ଗମ୍ଭାରୀମୁଣ୍ଡା ବଜାରରୁ ବଡ଼ଧରଣର ଚୋରି: ପୋଖରୀ ମଧ୍ୟରୁ ଜିନିଷ ଉଦ୍ଧାର କଲା ପୋଲିସ, ଜଣେ ଅଟକ

Published: Mar 15, 2021, 9:25 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ବଜାରରେ ଏକ ରାସନ ଗୋଦାମରୁ ଗତ ଶନିବାର ବିଳମ୍ବିତ ରାତ୍ରିରେ ଏକ ବଡ଼ ଧରଣର ଚୋରି ହୋଇଛି। ଏ ନେଇ ଆଜି ଲିଖିତ ଭାବେ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି ଗୋଦାମ ମାଲିକ। ଅଭିଯୋଗକାରି ହେଉଛନ୍ତି ପଦ୍ମପୁର ଗ୍ରାମର ଭାଗିରଥି ସାହୁ(୪୩)। ଭାଗିରଥି ଗମ୍ଭାରୀମୁଣ୍ଡା ବଜାରରେ ଏକ ରାସନ ଦୋକାନ କରିଥିବାବେଳେ ପଞ୍ଚୁଗାଁ ରୋଡ଼ରେ ତାଙ୍କର ଏକ ରାସନ ଗୋଦାମ ରହିଛି।

ଅଭିଯୋଗ ମୁତାବକ ଶନିବାର ରାତି ୧୦ଘଟିକାରେ ଗୋଦାମ ବନ୍ଦକରି ଭାଗିରଥି ଘରକୁ ଚାଲିଯାଇଥିଲେ। ତେବେ ରବିବାର ସକାଳେ ଦୋକାନ ଖୋଲି ଗୋଦାମ ଘରକୁ ଗଲାବେଳକୁ ଗୋଦାମ ଘରର ତାଲା ଭାଙ୍ଗିଥିବାର ଦେଖିବାକୁ ପାଇଥିଲେ। ଏବଂ ଗୋଦାମରୁ ୧ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଖାଇବା ତେଲ ଏବଂ ଅନ୍ୟାନ୍ୟ ରାସନ ସାମଗ୍ରୀ ଖାଲି ହୋଇଥିବା ଦେଖିବାକୁ ପାଇଥିଲେ। ସବୁଆଡେ ଖୋଜାଖୋଜି କଲା ପରେ ଗମ୍ଭାରୀମୁଣ୍ଡା ହାଇସ୍କୁଲ ନିକଟରେ ଖାଲି ଆଟା ପେଟି ଏବଂ କିଛି ତେଲ ଅଜାଡି ହୋଇଥିବାର ଭାଗିରଥି ଦେଖିବାକୁ ପାଇଥିଲେ।

ତେବେ ଏନେଇ ଭାଗିରଥି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବାଣପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଦେଇଥିବା ସ୍ଥଳେ ଆଜି ଘଟଣା ନିକଟସ୍ଥ ଏକ ପୋଖରୀ ଭିତରୁ ବହୁ ତେଲ ପ୍ୟାକେଟ ଉଦ୍ଧାର କରାଯାଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ଜିନିଷ ଗୁଡିକୁ ନନେଇ ପୋଖରୀ ମଧ୍ୟକୁ ଦୁର୍ବୃତ୍ତ କଣ ପାଇଁ ଫୋପାଡ଼ିଲେ ତାହା ଏବେ ରହସ୍ୟ ଘେରରେ। ତଦନ୍ତ ବଢ଼ିବା ସହିତ ଚୋରିର ଖୁବ ଶୀଘ୍ର ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି।

Related posts