ଅକ୍ଟୋବରରେ ଓଡ଼ିଶାରେ ୩ ଲକ୍ଷରୁ ଉର୍ଧ୍ଵ ନୂଆ ମୋବାଇଲ ଉପଭୋକ୍ତା ଯୋଗକଲା ଜିଓ: ଟ୍ରାଇ ରିପୋର୍ଟ

Published: Jan 3, 2019, 7:59 pm IST

ସମୀକ୍ଷା ବ୍ୟୁରୋ

କ୍ରମାଗତ ଭାବରେ ନୂତନ ମୋବାଇଲ ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ ରହି ଆସିଥିବା ରିଲାଏନ୍ସ ଜିଓ ଅକ୍ଟୋବର ମାସରେ ଓଡ଼ିଶାରେ ୩ ଲକ୍ଷରୁ ଉର୍ଧ୍ଵ  ନୂତନ ଉପଭୋକ୍ତା ଯୋଗ କରିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ ବା ଟ୍ରାଇ ପ୍ରକାଶ କରିଛି। ଗତ ଜାନୁୟାରୀ 2 ତାରିଖରେ ଆସିଥିବା ଉପଭୋକ୍ତା ତଥ୍ୟ ରିପୋର୍ଟରେ ଏହା ପ୍ରକାଶ ପାଇଛି |

ଅକ୍ଟୋବର ମାସରେ ରିଲାଏନ୍ସ ଜିଓ ୩.୧୧ ଲକ୍ଷ ନୂତନ ଉପଭୋକ୍ତା ସାଙ୍ଗକୁ କେବଳ ବିଏସଏନଏଲ ୫୦୦୦ ନୂତନ ଉପଭୋକ୍ତା ଯୋଗ କରିଥିବାବେଳେ, ଅନ୍ୟ ସମସ୍ତ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀମାନଙ୍କର ଉପଭୋକ୍ତା ସଂଖ୍ୟାରେ ହ୍ରାସ ଘଟିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି | ଏହି ମାସରେ ଭୋଡାଫୋନ ଆଇଡ଼ିଆ ଓଡ଼ିଶାରେ ସର୍ବାଧିକ ୨.୮ ଲକ୍ଷ ଗ୍ରାହକ ହରାଇଥିବାବେଳେ ଭାରତୀ ଏୟାରଟେଲ ୪୧୦୦୦ ଉପଭୋକ୍ତା ହରାଇଥିବା ଜଣାପଡିଛି | ମୋଟ ଉପରେ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ  ସଂଖ୍ୟାରେ ସେପ୍ଟେମ୍ବର ମାସ ତୁଳନାରେ ଅକ୍ଟୋବରରେ ପ୍ରାୟ ୪୮୦୦୦ ହ୍ରାସ ଘଟି ଅକ୍ଟୋବର ୩୧ ସୁଦ୍ଧା ଏହା ୩,୩୦,୬୭,୫୨୮ ରେ ପହଂଚିଛି |

ସର୍ବଭାରତୀୟ ସ୍ତରରେ ରିଲାଏନ୍ସ ଜିଓ ନୂତନ ଉପଭୋକ୍ତା ଯୋଗକରିବାରେ  ନିଜର ଜୟଯାତ୍ରା ଜାରିରଖି ଅକ୍ଟୋବରରେ ଏକ କୋଟିରୁ ଉର୍ଧ୍ଵ ନୂତନ ଉପଭୋକ୍ତା ହାସଲ କରିଥିବାବେଳେ , ଏହି ଅବଧିରେ ବିଏସଏନଏଲ ୩.୬୬ ଲକ୍ଷ ନୂତନ ଉପଭୋକ୍ତା ଯୋଗ କରିଛି | ଅନ୍ୟମାନଙ୍କ ମଧ୍ୟରେ ଭୋଡାଫୋନ ଆଇଡ଼ିଆ, ଭାରତୀ ଏୟାରଟେଲ ଏବଂ ଏମଟିଏନଏଲ ମିଳିତ ଭାବରେ ଏହି ମାସରେ ଏକ କୋଟିରୁ ଉର୍ଧ୍ଵ ଗ୍ରାହକ ହରାଇଛନ୍ତି |

ଟ୍ରାଇ ରିପୋର୍ଟ ଅନୁଯାୟୀ ୩୧ ଅକ୍ଟୋବର ୨୦୧୮ ସୁଦ୍ଧା ଓଡ଼ିଶାରେ ରିଲାଏନ୍ସ ଜିଓର ୭୪,୯୧,୬୯୨ ମୋବାଇଲ ଉପଭୋକ୍ତା ରହିଥିବାବେଳେ ଏୟାରଟେଲର ୧.୩୧.୫୨,୮୪୫ , ଭୋଡାଫୋନ ଆଇଡ଼ିଆର ୬୩,୦୩,୫୩୦ ଏବଂ ବିଏସଏନଏଲର ୫୫,୧୫,୫୧୯ ମୋବାଇଲ ଉପଭୋକ୍ତା ରହିଛନ୍ତି |

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟ୍ରାଇ ଦ୍ୱାରା ନିକଟରେ ପ୍ରକାଶିତ ଅନ୍ୟ ଏକ ଆର୍ଥିକ ରିପୋର୍ଟରେ ସେପ୍ଟେମ୍ବର ତ୍ରୈମାସିକରେ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ଓଡ଼ିଶାରେ ମୋଟ ଆୟରେ ରିଲାଏନ୍ସ ଜିଓ ୩୩୬.୯୨ କୋଟି ଟଙ୍କା ପ୍ରଥମଥର ପାଇଁ ସବୁଠାରୁ ଆଗରେ ରହିଥିଲା ।  ସର୍ବଭାରତୀୟ ସ୍ତରରେ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ତ୍ରୈମାସିକ ରେ ସମସ୍ତ ୨୨ ଟି ଟେଲିକମ ସର୍କଲ ମଧ୍ୟରୁ ଜିଓ ୧୧ ଟି ସର୍କଲ ରେ ଆୟ (ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ) ରେ ଆଗୁଆ ରହିଥିବା ବେଳେ ଏୟାରଟେଲ ୬ଟି ଓ ଭୋଡାଫୋନ ଆଇଡ଼ିଆ ୫ଟି ଟେଲିକମ ସର୍କଲରେ ଆଗୁଆ ରହିଥିଲେ |

Related posts