ଏଥର ନୂଆ କୌଶଳ: ପୋଲିସର ପରିଚୟ ଦେଇ ଚଣ୍ଡେଶ୍ଵର ରାଜପଥରେ ଟ୍ରକରୁ ଲୁଟିଲେ ୫ ଦୁର୍ବୃତ୍ତ

Published: Mar 4, 2021, 10:40 am IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଏଥର ନୂଆ କୌଶଳରେ ଜାତୀୟ ରାଜପଥରୁ ଲୁଟ୍ ହୋଇଛି। ଲୁଟେରାମାନେ ପୋଲିସର ପରିଚୟ ଦେଇ ଲୁହା ପଥର ବୋଝେଇ ଟ୍ରକରୁ କାଗଜ ପତ୍ର ଏବଂ ଟଙ୍କା ପଇସା ଲୁଟ୍ କରିଛନ୍ତି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗି ଥାନା ଅଧିନସ୍ଥ ଚଣ୍ଡେଶ୍ଵର ରାଇସ ମିଲ ନିକଟରେ ଲୁହା ପଥର ବୋଝେଇ ଟ୍ରକ୍ (ଓଡ଼ି ୧୫ ଏଲଏ ୭୯୯୨) କେଉଁଝର କୋଇଡାରୁ ଗୋପାଳପୁର ଯାଉଥିଲା। ଗତ କାଲି ରାତ୍ରି ପ୍ରାୟ ୩.୩୦ ମିନିଟ୍ ସମୟରେ ଟ୍ରକ୍ ଚାଳକ ଗାଡି ରଖି  ବିଶ୍ରାମ ନେଉଥିବା ବେଳେ ୫ ଜଣ ଲୁଟେରା ଏକ ବୋଲେରୋ ଗାଡିରେ ଆସି ପୋଲିସର ପରିଚୟ ଦେଇଥିଲେ। ଟାଙ୍ଗୀ ଥାନା ବଡବାବୁ ଡାକୁଛନ୍ତି କହି ଟ୍ରକ ଚାଳକଙ୍କୁ ବୋଲେର ଗାଡିରେ ବସାଇ ମାଡ ମାରିବା ସହ ଗାଡି ମଧ୍ୟରୁ ଠେଲି ଦେଇଥିଲେ। ଏହାପରେ ସେମାନେ ଟ୍ରକରୁ କାଗଜ ପତ୍ର, ଟଙ୍କା ପଇସା ଲୁଟି ନେଇଥିଲେ। କିନ୍ତୁ ଗାଡି ଚାଳକ ପାଲଟା ଢେଲା ମାଡ଼ରେ ଦୁର୍ବୃତ୍ତମାନେ ଆଣିଥିବା ବୋଲେର ଗାଡିର କାଚ ଭାଙ୍ଗି ଯାଇଥିଲା। ଏନେଇ ଗାଡି ଚାଳକ ଟାଙ୍ଗୀ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି।

ତେବେ ଜାତୀୟ ରାଜପଥରେ ବାରମ୍ବାର ଡକାୟତି ଯୋଗୁଁ ଗାଡି ଚାଳକ ମାନେ ଆତଙ୍କିତ ହେଉଥିବା ଜଣା ପଡିଛି। କିଛି ଦିନ ତଳେ ଜାତୀୟ ରାଜପଥରେ ବାରମ୍ବାର ଲୁଟ୍ ଡକାୟତି ହେଉଥିବାରୁ ପୋଲିସ୍ ପକ୍ଷରୁ ପିତାପଲି ଠାରୁ ବାଲୁଗାଁ ନାଭାଲ ଛକ ପର୍ଯ୍ୟନ୍ତ  ୩ ଟି  ପୋଲିସ୍  ପାଟ୍ରୋଲିଂ ଭ୍ୟାନ ମୁତୟନ କରାଯାଇଥିଲା। ଏହା ପରେ ବି ପୋଲିସକୁ ଖୋଲା ଖୋଲି ଚ୍ୟାଲେଂଜ୍ ଦେଇ ଲୁଟେରାମାନେ ଲୁଟ୍ କରୁଛନ୍ତି।

Related posts