Categories
ଆଞ୍ଚଳିକ

ବାଣପୁର: ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଓ ଶାଶୁ ଥାନାରେ ଅଟକ

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମରେ ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବାଲୁଗାଁ ଥାନା ଅନ୍ତର୍ଗତ ଚାଷଙ୍ଗରା ଗ୍ରାମର ପୂଜା ଜେନା ନାମ୍ନୀ ଜଣେ ମହିଳା ତୋରସିଂ ଗ୍ରାମର ରାଜା ଭୋଳଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଶ୍ୱଶୁର ଘର ଲୋକ ଯୌତୁକ ଦାବୀ କରି ପୂଜାଙ୍କୁ ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଏ ନେଇ ଗତକାଲି ପୂଜା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ।

ରାତ୍ରି ୧୦ଟାରେ ପରିବାର ଲୋକ ରାଜାଙ୍କ ଘରେ ପହଂଚିବାରେ ଝିଅ ଘର ଲୋକଙ୍କୁ ରାଜାଙ୍କ ପରିବାର ଲୋକ ଘରକୁ ପୁରାଇଦେଇ ନ ଥିଲେ ବୋଲି କୁହାଯାଉଛି। ଆଜି ପୂଜାଙ୍କୁ ଶ୍ୱଶୁର ଘର ଲୋକେ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇଥିବା ବେଳେ ପରିବାର ଲୋକ ପୂଜାଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ।

ଉକ୍ତ ଘଟଣା ସମ୍ପର୍କରେ ପୂଜାଙ୍କ ମା’ ଥାନାରେ ଅଭିଯୋଗ କଲା ପରେ ପୋଲିସ ପୂଜାଙ୍କ ସ୍ୱାମୀ ଓ ଶାଶୁଙ୍କୁ ଅଟକ ରଖିଥିବା ବେଳେ ପୂଜା ବିଷ ପିଇ ଦେଇଥିବା ରାଜାଙ୍କ ପରିବାର ଲୋକ କହିଛନ୍ତି। ମୃତଶରୀରକୁ ବାଣପୁର ପୋଲିସ ଜବତ କରିଥିବା ବେଳେ ରିପୋର୍ଟ ଲେଖା ହେଲା ବେଳକୁ ଆମ୍ବୁଲାନ୍ସ ସହ ମୃତ ଶରୀର ବାଣପୁର ଥାନା ସମ୍ମୁଖରେ ଥିବା ଜଣାଯାଇଛି।

Categories
ଆଞ୍ଚଳିକ

ବାଣପୁର: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଆୟତପୁର ଗ୍ରାମର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଲକ୍ଷ୍ମଣ ପ୍ରଧାନଙ୍କ ପୁତ୍ର ଦୀପକ ପ୍ରଧାନ (୨୫)। ଦୀପକଙ୍କୁ ଗୁରୁତର ଅବସ୍ଥାରେ ଗମ୍ଭାରୀମୁଣ୍ଡା ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ସହ ନାଚୁଣୀ ଥାନାକୁ ସୂଚନା ଦେଇଥିଲେ।

ଖବର ପାଇ ନାଚୁଣୀ ପୋଲିସ ମେଡିକାଲ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦୀପକଙ୍କ ପରିବାର ବର୍ଗ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବା ମୁତାବକ ଦୀପକଙ୍କ ସହିତ ତାଙ୍କ ଖୁଡିଙ୍କ ଅନୈତିକ ସମ୍ପର୍କ ଥିବାବେଳେ ଗତ ୧୮ ତାରିଖରେ ୩୦ ହଜାର ଟଙ୍କା ନେଇ ବିଦେଶ ଯିବାକୁ କହି ଘରୁ ଆସିଥିଲେ। କିନ୍ତୁ ବିଦେଶ ନ ଯାଇ ବାଣପୁର ଥାନା ଅନ୍ତର୍ଗତ ଖୁଡିଙ୍କ ବାପଘର ମେଘାମ୍ବରୀ ପାଟଣା ଠାରେ ରହୁଥିଲେ।

