ବାଣପୁର: ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଓ ଶାଶୁ ଥାନାରେ ଅଟକ

Published: Nov 19, 2023, 8:59 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମରେ ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବାଲୁଗାଁ ଥାନା ଅନ୍ତର୍ଗତ ଚାଷଙ୍ଗରା ଗ୍ରାମର ପୂଜା ଜେନା ନାମ୍ନୀ ଜଣେ ମହିଳା ତୋରସିଂ ଗ୍ରାମର ରାଜା ଭୋଳଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଶ୍ୱଶୁର ଘର ଲୋକ ଯୌତୁକ ଦାବୀ କରି ପୂଜାଙ୍କୁ ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଏ ନେଇ ଗତକାଲି ପୂଜା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ।

ରାତ୍ରି ୧୦ଟାରେ ପରିବାର ଲୋକ ରାଜାଙ୍କ ଘରେ ପହଂଚିବାରେ ଝିଅ ଘର ଲୋକଙ୍କୁ ରାଜାଙ୍କ ପରିବାର ଲୋକ ଘରକୁ ପୁରାଇଦେଇ ନ ଥିଲେ ବୋଲି କୁହାଯାଉଛି। ଆଜି ପୂଜାଙ୍କୁ ଶ୍ୱଶୁର ଘର ଲୋକେ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇଥିବା ବେଳେ ପରିବାର ଲୋକ ପୂଜାଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ।

ଉକ୍ତ ଘଟଣା ସମ୍ପର୍କରେ ପୂଜାଙ୍କ ମା’ ଥାନାରେ ଅଭିଯୋଗ କଲା ପରେ ପୋଲିସ ପୂଜାଙ୍କ ସ୍ୱାମୀ ଓ ଶାଶୁଙ୍କୁ ଅଟକ ରଖିଥିବା ବେଳେ ପୂଜା ବିଷ ପିଇ ଦେଇଥିବା ରାଜାଙ୍କ ପରିବାର ଲୋକ କହିଛନ୍ତି। ମୃତଶରୀରକୁ ବାଣପୁର ପୋଲିସ ଜବତ କରିଥିବା ବେଳେ ରିପୋର୍ଟ ଲେଖା ହେଲା ବେଳକୁ ଆମ୍ବୁଲାନ୍ସ ସହ ମୃତ ଶରୀର ବାଣପୁର ଥାନା ସମ୍ମୁଖରେ ଥିବା ଜଣାଯାଇଛି।

Related posts