ସତ ବାହାଘର ମିଛ କନିଁଆ: ଆନ୍ତରାଜ୍ୟ ନକଲି ବିବାହ ଦଳକୁ ଗିରଫ କଲା ପୋଲିସ

Published: Feb 23, 2021, 10:39 am IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଧରା ପଡିଗଲା ମିଛ କନିଁଆ। ବର ପରିବର୍ତ୍ତନ ସହ ଆଧାର କାର୍ଡରେ କରୁଥିଲେ ନାଁ ପରିବର୍ତ୍ତନ। ପ୍ରତ୍ୟେକ ଆଧାର କାର୍ଡରେ ଥିଲା ଭିନ୍ନ ଭିନ୍ନ ନାଁ। ଏମିତି ୪ ଜଣଙ୍କୁ ବରଣମାଳା ପିନ୍ଧାଇବା ପରେ ଧରା ପଡିଗଲା ସତ ବାହାଘରର ମିଛ କନିଁଆ।

ଆନ୍ତରାଜ୍ୟ ନକଲି ବିବାହ ଦଳର ପର୍ଦ୍ଦାଫାଶ କରିଛି କଳାହାଣ୍ଡି ପୋଲିସ। କନିଆଁର ଟାର୍ଗେଟରେ ଥିଲେ ବିବାହ ବିଚ୍ଛେଦ ବ୍ୟକ୍ତି। ବିବାହ କରି ଘର ସଂସାରର ସ୍ବପ୍ନ ଦେଖାଇ ଅଧାବାଟରେ କଳାକନା ବୁଲାଇ ଫେରାର ହେଉଯାଉଥିଲା କନିଁଆ। ସୁନ୍ଦରଗଡର ମିଛ କନିଁଆ ଏଲି ମହନ୍ତ ନାମକ ଜଣେ ମହିଳା ବଲାଙ୍ଗୀର କଣ୍ଟାବାଞ୍ଜିର ବରବଲ ଶର୍ମା, ଛତିଶଗଡ ମହାସମୁନ୍ଦର ମିନା ଗୁପ୍ତା ଏବଂ ଛତିଶଗଡ ବିଲାସପୁରର ଶ୍ରବଣ ସୋନିଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ।

ମିଛ କନିଁଆ ଏଲି ମହନ୍ତ ସହ ଏମାନେ ଫେକ୍ ବାପା-ମାଆ ସାଜି ଲୋକଙ୍କୁ ଲୁଟି ଚାଲିଥିଲେ। ଏମାନେ କେବଳ ରାଜ୍ୟରେ ନୁହେଁ ବିଭିନ୍ନ ରାଜ୍ୟରେ ମଧ୍ୟ ସମାନ ଢ଼ଙ୍ଗରେ ଲୋକଙ୍କୁ ଚୂନ ଲଗାଉଥିଲେ। ମୁଖ୍ୟ ଅଭିଯୁକ୍ତ ନକଲି ବଧୂ ଏଲି ମହନ୍ତର ୪ଟି ଆଧାର କାର୍ଡ ଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣି ପାରିଛି।

ଏଭଳି ଏକ ଠକେଇ ଘଟଣା ସଂପର୍କରେ ଗତ ବର୍ଷ ଅକ୍ଟୋବର ମାସରେ ମଦନପୁର ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ପୋଲିସ ଛାନଭିନ କରି ଅନ୍ତରାଜ୍ୟ ଗ୍ୟାଙ୍ଗର ଏହି ୪ ଜଣଙ୍କୁ ଗିରଫ କରିଛି।

ଏ ନେଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ୍ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସପଂର୍କରେ ସୂଚନା ଦେଇଛନ୍ତି। ଏସଂପର୍କରେ ମ.ରାମପୁର ଥାନାରେ କେଶ ନଂ. ୧୬୮/୨୦୨୧ ଧାରା ୪୧୯/୪୨୦/୨୯୪/୪୯୪/୪୬୮/୪୭୧/୫୦୬/୩୪ ଆଇପିସି ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

Related posts