ଚାନ୍ଦପୁର ନିକଟରୁ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published: Jan 6, 2021, 6:09 pm IST

ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଖବର ଶୁଣିବାକୁ ମିଳିଛି। ପଲସର ବାଇକରେ ଆସି ମାଛ ଗୋଦାମ କର୍ମଚାରୀଙ୍କ ଠାରୁ ୩ ଲକ୍ଷ ଟଙ୍କା  ଲୁଟିନେଲେ ଦୁର୍ବୃତ୍ତ।

ସୂଚନା ମୁତାବକ, ମାଛ ଗୋଦାମର କର୍ମଚାରୀ ସନ୍ତୋଷ ପରିଡା ପ୍ରତିଦିନ ମାଛ  ଟ୍ରକ୍ ରେ କୋଲକତା ଯାଇ ମାଛ ବିକ୍ରି କରିଥାନ୍ତି। ଗତ କାଲି କୋଲକତାରେ ମାଛ ବିକ୍ରି ସାରି ଟ୍ରକ୍ ରେ ଫେରିଥିଲେ। ମାଛ ଟ୍ରକ୍  ବଡ ପୋଖରିଆ ପେଟ୍ରୋଲ ପଂପ୍ ଠାରେ ଅଟକି ରହିଥିଲା। ସେଠାରୁ ନିଜ ବାଇକ୍ ରେ ସନ୍ତୋଷ ୩ ଲକ୍ଷ ଟଙ୍କା ଧରି ବାଇକ୍ ରେ ଟାଙ୍ଗୀ ଫେରୁଥିବା ବେଳେ ୧୬ ନଂ ଜାତୀୟ ରାଜପଥର  କଟରାପଲି ଛକ ନିକଟରେ ଗୋଟିଏ ପଲସର ବାଇକ୍ ରେ ୨ ଜଣ ଦୁର୍ବୃତ୍ତ ସନ୍ତୋଷଙ୍କୁ ବନ୍ଧୁକ ଦେଖାଇ ଅଟକାଇଥିଲେ।

ସନ୍ତୋଷ ବାଇକ୍ ଅଟକାଇବା କ୍ଷଣି ପଲସର ଗାଡିରୁ ଜଣେ ଲୁଟେରା ଓହ୍ଲାଇ ସନ୍ତୋଷଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲା। ପ୍ରାଣ ବିକଳରେ ସନ୍ତୋଷ ଟଙ୍କା ବ୍ୟାଗକୁ ଦୁର୍ବୃତ୍ତଙ୍କ ହାତକୁ ବଢାଇ ଦେଇଥିଲେ। ଏହି ଘଟଣା ନେଇ ସନ୍ତୋଷ ଚାନ୍ଦପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

Related posts