ଟାଙ୍ଗୀରେ ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ: ଦୁଇ ଦିନ ପୂର୍ବରୁ ମଧ୍ୟ ହୋଇଥିଲା ହତ୍ୟା ଉଦ୍ୟମ

Published: Jan 13, 2021, 11:20 am IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଲେ। ଖୋର୍ଦ୍ଧା ଜିଲା ଟାଙ୍ଗୀ ଗୋଡିପାଟଣା ସାହିରେ ଏଭଳି ଏକ ଆଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ଅନୁଯାୟୀ, ନୟାଗଡ ଜିଲା ଚଂପାଗଡ ଗ୍ରାମର ରୀନା ପ୍ରଧାନଙ୍କ ସହ ଟାଙ୍ଗୀ ଗୋଡି ପାଟଣା ସାହିର ସନ୍ତୋଷ ବିଶ୍ୱାଳଙ୍କ ସହ ଗତ ୧୫ ବର୍ଷ ତଳେ ବୈଦିକ ରୀତିରେ ବିବାହ ସଂପନ୍ନ ହୋଇଥିଲା। ଏହା ପରେ ରୀନା ଓ ସନ୍ତୋଷଙ୍କର ୨ ଟି ପୁତ୍ର ସନ୍ତାନ ମଧ୍ୟ ହୋଇଥିଲେ।

ପରିବାର ଚଳାଇବାରେ ଆର୍ଥୀକ ସମସ୍ୟା ଦେଖାଦେବାରୁ ସନ୍ତୋଷ ରୋଜଗାର ଲାଗି ସୂରାଟ ପଳାଇଥିଲେ। ଏହା ପରେ ସନ୍ତୋଷଙ୍କ ପରିବାର ଲୋକେ ରୀନାଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ କରିଦେଇଥିଲେ। ଗତ ୨ ଦିନ ତଳେ ରୀନାଙ୍କୁ ଜୀବନରେ ମାରି ଦେବା ପାଇଁ ବିଷ ପିଆଇ ଦେଇଥିବା ବେଳେ ରୀନା ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।

ତେବେ ଗତ କାଲି ରାତିରେ ରୀନାଙ୍କୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ରୀନାଙ୍କ ବାପ ଘର ଲୋକେ। ଅଭିଯୋଗ ପରେ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଚଳାଇଛି। ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ।

Related posts