ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଉପଭୋକ୍ତାମାନଙ୍କ ଲାଗି ନିର୍ଦ୍ଧାରିତ ସବସିଡିକୁ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ

Published: Mar 25, 2023, 7:47 am IST

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)ର ହିତାଧିକାରୀମାନଙ୍କୁ ବର୍ଷକୁ ୧୨ଟି ରିଫିଲ୍‌ ପର୍ଯ୍ୟନ୍ତ ୧୪.୨ କିଲୋଗ୍ରାମର ଗୋଟିଏ ଲେଖାଏଁ ସିଲିଣ୍ଡର ଉପରେ ୨୦୦ ଟଙ୍କାର ସବସିଡିକୁ ମଞ୍ଜୁରି ଦେଇଛନ୍ତି। ୧ ମାର୍ଚ୍ଚ ୨୦୨୩ ସୁଦ୍ଧା ପିଏମୟୁୱାଇରେ ୯.୫୯ କୋଟି ହିତାଧିକାରୀ ରହିଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ଏଥିପାଇଁ ମୋଟ୍‌ ୬,୧୦୦ କୋଟି ଟଙ୍କା ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଏ ବାବଦରେ ମୋଟ୍‌ ୭,୬୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାରେ ସବସିଡି ଅର୍ଥ ସିଧାସଳଖ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରି ଦିଆଯାଇଥାଏ। ରାଷ୍ଟ୍ରାୟତ୍ତ କ୍ଷେତ୍ରର ତୈଳ ବିପଣନ କମ୍ପାନୀ ଅର୍ଥାତ୍‌ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ଭାରତ ପେଟୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ୨୨ ମେ, ୨୦୨୨ ପୂର୍ବରୁ ଏହି ସବସିଡି ଦେଇ ଆସୁଛନ୍ତି।

ବିଭିନ୍ନ ଭୂ-ରାଜନୈତିକ କାରଣରୁ ଏଲପିଜିର ଅନ୍ତର୍ଜାତୀୟ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପିଏମୟୁୱାଇ ହିତାଧିକାରୀମାନଙ୍କୁ ଏଲପିଜିର ଉଚ୍ଚ ମୂଲ୍ୟରୁ ସୁରକ୍ଷା ଦେବା ମହତ୍ୱପୂର୍ଣ୍ଣ ଅଟେ।

ପିଏମୟୁୱାଇ ହିତାଧିକାରୀମାନଙ୍କୁ ନିର୍ଦ୍ଧାରିତ ସହଯୋଗ ସେମାନଙ୍କୁ ଏଲପିଜିର ଲଗାତାର ଉପଯୋଗ ନିମନ୍ତେ ପ୍ରୋତ୍ସାହିତ କରିଥାଏ। ପିଏମୟୁୱାଇ ହିତାଧିକାରୀମାନଙ୍କ ମଧ୍ୟରେ ନିରନ୍ତର ଏଲପିଜି ଆପଣାଇବା ଏବଂ ଏହାର ଉପଯୋଗ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ, ଯାହାଫଳରେ ସେମାନେ ସମ୍ପୂର୍ଣ୍ଣ ଭାବେ ରୋଷେଇ କରିବା ଲାଗି ସ୍ୱଚ୍ଛ ଇନ୍ଧନ ଉପରେ ନିର୍ଭରଶୀଳ ହୋଇପାରିବେ। ପିଏମୟୁୱାଇ ହିତାଧିକାରୀମାନଙ୍କର ହାରାହାରୀ ଏଲପିଜି ଖର୍ଚ୍ଚ ୨୦୧୯-୨୦ରେ  ୩.୦୧ ରିଫିଲ ଥିଲା ଯାହାକି ୨୦୨୧-୨୨ରେ ୩.୬୮ ରିଫିଲକୁ ବୃଦ୍ଧି ପାଇଥିଲା। ସମସ୍ତ ପିଏମୟୁୱାଇ ହିତାଧିକାରୀ ନିର୍ଦ୍ଧାରିତ ସବସିଡି ପାଇବାକୁ ଯୋଗ୍ୟ ଅଟନ୍ତି।

ଗ୍ରାମୀଣ ଓ ବଞ୍ଚିତ ଗରିବ ପରିବାରଗୁଡ଼ିକୁ ରୋଷେଇ ଲାଗି ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ ଗ୍ୟାସ (ଏଲପିଜି)ର ସ୍ୱଚ୍ଛ ଇନ୍ଧନ ଯୋଗାଇ ଦେବା ନିମନ୍ତେ ସରକାର ମେ ୨୦୧୬ରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ। ଯାହାଫଳରେ ଗରିବ ପରିବାରର ବୟସ୍କ ମହିଳାମାନଙ୍କୁ ମାଗଣାରେ ଏଲପିଜି ସଂଯୋଗ ମିଳିପାରିବ।

Related posts