ଶାବଳରେ ପିଟି ପିଟି ବୃଦ୍ଧକୁ ମାରିଲା ବୃଦ୍ଧ: ଥାନାରେ ଆତ୍ମ ସମର୍ପଣ କଲେ ଅଭିଯୁକ୍ତ

Published: Dec 21, 2020, 8:54 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରାତିରେ କିସିଣ୍ଡା ଥାନା ମଙ୍ଗଳପୁର ଗ୍ରାମରେ ଜନୈକ ବୃଦ୍ଧ କୌଣସି କାରଣକୁ ନେଇ ଜଣେ ବୃଦ୍ଧକୁ ଶାବଳରେ ପିଟି ପିଟି ହତ୍ୟା କରିଥିବା କିସିଣ୍ଡା ପୋଲିସ୍ କହିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୮ ଟା ସମୟରେ କିସିଣ୍ଡା ଥାନା ଗୋଗୁଆ ପଂଚାୟତର ମଙ୍ଗଳପୁର ଗ୍ରାମର ଭୀମ ନାଏକ (୬୫), ସେଇ ଗ୍ରାମର ଜେଣ୍ଡାର କୁଜୁର (୬୯) ଶୋଇଥିବା ସମୟରେ ଏକ ଶାବଳରେ ଅତି ନୃଶଂସ ଭାବରେ ମୁଣ୍ଡରେ ପିଟି ପିଟି ହତ୍ୟା କରିଥିବା ଜଣା ପଡିଛି। ମୃତ ବୃଦ୍ଧର ଦାନ୍ତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିବା ଜଣା ପଡିଛି। ଅତି ନୃଶଂସ ଭାବରେ ବୃଦ୍ଧ ଜଣଙ୍କ ବୃଦ୍ଧକୁ ହତ୍ୟା କରିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି। ବୃଦ୍ଧ ଜଣଙ୍କୁ ଶାବଳରେ ପିଟି ହତ୍ୟା କରିବା ପରେ ଗୁରୁତର ବୃଦ୍ଧକୁ ପ୍ରଥମେ ରେଢାଖୋଲ ଡାକ୍ତରଖାନାକୁ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିଲା।

ହେଲେ ବୃଦ୍ଧ ଅତି ଗରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବାଟରେ ବୃଦ୍ଧର ମୃତ୍ୟୁ ହୋଇଯାଇଥିଲା ବୋଲି କିସିଣ୍ଡା ଥାନାଧିକାରୀ ପ୍ରକାଶ କରିଛନ୍ତି। ଅତ୍ୟଧିକ ମଦ୍ୟପାନ କରି ଏପରି ହତ୍ୟାକାଣ୍ଡ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଆଜି ସମ୍ବଲପୁରରୁ ସାଇଂଟିଫିକ୍ ଟିମ୍ ଆସି ତଦନ୍ତ କରିଛନ୍ତି। ମୃତ ବ୍ୟକ୍ତିର ଶବ ବୁର୍ଲା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ପରେ ଆଜି ସଂଧ୍ୟାରେ ପରିବାରକୁ ହସ୍ତାନ୍ତର କରାଯାଇଛି। ସେ ପଟେ ହତ୍ୟାକାରୀ ବୃଦ୍ଧ ଭୀମ ନାଏକ କିସିଣ୍ଡା ଥାନାରେ ଆତ୍ମ ସମର୍ପଣ କରିଥିବା ପୋଲିସ୍ କହିଛି। କିସିଣ୍ଡା ପୋଲିସ୍ ଏକ କେସ୍ ରୁଜୁ କରିଥିବା ଜଣା ପଡିଛି।

Related posts