ଋଣଗ୍ରହୀତାଙ୍କୁ ଆଶ୍ବସ୍ତି : ଏଣିକି ସୁଧ ଉପରେ ଆଉ ପଡିବନି ସୁଧ

Published: Oct 3, 2020, 11:00 am IST

ନୂଆଦିଲ୍ଲୀ: ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ବଡ ଧରଣର ଆଶ୍ୱସ୍ତି । ଏଣିକି ସୁଧ ଉପରେ ଆଉ ପଡିବନି ସୁଧ । ଦୁଇ କୋଟି ଟଙ୍କାର ଋଣ ଯାଏଁ ଏହି ସୁବିଧା ମିଳିବ । ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର । ସମସ୍ତ ପ୍ରକାର ଏମ୍‌ଏସ୍‌ଏମ୍‌ଇ, ଶିକ୍ଷା ଋଣ, ଗୃହଋଣ, କ୍ରେଡିଟ କାର୍ଡ, ଗାଡି ଋଣ, ପର୍ସନାଲ ଋଣ ପ୍ରତି ଏହା ଲାଗୁ ହେବ । ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ପରିଶୋଧ କରିଥିବା ଋଣଗ୍ରହୀତା ବି ଏହି ସୁବିଧା ପାଇବେ ।  ପୂର୍ବରୁ ଆରବିଆଇ 6 ମାସ ମୋରାଟୋରିୟମ୍‌ ଛାଡିଥିଲେ ବି ଋଣ ଦାତା ସୁଧ ଛାଡିନଥିଲେ । ମୂଳଧନ ସହ ସୁଧ ଉପରେ ସୁଧ ଦାବି ନେଇ ମାମଲା ସୁପ୍ରିମ୍‌କୋର୍ଟକୁଯାଇଥିଲା । ଏକ୍ସପର୍ଟ ପ୍ୟାନେଲର ରିପୋର୍ଟ ଆଧାରରେ ସୁଧ ଉପରେ ସୁଧ ଛାଡ ନିଷ୍ପତ୍ତି ନିଆଯାଇଛି ।

ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, ସୁଧ ଉପରେ ସୁଧ ଆଦାୟ ନକରିବାକୁ ବ୍ୟାଙ୍କଗୁଡିକୁ କୁହାଯାଇଛି । ସୁପ୍ରିମକୋର୍ଟରେ ସରକାର କହିଛନ୍ତି ଯେ, ଏହି ବିପତ୍ତି ସମୟରେ କ୍ଷୁଦ୍ର ଋଣକାରୀଙ୍କ ସହିତ ସରକାର ଅଛନ୍ତି । ତେଣୁ 2 କୋଟି ଯାଏଁ ଋଣ ଉପରେ ଏହି ଅତିରିକ୍ତ ସୁଧ ବା ସୁଧ ଉପରେ ସୁଧ ଅସୁଲ କରାଯିବ ନାହିଁ ବୋଲି ଜଣାପଡିଛି । (ଏଜେନ୍ସି)

Related posts