ପରିବାର ଲୋକ ଏହା ଜାଣିପାରି ସେଠାରୁ ନେବାକୁ ଆସିଥିଲା ବେଳେ ଖୁଡି ଓ ତାଙ୍କ ବାପଘର ଲୋକ ଘରେ ନ ଥିବା କହି ତାଙ୍କ ସାଥିରେ ଗଣ୍ଡଗୋଳ କରିଥିଲେ। ଏବଂ ସେଠାରୁ ତାଙ୍କୁ ଲୁଚେଇବା ପାଇଁ ବାଲୁଗାଁ ଥାନା ଅନ୍ତର୍ଗତ ରାମପୁରରେ ଖୁଡିଙ୍କ ଭଉଣୀ ଘରକୁ ନେଇଯାଇଥିଲେ। ଗତକାଲି ପରିବରଲୋକଙ୍କୁ ଖୁଡିଙ୍କ ଭଉଣୀ ଖବର ଦେଇଥିଲେ କି ଦୀପକ ବିଷ ଖାଇ ଦେଇଥିବାରୁ ତାଙ୍କୁ ବାଲୁଗାଁ ଡାକ୍ତରଖାନାକୁ ଅଣାଯାଇଛି।

ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଭୁବନେଶ୍ୱର ନ ନେଇ ଆମ୍ଭ ଗ୍ରାମକୁ ଆଣି ଶୀଘ୍ର ଡାକ୍ତରଖାନା ନେବାକୁ କହିଥିଲେ।  ଦୀପକଙ୍କୁ ଗମ୍ଭୀରୀମୁଣ୍ଡା ମେଡିକାଲ ନେବାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ତେଣୁ ମୋର ଭାଇକୁ ଖୁଡି ବିଷ ଦେଇ ମାରିଦେଇଥିବା ପରିବାର ଲୋକ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି।

ଉକ୍ତ ଘଟଣାକୁ ନେଇ ଦୀପକଙ୍କ ଭାଇ ବାଣପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏହା ବାଲୁଗାଁ ଥାନା ଅଞ୍ଚଳରେ ଘଟିଥିବାରୁ ତାଙ୍କୁ ବାଲୁଗାଁ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛି ବାଣପୁର ପୋଲିସ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକରଡା ଗ୍ରାମର ଲଳିତା ମହାନ୍ତି ନାମକ ଜଣେ ଯୁବତୀଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି।

ଘଟଣାରୁ ପ୍ରକାଶ ଯେ, ନିଜ ଘରେ ଖାଇପିଇ ରାତିରେ ଲଳିତା ଶୋଇଥିଲେ। କ’ଣ ହେଲା ହଠାତ୍ ରାତି ଅଧରେ ସେ ବାନ୍ତି କରିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଓ ଚିକିତ୍ସିତ ହେଉଥିବା ସମୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରଣପୁର: ଓମ ଶାନ୍ତି କର୍ମକର୍ତ୍ତାଙ୍କ ସନ୍ଦେହଜନକ ମୃତ୍ୟୁ

ରଣପୁର: ରଣପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ଦେବରାଜ ସାହୁଙ୍କ ଝିଅ ସତ୍ୟଭାମା ସାହୁଙ୍କର ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେ ପରିବାର ଛାଡି ଦୀର୍ଘ ଦିନ ଧରି ରଣପୁର ଓମ ଶାନ୍ତି ଆଶ୍ରମରେ ରହୁଥିଲେ। ଏପରିକି ରଣପୁର ଓ  ଗୌରାଙ୍ଗପୁରର ଏକ ଭଡା ଘରେ ଚାଲିଥିବା ଓମ ଶାନ୍ତି ଆଶ୍ରମକୁ ଦେଖାଶୁଣା କରିଆସୁଥିଲେ।

ଆଜି ସକାଳ ୧୧ଟା ବେଳେ ତାଙ୍କ ପରିବାର ଲୋକେ ଫୋନ୍ ଯୋଗେ ତାଙ୍କର ସାଥୀ ଠାରୁ ଖବର ପାଇଲେ ଯେ, “ତୁମ ଝିଅ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ତାକୁ ଆମେ ରଣପୁର ଡାକ୍ତରଖାନାକୁ ଆଣିଛୁ, ଜଲଦି ଆସ”। ସେଠାରେ ଡାକ୍ତର ସତ୍ୟଭାମାଙ୍କୁ ଡାକ୍ତରୀ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।

