଶୀ ରୂପରେ ବିକଶିତ ଡିଜାଇନ ଓ ନିର୍ମିତ} ଶ୍ରେଣୀ ଅଧୀନରେ ଏହି ପ୍ରକଳ୍ପ ଆସୁଛି ଯେଉଁଥିରେ ସମକାଳୀନ ଓ ଉନ୍ନତ ପ୍ରଯୁକ୍ତି ସାମିଲ ରହିଛି।
‘ପ୍ରୋଜେକ୍ଟ ହିମଶକ୍ତି’ ବିଇଏଲର ଉପବିକ୍ରେତା ଭାବେ କାର୍ଯ୍ୟ କରୁଥିବା ଏମଏସଏମଇ ସମେତ ଭାରତୀୟ ଇଲେକ୍ଟ୍ରୋନିକ୍ସ ଏବଂ ସହାୟକ ଉଦ୍ୟୋଗଗୁଡ଼ିକର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବ। ଏହା ବ୍ୟତୀତ ଦୁଇ ବର୍ଷର ଅବଧିରେ ଏହି ପ୍ରକଳ୍ପ ପ୍ରାୟ ତିନି ଲକ୍ଷ ମାନବ-ଦିବସ ରୋଜଗାର ସୃଷ୍ଟି କରିବ। ଏହି ପ୍ରକଳ୍ପ ସରକାରଙ୍କ ମେକ୍-ଇନ୍-ଇଣ୍ଡିଆ ଅଭିଯାନ ଅନୁରୂପ ଦେଶକୁ ‘ଆତ୍ମନିର୍ଭର’ କରିବା ଠାରୁ ଆରମ୍ଭ କରି ସ୍ୱଦେଶୀ କ୍ଷମତାକୁ ବିକଶିତ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।