ଟଙ୍କା ଧାରକରଜକୁ ନେଇ ଯୁବକକୁ ସଂଘବଦ୍ଧ ଆକ୍ରମଣ

Published: Feb 20, 2021, 11:03 pm IST

ରେଢାଖୋଲ, ଆଜି ଅପରାହ୍ନ ୪ ଟାରେ ରେଢାଖୋଲ ଥାନା ଶୁଣ୍ଢିମୁଣ୍ଡା ଗ୍ରାମରେ ଥିବା କନ୍ୟାଶ୍ରମ ନିକଟରେ କୈଳାସ ନାମକ ଯୁବକକୁ କେତେଜଣ ବ୍ୟକ୍ତି ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ଜଣା ପଡିଛି । ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ , ରେଢାଖୋଲ ଡମ ସାହିର କୈଳାସ ବେହେରାଙ୍କ ପାଖରୁ କେନ୍ଦୁକଟା ଗ୍ରାମର କାଳିଆ ୧୫୦୦ ଟଙ୍କା ଧାର ସୂତ୍ରରେ ନେଇଥିଲା । କାଳିଆକୁ ଆଜି କୈଳାସ ସେଇ ଟଙ୍କା ମାଗିଥିଲା । ହେଲେ କାଳିଆ ଟଙ୍କା ଦେବାକୁ ରାଜି ହୋଇ ନ ଥିଲା ।

ଟଙ୍କା ମଗାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ପରେ ପରେ ନିଜ ନିଜ ଘରକୁ ପଳାଇ ଯାଇଥିଲେ । ହେଲେ କାଳିଆର ରାଗ ସରି ନ ଥିଲା ଘରକୁ ଯାଇ ତାର ୫ ଜଣ ସାଙ୍ଗକୁ ଡାକି ଆଣି ଶୁଣ୍ଢିମୁଣ୍ଡା ଠାରେ ଠିଆ ହୋଇ ଥିବା କୈଳାସକୁ ବିଭୀନ୍ନ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ । ଗୁରୁତର କୈଳାସଙ୍କର ହାତ ,ଗୋଡ ଏବଂ ଶରୀରର ବିଭିନ୍ନ ସ୍ଥାନକୁ ହାଣି ପକାଇଥିବା ଜଣା ପଡିଛି ।

ଗୁରୁତର କୈଳାସକୁ ଗାଁ ଲୋକେ ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ । ଗୁରୁତର ହେବାରୁ ତାକୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣା ପଡିଛି । ପୋଲିସ୍ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ରେଢାଖୋଲ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି ।

Related posts