ଖବର ପାଇ ସେମାନେ ଡାକ୍ତରଖାନାରେ ପହଂଚିବା ପରେ ଝିଅର ମୃତ୍ୟୁ ଘଟିଥିବା ଜାଣିବା ପରେ ତାଙ୍କ ଝିଅକୁ ମାରି ଦେଇଥିବା ସନ୍ଦେହ କରି ରଣପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବା ଜଣାଯାଇଛି। ପରେ ପୋଲିସ୍ ପହଂଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରାଇ ତଦନ୍ତ ଜାରି ରଖିଥିବା ଜଣାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଜଳରାଶିରେ ବିହାରୀ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ଜଳରାଶିରେ ଜଣେ ବିହାରୀ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ଡବ୍ଲୁ କୁମାର ସାହାଣୀ (୩୨), ଘର ବିହାର କଟିହାର ଜିଲ୍ଲା ବରଗାଁ ଅଂଚଳରେ ବୋଲି ଜଣା ପଡିଛି। ମୃତ ବିହାରୀ ଯୁବକଙ୍କୁ ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଜରିପଡା ଚିଲିକା ସାହିର ମାଛ ମହାଜନ ସୁକାନ୍ତ କୁମାର ପ୍ରଧାନ ଚିଲିକାରେ ମାଛ ମାରିବା ପାଇଁ ବିହାରରୁ ଆଣିଥିଲେ।

ଡବ୍ଲୁ କୁମାର ସାହାଣୀ ନିଜ ବାପାଙ୍କ ସହ ଚିଲିକାରେ ମାଛ ମାରି ମାଛଗୁଡ଼ିକୁ ମହାଜନ ସୁକାନ୍ତ ପ୍ରଧାନଙ୍କୁ ଦେଇଥାନ୍ତି। ତେବେ ଗତ କାଲି ରାତିରେ ଡ଼ଙ୍ଗାରେ ଶୋଇଥିବା ବେଳେ ଆଜି ସକାଳେ ତାଙ୍କୁ ମୃତ ଅବସ୍ଥାରେ ଦେଖି ପରିବାରବର୍ଗ ଟାଙ୍ଗୀ ଡାକ୍ତରଖାନା ନେଇଥିଲେ।

ଡାକ୍ତର ସେଠାରେ ଡବ୍ଲୁଙ୍କୁ ମୃତ ଘୋଷଣା କରିବା ପରେ ଟାଙ୍ଗୀ ପୋଲିସ ପହଞ୍ଚି ଶବ ଜବତ କରି କେସ ନମ୍ବର ୩୪/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି।  ତେବେ ମୃତ୍ୟୁର କାରଣ ସନ୍ଦେହଜନକ ରହିଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କର ସନ୍ଦେହଜନକ ମୃତ୍ୟୁ: ମିଳିଲା ଆତ୍ମହତ୍ୟା ନୋଟ

ନୂଆଦିଲ୍ଲୀ: ଆଜି ଅଖିଳ ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହା ପରେ ମହନ୍ତ ନରେନ୍ଦ୍ର ଗିରିଙ୍କ କୋଠରୀରୁ ଏକ ଆତ୍ମହତ୍ୟା ନୋଟ ମିଳିଥିବା ପୋଲିସ କହିଛି। ଏଥିରେ ତାଙ୍କର ଶିଷ୍ୟ ଆନନ୍ଦ ଗିରିଙ୍କ ବିଷୟରେ ଉଲ୍ଲେଖ ଅଛି। ପୋଲିସ କହିଛି ଯେ, ଆମେ ଘଟଣାର ତଦନ୍ତ କରୁଛୁ। ପୋଲିସ କହିଛି ଯେ, ଶିଷ୍ୟ ଆନନ୍ଦ ଗିରିଙ୍କ ଉପରେ ନରେନ୍ଦ୍ର ଗିରି ଦୁଃଖୀ ଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ୍ କରି କହିଛନ୍ତି ଯେ, “ଅଖିଲ ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଆଧ୍ୟାତ୍ମିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ପ୍ରଭୁ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଅମର ଆତ୍ମାକୁ ତାଙ୍କ ପାଦରେ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ଅନୁଗାମୀମାନଙ୍କୁ ଏହି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ। ଓଁ ଶାନ୍ତି!”
ହିନ୍ଦୁ ମହାସଭାର ସଭାପତି ସ୍ଵାମୀ ଚକ୍ରପାଣି କହିଛନ୍ତି ଯେ, “ଅଖିଲ ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ସନାତନ ଧର୍ମ ପାଇଁ ଏହା ଏକ ବଡ କ୍ଷତି। ତାଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ କରିବା ପାଇଁ ସେ ପ୍ରଶାସନ ପାଖରେ ଦାବି କରିଛନ୍ତି। ”

