ଦୁଇ ନକଲି ପୋଲିସ ଅଧିକାରୀ ଗିରଫ: ଡକାୟତୀ ଉଦ୍ୟମ ପଣ୍ଡ, ପୋଲିସ ପୋଷାକ ଅସ୍ତ୍ରଶସ୍ତ୍ର ଜବତ

Published: Mar 7, 2021, 10:38 am IST

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୋଲିସ ରାତ୍ରୀକାଳୀନ ପାଟ୍ରୋଲିଙ୍ଗ ବେଳେ ଡକାୟତୀ ଉଦ୍ୟମ କରୁଥିବା କଟକ ଅଂଚଳର ଦୁଇଜଣ ନକଲି ପୋଲିସ ଅଧିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ପୋଷାକ ସମେତ ନକଲି ପିସ୍ତଲ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି।

ସୂଚନା ଅନୁସାରେ ଶୁକ୍ରବାର ରାତିରେ ପୋଲିସ ପାଟ୍ରୋଲିଙ୍ଗ ବେଳେ ବାଲିଗୁଡା ଥାନା ପୋଲିସ ବାଲିଗୁଡା ଖଡଗ ନଦୀ ନିକଟରେ କିଛି ସନ୍ଦିଗ୍ଧ ଲୋକଙ୍କୁ ଦେଖିବାପରେ ସେମାନଙ୍କ ପିଛାକରିଥିଲା। ପୋଲିସକୁ ଦେଖି ସେମାନେ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିବାବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା। ସେମାନେ ପୋଲିସ ଏସ.ଆଇ ପୋଷାକରେ ନିଜକୁ ସଜାଇ ସ୍ଥାନୀୟ କିଛି ଲୋକଙ୍କ ସହଯୋଗରେ ସେହି ବାଟ ଦେଇ ଯାଉଥିବା ଲୋକଙ୍କଠାରୁ ଡକାୟତୀ କରିବାକୁ ମସୁଧା କରୁଥିଲେ।

ପୋଲିସ ସେମାନଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ନକଲି ପୋଲିସ ପୋଷାକ, ଗୋଟିଏ ମାରୁତୀ ସ୍ୱିଫଟ୍ ଡିଜାୟାର(ଓଡି-୦୫-୬୮୬୬), ଲୁହା ରଡ, ନକଲି ପିସ୍ତଲ, ପୋଲିସ ଟୋପି ସମେତ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି।

ତେବେ ଘଟଣା ସ୍ଥଳରୁ ଆଉ ୩ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତ ମାନେ କଟକ ଜିଲ୍ଲା ଚଣ୍ଡି ଛକ ଅଂଚଳର ବୋଲି ଜଣାପଡିଛି। ପୋଲିସ ଏହି ସଂକ୍ରାନ୍ତରେ ଏକ ମାମଲା ୪୬/୨୧ ରୁଜ୍ଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Related posts