ବାଣପୁରରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ପ୍ରେମ ସମ୍ପର୍କରୁ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ

Published: Mar 11, 2021, 6:37 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନିଳାଦ୍ରୀପ୍ରସାଦ ପଞ୍ଚାୟତ କିଆ ଗୋରଡ଼ା ଗ୍ରାମର ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ ଯୁବତୀ ଜଣଙ୍କ ହେଲେ ଉକ୍ତ ଗ୍ରାମର ନମିତା ବେହେରା(୨୨)।

ମିଳିଥିବା ସୂଚନା ଅନୁଯାୟୀ, ନମିତା ଗତକାଲି (ବୁଧବାର) ମଧ୍ୟାହ୍ନ ସମୟରେ ବାଣପୁର ନିକଟସ୍ଥ ଏକଡାଳିଆ ଗ୍ରାମ ରାସ୍ତାରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ବେଳେ ରାସ୍ତାରେ ଯାଉଥିବା କିଛି ସହୃଦୟ ବ୍ୟକ୍ତି ନମିତାଙ୍କ ଆଶୁ ଚିକିତ୍ସା ନିମନ୍ତେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ନମିତାଙ୍କ ମୁହଁରୁ କିଛି ଫେଣ ବାହାରୁଥିଲା, ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅପରାହ୍ନ ୩:୩୦ ଟା ସମୟରେ ମୃତ୍ୟୁ ହୋଇଥିଲା।

ଡାକ୍ତର ବାଣପୁର ଥାନାରେ ଏ ନେଇ ସୂଚନା ଦେବାପରେ ପୋଲିସ ଆଜି ସକାଳେ ୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରୀ ରଖିଛି।

ତେବେ ନମିତାଙ୍କ ପରିବାରବର୍ଗ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ନାରଣଦେଇ ପୁର ଗ୍ରାମର ଜଗନ୍ନାଥ ବେହେରାଙ୍କ ପୁଅ ବିନୋଦ ବେହେରାଙ୍କ ସହ ନମିତାଙ୍କ ପ୍ରେମ ସମ୍ପର୍କକୁ ନେଇ ମୃତ୍ୟୁ ହୋଇଛି। ତେବେ ଦୋଷୀକୁ କଠୋରରୁ କଠୋର ଦଣ୍ଡ ମିଳିବା ସହ ଆମକୁ ଉପଯୁକ୍ତ ନ୍ୟାୟ ମିଳୁବୋଲି ନମିତାଙ୍କ ପରିବାର ଲୋକେ ବାଣପୁର ଆଇଆଇସିଙ୍କୁ ଅନୁରୋଧ କରିଛନ୍ତି।

Related posts