Categories
ଆଜିର ଖବର ରାଜ୍ୟ ଖବର

ଘରେ ଶୋଇଥିବା ବେଳେ ୬ ବର୍ଷ ଝିଅର ସନ୍ଦେହଜନକ ମୃତ୍ୟୁ: ତଦନ୍ତ ଆରମ୍ଭ କଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଘରେ ଶୋଇଥିବା ବେଳେ ୬ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ହେଲେ ମୃତ୍ୟୁର କାରଣ ଜଣାପଡିନାହିଁ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଗୋଡିପାଟଣା ସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ ଗୋଡିପାଟଣା ସାହିର ରବି ପ୍ରଧାନଙ୍କ ୬ ବର୍ଷର ଝିଅ ଇତି ଘରେ ଶୋଇଥିବା ବେଳେ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଶିଶୁଟିକୁ ମୃତ୍ୟୁ ଘୋଷଣା କରିଥିଲେ।

କିନ୍ତୁ ମୃତ୍ୟୁର କାରଣ ଏଯାଏଁ ଜଣାପଡିନଥିବା ବେଳେ ଇତିର ବେକରେ ଏକ ସରୁ ଦାଗ ଟିଏ ଦେଖି ଡାକ୍ତର ସନ୍ଦେହ କରିଥିଲେ। ତେଣୁ ସନ୍ଦେହ କରି ପୋଲିସକୁ ଡାକ୍ତର ତୁରନ୍ତ ଖବର ଦେଇଥିଲେ। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଅଭାବନୀୟ ଘଟଣା: ମା’ ସହ ୩ ବର୍ଷୀୟ ପୁଅର ସନ୍ଦେହଜନକ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଆଂକୁଲା ପଞ୍ଚାୟତ ବାଉରୀ ସାହିରେ ଏକ ଲୋମ ହର୍ଷଣକାରି ଘଟଣା ଘଟିଯାଇଛି। ଏକା ସାଙ୍ଗରେ ମା ଏବଂ ପୁଅର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ବ୍ରାହ୍ମଣକୋଷଡ଼ିହ ଗ୍ରାମ ବାଉରୀ ସାହିର ବିଭୁ ନାୟକଙ୍କ ପତ୍ନୀ ସସ୍ମିତା ନାୟକ (୨୫) ଏବଂ ୩ ବର୍ଷର ପୁତ୍ର (ହାପି)ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତେବେ ପରିବାର ପକ୍ଷରୁ ଏହା ଆତ୍ମହତ୍ୟା ବୋଲି ଦାବି ହେଉଛି। ପରିବାର ବର୍ଗଙ୍କ ମୁତାବିକ ଉଭୟ ମା ଏବଂ ପୁଅ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି।

ତେବେ ଖବର ପାଇ ବର୍ତ୍ତମାନ ଘଟଣାସ୍ଥଳରେ ବାଲୁଗାଁ ଏସଡ଼ିପିଓ, ବାଲୁଗାଁ ଆଇ ଆଇ ସି, ଥାନାର ଉଭୟ ଏସଆଇ ଏବଂ ସାଇଣ୍ଟିଫିକ୍ ଦଳ ପହଁଚି ତଦନ୍ତ ଜାରି ରଖିଛନ୍ତି। ଅପରପକ୍ଷେ ପରିବାର ବର୍ଗର ସମସ୍ତ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି। କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ପ୍ରେମ ସମ୍ପର୍କରୁ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନିଳାଦ୍ରୀପ୍ରସାଦ ପଞ୍ଚାୟତ କିଆ ଗୋରଡ଼ା ଗ୍ରାମର ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ ଯୁବତୀ ଜଣଙ୍କ ହେଲେ ଉକ୍ତ ଗ୍ରାମର ନମିତା ବେହେରା(୨୨)।

