Vedanta Investment: ବେଦାନ୍ତ ଲିମିଟେଡ୍ (Vedanta Ltd) ଦକ୍ଷିଣ ଆଫ୍ରିକାରେ ଥିବା ନିଜ କଂପାନୀର ବାର୍ଷିକ ଜିଙ୍କ୍ (ଦସ୍ତା) ଉତ୍ପାଦନ କ୍ଷମତାକୁ ଦ୍ୱିଗୁଣିତ କରିବ। ଫଳରେ ଏହି କ୍ଷମତା ବର୍ତ୍ତମାନ ବାର୍ଷିକ ୫,୦୦,୦୦୦ ଟନ୍ରେ ପହଞ୍ଚିବ, ଯାହା ସର୍ବ ବୃହତ ଉତ୍ପାଦନ ବୋଲି କୁହାଯାଉଛି। ଏଥିପାଇଁ କଂପାନୀ ପ୍ରାୟ ୬୦୦ ନିୟୁତ ଡଲାର ନିବେଶ କରିବ ବୋଲି କହିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କମ୍ପାନୀ ଭାରତ ଏବଂ ଦକ୍ଷିଣ ଆଫ୍ରିକାକୁ ମିଶାଇ ମୋଟ ୩ ନିୟୁତ ଟନ୍ ବାର୍ଷିକ ଉତ୍ପାଦନ ଲକ୍ଷ୍ୟ ରଖିଛି।
ଦକ୍ଷିଣ ଆଫ୍ରିକାର ‘ଗାମ୍ସବର୍ଗ’ (Gamsberg) ରେ କରାଯାଇଥିବା ଏହି ନିବେଶ—ଯାହା ‘ବେଦାନ୍ତ ଜିଙ୍କ୍ ଇଣ୍ଟରନ୍ୟାସନାଲ୍’ (Vedanta Zinc International) ର ପ୍ରମୁଖ ଜିଙ୍କ୍ ଖଣି ଅଟେ, ତାହା ଭାରତ ଏବଂ ଦକ୍ଷିଣ ଆଫ୍ରିକାରେ କମ୍ପାନୀର ଜିଙ୍କ୍ ଉତ୍ପାଦନ କ୍ଷମତା ବୃଦ୍ଧି କରିବାର ବ୍ୟାପକ ଲକ୍ଷ୍ୟର ଏକ ଅଂଶ। ବେଦାନ୍ତ ନିଜର ସହଯୋଗୀ କମ୍ପାନୀ ‘ହିନ୍ଦୁସ୍ତାନ ଜିଙ୍କ୍ ଲିମିଟେଡ୍’ (Hindustan Zinc Ltd) ମାଧ୍ୟମରେ ବାର୍ଷିକ ୨ ନିୟୁତ ଟନ୍ ଏବଂ ‘ବେଦାନ୍ତ ଜିଙ୍କ୍ ଇଣ୍ଟରନ୍ୟାସନାଲ୍’ ମାଧ୍ୟମରେ ୧ ନିୟୁତ ଟନ୍ ଜିଙ୍କ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି।
ଏହି ସମ୍ପ୍ରସାରଣ କାର୍ଯ୍ୟ, ୨୦୧୮ ମସିହାରେ ଅନୁଷ୍ଠିତ ‘ଦକ୍ଷିଣ ଆଫ୍ରିକା ନିବେଶ ସମ୍ମିଳନୀ’ (South Africa Investment Conference) ରେ ବେଦାନ୍ତ ଦ୍ୱାରା ଘୋଷିତ ୨୧ ବିଲିୟନ ZAR (ପ୍ରାୟ ୧.୫ ବିଲିୟନ ଡଲାର) ନିବେଶ ପ୍ରତିଶ୍ରୁତିର ଏକ ଅଂଶ ଅଟେ। କମ୍ପାନୀ ଅନୁଯାୟୀ, ଗାମ୍ସବର୍ଗର ଏହି ସମ୍ପ୍ରସାରଣ ବର୍ତ୍ତମାନର ଦଶନ୍ଧି ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ସର୍ବବୃହତ ଖଣି ନିବେଶଗୁଡ଼ିକ ମଧ୍ୟରୁ ଅନ୍ୟତମ।