ମିଳିଥିବା ସୂଚନା ଅନୁଯାୟୀ, ନମିତା ଗତକାଲି (ବୁଧବାର) ମଧ୍ୟାହ୍ନ ସମୟରେ ବାଣପୁର ନିକଟସ୍ଥ ଏକଡାଳିଆ ଗ୍ରାମ ରାସ୍ତାରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ବେଳେ ରାସ୍ତାରେ ଯାଉଥିବା କିଛି ସହୃଦୟ ବ୍ୟକ୍ତି ନମିତାଙ୍କ ଆଶୁ ଚିକିତ୍ସା ନିମନ୍ତେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ନମିତାଙ୍କ ମୁହଁରୁ କିଛି ଫେଣ ବାହାରୁଥିଲା, ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅପରାହ୍ନ ୩:୩୦ ଟା ସମୟରେ ମୃତ୍ୟୁ ହୋଇଥିଲା।

ଡାକ୍ତର ବାଣପୁର ଥାନାରେ ଏ ନେଇ ସୂଚନା ଦେବାପରେ ପୋଲିସ ଆଜି ସକାଳେ ୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରୀ ରଖିଛି।

ତେବେ ନମିତାଙ୍କ ପରିବାରବର୍ଗ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ନାରଣଦେଇ ପୁର ଗ୍ରାମର ଜଗନ୍ନାଥ ବେହେରାଙ୍କ ପୁଅ ବିନୋଦ ବେହେରାଙ୍କ ସହ ନମିତାଙ୍କ ପ୍ରେମ ସମ୍ପର୍କକୁ ନେଇ ମୃତ୍ୟୁ ହୋଇଛି। ତେବେ ଦୋଷୀକୁ କଠୋରରୁ କଠୋର ଦଣ୍ଡ ମିଳିବା ସହ ଆମକୁ ଉପଯୁକ୍ତ ନ୍ୟାୟ ମିଳୁବୋଲି ନମିତାଙ୍କ ପରିବାର ଲୋକେ ବାଣପୁର ଆଇଆଇସିଙ୍କୁ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ବନବିଭାଗ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣା: ବାଣପୁରରେ ତଦନ୍ତ କଲେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଏସପି

ସୀତାରାମ ଅଗ୍ରୱାଲ

ବାଣପୁର: ବନବିଭାଗ ହେପାଜତରେ ଥିବା ଯୁବକର ସନ୍ଦେହଜନକ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଏବଂ ଏସପି ଅଜେୟ ପ୍ରତାପ ସ୍ୱାଇଁ ବାଣପୁର ଗସ୍ତରେ ଆସି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କାଠ ଚୋର ସନ୍ଦେହରେ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁର ବଳଭଦ୍ର ବେହେରାଙ୍କୁ ବାଣପୁର ବନ ବିଭାଗ ଅଟକ ରଖିଥିଲା। କିନ୍ତୁ ବନ ବିଭାଗ ହେପାଜତରେ ଥିବା ବେଳେ ବଳଭଦ୍ରଙ୍କ ମୃତ୍ୟୁ ହୋଇଥିଲା। ତେବେ ଏନେଇ ବନବିଭାଗ କର୍ମଚାରୀ ତାଙ୍କୁ ପିଟିପିଟି ମାରି ଦେଇଥିବାର ବଳଭଦ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କର ମୃତ୍ୟୁକୁ ନେଇ ପରିବାର ଏବଂ ଗ୍ରାମବାସୀ ଦୁଇ ଦିନ ଧରି ବାଣପୁର ମେଡ଼ିକାଲରେ ଧାରଣାରେ ବସିଥିଲେ।

ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ପ୍ରକୃତ ଘଟଣା ଜଣାପଡିବ ଏବଂ ଯଦି ରିପୋର୍ଟ ରେ ଯୁବକଙ୍କ ପରିବାର ବର୍ଗଙ୍କ ଅଭିଯୋଗ ମୁତାବକ କିଛି ତଥ୍ୟ ଆସେ, ତାହାଲେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଣପୁର ପ୍ରଶାସନ ପ୍ରତିଶୃତି ଦେବା ପରେ ବୁଧବାର ସନ୍ଧ୍ୟାରେ ଧାରଣାରୁ ଉଠିଥିଲେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ। ଏହା ସହିତ ବାଣପୁର ବନବିଭାଗର କେତେକ କର୍ମଚାରୀଙ୍କ ବିରୁଦ୍ଧରେ ବାଣପୁର ଥାନାରେ କେସ ନମ୍ବର ୩୧୯/୨୦ ରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ମୃତକଙ୍କ ପତ୍ନୀ ପ୍ରତିମା ବେହେରା।

ଆଜି ସକାଳେ ଏହି ଘଟଣାର ଟିକିନିକି ତଦନ୍ତ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣପୁର ପ୍ରଶାସନ ସହ ଧୂଆଁନଳୀ ଫରେଷ୍ଟ ସେକ୍ସନ ଅଞ୍ଚଳରେ ପହଞ୍ଚିଥିଲେ l ତଦନ୍ତ ସାରି ବାଣପୁର ଫେରିବାପରେ ଏହାର ଫଳାଫଳ ବିଷୟରେ ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ପଚାରିବାରୁ ଉଭୟ ଜିଲ୍ଲପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉକ୍ତ ଘଟଣାର ତଦନ୍ତ କରିବା ସହ ବିଭିନ୍ନ ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କୁ ଏ ବାବଦରେ ପଚରାଉଚୁରା କରିଛନ୍ତି। ଏହାର ଏକ ଯୁଗ୍ମ ରିପୋର୍ଟ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଦାଖଲ କରିବେ ବୋଲି ସୂଚନା ଦେଇଥିଲେ ଉଭୟ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।

ଶେଷରେ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନ ସହ ଏକ ବୈଠକରେ ଭାଗ ନେଇ କରୋନା ସ୍ଥିତି ସମୀକ୍ଷା କରିଥିଲେ। ବର୍ତ୍ତମାନ ଚିଲିକାରେ କୋଭିଡ ସ୍ଥିତି ବହୁତ ସୁଧୁରୁଛି ଏବଂ ଖୁବ କମ ସକ୍ରିୟ କେସ ଅଛି ବୋଲି କହିଥିଲେ ଜିଲ୍ଲାପାଳ। ଏଥିପାଇଁ ଜିଲ୍ଲାପାଳ ଗଣମାଧ୍ୟମକୁ ପ୍ରଶାସନର ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ହେଲେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସମସ୍ତ ଜନସାଧାରଣଙ୍କୁ ଆହୁରି ଅଧିକ ସତର୍କ ରହିବାକୁ ପଡିବ ଅନ୍ୟଥା କୋଭିଡ କେସ ପୁନର୍ବାର ବଢିପାରେ ବୋଲି ଜିଲ୍ଲାପାଳ ମତ ରଖିଥିଲେ। ଏହାସହ ଜିଲ୍ଲାପାଳ ଏନ୍ଫୋର୍ସମେଣ୍ଟକୁ କଡାକଡି କରିବା ଲାଗି ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବାର ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଜିଲ୍ଲାପାଳ ଏବଂ ଏସପିଙ୍କ ଉକ୍ତ ଗସ୍ତ ସମୟରେ ଖୋର୍ଦ୍ଧା ଏ.ସି.ଏଫ.ଓ, ବାଣପୁର ତହସିଲଦାର, ବାଲୁଗାଁ ଏସ.ଡ଼ି.ପି.ଓ, ବାଣପୁର ଆଇ.ଆଇ.ସି ପ୍ରମୁଖ ଉପସ୍ଥିତ ଥିଲେ।